ଓଡ଼ିଶା ଦୁଗ୍ଧଚାଷୀ ମହାସଂଘର ବିକ୍ଷୋଭ

ଭୁବନେଶ୍ବର: ଓଡ଼ିଶା ଦୁଗ୍ଧଚାଷୀ ମହାସଂଘ ପକ୍ଷରୁ ବିଧାନସଭା ସମ୍ମୁଖରେ ଏକ ଗଣବିକ୍ଷୋଭ ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା ଶତାଧିକ ଦୁଗ୍ଧ ଚାଷୀ ସାମିଲ ହୋଇଥିଲେ। ଦୁଗ୍ଧର ସର୍ବନିମ୍ନ ସହାୟକ ମୂଲ୍ୟ ୩୦ ଟଙ୍କା, କାଳିଆ ଯୋଜନାରେ ଚାଷୀମାନଙ୍କୁ ଅନ୍ତଭୁର୍କ୍ତ କରିବା, ଲିଟର ପିଛା ୧ ଟଙ୍କା ପ୍ରତ୍ସୋହନ ରାଶି ଓ ବିନା ସୁଧରେ ଦୁଗ୍ଧଚାଷୀମାନଙ୍କୁ ଋଣ ଆଦି ପ୍ରଦାନ ଦାବିରେ ଏହି ବିକ୍ଷୋଭ ଅନୁଷ୍ଠିତ ହୋଇଥିଲା। ମହାସଂଘ ଅଧ୍ୟକ୍ଷ ରବି ବେହେରା କହିଛନ୍ତି, ରାଜ୍ୟରେ ୧୧ ଲକ୍ଷ ପରିବାର ଦୁଗ୍ଧ ଚାଷ କରି ପରିବାର ପ୍ରତିପୋଷଣ କରୁଛନ୍ତି। କିନ୍ତୁ ଦୁଃଖର ବିଷୟ ୨୦୧୪ ମସିହାରୁ ରାଜ୍ୟ ସରକାର ସରକାରୀ କର୍ମଚାରୀମାନଙ୍କ ମହଙ୍ଗା ଭତ୍ତା ୮୦ ପ୍ରତିଶତ ଓ ୭ମ ବେତନ କମିସନ ଅନୁଯାୟୀ ଦରମା ପ୍ରଦାନ କରୁଛନ୍ତି। ସେହିପରି ୨୦୧୪ ମସିହାରୁ ଡାଲି, ତେଲ, ଚାଉଳର ଦର ଆଶାତୀତ ଭାବେ ବୃଦ୍ଧି ପାଇଛି। ଗୋଖାଦ୍ୟ ଦରରେ ୫୦ ପ୍ରତିଶତ ବୃଦ୍ଧି ଘଟିଛି। ରାଜ୍ୟ ସରକାର ଚା‌ଷୀମାନଙ୍କୁ କାଳିଆ ଯୋଜନାରେ ଅନ୍ତର୍ଭୁକ୍ତ କରାଇଥିଲେ ମଧ୍ୟ ଦୁଗ୍ଧ ଚାଷୀମାନଙ୍କୁ ଏଥିରୁ ବାଦ ଦେଇଛନ୍ତି। ତେଣୁ ରାଜ୍ୟ ସରକାର ତୁରନ୍ତ ଦାବିଗୁଡ଼ିକ ପୂରଣ କରିବାକୁ ସଂଘ ଦାବି କରିଛି।

ସମ୍ବନ୍ଧିତ ଖବର