ବିକାଶ ଏକ ଲକ୍ଷ୍ୟ ନୁହେଁ, ନିରନ୍ତର ପ୍ରକ୍ରିୟା

‘କନକ ନ୍ୟୁଜ୍‌’ ପକ୍ଷରୁ ଓଡ଼ିଶା ନିର୍ମାଣ କନକ୍ଲେଭ୍‌

ଭୁବନେଶ୍ୱର : ବିକାଶ ଏକ ଲକ୍ଷ୍ୟ ନୁହେଁ, ଏହା ଏକ ନିରନ୍ତର ପ୍ରକ୍ରିୟା। ଏଥିରେ ବିରାମ ନାହିଁ। କେହି ନିଜକୁ ବିକାଶର ସୂତ୍ରଧର ବୋଲି କହିପାରିବେ ନାହିଁ। ମୁଣ୍ଡପିଛା ଆୟ, ସାମୂହିକ ଆୟ ଓ ନିଯୁକ୍ତି ଭଳି କ୍ଷେତ୍ରକୁ ନେଇ ବିକାଶର ମାପକାଠି ପ୍ରସ୍ତୁତ ହେଉଛି। ମାପକାଠି ବଦଳିଗଲେ ବିକାଶର ଆଭିମୁଖ୍ୟ ବଦଳି ଯାଇଥାଏ ବୋଲି କହିଛନ୍ତି ‘ସମ୍ବାଦ’ର ସଂପାଦକ ସୌମ୍ୟରଂଜନ ପଟ୍ଟନାୟକ।

ଆଜି କନକ ନ୍ୟୁଜ୍‌ ପକ୍ଷରୁ ହୋଟେଲ ଦି କ୍ରାଉନ୍‌ରେ ‘ଓଡ଼ିଶା ନିର୍ମାଣ କନକ୍ଲେଭ୍‌’ର ଦ୍ୱିତୀୟ ସଂସ୍କରଣ ଅନୁଷ୍ଠିତ ହୋଇଯାଇଛି। ଏଥିରେ ନିଜର ପ୍ରାରମ୍ଭିକ ଅଭିଭାଷଣରେ ଶ୍ରୀ ପଟ୍ଟନାୟକ କହିଲେ, କୌଣସି ରାଜ୍ୟ କେନ୍ଦ୍ର ସରକାରଙ୍କ ଆଭିମୁଖ୍ୟରେ ସନ୍ତୁଷ୍ଟ ନୁହନ୍ତି। ରାଜ୍ୟମାନଙ୍କୁ ପାତର ଅନ୍ତର କରାଯାଉଥିବା ଅଭିଯୋଗ ହେଉଛି। ନୀତି ନିର୍ଧାରଣ କ୍ଷେତ୍ରରେ ରାଜନୈତିକ ଦୃଷ୍ଟିକୋଣରୁ ବିଚାର କଲେ ବିକାଶ ସଂକୁଚିତ ହେବ। ସେ କହିଲେ, ଆମର ନ୍ୟାୟପାଳିକା ସଂପୂର୍ଣ୍ଣ ଭାବେ ବିବାଦମୁକ୍ତ ନୁହେଁ। ଗୋଟିଏ ସମୟରେ ପ୍ରତିଶ୍ରୁତିବଦ୍ଧ ନ୍ୟାୟପାଳିକା କଥା ଉଠିଥିଲା। ତେବେ ଏହା କେତେ ଭଲ ଓ ଖରାପ ତାହାର ତର୍ଜମା କରାଯିବା ଦରକାର। ବିକାଶ ପ୍ରକ୍ରିୟାକୁ ତ୍ୱରାନ୍ଵିତ କରିବାକୁ ହେଲେ ଅନୁଷ୍ଠାନଗୁଡ଼ିକର ଅବକ୍ଷୟକୁ ରୋକିବାକୁ ହେବ।

