ଭୁବନେଶ୍ବର: ଫନି ପର ଠାରୁ ନଡ଼ିଆ ଉତ୍ପାଦନ ଏତେ ପ୍ରଭାବିତ ହୋଇଛି ଯେ ରାଜ୍ୟ ବଜାରକୁ ଆଉ ଓଡ଼ିଶା ନଡ଼ିଆ ଆସୁନାହିଁ। ସେଥିରେ ପୁଣି ମାଙ୍କଡ଼ ଉପଦ୍ରବ ଦାଉ ସାଧୁଛି। ରାଜ୍ୟରେ ଯାହାବି ନଡ଼ିଆ ଅଛି ତାହା ଆନ୍ଧ୍ରପ୍ରଦେଶ, କେରଳ ଏବଂ ତାମିଲନାଡ଼ୁର ନଡ଼ିଆ। ଏପରିକି ପୁରୀ ଜିଲ୍ଲାର ସାକ୍ଷୀଗୋପାଳ ସ୍ଥିତ ରାଜ୍ୟର ଏକମାତ୍ର ନଡ଼ିଆ ଆରଏମସିରେ ପୂର୍ବରୁ ଦୈନିକ ୧ ଲକ୍ଷ ନଡ଼ିଆ ବିକ୍ରି ହେଉଥିଲା। ବର୍ତ୍ତମାନ ଏହା ୫ରୁ୭ ହଜାରକୁ ଖସି ଆସିଛି।

Advertisment

ନଡ଼ିଆ ଉନ୍ନୟନ ବୋର୍ଡ ଅନୁସାରେ ୨୦୧୩ରୁ ୨୦୧୯ ମସିହା ମଧ୍ୟରେ ଓଡ଼ିଶାରେ ବାର୍ଷିକ ୩୨୪୦ରୁ ୩୫୪୦ ନଡ଼ିଆ ଉତ୍ପାଦିତ ହେଉଥିଲା। ଫନି ପୂର୍ବରୁ ଏଠାରେ ୫୦ ହଜାର ହେକ୍ଟରରେ ନଡ଼ିଆ ଚାଷ କରାଯାଉ ଥିଲା। ଫନି ଯୋଗୁଁ ଏଠାରେ ୨୫ ହଜାର ହେକ୍ଟର ଚାଷ ପ୍ରଭାବିତ ହୋଇ ଉତ୍ପାଦନ ଭୟଙ୍କର ବାଧାପ୍ରାପ୍ତ ହୋଇଥିଲା। ଏହାପରେ ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ଯୋଜନାରେ ନଡ଼ିଆ ଚାଷ କରାଯାଇ ବର୍ତ୍ତମାନ ୫୨ ହଜାର ହେକ୍ଟର ଜମିରେ ନଡ଼ିଆ ଚାଷ ହେଉଛି। ପୂର୍ବତନ ଉଦ୍ୟାନ ଅଧିକାରୀଙ୍କ ଅନୁସାରେ, ନଡ଼ିଆ ଫଳିବା ପାଇଁ ଅନ୍ୟୂନ ୭ ବର୍ଷ ସମୟ ଲାଗିଥାଏ। ତେଣୁ ଫନି ପରବର୍ତ୍ତୀ ସମୟରେ ନୂତନ ଯୋଜନାରେ ଯେଉଁ ନଡ଼ିଆ ଲାଗିଛି ତାର ଫଳ ପାଇଁ ଆହୁରି ୫ ବର୍ଷ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ। ସେହି ସମୟ ପର୍ଯ୍ୟନ୍ତ ଓଡ଼ିଶା ନଡ଼ିଆ ବଜାରରୁ ଉଭାନ ରହିବ ବୋଲି କୁହାଯାଉଛି। ଏହା ପୂର୍ବରୁ ମହାବାତ୍ୟା ଯୋଗୁଁ ମଧ୍ୟ ନଡ଼ିଆ ଉତ୍ପାଦନ ପ୍ରଭାବିତ ହୋଇଥିଲା।

