ସମ୍ମାନ ସହ ବଞ୍ଚିବା ପ୍ରାଥମିକତା ହେଉ: ରାଜ୍ୟପାଳ

ଓଡ଼ିଶା ନିର୍ମାଣ କନକ୍ଲେଭ୍ ୨୦୨୧

ଗଣତନ୍ତ୍ରରେ ଜନତା ହେଉଛନ୍ତି ପ୍ରକୃତ ମାଲିକ: ମୁଖ୍ୟମନ୍ତ୍ରୀ
ବିକାଶ କେଉଁ ଦିଶାରେ ଯାଉଛି ତାହାର ତର୍ଜମା ଦାୟିତ୍ବ ଗଣମାଧ୍ୟମର: ସୌମ୍ୟରଂଜନ

ଭୁବନେଶ୍ୱର : ଓଡ଼ିଶା ଅନେକ ପ୍ରତିଭାଧାରୀଙ୍କୁ ଜନ୍ମ ଦେଇଛି। ରାଜନୈତିକ ଦୃଷ୍ଟିକୋଣରୁ ସୁଭାଷ ଚନ୍ଦ୍ର ବୋଷ, ପଞ୍ଚସଖା, ବିଶ୍ବ ପ୍ରସିଦ୍ଧ ନୃତ୍ୟଶିଳ୍ପୀ କେଳୁଚରଣ ମହାପାତ୍ର, ଦେଶର ପ୍ରଥମ ସ୍ବାଧୀନତା ସଂଗ୍ରାମୀ ବକ୍ସି ଜଗବନ୍ଧୁଙ୍କ ଭଳି ଅନେକ ବ୍ୟକ୍ତିବିଶେଷ ବିଶ୍ବସ୍ତରରେ ଓଡ଼ିଶାର କୀର୍ତିମାନ ପ୍ରତିଷ୍ଠା କରିଛନ୍ତି। ତେଣୁ ଉତ୍ତରାଧିକାର ସୂତ୍ରରେ ଆମକୁ ଯେଉଁ ଐତିହ୍ୟ ମିଳିଛି ତାହାକୁ ଆଧାର କରି ରାଜ୍ୟର ପ୍ରତ୍ୟେକ ବ୍ୟକ୍ତି ଯେପରି ସମ୍ମାନର ସହ ବଞ୍ଚିବ ତାହା ସୁନିଶ୍ଚିତ କରିବା ଆମର ପ୍ରାଥମିକତା ହେବା ଉଚିତ୍ ବୋଲି କନକ ନ୍ୟୁଜ୍‌ର ‘ଓଡ଼ିଶା ନିର୍ମାଣ କନକ୍ଲେଭ୍‌’ ୨୦୨୧ରେ ମତ ଦେଇଛନ୍ତି ରାଜ୍ୟପାଳ ପ୍ରଫେସର ‌ଗଣେଶୀ ଲାଲ।

କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରି ରାଜ୍ୟପାଳ କହିଲେ ଯେ ଭୌଗଳିକ ଦୃଷ୍ଟିକୋଣରୁ ଓଡ଼ିଶା ‌ଭାରତର ଏକ ପ୍ରଦେଶ ହୋଇପାରେ। ମାତ୍ର ବୈକୁଣ୍ଠଲୋକର ପ୍ରଭୁ ଶ୍ରୀ ଜଗନ୍ନାଥ ଓଡ଼ିଶାରେ ବାସ କରୁଛନ୍ତି। ଏ ଦୃଷ୍ଟିରୁ ଓଡ଼ିଶା ଏକ ପବିତ୍ର ସ୍ଥାନ। ହେଲେ ଏବେ ବି ଓଡ଼ିଶାର ୩୦ ପ୍ରତିଶତ ଦାରିଦ୍ର୍ୟ ସୀମାରେଖା ତଳେ ରହିବା ଓ ଅନେକ ଶିଶୁ ଅପପୁଷ୍ଟିର ଶିକାର ହେବା ନିଶ୍ଚିତ ଭାବେ ଚିନ୍ତାର ବିଷୟ। ବିଶ୍ବର ୨ଶହ ବିଶ୍ବବିଦ୍ୟାଳୟ ଭିତରେ ଦେଶର କୌଣସି ବିଶ୍ବବିଦ୍ୟାଳୟ ନ ଆସିବା, ଶିକ୍ଷା, ସ୍ବାସ୍ଥ୍ୟ ଭଳି ସୁବିଧାକୁ ପ୍ରତ୍ୟେକ ଲୋକ ପାଖରେ ପହଞ୍ଚାଇବା ଦିଗରେ ଆମେ କେତେ ସଫଳ ହୋଇଛେ ଓ ଆଗକୁ କ’ଣ କରିବାକୁ ହେବ ତାହା ବିଚାର କରିବାକୁ ହେବ। ଓଡ଼ିଶାରେ ରହଣୀକାଳ ଭିତରେ ଅନେକ ପ୍ରତିଭାଧାରୀଙ୍କୁ ଭେଟିବାର ସୁଯୋଗ ମିଳିଛି। ବିଦେଶରେ ରହୁଥିବା ଜଣେ ଓଡ଼ିଆ ଭଗବତ୍ ଗୀତାକୁ ୧୫ଶହ ଭାଷାରେ ଅନୁବାଦ କରିଥିବା ‌ବେଳେ ଅନ୍ୟ ଜଣେ ଓଡ଼ିଆ ୨୦୦୯ ପୁସ୍ତକ ରଚନା କରିଥିବା ବ୍ୟକ୍ତିଙ୍କୁ ରାଜଭବନରେ ଭେଟିପାରିଛି।

