‘ଋଣଗ୍ରହିତା ତୁରନ୍ତ ଟଙ୍କା ନ ଫେରାଇଲେ ହେବ ଦୃଢ଼ କାର୍ଯ୍ୟାନୁଷ୍ଠାନ’
ଛତ୍ରପୁର : ଋଣ ପ୍ରଦାନରେ ଅନିୟମିତତା ଓ ପରବର୍ତ୍ତୀ ସମୟରେ ଏହି ଋଣ ଅନାଦେୟ ଯୋଗୁଁ ଦେବାଳିଆ ଅବସ୍ଥାକୁ ଆସି ଯାଇଥିଲା ଏବଂ ପରେ ବନ୍ଦ ହୋଇ ଯାଇଥିଲା ଛତ୍ରପୁର ରିକାପଲ୍ଲୀ ସ୍ଥିତ ରାଜ୍ୟର ପ୍ରଥମ ସମବାୟ ବ୍ୟାଙ୍କ। ଏହାର ପୁନରୁଦ୍ଧାର ଦିଗରେ ଗତ କିଛି ବର୍ଷ ହେଲା ଉଦ୍ୟମ ଆରମ୍ଭ ହୋଇଥିଲା। ଆଜି ଏହାର ପ୍ରଥମ ପଦକ୍ଷେପ ସ୍ୱରୂପ ୫୦ ଜଣ ଜମାକାରୀଙ୍କୁ ସେମାନଙ୍କ ଜମାରାଶି ଫେରସ୍ତ କରାଯାଇଛି। ରାଜ୍ୟ ସମବାୟ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର ଛତ୍ରପୁର ସ୍ଥିତ ସମବାୟ ବ୍ୟାଙ୍କ ପରିସରରେ ଯୋଗଦେଇ ୫୦ ଜଣ ଜମାକାରୀଙ୍କୁ ଚେକ୍ ଆକାରରେ ସେମାନଙ୍କ ଜମା ଅର୍ଥ ପ୍ରଦାନ କରିଥିଲେ। ଅନ୍ୟପକ୍ଷରେ ସମବାୟ ବ୍ୟାଙ୍କରୁ ଋଣ ନେଇ ଏହାର ଖିଲାପ କରିଥିବା ଋଣଗ୍ରହୀତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ପାତ୍ର ଏହି ଅବସରରେ ସୂଚନା ଦେଇଥିଲେ। ଏହି ଅବସରରେ ମନ୍ତ୍ରୀ ଶ୍ରୀ ପାତ୍ର ରାଜ୍ୟର ପ୍ରଥମ ସମବାୟ ବ୍ୟାଙ୍କ ବନ୍ଦ ହେବା ପଛରେ ପୂର୍ବତନ ବୋର୍ଡ କର୍ମକର୍ତ୍ତା ଓ ସଂପାଦକ ମାନଙ୍କ ଉପରେ ଦୋଷ ଲଦିଥିଲେ। ଅଫିସରମାନଙ୍କ କାର୍ଯ୍ୟଦକ୍ଷତାକୁ ନେଇ ପ୍ରଶ୍ନ ଉଠାଇଥିଲେ। ତଦନ୍ତ କାଳରେ ଋଣ କାରବାରରେ ବ୍ୟାପକ ଦୁର୍ନୀତି ପଦାକୁ ଆସିଛି। ଋଣ ନେଇଥିବା ବ୍ୟକ୍ତି ଅନ୍ୟ ଜଣକର ସଂପତ୍ତିକୁ ବନ୍ଧକ ରଖିି ଋଣ ହାସଲ କରିଛନ୍ତି। ବ୍ୟାଙ୍କରୁ ଋଣ ବାବଦରେ ଟଙ୍କା ନେଇ ଋଣ ଟଙ୍କାକୁ ଫେରସ୍ତ କରିନଥିଲେ। ଫଳରେ ୧୯୧୫ ମସିହା ଠାରୁ ଆରମ୍ଭ ହୋଇଥିବା ଶହେ ବର୍ଷର ବ୍ୟାଙ୍କ ବନ୍ଦ ହେବାକୁ ଆଜି ବାଧ୍ୟ ହୋଇଥିଲା ବୋଲି ମନ୍ତ୍ରୀ ଶ୍ରୀପାତ୍ର କହିଥିଲେ। ତେବେ ୨୦୦୨ ମସିହା ଠାରୁ ୨୦୦୪ ମସିହା ମଧ୍ୟରେ ଋଣ ପ୍ରଦାନରେ ଅନିୟମିତତା ଓ ପରବର୍ତ୍ତୀ ସମୟରେ ଉକ୍ତ ଋଣ ଅନାଦେୟ ଯୋଗୁଁ ବ୍ୟାଙ୍କର ସିଏଲ୍ଆର୍ ଓ ସିଏଲ୍ଆର୍ କୁ ବଜାୟ ରଖି ନ ପାରିବା ଯୋଗୁଁ ଏବଂ ଏନ୍ପିଏର ମାତ୍ରା ବଢ଼ି ବଢ଼ି ବ୍ୟାଙ୍କ ଦେବାଳିଆ ସ୍ଥିତିକୁ ଆସି ଯାଇଥିଲା। ଫଳରେ ବ୍ୟାଙ୍କ ବନ୍ଦ ହେବା ପରିସ୍ଥିତି ଉପୁଜିଥିଲା। ଋଣ ନେଇଥିବା ହିତାଧିକାରୀମାନେ ତୁରନ୍ତ ସେମାନଙ୍କ ବକେୟା ଅର୍ଥକୁ ବ୍ୟାଙ୍କରେ ଜମା ନକଲେ ସେମାନଙ୍କ ବିରୋଧରେ କ୍ରାଇମ୍ବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା ଏବଂ ପୁଲିସ ପକ୍ଷରୁ ତଦନ୍ତ କରାଯାଇ କଡ଼ା ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ପାତ୍ର କଡ଼ା ନିର୍ଦ୍ଦେଶ ଦେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/01/BANK-JAMAKARINKU-TANKA-FERATHA.jpg)