ଓଡ଼ିଶା ନିର୍ମାଣ କନକ୍ଲେଭ୍ ୨୦୧୯ : ସଂଘୀୟ ବ୍ୟବସ୍ଥା ପ୍ରତି ‘ଡବଲ୍‌ ଇଞ୍ଜିନ’ ବିପଦ

ଭୁବନେଶ୍ବର : ଦେଶରେ ଆଞ୍ଚଳିକ ଦଳମାନଙ୍କ ଅଭ୍ୟୁଦୟ ପରେ ସଂଘୀୟ ବ୍ୟବସ୍ଥାର ଢାଞ୍ଚା ବଦଳିଛି। ବର୍ତ୍ତମାନ ଦେଶରେ ‘ଡବଲ ଇଞ୍ଜିନ’ ଥିଓରିର ଯେପରି ପ୍ରଚାର ଚାଲିଛି, ତାହା ସଂଘୀୟ ବ୍ୟବସ୍ଥା ପ୍ରତି ବିପଦଜନକ। ଏହାକୁ ସବୁ ସ୍ତରରେ କଡ଼ା ବିରୋଧ କରାଯିବା ଦରକାର। ଏମିତି ମନ୍ତବ୍ୟ ଦେଇଛନ୍ତି ପୂର୍ବତନ କେନ୍ଦ୍ର ଅର୍ଥ ମନ୍ତ୍ରୀ ଯଶୋବନ୍ତ ସିହ୍ନା।

‘କନକ ନ୍ୟୁଜ୍’ ପକ୍ଷରୁ ଆଜି ହୋଟେଲ୍‌ ମେ ଫେୟାରରେ ଆୟୋଜିତ ଓଡ଼ିଶା ନିର୍ମାଣ କନକ୍ଲେଭ୍-୨୦୧୯କୁ ଶ୍ରୀ ସିହ୍ନା ଉଦ୍‌ଘାଟନ କରିଥିଲେ। ଉଦ୍‌ଘାଟନୀ ଭାଷଣରେ ସେ ରାଜନୈତିକ ମତ ରଖିବାକୁ ଇଚ୍ଛା କରୁ ନ ଥିବା କହିଥିଲେ। କିନ୍ତୁ ଲୋକଙ୍କ ସ୍ବାର୍ଥ ଦୃଷ୍ଟିରୁ କିଛି ପ୍ରସଙ୍ଗ ଉଠାଇବା ସମୀଚୀନ ବୋଲି ମତ ଦେଇ ସେ କେନ୍ଦ୍ର ସରକାରଙ୍କୁ ଅଙ୍ଗୁଳି ଉଠାଇଥିଲେ। କହିଥିଲେ, ବର୍ତ୍ତମାନ ବିକାଶ ପାଇଁ ଡବଲ ଇଞ୍ଜିନର ଆବଶ୍ୟକତା ଦର୍ଶାଇ ନୂଆ ଥିଓରି ପ୍ରଚାର କରାଯାଉଛି। ନିକଟରେ ପ୍ରଧାନମନ୍ତ୍ରୀ ଝାଡ଼ଖଣ୍ଡ ଗସ୍ତରେ ଆସିବା ଅବସରରରେ ସେଠାକାର ମୁଖ୍ୟମନ୍ତ୍ରୀ କହିଲେ ସେମାନଙ୍କୁ ଡବଲ ଇଞ୍ଜିନର ଫାଇଦା ମିଳିବା ଆରମ୍ଭ ହୋଇଛି। ଏହାର ଅର୍ଥ ହେଲା କେନ୍ଦ୍ରରେ ଥିବା ସରକାରୀ ଦଳ ଯଦି ରାଜ୍ୟରେ କ୍ଷମତାସୀନ ଥାଏ, ତା’ ହେଲେ ସେହି ରାଜ୍ୟକୁ କେନ୍ଦ୍ର ସରକାରଙ୍କ ଠାରୁ ଅଧିକ ଅର୍ଥ ମିଳିବା ସହ ସେଠାରେ ବିକାଶ କ୍ଷେତ୍ରରେ ଡବଲ ଫାଇଦା ମିଳିବ। ଯଦି ଅନ୍ୟ ରାଜ୍ୟରେ କେନ୍ଦ୍ରର କ୍ଷମତାସୀନ ଦଳର ସମାନ ସରକାର ନାହିଁ, ତାହାକୁ ବିକାଶ ଦୃଷ୍ଟିରୁ ବଞ୍ଚିତ କରାଯିବ। ଏପରି ଅଭାବନୀୟ ଚିନ୍ତାଧାରା କେବେ ବି ଆଗରୁ ପୂର୍ବ ସରକାରଙ୍କ ଅମଳରେ ଦେଖିବାକୁ ମିଳି ନ ଥିଲା। ଏ ଦୃଷ୍ଟିରୁ ଓଡ଼ିଶାରେ ଭିନ୍ନ ସରକାର ଥିଲେ ବି ସାମ୍ବିଧାନିକ ବିଧିବ୍ୟବସ୍ଥା ଅନୁଯାୟୀ ରାଜ୍ୟକୁ ତାର ଅଧିକାର ମିଳିବା ଉଚିତ।

ଦୁଇ ଜଣ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ସମୟରେ ଅର୍ଥ ମନ୍ତ୍ରୀ ଥିବା ବେଳେ ନିଜର ଅନୁଭୂତି ବାଣ୍ଟିବାକୁ ଯାଇ ଶ୍ରୀ ସିହ୍ନା କହିଥିଲେ, ଚନ୍ଦ୍ରଶେଖର ଓ ଅଟଳ ବିହାରୀ ବାଜପେୟୀଙ୍କ ସ୍ବଭାବରେ ଉଦାରତା ଥିଲା। ବିଶେଷ କରି ବାଜପେୟୀଙ୍କ ପ୍ରଧାନମନ୍ତ୍ରୀତ୍ବ ସମୟରେ କେନ୍ଦ୍ର ଅର୍ଥ ମନ୍ତ୍ରୀ ଭାବେ କାମ କଲା ବେଳେ କେବେ ବି ଅନାବଶ୍ୟକ ହସ୍ତକ୍ଷେପ ଅନୁଭବ ହୋଇ ନ ଥିଲା।

ମୋଦୀ ସରକାରଙ୍କ ନୀତିକୁ ସମାଲୋଚନା କରି ଶ୍ରୀ ସିହ୍ନା କହିଥିଲେ, ଯୋଜନା କମିସନକୁ ଉଚ୍ଛେଦ କରି ନୀତି ଆୟୋଗ ଗଠନ କରାଯାଇଛି। ସେହିପରି ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଥିବା ଜାତୀୟ ବିକାଶ ପରିଷଦକୁ ମଧ୍ୟ ଏବର କେନ୍ଦ୍ର ସରକାର ଅକାମି କରିଛନ୍ତି, ଯାହା ଦ୍ବାରା ରାଜ୍ୟର ବିକାଶ ବାଧାପ୍ରାପ୍ତ ହୋଇଛି। ପୂର୍ବରୁ ଯୋଜନା କମିସନ୍ ଥିବା ବେଳେ କେନ୍ଦ୍ର ବଜେଟର ଏକ ତୃତୀୟାଂଶ ଯୋଜନା ପାଣ୍ଠି ବାବଦରେ ବିକାଶ ପାଇଁ ସବୁ ରାଜ୍ୟକୁ ମିଳୁଥିଲା। ଏହି ପାଣ୍ଠିକୁ ସେସବୁ ରାଜ୍ୟ ନିଜ ଇଚ୍ଛା ମୁତାବକ ବିକାଶ କାର୍ଯ୍ୟରେ ଲଗାଉଥିଲେ। ଏବେ ଯୋଜନା କମିସନ୍‌ ନାହିଁ କି ଏନ୍‌ଡିସି ନାହିଁ। ଏବର ସରକାରଙ୍କ ଅମଳରେ ସଂଘୀୟ ବ୍ୟବସ୍ଥା ବିପଦରେ ପଡ଼ିଛି। ଏବେ ନୀତି ଆୟୋଗ କ’ଣ କରୁଛି ତାହା