ଭିଡିଓ ବାର୍ତା ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ ଯେ ଗଣତନ୍ତ୍ରରେ ଜନତା ହେଉଛନ୍ତି ମାଲିକ। ଗାଣତାନ୍ତ୍ରିକ ସରକାର ସବୁବେଳେ ଲୋକଙ୍କ ଭଲ ଚିନ୍ତା କରିଥାଏ। ବିକାଶ, ସାମାଜିକ ପରିବର୍ତନ ଓ ଜୀବନ ଶୈଳୀରେ ପରିବର୍ତନକୁ ନଜରରେ ରଖି ରାଜ୍ୟ ସରକାର ବହୁ ଉନ୍ନୟନ ମୂଳକ କାର୍ଯ୍ୟ କରୁଛନ୍ତି। ୫-ଟି ଜରିଆରେ ସ୍କୁଲ ପରିବର୍ତନ କାର୍ଯ୍ୟ ଜାରି ରହିଛି। ସ୍ମାର୍ଟ ସ୍କୁଲରେ ୧ହଜାର ସ୍କୁଲ ଯୋଡ଼ି ହୋଇସାରିଲେଣି। ପରବର୍ତୀ ସମୟରେ ସମସ୍ତ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ସ୍କୁଲକୁ ୪ଟି ପର୍ଯ୍ୟାୟରେ ଏଥିରେ ସାମିଲ କରାଯିବ। ସ୍ମାର୍ଟ ଶ୍ରେଣୀଗୃହ, ଇ-ଲାଇବ୍ରେରି, ପରିମଳ, ଲାବୋରେଟାରି ଯନ୍ତ୍ରପାତିର ସୁବିଧା ଛାତ୍ରଛାତ୍ରୀମାନେ ପାଇପାରିବେ। ପିଲାଙ୍କୁ ଉନ୍ନତମାନର ଶିକ୍ଷା ଦେବା ସରକାରଙ୍କ ଲକ୍ଷ୍ୟ। ସ୍ମାର୍ଟ ହେଲ୍‌ଥ କାର୍ଡ ଓ ବିଜୁ ସ୍ବାସ୍ଥ୍ୟ କଲ୍ୟା‌ଣ ଯୋଜନାରେ ଲୋକଙ୍କୁ ଉନ୍ନତମାନର ବାଧାମୁକ୍ତ ରୋଗୀ ସେବା ଯୋଗାଇ ଦିଆଯାଉଛି। ଏଥିରେ ରାଜ୍ୟର ୯୬ ଲକ୍ଷ ପରିବାର ଉପକୃତ ହେବେ। ଓଡ଼ିଶା ଏବେ ନିବେଶକଙ୍କ ଏକ ପ୍ରମୁଖ ସ୍ଥାନ ପାଲଟିଛି। ଅନ୍ତର୍ଜାତୀୟ କ୍ରୀଡ଼ାର ଆୟୋଜନ କରି ଓଡ଼ିଶା ବିଶ୍ବରେ ନିଜର ପରିଚୟ ସୃଷ୍ଟି କରିପାରିଛି। ମିସନ ଶକ୍ତିରେ ମହିଳାମାନେ ଉପକୃତ ହେଉଛନ୍ତି। ମହିଳାମାନଙ୍କ ସାମାଜିକ ଜୀବନରେ ପରିବର୍ତନ ଆସିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ପ୍ରାରମ୍ଭିକ ଅଭିଭାଷଣରେ ‘ସମ୍ବାଦ’ ସଂପାଦକ ସୌମ୍ୟରଂଜନ ପଟ୍ଟନାୟକ କହିଥିଲେ ଯେ ନୀତି ଆୟୋଗର ପରିଭାଷା ବଦଳିବା ପରେ କେବଳ କ୍ଷୁଧା ଓ ଅନାହାର ମୃତ୍ୟୁକୁ ଅଟକାଇ ଦେଲେ ବିକାଶ ହୁଏ ନାହିଁ। ବ୍ୟାଙ୍କ‌ରେ ଆକାଉଣ୍ଟ, ଘର, ଗାଡ଼ି ରହିଛି ଇତ୍ୟାଦିର ମାପକାଠିକୁ ନେଇ ବିକାଶର ହାର ପ୍ରସ୍ତୁତ କରାଯାଇଛି। ପୂର୍ବରୁ ଓଡ଼ିଶାରେ ୩୨ ପ୍ରତିଶତ ଦାରିଦ୍ର୍ୟ ଥିବା ବେଳେ ଏବେ ୨୯ ପ୍ରତିଶତକୁ ଖସି ଆସିଛି। ବିହାରର ସ୍ଥିତିକୁ ନେଇ ଆମେ ଖୁସି ହେଲେ ଚିଳିବ ନାହିଁ। ବିହାର, ଓଡ଼ିଶା ଉଭୟ ଉନ୍ନତି କରିବା ଦରକାର। ଓଡ଼ିଶା ଏବେ ନବନିର୍ମାଣ ପଥରେ ଆଗେଇ ଚାଲିଛି। ଅନାହାର ଉପରେ ବିଜୟ ଲାଭ କରିବା ପରେ ମୁଖ୍ୟମନ୍ତ୍ରୀ ଶିକ୍ଷା, ସ୍ବାସ୍ଥ୍ୟ ଉପରେ ଗୁରୁତ୍ବ ଦେଇଛନ୍ତି। ସ୍ମାର୍ଟ ସ୍କୁଲର ଶୁଭ ଉଦ୍‌ଘାଟନ କରୁଛନ୍ତି। ଶିକ୍ଷା ଓ ସ୍ବାସ୍ଥ୍ୟ ବିନା କୌଣସି ବିକାଶ ସମ୍ଭବ ନୁହେଁ। ତେବେ କ୍ଷମତାସୀନ ଦଳ ବିକାଶ କରୁଛନ୍ତି ବୋଲି କହୁଥିବା ବେଳେ ବିରୋଧୀ ବିକାଶ ହେଉନାହିଁ ବୋଲି କହିବେ। ମାତ୍ର ଗଣମାଧ୍ୟମର ଦାୟିତ୍ବ ହେଲା ବିକାଶ କେଉଁ ଦିଶାରେ ଯାଉଛି, କେଉଁଠି ଆଗେଇଛି ଓ କେଉଁଠି ପଛେଇଛି ତାହାର ଏକ ଅନାସକ୍ତ ତର୍ଜମା ଓ ଆଲୋଚନାର ପ୍ଲାଟଫର୍ମ ପ୍ରସ୍ତୁତ କରିବା।

ଏହି ଅବସରରେ ପଦ୍ମଶ୍ରୀ ନନ୍ଦ କିଶୋର ପୃଷ୍ଟି, ଭଦ୍ରକର ମହିଳା ଚାଷୀ ଛାୟାରାଣୀ ସାହୁ, ଏମ୍‌ବିଏସ୍‌ କମ୍ପାନିର ପ୍ରତିଷ୍ଠାତା ବସନ୍ତ କୁମାର ବିଶୋୟୀ, ହାଇଟେକ୍‌ ଗ୍ରୁପ୍‌ର ପ୍ରତିଷ୍ଠାତା ତିରୁପତି ପାଣିଗ୍ରାହୀ, ପର୍ଯ୍ୟଟନର ପ୍ରଚାର ପ୍ରସାର ପାଇଁ ଯୁଗବ୍ରତ କରଙ୍କୁ ସମ୍ମାନିତ କରାଯାଇଥିଲା।

ନୂଆ ଓଡ଼ିଶା କିଭଳି ହେବ, ସେ ଚିତ୍ର ଛାତ୍ରଛାତ୍ରୀ ଆଙ୍କନ୍ତୁ
‘ସମ୍ବାଦ’କୁ ଭରସା କଲେ ରାଜ୍ୟପାଳ, ଦାୟିତ୍ବ ନେଲେ ସୌମ୍ୟରଂଜନ