କେବଳ ନଡ଼ିଆ ଗଛ ଲଗାଇ ଦେଲେ ମଧ୍ୟ ହେବନାହିଁ। ସମନ୍ବିତ ଚାଷର ଆବଶ୍ୟକତା ରହିଥିବା ରହିଛି। ବିଶେଷକରି କେରଳ, ତାମିଲନାଡ଼ୁ ଭଳି ନଡ଼ିଆକୁ ନେଇ ଷ୍ଟାର୍ଟଅପ କରାଯାଇ ପାରିଲେ ଚାଷୀ ଏଥିପ୍ରତି ଆଗ୍ରହ କରିବେ। ନଚେତ ଯେତେ ଚେଷ୍ଟା କଲେ ମଧ୍ୟ ଏଥିରେ ସଫଳତା ମିଳିବ ନାହିଁ। ଓୟୁଏଟି ବିଶେଷଜ୍ଞଙ୍କ ଅନୁସାରେ, ରାଜ୍ୟରେ ହେକ୍ଟର ପିଛା ୬୭୧୯ ନଟ ନଡ଼ିଆ ଉତ୍ପାଦିତ ହୋଇପାରୁଛି। ରାଜ୍ୟରେ ଅନୁକୂଳ ପରିବେଶ ଯୋଗୁଁ ଗଛ ଲଗାଇ ଦିଆଯାଉଥିଲେ ମଧ୍ୟ ଉପଯୁକ୍ତ ଯତ୍ନ, ସାରର ଅଭାବ ଏବଂ ବାତ୍ୟା ଯୋଗୁଁ ଆଖି ଦୃଶିଆ ଉତ୍ପାଦନ ନାହିଁ। ଫନି ପରେ ଚାରା ପାଇଁ ଆନ୍ଧ୍ରପ୍ରଦେଶ ଉପରେ ନିର୍ଭର କରିବାକୁ ପଡ଼ୁଛି। ନଡ଼ିଆ ଗଛଗୁଡ଼ିକ ୨୦ରୁ ୬୦ ବର୍ଷ ପର୍ଯ୍ୟନ୍ତ ଫଳ ଦେଇଥାଏ। ପୁରୀରେ ବ୍ୟାପକ ନଡ଼ିଆ ଗଛ ରହିଛି। ଏଥିମଧ୍ୟରୁ ଅନେକ ପୁରୁଣା ହୋଇଯାଇଛି। ଯାହାକି ଉତ୍ପାଦନକ୍ଷମ ନୁହେଁ। ଏଥିସହିତ ସ୍ଥାନୀୟ ନଡ଼ିଆ ଗଛରେ ଏକାସହିତ ୬୦ରୁ ସର୍ବାଧିକ ୧୦୦ ନଡ଼ିଆ ଫଳ ଧରିଥାଏ। ଗୋଦାବରୀ ଗଙ୍ଗା କିସମରେ ଏକାସହିତ ୧୦୦ରୁ ୧୫୦ ଫଳ ଧରୁଥିବା ଆନ୍ଧ୍ରପ୍ରଦେଶରେ ଦେଖାଯାଇଛି। ଫନି ବାତ୍ୟା ଯୋଗୁଁ ନଡ଼ିଆ ଉତ୍ପାଦନ ନୁହେଁ, ନଡ଼ିଆ ଗବେଷଣା ମଧ୍ୟ ବ୍ୟାପକ ପ୍ରଭାବିତ ହୋଇଛି। ବର୍ତ୍ତମାନର ଚ୍ୟାଲେଞ୍ଜ ହେଲା, ଓଡ଼ିଶା ବଜାରକୁ ଥରେ ବାହାରିଆ ନଡ଼ିଆ କବ୍ଜା କରିଗଲେ ଏଠାରେ ସ୍ଥାନୀୟ ନଡ଼ିଆ ବଜାରକୁ ଆସିବା ବେଳକୁ ସେମାନଙ୍କ ପାଇଁ ଅବସ୍ଥା କଣ ହେବ କହି ହେବ ନାହିଁ। ବର୍ତ୍ତମାନ ଠାରୁ ସେଥିପ୍ରତି ଦୃଷ୍ଟି ଦେବାକୁ ପଡ଼ିବ ବୋଲି ବିଶେଷଜ୍ଞମାନେ ମତ ଦିଅନ୍ତି।