ଭୁବନେଶ୍ବର : ସ୍ଥାୟୀ ନିଯୁକ୍ତି ପ୍ରଦାନ ଦାବିରେ ଓଡ଼ିଶା ପୌର ଅସ୍ଥାୟୀ କର୍ମଚାରୀ ମହାସଂଘ ପକ୍ଷରୁ ଆଜି ଏକ ବିକ୍ଷୋଭ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ମହାସଂଘର କର୍ମକର୍ତ୍ତାମାନେ ମାଷ୍ଟରକ୍ୟାଣ୍ଟିନ୍‌ ଛକଠାରୁ ଏକ ଶୋଭାଯାତ୍ରାରେ ବାହାରି ନବୀନ ନିବାସ ଅଭିମୁଖେ ଯାଇଥିଲେ। କିନ୍ତୁ ଶିଶୁଭବନ ଛକଠାରେ ପୁଲିସ୍‌ ବାଧା ଦେବାରୁ ସେହିଠାରେ ସେମାନେ ନାରାବାଜି କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ପରେ ମହାସଂଘର ୫ଜଣିଆ ଏକ ପ୍ରତିନିଧିଦଳ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଥିବା ଜଣାଯାଇଛି।

Advertisment

ମହାସଂଘର ଅଭିଯୋଗ ଅନୁଯାୟୀ, ଓଡ଼ିଶାର ବିଭିନ୍ନ ପୌରସଂସ୍ଥାରେ ୧୦ ବର୍ଷ ଧରି ନିରବଚ୍ଛିନ୍ନ ଭାବେ କାମ କରିଥିବା ଅସ୍ଥାୟୀ କର୍ମଚାରୀଙ୍କୁ ନିୟମିତ କରିବା ପାଇଁ ସରକାରୀ ନିର୍ଦ୍ଦେଶନାମା ରହିଛି। କିନ୍ତୁ ବିଭିନ୍ନ ପଦପଦବିରେ ୨୫ ବର୍ଷରୁ ଊର୍ଦ୍ଧ୍ବ ସମୟ ଧରି କାର୍ଯ୍ୟ କରିଆସୁଥିବା କର୍ମଚାରୀଙ୍କୁ ଏପର୍ଯ୍ୟନ୍ତ ସ୍ଥାୟୀ କରାଯାଇନାହିଁ। ଏ ସଂପର୍କରେ କର୍ମଚାରୀମାନେ ନିଜ ନିଜ ଜିଲ୍ଲାର ଜିଲ୍ଲାପାଳଙ୍କୁ ଭେଟି ବାରମ୍ବାର ଦାବିପତ୍ର ପ୍ରଦାନ କରୁଥିଲେ ହେଁ କେହି କର୍ଣ୍ଣପାତ କରୁନାହାନ୍ତି। ତେଣୁ ଖୁବ୍‌ଶୀଘ୍ର ଦାବି ପୂରଣ କରାନଗଲେ ଆଗାମୀ ଦିନରେ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ସଂଘ ଚେତାବନୀ ଦେଇଛି।