ଦଶମ ଓ ତା’ଠାରୁ ଊର୍ଧ୍ବ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏକ ପ୍ରତିଯୋଗିତା ହେଉ। ୫୦ ଶବ୍ଦ ଭିତରେ ସେମାନେ ଓଡ଼ିଶାକୁ କିଭଳି ଦେଖିବାକୁ ଚାହୁଁଛନ୍ତି, ଏଥିରେ କେନ୍ଦ୍ର ସରକାରଙ୍କ କଣ ଯୋଗଦାନ ରହିବା ଉଚିତ୍, ରାଜ୍ୟ ସରକାର କଣ କରିପାରିବେ, ଏସବୁ ସେମାନେ ଲେଖିଲେ, ତାଙ୍କର ସଂପୃକ୍ତି ଆସିବ। ଏସଂକ୍ରାନ୍ତରେ ପ୍ରତିଯୋଗିତା କରିବା ଲାଗି ରାଜ୍ୟପାଳ ‘ସମ୍ବାଦ’ ସଂପାଦକ ସୌମ୍ୟରଂଜନ ପଟ୍ଟନାୟକଙ୍କୁ ପ୍ରସ୍ତାବ ଦେଇଥିଲେ। ଏହା ସମ୍ବାଦ ଦ୍ବାରା ହିଁ ସମ୍ଭବ ହେବ ଓ ଏକଥା ସେ ଘରୁ ବାହାରିବା ବେଳେ ଭାବି ଆସିଥିବା କହିଥିଲେ।

ରାଜ୍ୟପାଳଙ୍କ ଏଭଳି ମନ୍ତବ୍ୟ କେଉଁଠି ନା କେଉଁଠି ସମ୍ବାଦ ଉପରେ ତାଙ୍କର ଭରସାକୁ ପ୍ରମାଣିତ କରିଛି। ରାଜ୍ୟପାଳ ଆହୁରି କହିଥିଲେ ଯେ ଏଥିପାଇଁ ପୁରସ୍କାର ରାଶି ୧ଲକ୍ଷ ଟଙ୍କା ରଖିବା ସହିତ ଏଥିପାଇଁ ଖର୍ଚ ହେବାକୁ ଥିବା ୩୦ଲକ୍ଷ ଟଙ୍କା ସେ ଦେବେ। ଆସନ୍ତା ୨୬ ଜାନୁଆରି ପୂର୍ବରୁ ଜିଲ୍ଲାୱାରୀ ଏଥିପାଇଁ କମିଟି ଗଠନ କରିବା ସହିତ କେଉଁ ଛାତ୍ର କିଭଳି ପ୍ରସ୍ତାବ ଦେଇଛନ୍ତି ଓ କେତେ ପୁରସ୍କାର ଦିଆଯିବ ତାହା ସଂପର୍କରେ ସୂଚନା ଦେବାକୁ ନିବେଦନ କରିଥିଲେ। ଏହି ପୁରସ୍କାର ରାଶିକୁ ମଧ୍ୟ ପରବର୍ତୀ ସମୟରେ ୫୦ଲକ୍ଷ ପର୍ଯ୍ୟନ୍ତ ମଧ୍ୟ ବଢ଼ାଯାଇ ପାରିବ ବୋଲି କହିଥିଲେ। ଏହାଦ୍ବାରା ପ୍ରତ୍ୟେକ ପିଲା ଭିତରେ ଚେତନା ଜାଗ୍ରତ ହୋଇପାରିବ। ଓଡ଼ିଶା ନିର୍ମାଣ କନକ୍ଲେଭ୍‌ରେ ଅନେକ ପ୍ରତିଭାଧାରୀଙ୍କୁ ଏକାଠି ସମ୍ମାନିତ କରିପାରି ଥିବାରୁ ସେ ‘ସମ୍ବାଦ’ ଗ୍ରୁପ୍‌କୁ ଧନ୍ୟବାଦ ଜଣାଇଥିଲେ।

ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଦେଇଥିବା ପ୍ରସ୍ତାବକୁ ‘ସମ୍ବାଦ’ ସଂପାଦକ ସୌମ୍ୟରଂଜନ ପଟ୍ଟନାୟକ ତୁରନ୍ତ ଗ୍ରହଣ କରିବା ସହିତ ଖୁବଶୀଘ୍ର ପିଲାମାନେ କିପରି ଓଡ଼ିଶାରେ ରହିବାକୁ ଚାହୁଁଛନ୍ତି ସେ ସଂପର୍କରେ ପ୍ରତିଯୋଗିତା ଆରମ୍ଭ କରାଯିବ ବୋଲି ସୂଚନା ଦେଇଥିଲେ।

ସମ୍ବନ୍ଧିତ ଖବର