ନବୀନ ନିବାସରେ ‘ଓଡ଼ିଶା ମୋ ପରିବାର’ ଆନୁଷ୍ଠାନିକ ବୈଠକ

୩ ସହ-ଆବାହକଙ୍କ ନେତୃତ୍ୱରେ ଗଠନ ହେଲା ୩ଟି କମିଟି
ପିନାକୀଙ୍କୁ ପରିବେଶ, ଅତନୁଙ୍କୁ ମିଳିଲା ଜୀବନ ବିନ୍ଦୁ ଦାୟିତ୍ୱ
ପ୍ରବାସୀ ଓଡ଼ିଆଙ୍କ କଥା ବୁଝିବେ ଚନ୍ଦ୍ର ଶେଖର

ଭୁବନେଶ୍ବର : ସାମାଜିକ କ୍ଷେତ୍ରରେ ଲୋକଙ୍କୁ ବିଭିନ୍ନ ସେବା ଯୋଗାଇବା ପାଇଁ ବିଜୁ ଜନତା ଦଳ ଦ୍ବାରା ଗଠିତ ‘ଓଡ଼ିଶା ମୋ ପରିବାର’ର ପ୍ରଥମ ଆନୁଷ୍ଠାନିକ ବୈଠକ ଆଜି ନବୀନ ନିବାସରେ ଅନୁଷ୍ଠିତ ହୋଇଛି। ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ୩ଟି ଦିଗ ଉପରେ କାର୍ଯ୍ୟ କରିବାକୁ ଖସଡ଼ା ପ୍ରସ୍ତୁତ କରାଯାଇଥିଲା। ଏଥିପାଇଁ ୩ ଜଣ ସହ-ଆବାହକଙ୍କ ନେତୃତ୍ବରେ ତିନୋଟି କମିଟି ଗଠନ କରାଯାଇଛି। ସାଂସଦ ପିନାକୀ ମିଶ୍ର ପରିବେଶ ସୁରକ୍ଷା ସଂକ୍ରାନ୍ତ କମିଟିର ନେତୃତ୍ବ ନେବା ପାଇଁ ସ୍ଥିର ହୋଇଥିବାବେଳେ ସ୍ବାସ୍ଥ୍ୟ ଓ ରକ୍ତ ଦାନ କାର୍ଯ୍ୟକ୍ରମ ଜୀବନ ବିନ୍ଦୁ କଥା ବୁଝିବେ ବିଧାୟକ ଅତନୁ ସବ୍ୟସାଚୀ ନାୟକ। ପ୍ରବାସୀ ଓଡ଼ିଆଙ୍କ ସମସ୍ୟା ଓ ଚିହ୍ନଟ ପାଇଁ ଗଠନ ହୋଇଥିବା କମିଟିର ମୁଖ୍ୟ ଭାବେ ସାଂସଦ ଚନ୍ଦ୍ର ଶେଖର ସାହୁ ଦାୟିତ୍ବ ତୁଲାଇବେ ବୋଲି ନିଷ୍ପତ୍ତି ହୋଇଛି।ମୋ ପରିବାର ଆବାହକ ଅରୁପ ପଟ୍ଟନାୟକଙ୍କ ସମେତ ୧୮ ଜଣ ସଦସ୍ୟ ଏଥିରେ ଯୋଗଦେଇଥିଲେ।

 

ବିଜେଡି ସଭାପତି ଶ୍ରୀ ପଟ୍ଟନାୟକ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇବା ସହ ସାମାଜିକ ଦାୟିତ୍ବ ବୋଧ ନେଇ ଦଳର ଅଙ୍ଗୀକାର ବଦ୍ଧତା ସମ୍ପର୍କରେ ପରାମର୍ଶ ଦେଇଥିଲେ। ଏହି ଅବସରରେ ଆବାହାକ ଶ୍ରୀ ପଟ୍ଟନାୟକ ଗତ ନଭେମ୍ବର ୧୬ ତାରିଖରେ ଅନୁଷ୍ଠିତ ‘ମୋ ପରିବାର’ କାର୍ଯ୍ୟକାରୀ କମିଟି ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଉପରେ ସୁଚିନ୍ତିତ ମତାମତ ପାଇଁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ। ସହ-ଆବାହାକ ଅତନୁ ସବ୍ୟସାଚୀ ନାୟକ ପ୍ରସ୍ତାବ ଦେଇ କହିଥିଲେ, ‘ଓଡ଼ିଶା ମୋ ପରିବାର’ କାର୍ଯ୍ୟକ୍ରମର ପରିଚାଳନା ପ୍ରକ୍ରିୟାକୁ ଗ୍ରାମ ପଞ୍ଚାୟତ, ବ୍ଲକ୍ ଓ ଜିଲ୍ଲା ହିସାବରେ ରଖାଯାଉ। ଯାହା ସର୍ବସମ୍ମତି କ୍ରମେ ଗ୍ରହଣ ହୋଇଥିଲା।

 