ସେ ଆହୁରି ମଧ୍ୟ କହିଥିଲେ ଯେ ଓଡ଼ିଶାରେ ରାଜନୈତିକ ସ୍ଥିରତା ନ ଆସିଲେ ରାଜ୍ୟର ବିକାଶ ହୋଇପାରିବ ନାହିଁ ବୋଲି ଦୀର୍ଘ ବର୍ଷ ଧରି ଲୋକମାନେ ଅନୁଭବ କରୁଥିଲେ। କିନ୍ତୁ ଗତ ୪୦ବର୍ଷର ରାଜନୈତିକ ପ୍ରକ୍ରିୟାକୁ ସମୀକ୍ଷା କଲେ ଓଡ଼ିଶାରେ ରାଜନୈତିକ ସ୍ଥିରତା ଆସିଥିବା ଅନୁଭବ କରିହେବ। ୧୫ବର୍ଷର କଂଗ୍ରେସ ସରକାର ଓ ପରେ ପ୍ରାୟ ୨୦ ବର୍ଷର ଅଣ କଂଗ୍ରେସ ସରକାର ରାଜ୍ୟରେ ରାଜୁତି କରିଛନ୍ତି। ଏହି ସମୟ ମଧ୍ୟରେ ବିକାଶ କିଭଳି ହୋଇଛି ଓ କିଭଳି ଆଗକୁ ଆହୁରି ବଢ଼ିବ ତାହା ଉପରେ ତର୍ଜମା କରିବାକୁ ପଡ଼ିବ।

ଅନ୍ୟତମ ଅତିଥି ରାଜ୍ୟ ଦକ୍ଷତା ବିକାଶ କର୍ତୃପକ୍ଷର ଅଧ୍ୟକ୍ଷ ସୁବ୍ରତ ବାଗ୍‌ଚୀ ରାଜ୍ୟରେ ଦକ୍ଷତା ବିକାଶ ପାଇଁ କ’ଣ କ’ଣ ପଦକ୍ଷେପ ନିଆଯାଇଛି ତାହାର ଏକ ପାଓ୍ଵାର ପଏଣ୍ଟ ଉପସ୍ଥାପନ କରିଥିଲେ। ସେ କହିଥିଲେ, ଦକ୍ଷତା ବିକାଶ ପାଇଁ ୪ଟି ବିଷୟ ଉପରେ ଗୁରୁତ୍ୱ ଦିଆଯାଉଛି। ଛାତ୍ରଛାତ୍ରୀଙ୍କ ଦକ୍ଷତା ବଢ଼ାଇବା ସହିତ ଏକ ବ୍ରାଣ୍ଡ ସୃଷ୍ଟି କରିବା, ୩ ବର୍ଷ ମଧ୍ୟରେ ଦେଶର ଶ୍ରେଷ୍ଠ କମ୍ପାନିମାନେ ନିଯୁକ୍ତି ସମୟରେ ପ୍ରଥମେ ଓଡ଼ିଶାର ଛାତ୍ରଛାତ୍ରୀଙ୍କୁ ନଜରକୁ ଆଣିବା, ଆସନ୍ତା ୫ବର୍ଷ ମଧ୍ୟରେ ବିଶ୍ୱର ଶ୍ରେଷ୍ଠ କମ୍ପାନିମାନେ ନିଯୁକ୍ତି ସମୟରେ କିଭଳି ଓଡ଼ିଶାକୁ ପ୍ରଥମେ ପ୍ରାଧାନ୍ୟ ଦେବେ ଓ ଓଡ଼ିଶାର ମଡେଲ ସୃଷ୍ଟି କରିବା ଉପରେ ଗୁରୁତ୍ୱ ଦିଆଯାଉଛି। ପୂର୍ବରୁ ଆଇଟିଆଇରେ ମାତ୍ର ୬ ପ୍ରତିଶତ ଝିଅ ପାଠ ପଢ଼ୁଥିବା ବେଳେ ୨ ବର୍ଷ ତଳେ ଏହା ବୃଦ୍ଧି ପାଇ ୧୪ ପ୍ରତିଶତରେ ପହଞ୍ଚିଛି। ଆଗାମୀ ଦିନରେ ଏହାକୁ ୩୫ ପ୍ରତିଶତ ପର୍ଯ୍ୟନ୍ତ ବଢ଼ାଇବା ପାଇଁ ଯୋଜନା ଚାଲିଛି।

