ଭୁବନେଶ୍ବର: ଅତିଥିଙ୍କୁ ସମ୍ମାନ ଓ ସୁରକ୍ଷା ଦେବା, ଆମ ଓଡ଼ିଶାର ସଂସ୍କୃତି ଓ ପରମ୍ପରା । ଯାହାକୁ ସାବ୍ୟସ୍ତ କରିଛି ‘ଓଡ଼ିଶା ମୋ ପରିବାର’। ଓଡ଼ିଶା ମୋ ପରିବାର କେବଳ ଓଡ଼ିଶାବାସୀଙ୍କ ସେବାରେ ନିଜକୁ ସୀମିତ ରଖି ନାହିଁ ବରଂ ଓଡ଼ିଶା ମାଟିରେ ଅତିଥି ହୋଇଥିବା ବାହାର ରାଜ୍ୟର ଲୋକମାନଙ୍କ ଅସୁବିଧାରେ ମଧ୍ୟ ଛିଡ଼ା ହୋଇଛି । ଏହାର ଜ୍ଵଳନ୍ତ ଉଦାହରଣ ହେଉଛନ୍ତି ଉତ୍ତରପ୍ରଦେଶର ବାସିନ୍ଦା ରଜତ ଉପାଧ୍ୟାୟ। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଥିବା ତାଙ୍କ ବାପାଙ୍କ ଚିକିତ୍ସା ଖର୍ଚ୍ଚ ମୁକ୍ତ କରି ହସ୍ପିଟାଲରୁ ଶବ ମୁକୁଳାଇଛି ‘ଓଡ଼ିଶା ମୋ ପରିବାର।’

Advertisment

ଘଟଣାଟି ଏମିତି। ଉତ୍ତରପ୍ରଦେଶର ୫୩ ବର୍ଷୀୟ ବାସିନ୍ଦା ରାମାନୁଜ ଉପାଧ୍ୟାୟ, ବାଲେଶ୍ଵରସ୍ଥିତ ବିର୍ଲା କମ୍ପାନିରେ କାମ କରୁଥିଲେ। ତାଙ୍କ ପୁଅ ରଜତ ଭୁବନେଶ୍ଵରର ଏକ ବେକେରି ସପ୍‌ରେ କାମ କରନ୍ତି । ହଠାତ୍, ରାମାନୁଜଙ୍କ କିଡ୍‌ନି ଖରାପ ହେବାରୁ ସେ ଭୁବନେଶ୍ଵରସ୍ଥିତ ହାଇ-ଟେକ୍‌ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ତେବେ, ସେ ଚିକିତ୍ସାଧୀନ ଅବସ୍ଥାରେ ଗତ ଅଗଷ୍ଟ ୭ ତାରିଖରେ ଶେଷ ନିଃଶ୍ଵାସ ତ୍ୟାଗ କରିଥିଲେ । ହସ୍ପିଟାଲର ବିଲ୍ ଲକ୍ଷାଧିକ ଟଙ୍କା ହୋଇଥିବାରୁ ରାମାନୁଜଙ୍କ ପୁଅ ଏହା ପୈଠ କରିବାକୁ ଅସମର୍ଥ ଥିଲେ। ଫଳରେ ବାପାଙ୍କ ଶବକୁ ମୁକୁଳାଇ ପାରି ନ ଥିଲେ ।

‘ଓଡ଼ିଶା ମୋ ପରିବାର’ ଏ ସମ୍ପର୍କରେ ସୂଚନା ପାଇବା ପରେ ତୁରନ୍ତ ପଦକ୍ଷେପ ନେଇଥିଲା । ଏହି ସଂଗଠନର ଆବାହକ ନିଜେ ହସ୍ପିଟାଲରେ ପହଞ୍ଚି ଏହି ପ୍ରବାସୀ ପରିବାରକୁ ଦେୟମୁକ୍ତ କରିବା ପାଇଁ ହସ୍ପିଟାଲର କର୍ତ୍ତୃପକ୍ଷଙ୍କ ସହିତ ଆଲୋଚନା କରିଥିଲେ ଓ ହାଇ-ଟେକ ହସ୍ପିଟାଲ ଶେଷରେ ମହାନତାର ପରିଚୟ ଦେଲା । ହସ୍ପିଟାଲର କର୍ତ୍ତୃପକ୍ଷ ରାମାନୁଜଙ୍କ ପରିବାର ବର୍ଗଙ୍କୁ ଦେୟ ଛାଡ଼ କରିଥିଲେ । ପରିଶେଷରେ, ଓଡ଼ିଶା ମୋ ପରିବାର ରାମାନୁଜଙ୍କ ମୃତଶରୀର ହସ୍ପିଟାଲରୁ ମୁକୁଳାଇ ସତ୍ୟନଗର ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ କରିଥିଲା ।

ଏଭଳି ଅସମୟରେ ‘ଓଡ଼ିଶା ମୋ ପରିବାର’ ପ୍ରବାସୀ ରଜତଙ୍କ ପରିବାର ସହିତ ଛିଡ଼ା ହୋଇଥିବାରୁ ପରିବାରବର୍ଗ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଏବଂ ଓଡ଼ିଶା ମୋ ପରିବାରକୁ ଅଶେଷ କୃତଜ୍ଞତା ଜଣାଇଛନ୍ତି ।