ଭୁବନେଶ୍ବର: ରାଜଧାନୀ ଛାତିରେ ସଂଘର୍ଷ କରୁଥିବା କୁନି ପୁଅ ମୁହଁରେ ଖୁସି ଆଣିଦେଲା ଓଡ଼ିଶା ମୋ ପରିବାର। ଦୁଃଖର ଭାରକୁ ନିଜ କାନ୍ଧରେ ବୋହି ରୋଗିଣା ମା’ର ଚିକିତ୍ସା ପାଇଁ ପରିବା ବିକୁଥିଲା ୧୩ ବର୍ଷର ପୁଅ ଆକାଶ । ଗ୍ରାହକ ପରିବା କିଣିବା ପରେ ସେହି ପଇସାରେ ମା’ ପାଇଁ ଔଷଧ ନେବାକୁ ଜଗି ବସୁଥିଲା ସେ । ଛୋଟ ଛୁଆଟିର କାନ୍ଧରୁ ଦୁଃଖର ଭାରକୁ ନିଜ କାନ୍ଧକୁ ନେଲା ଓଡ଼ିଶା- ମୋ ପରିବାର । ଔଷଧ କିଣିବା ଚିନ୍ତା ଦୂର କରିବା ସହିତ ମାସିକ ରାସନ୍ ପାଇବା ପାଇଁ ସାହାଯ୍ୟ ମଧ୍ୟ ଯୋଗାଇ ଦେଲା ।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନାନୁସାରେ, ନୟାଗଡ଼ ଜିଲ୍ଲା ଗୁଡୁପାଙ୍ଗି ଅଞ୍ଚଳର ବାବିନା ନାୟକ ପୁଅଝିଅଙ୍କୁ ପାଠ ପଢେଇବା ପାଇଁ ସ୍ଵାମୀ ନିବାସୀ ନାୟକଙ୍କ ହାତ ଧରି ଭୁବନେଶ୍ୱର ଆସିଥିଲେ । ସମୟ ବଦଳିବା ପରି ତାଙ୍କ ସ୍ଵାମୀ ମଧ୍ୟ ବଦଳିଗଲେ । ଶାଶୁ, ନଣନ୍ଦଙ୍କ କଥାରେ ପଡି ବାବିନାଙ୍କୁ ଅସହ୍ୟ ଅତ୍ୟାଚାର କରିବା ସହିତ ସ୍ତ୍ରୀ ଓ ଦୁଇ ପିଲାଙ୍କୁ ଘରୁ ତଡିଦେଲେ । ଦୁଃଖିନି ବାବିନା ପିଲାଙ୍କୁ ଧରି ତାଙ୍କ ଭଉଣୀ ଘରେ ଆଶ୍ରୟ ନେଲେ । ବିଧିର ବିଧାନକୁ ଦେଖ, ସମସ୍ୟାର ବୋଝ ବାବିନାଙ୍କ ମୁଣ୍ଡରୁ ଟଳିନି, ଦୁର୍ଭାଗ୍ୟବଶତଃ, ତାଙ୍କର ଦୁଇଟି କିଡ଼ନୀ ମଧ୍ୟ ନଷ୍ଟ ହୋଇଗଲା । ପରେ ଚିକିତ୍ସା ନିମନ୍ତେ ତାଙ୍କୁ ଏମ୍ସ ହସ୍ପିଟାଲରେ ଭର୍ତ୍ତି କରାଗଲା । ଚିକିତ୍ସା ପାଇଁ ଅର୍ଥ ବାଧକ ସାଜିବାରୁ ୧୩ବର୍ଷର ପୁଅ ପଦାକୁ ଗୋଡ଼ କାଢି ନିକିତି ଧରି ପରିବା ବିକ୍ରି କଲା । ତଥାପି ସମସ୍ୟାର ସମାଧାନ ହୋଇପାରିନଥିଲା ।
ଏ ସମ୍ପର୍କରେ କଳିଙ୍ଗ ଟିଭିର ଜଣେ ସାମ୍ବାଦିକ ଓଡ଼ିଶା ମୋ ପରିବାରକୁ ଖବର ଦେଇଥିଲେ । ସୂଚନା ପାଇବା ପରେ ଓଡ଼ିଶା ମୋ ପରିବାର ପକ୍ଷରୁ ତୁରନ୍ତ ପଦକ୍ଷେପ ନିଆଯାଇଥିଲା । ଓଡ଼ିଶା ମୋ ପରିବାର ହେଲ୍ପଡେସ୍କ ସହଯୋଗୀ ସୋମନାଥ ସ୍ଵାଇଁ ତାଙ୍କୁ ହସ୍ପିଟାଲରେ ଚିକିତ୍ସା ସହାୟତା ଯୋଗାଇ ଦେବା ସହିତ ତହସିଲଦାରଙ୍କ ପକ୍ଷରୁ ତାଙ୍କ ପାଇଁ ୩୦,୦୦୦/- ଅର୍ଥରାଶି ସହାୟତା ପାଇବାରେ ସମସ୍ତ ସଂଯୋଜନା କରିଥିଲେ ।
ଖାଲି ଏତିକି ନୁହେଁ, ନିଜର ପରିବାର ସଦସ୍ୟ ଭଳି ତାଙ୍କ ପାଖରେ ଉପସ୍ଥିତ ରହି ସୋମନାଥ ତାଙ୍କର ଭୁଲ୍ ଥିବା ପରିଚୟ ପ୍ରମାଣ ପତ୍ରକୁ ଠିକ୍ କରିବାରେ ସଂଯୋଜନା କରିଥିଲେ ଏବଂ ମାସିକ ରାସନ୍ ପାଇବାରେ ସାହାଯ୍ୟ କରିଥିଲେ । ଶେଷରେ ବାବିନା ଆଜି ଘରକୁ ଫେରିଛନ୍ତି । ସେ ଘରକୁ ଫେରିବା ପାଇଁ ଓଡ଼ିଶା ମୋ ପରିବାର ତାଙ୍କୁ ଯାତାୟାତ ସହାୟତା ମଧ୍ୟ ଯୋଗାଇ ଦେଇଥିଲା । ନା ଅଛି ତାଙ୍କର ସେହି ଅର୍ଥର ଦୁଃଖ ନା ଅଛି, ପରିବାରରେ କେହି ମୁରବୀ ନଥିବାର ଭୟ । ଓଡ଼ିଶା ମୋ ପରିବାର ସାଥିରେ ଛିଡା ହେବା ପରଠାରୁ ଆଉ ଭୟ ନାହିଁ ବୋଲି କହିଛନ୍ତି ବାବିନା । ଏଥିପାଇଁ ସେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଅଶେଷ ଧନ୍ୟବାଦ ଜଣାଇଛନ୍ତି ।