ଭୁବନେଶ୍ୱର: ପିଲା ଦିନୁ ଦୁଇ ହାତ ହରାଇ ଦିବ୍ୟାଙ୍ଗ ହୋଇପଡିଥିଲେ ମୁନା । ମନରେ ପାଠ ପଢିବାକୁ ଅନାବିଳ ଆଗ୍ରହ ଥିଲେ ସୁଦ୍ଧା ତାଙ୍କର ଶାରୀରିକ ଅକ୍ଷମତା ପ୍ରତିବନ୍ଧକ ସାଜିଥିଲା । ଛୋଟ ପିଲାଟିର କରୁଣ କାହାଣୀ ସମ୍ପର୍କରେ ଜାଣିବା ପରେ, ଓଡ଼ିଶା-ମୋ ପରିବାର କୃତ୍ରିମ ହାତ ଯୋଗାଇ ଦେଇଛି । ସୂଚନାନୁସାରେ, ଦେବଗଡ଼ ଜିଲ୍ଲା ରିଆମାଲ ଅଞ୍ଚଳର ୭ ବର୍ଷୀୟ ବାଳକ ମୁନା ମାଝି, ଦିନେ ଛାତ ଉପରେ ଖେଳୁଥିବା ବେଳେ ହଠାତ୍ ସେ ୧୧କିଲୋୱାଟ ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଥିଲେ । ଦୁର୍ଭାଗ୍ୟବଶତଃ, ତାଙ୍କ ଦୁଇ ହାତ ଗୁରୁତର ଭାବରେ ଜଳିଯାଇଥିଲା । ସଙ୍ଗେସଙ୍ଗେ, ତାଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପରବର୍ତ୍ତୀ ସମୟରେ ତାଙ୍କୁ ବୁର୍ଲା ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା ଏବଂ ସେଠାରୁ, ଶିଶୁଭବନ, କଟକକୁ ସେ ସ୍ଥାନାନ୍ତର ହୋଇଥିଲେ । ସେଠାରେ ଡାକ୍ତର ଛୁଆଟିର ହାତ କାଟିବା ପାଇଁ ପରାମର୍ଶ ଦେଇଥିଲେ କିନ୍ତୁ ପରିବାରବର୍ଗ ହାତ ଦୁଇଟି ନ କାଟିବା ପାଇଁ ଯଥାସମ୍ଭବ ଚେଷ୍ଟା କରି ଅନ୍ୟ ଡାକ୍ତରମାନଙ୍କ ପରାମର୍ଶ ନେଇଥିଲେ କିନ୍ତୁ ଭାଗ୍ୟର ବିଡ଼ମ୍ବନା, ହାତ କାଟିବା ଛଡ଼ା ଅନ୍ୟ କୌଣସି ବିକଳ୍ପ ନଥିଲା ।

Advertisment

ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲରେ ମୁନାଙ୍କର ଦୁଇ ହାତ କଟାଯାଇଥିଲା । ଏଭଳି ଏକ ଦୁର୍ଘଟଣା ପରେ ମଧ୍ୟ ମୁନାଙ୍କର ମନୋବଳ ହାରିନଥିଲା, ପାଠ ପଢି ବଡ଼ ମଣିଷ ହେବା ପାଇଁ ପୂର୍ବପରି ବିଦ୍ୟାଳୟରେ ପଢିବା ଜାରି ରଖିଥିଲେ | କିନ୍ତୁ ତାଙ୍କ ମନରେ ଦୁଃଖ ରହିଯାଇଥିଲା ଯେ, ଲେଖିବା ପାଇଁ ମନରେ ଢେର ଇଚ୍ଛା ଥିଲେ ମଧ୍ୟ ସେ ଅକ୍ଷମ । ପରିବାରବର୍ଗ ଓଡ଼ିଶା- ମୋ ପରିବାର ପକ୍ଷରୁ କୃତ୍ରିମ ଅଙ୍ଗ ଯୋଗାଣ ସମ୍ପର୍କରେ ଗଣମାଧ୍ୟମରୁ ଜାଣିବା ପରେ, କୃତ୍ରିମ ହାତ ପାଇଁ ଦେବଗଡ଼ ଜିଲ୍ଲା ଜୀବନବିନ୍ଦୁ ସଂଯୋଜକ ରୋମାଞ୍ଚ ରଂଜନ ବିଶ୍ଵାଳଙ୍କୁ ଅନୁରୋଧ କରିଥିଲେ । ପରେ, ରୋମାଞ୍ଚ ବିଜୁ ଛାତ୍ର ଜନତା ଦଳର ରାଜ୍ୟ ଉପ ସଭାପତି ଭବାନୀ ଶଙ୍କର ଦାସଙ୍କୁ ଜଣାଇଥିଲେ । ଏ ସମ୍ପର୍କରେ ଭବାନୀ, ବିଜୁ ଜନତା ଦଳ ଯୁଗ୍ମ ସମ୍ପାଦକ(ଓଡ଼ିଶା-ମୋ ପରିବାର) ରୁଦ୍ର ନାରାୟଣ ସାମନ୍ତରାୟଙ୍କୁ ଜଣାଇବା ପରେ ଓଡ଼ିଶା-ମୋ ପରିବାର ପକ୍ଷରୁ ତୁରନ୍ତ ପଦକ୍ଷେପ ନିଆଯାଇ କ୍ୟାପିଟାଲ ହସ୍ପିଟାଲ ପରିସରଭୁକ୍ତ ଏ.ଆର.ସି ସହିତ ସମନ୍ଵୟ ରକ୍ଷା କରି ଆଜି ତାଙ୍କୁ କୃତ୍ରିମ ହାତ ଯୋଗାଇ ଦିଆଯାଇଛି । ଏହି ସମୟରେ ଶ୍ରୀ ସାମନ୍ତରାୟଙ୍କ ସମେତ ସ୍ୱାସ୍ଥ୍ୟ ଉପଦେଷ୍ଟା ଡ଼ଃ ସତ୍ୟଜିତ୍ ଦାଶ, ଶ୍ରୀ ଭବାନୀ ଶଙ୍କର ଦାସ ଏବଂ ଓଡ଼ିଶା-ମୋ ପରିବାର ଟିମ୍ ମଧ୍ୟ ଉପସ୍ଥିତ ଥିଲେ । କୃତ୍ରିମ ଅଙ୍ଗ ଲାଗିବା ପରେ ମୁନାଙ୍କ ମୁହଁରେ ଖୁସିର ଲହରୀ ଖେଳିଯାଇଥିଲା ।