ଓଡ଼ିଶା ଅସ୍ଥାୟୀ ପୌର କର୍ମଚାରୀ ମହାସଂଘର ଧାରଣା ୯ମ ଦିନରେ

ପୌରାଞ୍ଚଳ ନିର୍ବାଚନରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କଲେ ସରକାର ଡରିବେ

ଭୁବନେଶ୍ୱର : ରାଜ୍ୟର ବିଭିନ୍ନ ପୌର ସଂସ୍ଥାରେ କାର୍ଯ୍ୟ କରୁଥିବା ଅସ୍ଥାୟୀ କର୍ମଚାରୀଙ୍କୁ ସ୍ଥାୟୀ କରିବା ଦାବି ନେଇ ଓଡ଼ିଶା ଅସ୍ଥାୟୀ ପୌର କର୍ମଚାରୀ ମହାସଂଘର ବିଧାନସଭା ସମ୍ମୁଖରେ ଚାଲିଥିବା ଧାରଣା ନବମ ଦିନରେ ପହଞ୍ଚିଛି। ଆଜି ମହାସଂଘର ଧାରଣାରେ ‘ସମ୍ବାଦ’ର ସଂପାଦକ ସୌମ୍ୟରଂଜନ ପଟ୍ଟନାୟକ ସାମିଲ ହେବା ସହିତ ସମର୍ଥନ ଜଣାଇଛନ୍ତି।

ଏହି ଅବସରରେ ଶ୍ରୀ ପଟ୍ଟନାୟକ କହିଲେ, ଦେଶରେ ପୌରାଞ୍ଚଳ ସଂଖ୍ୟା ବଢ଼ି ବଢ଼ି ଚାଲିଛି। ଏନ୍‌ଏସି ମ୍ୟୁନସିପାଲଟି ହେଉଥିବା ବେଳେ ମ୍ୟୁନସିପାଲଟି ମହନଗରରେ ପରିଣତ ହେଉଛି। ମାତ୍ର ପୌରାଞ୍ଚଳରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ଅବସ୍ଥାରେ ଅବନତି ଘଟୁଛି। ଆସନ୍ତା ୮/୯ମାସ ମଧ୍ୟରେ ପୌରାଞ୍ଚଳ ନିର୍ବାଚନ ହେବାକୁ ଯାଉଛି। ତେଣୁ ଯଦି ପୌରାଞ୍ଚଳର ଅସ୍ଥାୟୀ କର୍ମଚାରୀମାନେ ଭୋଟ୍‌ରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରନ୍ତି ତେବେ କ୍ଷମତାଶୀଳ ଦଳ ମଧ୍ୟରେ ଭୟ ସଂଚାର ହେବ। ଯଦି କିଛି ନିର୍ଦ୍ଦିଷ୍ଟ ପୌରାଞ୍ଚଳରେ ବିପରୀତ ଫଳ ପ୍ରକାଶ ପାଇବ ବୋଲି ଜଣାପଡ଼େ ତାହାଲେ ଏହାର ପ୍ରଭାବ ସରକାରଙ୍କ ଉପରେ ପଡ଼ିବ। ତେବେ ଆଜିର ସମୟରେ ସ୍ଥାୟୀ କରାଯିବା ଅପେକ୍ଷା ସମାନ କାମକୁ ସମାନ ଦରମା ପାଇବା ଅଧିକ ପ୍ରାସଙ୍ଗିକ ବୋଲି ଶ୍ରୀ ପଟ୍ଟନାୟକ ମତବ୍ୟକ୍ତ କରିଥିଲେ।

ସଂଘର କାର୍ଯ୍ୟକାରୀ ସଭାପତି ଅମର ନାୟକ କହିଲେ, ସୌମ୍ୟରଂଜନ ପଟ୍ଟନାୟକଙ୍କୁ ସଂଘର ଉପଦେଷ୍ଟା କରିବା ପାଇଁ ସଂଘ ପକ୍ଷରୁ ଏକ ପ୍ରସ୍ତାବ ଆସିଥିଲା। ଆଜି ସର୍ବସମ୍ମତି କ୍ରମେ ଶ୍ରୀ ପଟ୍ଟନାୟକଙ୍କୁ ସଂଘର ଉପଦେଷ୍ଟା ଭାବେ ଚୟନ କରାଯାଇଛି। ଆସନ୍ତା ୧୧ତାରିଖରେ ଠିକା କର୍ମଚାରୀମାନେ ଏହି ଧାରଣାରେ ସାମିଲ ହେବେ ବୋଲି ଶ୍ରୀ ନାୟକ ସୂଚନା ଦେଇଛନ୍ତି। ଧାରଣାରେ ସଂଘର ସାଧାରଣ ସଂପାଦକ ରଶ୍ମିରଂଜନ ଗୁରୁ, ସଂପାଦକ ପ୍ରଦୀପ ସାହୁ, ବାଇଧର ମଲ୍ଲିକ, ବେଣୁଧର ନାୟକ ଓ ଗଙ୍ଗାଧର ମଲ୍ଲିକ ପ୍ରମୁଖ ସାମିଲ ହୋଇଥିଲେ।

ଉଲ୍ଲେଖ ଯେ, ୧୯୯୯ ମସିହାରେ ଓଡ଼ିଶା ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗ ପୌରସଂସ୍ଥାରେ କାର୍ଯ୍ୟରତ ଅସ୍ଥାୟୀ କର୍ମଚାରୀଙ୍କୁ ସ୍ଥାୟୀ କରିବାକୁ ନିର୍ଦେଶନାମା ଜାରି କରିଥିଲେ। ୧୦ ବର୍ଷରୁ ଅଧିକ ସମୟ ଧରି ନିରବଚ୍ଛିନ୍ନ ଭାବେ କାର୍ଯ୍ୟ କରିଥିବା ଅସ୍ଥାୟୀ କର୍ମଚାରୀଙ୍କୁ ସ୍ଥାୟୀ କରିବାକୁ ମାପଦଣ୍ଡ ନିର୍ଦ୍ଧାରଣ କରିଥିଲେ। ମାତ୍ର ରାଜ୍ୟ ସରକାର ଏ ପର୍ଯ୍ୟନ୍ତ କୌଣସି ପଦକ୍ଷେପ ଗ୍ରହଣ କରି ନାହାନ୍ତି। ଏହାର ପ୍ରତିବାଦରେ ସଂଘ ପକ୍ଷରୁ ଧାରଣା ଜାରି ରହିଛି।

ସମ୍ବନ୍ଧିତ ଖବର