ନିଷ୍ପତ୍ତି ଅନୁଯାୟୀ, ପ୍ରତି ଗ୍ରାମ ପଞ୍ଚାୟତରେ ଗୋଟିଏ ପରିଚାଳନା ମଣ୍ଡଳୀ ରହିବ। ଏହାର ନେତୃତ୍ବ ନେଇଥିବା ବ୍ୟକ୍ତି ଜିଲ୍ଲା ଓ ରାଜ୍ୟ କାର୍ଯ୍ୟାଳୟ ସହିତ ଯୋଗାଯୋଗ ରଖିବେ। ସାରା ଦେଶରେ ସାମାଜିକ କ୍ଷେତ୍ରରେ କାମ କରୁଥିବା ଅନୁଷ୍ଠାନମାନଙ୍କୁ ଭବିଷ୍ୟତରେ ମୋ ପରିବାରରେ ସାମିଲ କରିବାକୁ ଆବାହକ ଶ୍ରୀ ପଟ୍ଟନାୟକ ପ୍ରସ୍ତାବ ଦେଇଥିଲେ। ବୈଠକ ପରେ ସେ କହିଥିଲେ, ପରିବେଶ ସୁରକ୍ଷା ପାଇଁ ସାଂସଦ ପିନାକୀ ମିଶ୍ରଙ୍କ ଅଧୀନରେ ପ୍ଲାଷ୍ଟିକ୍ ମୁକ୍ତ ଓଡ଼ିଶା ଓ ଗଛ ଲଗାଇବା ପାଇଁ କାମ ହାତକୁ ନିଆଯିବ। ସାରା ଦେଶରେ ଏବେ ମହାରାଷ୍ଟ୍ର ଓ ଓଡ଼ିଶା ସମ୍ପୂର୍ଣ୍ଣ ପ୍ଲାଷ୍ଟିକ୍ ମୁକ୍ତ କରିବାରେ ସଫଳ ହୋଇଛନ୍ତି। ଏହି କମିଟିରେ ସାଂସଦ ଶ୍ରୀ ମିଶ୍ରଙ୍କ ସମେତ ସାଂସଦ ଅଚ୍ୟୁତ ସାମନ୍ତ, ଲୋକସଭା ପ୍ରାର୍ଥୀ ନଳିନୀକାନ୍ତ ପ୍ରଧାନ, ସନ୍ଧ୍ୟା କୁମାରୀ ନାୟକ ସଦସ୍ୟ ଅଛନ୍ତି। ସେହିପରି ବିଧାୟକ ଅତନୁ ସବ୍ୟସାଚୀ ନାୟକଙ୍କ ନେତୃତ୍ବରେ ଗଠିତ ସ୍ବାସ୍ଥ୍ୟ ସେବା କମିଟିରେ ବିଧାୟିକା ଲତିକା ପ୍ରଧାନ, ବିଧାୟକ ମନୋହର ରନ୍ଧାରୀ, ସୁଶାନ୍ତ ରାଉତ, ପୂର୍ବତନ ସାଂସଦ ରୀତା ତରାଇ, ବିଧାୟକ ଅନନ୍ତ ଜେନା, ସୁନିତା ବିଶ୍ବାଳ, ଭାରତୀ ସିଂହ ଓ ଗୌରହରି ମିଶ୍ର ସଦସ୍ୟ ଅଛନ୍ତି। ପ୍ରବାସୀ ଓଡ଼ିଆଙ୍କ ପାଇଁ ଏକ ଡାଟାବେସ ପ୍ରସ୍ତୁତ କରାଯିବ। ସାଂସଦ ତଥା ସହ-ଆବାହକ ଚନ୍ଦ୍ର ଶେଖର ସାହୁଙ୍କ ନେତୃତ୍ବରେ ଗଠିତ କମିଟି ବାହାର ରାଜ୍ୟରେ କାର୍ଯ୍ୟକରୁଥିବା ଶ୍ରମିକ ଓ ପ୍ରବାସୀ ଓଡ଼ିଆଙ୍କ ପାଇଁ ସମସ୍ୟା ବୁଝିବାକୁ ସେମାନଙ୍କ ପାଖକୁ ଗସ୍ତ କରିବ। କମିଟି ସେମାନଙ୍କ ବିକାଶ ଦିଗରେ କାର୍ଯ୍ୟ କରିବ। ଏହି କମିଟିରେ ଅନ୍ୟମାନଙ୍କ ମଧ୍ୟରେ ବିଧାୟକ ସଞ୍ଜୀବ କୁମାର ମଲ୍ଲିକ, ସୁଧୀର ସାମଲ ଓ ଡେଜାଲିନ୍ ମହାପାତ୍ର ସଦସ୍ୟ ଭାବେ ରହିବାକୁ ଆଗ୍ରହ ପ୍ରକାଶ କରିଛନ୍ତି। ଓଡ଼ିଶା ମୋ ପରିବାରରେ ଏକ ଲକ୍ଷରୁ ଅଧିକ ସଦସ୍ୟ ଥିବା ଶ୍ରୀ ପଟ୍ଟନାୟକ କହିଥିଲେ।

 

ଗଠନ ହୋଇଥିବା ୩ଟି ଯାକ କମିଟି ସେମାନଙ୍କର ପୃଥକ ବୈଠକ ଡାକିପାରିବେ। ଗୋଟିଏ କମିଟି ସଦସ୍ୟ ଅନ୍ୟ କମିଟି ବୈଠକରେ ଯୋଗ ଦେଇପାରିବେ। ‘ଓଡ଼ିଶା ମୋ ପରିବାର’ କାର୍ଯ୍ୟାଳୟ ପାଇଁ ସ୍ଥାନ ନିରୂପଣ କରିବାକୁ ନଳିନୀକାନ୍ତ ପ୍ରଧାନ ଓ ବିଧାୟକ ସୁଶାନ୍ତ ରାଉତଙ୍କୁ ଦାୟିତ୍ବ ପ୍ରଦାନ କରାଯାଇଛି। ନିୟମିତ ବ୍ୟବଧାନରେ ‘ଓଡ଼ିଶା ମୋ ପରିବାର’ର ସବିଶେଷ କାର୍ଯ୍ୟ ବିବରଣୀ ଦଳୀୟ ସଭାପତିଙ୍କୁ ପ୍ରଦାନ କରିବାକୁ ବୈଠକରେ ସ୍ଥିର କରାଯାଇଥିଲା।

ସମ୍ବନ୍ଧିତ ଖବର