ଓଡ଼ିଶା ମୋଟର ଚାଳକ ସଂଘର କ୍ଷୋଭ : ଦାବି ପୂରଣ ନ ହେଲେ ଗାଡ଼ି ଚଳାଇବେନି

ସରକାର ମାଲିକଙ୍କ କଥା ବୁଝିଲେ ଚାଳକଙ୍କୁ ଭୁଲିଗଲେ

ଭୁବନେଶ୍ବର : ପରିବହନ ବ୍ୟବସ୍ଥାକୁ ସ୍ବାଭାବିକ କରିବା ପାଇଁ ଯାତ୍ରୀବାହୀ ଗାଡ଼ିଗୁଡ଼ିକ ଉପରୁ ସରକାର ୩ମାସ (ଏପ୍ରିଲ, ମେ’ ଜୁନ୍‌) ମାସର ରୋଡ୍‌ ଟ୍ୟାକ୍ସ ଛାଡ଼ କରିଛନ୍ତି। ଗତକାଲି ରାଜ୍ୟ ସରକାରଙ୍କ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ଏନେଇ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି। ସରକାରଙ୍କ ଏହି ନିଷ୍ପତ୍ତି ବସ୍‌ ମାଲିକମାନଙ୍କ ପାଇଁ ବଡ଼ଧରଣର ଏକ ଆଶ୍ବସ୍ତି ଆଣିଛି ସତ; କିନ୍ତୁ ଏହାଦ୍ବାରା ଚାଳକମାନଙ୍କର କିଛି ଲାଭ ହେବ ନାହିଁ ବୋଲି କହିଛି ଓଡ଼ିଶା ମୋଟର ଚାଳକ ସଂଘ। ରାଜ୍ୟ ସରକାର କିମ୍ବା ବସ୍‌ ମାଲିକ ସଂଘ ଚାଳକଙ୍କ ୩ ମାସର ଯନ୍ତ୍ରଣା କଥା ସମ୍ପୂର୍ଣ୍ଣ ଭୁଲିଗଲେ ବୋଲି ସଂଘ ଅଭିଯୋଗ କରିଛି।

YouTube

ସଂଘର ସଭାପତି ଧୀରେନ ବେହେରା କହିଛନ୍ତି, ସକାଳୁ ରାତି ଯାଏ ଗାଡ଼ି ଚଳାଇବା ପରେ ପ୍ରତି ଦିନ କାମ ହିସାବରେ ମାଲିକଙ୍କଠୁ ପଇସା ମିଳେ। ସେହି ଟଙ୍କାରେ ପରିବାର ଚଳେ। କିନ୍ତୁ ଲକ୍‌ଡାଉନ୍‌ ଯୋଗୁଁ ଗ‌ାଡ଼ି ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ହୋଇଯିବାରୁ ସେମାନଙ୍କ ଅବସ୍ଥା ଦୟନୀୟ ହୋଇପଡ଼ିଛି। ଜୀବନ ବଞ୍ଚାଇବା ପାଇଁ ବାଧ୍ୟ ହୋଇ ଅନେକ ଚାଳକ ପରିବା ବିକି କିମ୍ବା କାହା ଘରେ କାମ ଆଦି କରି ଆସୁଛନ୍ତି। ରୋଜଗାର ଯେତିକି ହେଉ ନଥିଲା, ତା’ଠାରୁ ଖର୍ଚ୍ଚ ଅଧିକ ହେଉଥିଲା। ଫଳରେ ଅନେକ ଧାରଉଧାର କରି ସ‌ାରିଲେଣି। ତେଣୁ ଚାଳକମାନେ ପୁଣି ମୁଖ୍ୟସ୍ରୋତକୁ ଫେରିବା ପାଇଁ ଚାହିଁଲେ ମଧ୍ୟ ତାହା ସେମାନଙ୍କ ପକ୍ଷେ ଏତେ ସହଜ ନୁହେଁ।

ଅପରପକ୍ଷେ ସରକାରୀ ଅନୁମତି ପରେ ବସ୍‌ ମାଲିକ ସିନା‌ ଗାଡ଼ି ଚଳାଇବା‌ ପାଇଁ ରାଜି ହୋଇଗଲେ, କିନ୍ତୁ କୋଭିଡ୍‌ ସଂକ୍ରମଣରୁ ବର୍ତ୍ତିବା ପାଇଁ ଚାଳକମାନଙ୍କ ସୁରକ୍ଷାର ‌କୌଣସି ବ୍ୟବସ୍ଥା କରାଯାଇନାହିଁ। ଚାଳକମାନଙ୍କ ଏହି ସବୁ ସମସ୍ୟା ସଂପର୍କରେ ପୂର୍ବରୁ ଅନେକଥର ସଂଘ ପକ୍ଷରୁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଚିଠି ଲେଖାଯାଇଥିଲେ ମଧ୍ୟ କୌଣସି ଉତ୍ତର ମିଳି ନାହିଁ। ସଂକ୍ରମଣ ସଂଖ୍ୟା ଦିନକୁ ଦିନ ବୃଦ୍ଧି ହେଉଥିବା ବେଳେ ଆମେ ଗାଡ଼ି ଚଳେଇ ସଂକ୍ରମଣ ହେଲେ ଆମ କଥା କିଏ ବୁଝିବ ବୋଲି ଶ୍ରୀ ବେହେରା ପ୍ରଶ୍ନ କରିଛନ୍ତି। ‌ତେଣୁ ଚାଳକମାନଙ୍କ ଅବସ୍ଥା ସୁଧାରିବା ପାଇଁ ତିନି ମାସର କ୍ଷତିପୂରଣ ଦେବା, ୫୦ ଲକ୍ଷ ଟଙ୍କାର ବୀମା ଓ କଲ୍ୟାଣ ପାଣ୍ଠି ସହ ଶ୍ରମ ବିଭାଗରେ ପଂଜୀକୃତ କରିବା ପାଇଁ ସଂଘ ପକ୍ଷରୁ ଦାବି କରାଯାଇଛି। ଦାବିଗୁଡ଼ିକ ପୂରଣ ନ ହେଲେ ଚାଳକମାନେ ଗାଡ଼ି ଚଳାଇବା ବନ୍ଦ କରିଦେବେ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି।

ସମ୍ବନ୍ଧିତ ଖବର