ସେହିପରି ରାଜ୍ୟରେ ଥିବା ଆଇଟିଆଇ କଲେଜଗୁଡ଼ିକରେ ଅଧ୍ୟକ୍ଷମାନଙ୍କୁ ସିଙ୍ଗାପୁରର ଆଇଟିଇ ଅନୁଷ୍ଠାନକୁ ପରିଦର୍ଶନ ପାଇଁ ପଠାଯାଇଛି। ୧୦୦ ଜଣ ଆଇଟିଆଇ କଲେଜର ଅଧ୍ୟକ୍ଷଙ୍କୁ ସେଠାକୁ ପଠାଯିବ। ସିଙ୍ଗାପୁରରେ ସେମାନେ ୧୫ ଦିନ ପାଇଁ ତାଲିମ ନେବେ। ଆଗାମୀ ଦିନରେ ଦକ୍ଷତା ବିକାଶ ପାଇଁ ମିସନ୍‌, ଭିଜନ୍‌ ଓ ମୂଲ୍ୟବୋଧ କ’ଣ ରହିବ ତାହା ସେମାନେ ସ୍ଥିର କରିବେ। ଏହା ଏକ ଦୀର୍ଘସ୍ଥାୟୀ ଯୋଜନା ହୋଇଥିବା ବେଳେ ଯେପରି କମ୍‌ ସମୟରେ ଛାତ୍ରଛାତ୍ରୀମାନେ ଦକ୍ଷତାର ବିକାଶ ହୋଇପାରିବ, ସେଥିପାଇଁ ଟାଟା ଷ୍ଟାଇଭ୍‌ ସଂସ୍ଥା ସହିତ ଚୁକ୍ତି ସ୍ୱାକ୍ଷରିତ ହୋଇଛି। ସେଠାରେ ଛାତ୍ରଛାତ୍ରୀମାନେ ଲାଇଭ୍‌ ସ୍କିଲ ଟ୍ରେନିଂ ପାଇପାରିବେ। ରାଜ୍ୟର ୧୦ଟି ଆଇଟିଆଇରେ ପ୍ରାଥମିକତା ଭିତ୍ତିରେ ଏହାକୁ କାର୍ଯ୍ୟକାରୀ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ଆଇଆଇଟି ଭୁବନେଶ୍ୱର ଓ ଆଇଟିଆଇ ଭୁବନେଶ୍ୱର ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ ହୋଇଛି। ଏହାଦ୍ୱାରା ବୈଷୟିକ ଜ୍ଞାନ କୌଶଳର ଆଦାନ ପ୍ରଦାନ ହୋଇପାରିବ।

ମଞ୍ଚେଶ୍ୱରରେ ଓ୍ଵାର୍ଲଡ ସ୍କିଲ ସେଣ୍ଟର ନିର୍ମାଣ ଚାଲିଛି। ୫ ଲକ୍ଷ ବର୍ଗ ଫୁଟ୍‌ରେ ୧୮ମହଲା ବିଶିଷ୍ଟ ଏହି ବିଲ୍ଡିଂ ନିର୍ମାଣ କରାଯାଉଛି। ସେହିପରି ରାଜ୍ୟରେ ପ୍ରଥମ ଥର ଲାଗି ଓ୍ଵାର୍ଲଡ ସ୍କିଲ ମିସନ ପ୍ରତିଯୋଗିତା ଅନୁଷ୍ଠିତ ହେବାକୁ ଯାଉଛି। ୨୮ ଏପ୍ରିଲରୁ ଏହାର ପ୍ରସ୍ତୁତି ଆରମ୍ଭ ହେବ। ୨୫ଟି ଦକ୍ଷତା କ୍ଷେତ୍ରରେ ୬ ହଜାର ଛାତ୍ରଛାତ୍ରୀ ଏଥିପାଇଁ ଆବେଦନ କରିଛନ୍ତି। ପୂର୍ବରୁ ଏହି ପ୍ରତିଯୋଗିତାରେ ଭାରତ କେବଳ ରୌପ୍ୟ ପଦକ ଜିତିବାରେ ସକ୍ଷମ ହୋଇପାରିଛି। ତେଣୁ ଆଗକୁ ଋଷିଆରେ ହେବାକୁ ଥିବା ଏହି ପ୍ରତିଯୋଗିତାରେ ଭାରତ ଅତିକମ୍‌ରେ ଗୋଟିଏ ସ୍ୱର୍ଣ୍ଣ, ୨ଟି ରୌପ୍ୟ ଓ ୩ଟି ବ୍ରୋଞ୍ଜ ପଦକି ଜିଣିବାର ଲକ୍ଷ୍ୟ ରହିଥିବା ଶ୍ରୀ ବାଗ୍‌ଚୀ କହିଥିଲେ।

ସମ୍ବନ୍ଧିତ ଖବର