କାହାକୁ ବି ଜଣାନାହିଁ। କେବଳ ପ୍ରଧାନମନ୍ତ୍ରୀଙ୍କ ଅଫିସ୍‌ର ଏକ ଅଂଶ ଭଳି କାମ କରୁଛି। ଉଦାହରଣ ଦେଇ ଶ୍ରୀ ସିହ୍ନା କହିଥିଲେ, ଏହି ସରକାର ସମୟରେ ବୋରଜଗାରୀ କିପରି ୪୦ ବର୍ଷର ରେକର୍ଡ଼ ଭାଙ୍ଗିଛି ତାର ସର୍ଭେ କରିଥିବା ଜାତୀୟ ନମୁନା ସର୍ବେକ୍ଷଣ ସଂସ୍ଥାକୁ ରିପୋର୍ଟ ପ୍ରକାଶ କରିବାକୁ ସୁଯୋଗ ଦିଆଗଲାନି। ନୀତି ଆୟୋଗ ଦ୍ବାରା କ୍ୟାବିନେଟ୍ ମଞ୍ଜୁରି ଆଳ କରି ରୋକି ଦିଆଗଲା। କିନ୍ତୁ ସତ୍ୟକୁ ଯେତେ ଲୁଚାଇଲେ ବି ପଦାକୁ ଆସିଛି। ତଥ୍ୟକୁ କିପରି ମୋଡ଼ିମୋଡ଼ି ଲୁଚାଇ ସରକାରକୁ ସୁହାଇଲା ଭଳି କରାଯାଏ, ସେ କୌଶଳ ଏବର କେନ୍ଦ୍ର ସରକାରଙ୍କୁ ଭଲଭାବେ ଜଣା ବୋଲି ଶ୍ରୀ ସିହ୍ନା ମତ ରଖିଥିଲେ।

ଗ୍ରାମାଞ୍ଚଳର ବିକାଶ ସମ୍ପର୍କରେ ନିଜର ମତ ରଖି ପୂର୍ବତନ ଅର୍ଥ ମନ୍ତ୍ରୀ କହିଥିଲେ, ଗ୍ରାମୀଣ ବିକାଶର ମୁଖ୍ୟ ଅଂଶବିଶେଷ ହେଉଛି ଚାଷୀ। ଚାଷୀର ଆର୍ଥିକ ମାନଦଣ୍ଡ ସୁଦୃଢ଼ ନ ହେବା ଯାଏ ଦେଶର ବିକାଶ ହୋଇପାରିବନି। ଓଡ଼ିଶାରେ ଚାଷୀଙ୍କ ପାଇଁ ଲାଗୁ ହୋଇଥିବା ଆର୍ଥିକ ସହାୟତା ବାବଦ କାଳିଆ ଯୋଜନାକୁ ଶ୍ରୀ ସିହ୍ନା ପ୍ରଶଂସା କରିଥିଲେ। କହିଥିଲେ, ଏହା ହେଉଛି ସାର୍ବଜନୀନ ରୋଜଗାର ସହାୟତା ଯୋଜନାର ଏକ ଅଂଶବିଶେଷ। କିନ୍ତୁ ଯେହେତୁ ଦେଶରେ ୯୦% କ୍ଷୁଦ୍ର ଓ ନାମମାତ୍ର ଚାଷୀ ଅଛନ୍ତି ସେଥିପାଇଁ ପ୍ରଥମେ ଚାଷୀଙ୍କୁ ଏହି ସହାୟତା ମିଳିବା ଦରକାର। ଚାଷୀଙ୍କୁ ଆର୍ଥିକ ସହାୟତା ନଦେଇ ଚାଷୀର କୃଷି ଉତ୍ପାଦନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରିବା ନେଇ ଏକ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ଶ୍ରୀ ସିହ୍ନା କହିଥିଲେ, ଯେହେତୁ ଦେଶର ଏତେ ସଂଖ୍ୟକ ଚାଷୀ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଯେଉଁମାନେ ତାଙ୍କର ଜମିର ଉତ୍ପାଦିତ ହେଉଥିବା ଧାନ କେବଳ ନିଜ ପରିବାର ପାଇଁ ଖର୍ଚ୍ଚ କରିଥାନ୍ତି। ଏମ୍‌ଏସ୍‌ପି ବୃଦ୍ଧି କଲେ ବି ସେସବୁ ଚାଷୀ ବଜାରକୁ ଧାନ ନେବେନି କି ବିକିବେ ନାହିଁ। ଯାହା ଫଳରେ ଦର ବୃଦ୍ଧିର ଲାଭ ସେମାନଙ୍କୁ ମିଳିବ ନାହିଁ। ସେମାନଙ୍କୁ ଋଣଯନ୍ତାରୁ ମୁକୁଳାଇବା ପାଇଁ ଯୋଜନା କରି ଆର୍ଥିକ ସହାୟତା ପ୍ରଦାନ କରିବା ଯୁକ୍ତିଯୁକ୍ତ। ଓଡ଼ିଶାରେ ରାଜନୈତିକ ସ୍ଥିରତା ଥିବାରୁ ଶ୍ରୀ ସିହ୍ନା ତାହାର ପ୍ରଶଂସା କରିଥିଲେ।

ସ୍ବାଗତ ଅଭିଭାଷଣରେ ‘ସମ୍ବାଦ’ର ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ କହିଥିଲେ, ନିର୍ମାଣ ଏଭଳି ଏକ ପ୍ରକ୍ରିୟା ଯାହାକୁ ମଣିଷ କେବେବି ଛାଡ଼ିପାରିବନି। ଓଡ଼ିଶା ନିର୍ମାଣର ଏକ ଗୌରବମୟ ଇତିହାସ ସହ ପରମ୍ପରା ରହିଛି। ଓଡ଼ିଶା ନିର୍ମାଣ କଥା କହିବାକୁ ଗଲାବେଳେ ଅତୀତକୁ ଦୁଇ ଭାଗରେ ବିଭକ୍ତ କରିବାକୁ ପଡ଼ିବ। ଗୋଟିଏ ଅତି ଅତୀତ ଓ ଅନ୍ୟଟି ନିକଟ ଅତୀତ। ଅତି ଅତୀତର ପରମ୍ପରା ହେଉଛି, ଓଡ଼ିଶାର ପ୍ରାଚୀନ ବୟନ ଶିଳ୍ପ କଳା, କୋଣାର୍କ ଓ ଜଗନ୍ନାଥ ମନ୍ଦିର ଭଳି ଭାସ୍କର୍ଯ୍ୟ, ଯାହା ବିଶ୍ବକୁ ଚମକାଇଦେଇଛି। ଓଡ଼ିଶାର ପ୍ରାଚୀନ ନିର୍ମାଣ ଯୁଗ ଏତେ ଭଲଥିଲା ଯେ ପଥରରେ ଓଡ଼ିଆ ପୁଅ କବିତା ଲେଖିପାରୁଥିଲା। ଅଥଚ ଏଭଳି ଏକ ନିର୍ମାଣ କୌଶଳ ଜାଣିଥିବା ଜାତି ହଠାତ୍ ବିଦେଶୀ ଆକ୍ରମଣରେ ସବୁ କିଛି ହରାଇଥିଲା। ସେହିପରି ଏ ରାଜ୍ୟର ନିକଟ ଅତୀତରେ ମଧ୍ୟ ବିକାଶ ହୋଇଛି। କିନ୍ତୁ ଯେତିକି ଦ୍ରୁତ ଗତିରେ ହେବା କଥା ସେତିକି ହୋଇପାରିନି। ଗୋଟିଏ କଥା ଦଳମତ ନିର୍ବିଶେଷରେ ସ୍ବୀକାର କରିବାକୁ ପଡ଼ିବ ନଅଙ୍କ ଦୁର୍ଭିକ୍ଷର ଭୟାବହତା ଦେଖିଥିବା ଏ ମାଟି ଆଜି କ୍ଷୁଧାମୁକ୍ତ ହେବାରେ ସଫଳତା ପାଇଛି। ଏଥିପାଇଁ ସାମଗ୍ରିକ ଭାବେ ସବୁ ସରକାରଙ୍କ ପ୍ରୟାସକୁ ଧନ୍ୟବାଦ ଦେବାକୁ ପଡ଼ିବ। ଜଗନ୍ନାଥଙ୍କ କୃପାରୁ ଏ ରାଜ୍ୟ ସମ୍ପଦଭରା ହୋଇ ବି ଏ ରାଜ୍ୟର ଯୁବକଯୁବତୀଙ୍କ ପାଖରେ ପର୍ଯ୍ୟାପ୍ତ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିନି। ଆଜିର ନିର୍ମାଣ କଥା କହିବାକୁ ଗଲାବେଳେ ଏ ମାଟିର ଯୁବ ସମାଜ ଆମ ସଂସ୍କୃତି ଓ ସମାଜ ସହିତ ସଂଶ୍ଲିଷ୍ଟ ରହି ଆଗକୁ ବଢ଼ିବା ଦରକାର। ନିର୍ବାଚନରେ ଜିତିବା ପାଇଁ ଆଜି ଅନେକ କୌଶଳ ଆପଣାଇବାକୁ ପଡ଼ୁଛି। ଭୋଟ ବ୍ୟାଙ୍କ ଅତୁଟ ରଖିବା ପାଇଁ ରାଜନୈତିକ ଦଳମାନଙ୍କ ଠାରୁ ଅନେକ ପ୍ରତିଶ୍ରୁତି ମିଳେ। କିନ୍ତୁ ତାହାକୁ କାର୍ଯ୍ୟକାରୀ କରିବା ବହୁତ କମ୍ ଦେଖିବାକୁ ମିଳେ। ଏ ଦୃଷ୍ଟିରୁ ଦେଖିଲେ ପ୍ରତିଶ୍ରୁତି ପାଳନ କରିବାରେ ଓଡ଼ିଶା ସରକାରଙ୍କୁ ଶତପ୍ରତିିଶତ ସଫଳତା ମିଳିଛି।

ଶ୍ରୀ ପଟ୍ଟନାୟକ ଆହୁରି କହିଥିଲେ, ଗୋଟିଏ ଦରିଦ୍ର ରାଜ୍ୟ ହେଲେ ବି ଓଡ଼ିଶା ଆଜି ଏକତାର ବାର୍ତ୍ତା ଦେଉଛି। ସାମ୍ପ୍ରଦାୟିକ ସଂହତି ଓ ସାମାଜିକ ସମନ୍ବୟ ଓଡ଼ିଶାରେ ଯେପରି ଅଛି ତାହା ଭାରତର ଆଉ କୌଣସି ରାଜ୍ୟରେ ଦେଖିବାକୁ ମିଳେନି। ତଥାପି ମୁମ୍ବାଇ ସହରକୁ ଦେଖିଲେ ଭୁବନେଶ୍ବର ଗାଁ ଭଳି ଲାଗୁଛି। ନୂଆ ଓଡ଼ିଶା ନିିର୍ମାଣରେ ଆମ ସମସ୍ତଙ୍କୁ ଉଦ୍ୟମ କରିବାକୁ ପଡ଼ିବ। ସର୍ବୋପରି ଆମ ସମସ୍ତଙ୍କର ମାନସିକତାରେ ପରିବର୍ତ୍ତନ ଆସିବା ନିହାତି ଜରୁରୀ।

ସମ୍ବନ୍ଧିତ ଖବର