ଭଦ୍ରକ : ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ୍‌ର ବହୁଚର୍ଚ୍ଚିତ ନିରଂଜନ ଜେନା ଓରଫ ଛୁଞ୍ଚିଆ ହତ୍ୟାକାଣ୍ଡର ରାୟ ଆଜି ପ୍ରକାଶ ପାଇଛି। ଏଥିରେ ଅଭିଯୁକ୍ତ ଥିବା ଧାମନଗର ବିଧାୟକ ମୁକ୍ତିକାନ୍ତ ମଣ୍ଡଳଙ୍କୁ ଆଜି ଭେଦ୍ରକର ମାନ୍ୟବର ଅତିରିକ୍ତ ଜିଲ୍ଲା ଦୌରା ଜଜ୍‌ ଶ୍ରୀ ଅନୁପ କୁମାର ଚନ୍ଦନ ନିର୍ଦ୍ଦୋଷ ଘୋଷଣା କରିଛନ୍ତି। ଶ୍ରୀ ମଣ୍ଡଳଙ୍କ ସହ ଅନ୍ୟ ୫ ଅଭିଯୁକ୍ତ ନେପାଳ ବାରିକ, ବସନ୍ତ ନାୟକ, ରଘୁନାଥ ଜେନା,କୈଳାସ ନାୟକ, ଜୟକୃଷ୍ଣ ରାଉତ ମଧ୍ୟ ଉପଯୁକ୍ତ ପ୍ରମାଣ ଅଭାବରୁ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି।

Advertisment

ଆଜି ରାୟ ପ୍ରକାଶ ପରେ ବିଧାୟକ ଶ୍ରୀ ମଣ୍ଡଳ କୋର୍ଟ ପରିସରରୁ ବାହାରି ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତ୍ତରରେ କହିଲେ, ଛୁଞ୍ଚିଆ ହତ୍ୟାକାଣ୍ଡରେ ମୋର କୌଣସି ସଂପୃକ୍ତି ନ ଥିଲା। ମୋ ନାମରେ ଏଭଳି ମିଥ୍ୟା ଅଭିଯୋଗ କରି କିଛି ରାଜନୈତିକ କୁଚକ୍ରୀଗୋଷ୍ଠୀ ମୋତେ କାଠଗଡ଼ାକୁ ଟାଣିଥିଲେ। ମାନ୍ୟବର ଜଜ୍‌ ଆଜି ଯେଉଁ ରାୟ ପ୍ରକାଶ କରିଛନ୍ତି ସେଥିରେ ସତ୍ୟ, ଧର୍ମ ଓ ନ୍ୟାୟର ବିଜୟ ହୋଇଛି। ମାନ୍ୟବର କୋର୍ଟଙ୍କ ରାୟଙ୍କୁ ମୁଁ ସମ୍ମାନ ଜଣାଉଛି।

ଅପରପକ୍ଷରେ ଆଜି ବିଧାୟକ ମୁକ୍ତିକାନ୍ତ ମଣ୍ଡଳ ଓ ଅନ୍ୟ ୫ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ ହେବା ପରେ ମୃତ ଛୁଞ୍ଚିଆର ଭାଇ କୃପାସିନ୍ଧୁ ଜେନା ମଧ୍ୟ କୋର୍ଟର ରାୟକୁ ସମ୍ମାନ ଜଣାଇଛନ୍ତି। ତେବେ ଅଭିଯୁକ୍ତମାନେ ହିଁ ମୋ ଭାଇଙ୍କୁ ମାରିଛନ୍ତି। କିନ୍ତୁ ଉପଯୁକ୍ତ ପ୍ରମାଣ ଅଭାବରୁ ସେମାନେ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି ବୋଲି ଗଣମାଧ୍ୟମ ଆଗରେ ବୟାନ ରଖିଥିଲେ।

ଉଲ୍ଲେଖଯୋଗ୍ୟ ଯେ, ଗତ ୨୦୦୨ ନଭେମ୍ବର ୩ ତାରିଖ ରାତିରେ ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ଅର୍ନ୍ତଗତ ସୁଗ ଗ୍ରାମର ନିରଂଜନ ଜେନା ଓରଫ୍‌ ଛୁଞ୍ଚିଆ ନାମକ ଜଣେ ଯୁବକଙ୍କୁ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ପ୍ରାଣାନ୍ତକ ଆକ୍ରମଣ ହୋଇଥିଲା। ପରେ ନିରଂଜନକୁ ଅଚେତ ଅବସ୍ଥାରେ ତାଙ୍କ ପରିବାର ଲୋକ ଉଦ୍ଧାର କରି ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତିି କରିଥିଲେ। ହେଲେ ଭଦ୍ରକ ମେଡିକାଲରେ ଚିକିତ୍ସିତ ହେବା ଅବସ୍ଥାରେ ନିରଂଜନର ମୃତ୍ୟୁ ଘଟିଥିଲା। ନିରଂଜନର ମୃତ୍ୟୁ ଘଟଣା ରହସ୍ୟ ଘେରରେ ଥିବାବେଳେ ଏଥିରେ ତତ୍କାଳୀନ ବାସୁଦେବପୁର ବ୍ଲକ୍‌ ଅଧ୍ୟକ୍ଷ ମୁକ୍ତିକାନ୍ତ ମଣ୍ଡଳଙ୍କ ହାତ ଥିବା ନେଇ ନିରଂଜନର ଦାଦା ଦୁଃଶାସନ ଜେନା ଥାନାରେ ଅଭିଯୋଗ କରିଥିଲେ। ଏଇ ଅଭିଯୋଗ ମୂଳେ ବାସୁଦେବପୁର ପୁଲିସ ମାମଲା ରୁଜୁ କରିଥିଲା। ମାତ୍ର ତଦନ୍ତ ପରେ ଏଇ ହତ୍ୟା ମାମଲାରେ ମୁକ୍ତିକାନ୍ତଙ୍କ ନାମକୁ ପୁଲିସ ମୁଦାଲା ତାଲିକାରୁ ବାଦ ଦେଇଥିଲେ। ହତ୍ୟା ମାମଲାରୁ ମୁକ୍ତିଙ୍କର ନାମ କାହିଁକି ବାଦ୍‌ ଦିଆଗଲା ବୋଲି ଦର୍ଶାଇ କୋର୍ଟରେ ଆଶ୍ରୟ ନେଇଥିଲେ ମୃତ ନିରଂଜନର ଦାଦା ଦୁଃଶାସନ। ତେଣୁ କୋର୍ଟରେ ଏହି ମାମଲାର ବିଚାର ଅଧାରେ ଅଟକି ଯାଇଥିଲା। ପରେ ଘଟଣାର ପୁନର୍ବିଚାର ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ମୃତ ଛଞ୍ଚିିଆଙ୍କ ପକ୍ଷରୁ ଆଡିସନାଲ ପିପି ତ୍ରିଲୋଚନ ପାତ୍ର ମାମଲା ଲଢ଼ୁଥିଲାବେଳେ ଅଭିଯୁକ୍ତ ବିଧାୟକଙ୍କ ପକ୍ଷରୁ ହାଇକୋର୍ଟର ବରିଷ୍ଠ ଆଇନଜୀବୀ ଦେବୀ ଧଳ ଓ ଭଦ୍ରକର ବରିଷ୍ଠ ଆଇନଜୀବୀ ବସନ୍ତ ଦାସ ମାମଲାର ଲଢ଼ୁଥିଲେ।