‘ଓଡ଼ିଶା ମୋ ପରିବାର’ର ଆବାହକଙ୍କ ବାଲେଶ୍ବର ଗସ୍ତ; ଉଦ୍‌ଘାଟନ କଲେ ସହାୟତା କେନ୍ଦ୍ର

ବାଲେଶ୍ବର: ଓଡ଼ିଶା ମୋ ପରିବାରର ଆବାହକ ଅରୁପ ପଟ୍ଟନାୟକ ବାଲେଶ୍ବର ଗସ୍ତରେ ଆସି ଆଜି ଫକୀରମୋହନ ମେଡିକାଲ କଲେଜ ଏବଂ ହସ୍‌ପିଟାଲରେ ନୂତନ କରି ପ୍ରତିଷ୍ଠା ହୋଇଥିବା ସହାୟତା କେନ୍ଦ୍ରକୁ ଉଦ୍‌ଘାଟନ କରିଥିଲେ। ଏହି କେନ୍ଦ୍ର ହସ୍‌ପିଟାଲକୁ ଆସୁଥିବା ରୋଗୀ ଓ ତାଙ୍କ ସଂପର୍କୀୟଙ୍କୁ ‌ବେଶ୍‌ ସହାୟକ ହେବ। ସାଧାରଣ ଲୋକେ ହସ୍‌ପିଟାଲର ବିଭିନ୍ନ ବିଭାଗ ସଂପର୍କରେ ଜାଣିନଥିବା ବେଳେ ବହୁ ସମୟରେ ହଇରାଣ ହୋଇଥାନ୍ତି। ତେଣୁ ଏହି କେନ୍ଦ୍ର ସେମାନଙ୍କର ସମସ୍ତ ଅସୁବିଧା ଦୂର କରିବାରେ ସହାୟକ ହେବ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ।

ସହାୟତା କେନ୍ଦ୍ର ତତ୍ପରତାର ସହ ରୋଗୀ ଓ ତାଙ୍କ ସଂପର୍କୀୟଙ୍କ ପାଇଁ କାମ କରିବ ଏନେଇ ମଧ୍ୟ ଅନୁଧ୍ୟାନ କରାଯିବ ବୋଲି କହିଥିଲେ। ଏହା ପରେ ଶ୍ରୀ ପଟ୍ଟନାୟକ ହସ୍‌ପିଟାଲର ବିଭିନ୍ନ ୱାର୍ଡ ପରିଦର୍ଶନ କରିଥିଲେ। ଜରୁରୀକାଳୀନ ବିଭାଗ ପରିଦର୍ଶନ କରି ସେଠାରେ ସମସ୍ତ ପ୍ରକାର ବ୍ୟବସ୍ଥା ସଂପର୍କରେ ତଦାରଖ କରିବା ସହିତ ରୋଗୀଙ୍କୁ ଫଳ ବଂଟନ କରିଥିଲେ। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ନାରାୟଣ ପ୍ରଧାନ, ସଦର ବିଧାୟକ ସ୍ବରୂପ କୁମାର ଦାସ, ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡ଼ା, ପୂର୍ବତନ ସାଂସଦ ଇଂ.ରବୀନ୍ଦ୍ର କୁମାର ଜେନା, ପୌର ଉପାଧ୍ୟକ୍ଷ କୈଳାସ ସେଠୀ, ରେମୁଣା ଏନଏସି ଅଧ୍ୟକ୍ଷା ତନୁଜା ଗିରି, ଓଡ଼ିଶା ମୋ ପରିବାରର ଉପଦେଷ୍ଟା ଅବନି ସାହୁ, ଫକୀରମୋହନ ମେଡିକାଲ କଲେଜ ଏଣ୍ଡ ହସ୍‌ପିଟାଲର ପ୍ରଶାସନିକ ଅଧିକାରୀ ମନୋରମା ଭୂୟାଁଙ୍କ ସମେତ ୱାର୍ଡ କାଉନସିଲର, ଶୁଭେନ୍ଦୁ ମଙ୍ଗରାଜ, ସତ୍ୟ ରଞ୍ଜନ ଦାସ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର