ଭୁବନେଶ୍ବର: ପଞ୍ଚମ ଅଧିବେଶନରେ ‘ବ୍ରାଣ୍ଡ ଅଫ୍‌ ଓଡ଼ିଶା’ ଶୀର୍ଷକ ବିଷୟବସ୍ତୁ ଉପରେ ଆଲୋଚନା ହୋଇଥିଲା। ଏଥିରେ ଅତିଥି ଭାବେ ‘ଅରୁନ୍ଧତୀ ଜୁଏଲର୍ସ’ର ପରିଚାଳନା ନିର୍ଦ୍ଦେଶକ ବ୍ରହ୍ମାନନ୍ଦ ମେହେର୍‌ ଓ ‘ଜୟ ଭାରତ ସ୍ପାଇସ୍‌ ପ୍ରା.ଲି’ର ପରିଚାଳନା ନିର୍ଦ୍ଦେଶକ ସୁଶାନ୍ତ ପଣ୍ଡା ଯୋଗ ଦେଇଥିଲେ। ଶ୍ରୀ ମେହେର୍‌ କହିଲେ, ବଲାଙ୍ଗୀରରେ ପ୍ରଥମେ ୫ଜଣ କର୍ମଚାରୀଙ୍କୁ ନେଇ ୧୫୦ ଫୁଟ୍‌ ସ୍ଥାନରେ ଆରମ୍ଭ ହୋଇଥିଲା ଅରୁନ୍ଧତୀ ଜୁଏଲର୍ସ। ଏବେ ପ୍ରାୟ ୭୫ହଜାର ସ୍କୋୟାର୍‌ ଫୁଟ୍‌ ସ୍ଥାନରେ ୧୦୦୦ରୁ ଅଧିକ କମର୍ଚାରୀ କାମ କରୁଛନ୍ତି। ସେତେବେଳେ ବର୍ଷକୁ ୫ହଜାର ଗ୍ରାହକଙ୍କୁ ସେବା ଯୋଗାଉଥିବା ବେଳେ ଏବେ ଏହା ୧ କୋଟିରେ ପହଞ୍ଚିଛି। ଏହା ପଛରେ ବାପାଙ୍କ ପ୍ରେରଣା ରହିଛି। ମୋ ସ୍ତ୍ରୀର ନାଁକୁ ନେଇ ବାପା ‘ଅରୁନ୍ଧତୀ ଜୁଏଲର୍ସ’ ନାମରେ ବ୍ୟବସାୟୀ ଆରମ୍ଭ କରିଥିଲେ। ଓଡ଼ିଶାରେ ଆରମ୍ଭ ହୋଇଥିବା ଏହି ବ୍ୟବସାୟ ଜାତୀୟ ସ୍ତରରେ ଆଗକୁ ବଢ଼ାଇବାକୁ ଲକ୍ଷ୍ୟ ରହିଛି। ଏଥିସହ ସମ୍ବଲପୁରୀ ବାନ୍ଧକଳାକୁ ଲୋକଙ୍କ ପାଖରେ ପହଞ୍ଚାଇବାକୁ ଉଦ୍ୟମ କରୁଛୁ। ପ୍ରତ୍ୟେକ ବ୍ୟବସାୟର ନିଜସ୍ବ ଶୈଳୀ ଥାଏ। ବ୍ୟବସାୟ ପ୍ରତି ଉତ୍ସର୍ଗୀକୃତ ମନୋଭାବ, ପ୍ରତିବଦ୍ଧତା ରହିଲେ ଛୋଟ ବ୍ୟବସାୟୀଟି ଦିନେ ଏକ ବିରାଟ ବ୍ରାଣ୍ଡରେ ପରିଣତ‌ ହୋଇପାରିବ।

Advertisment

ଅନ୍ୟତମ ଅତିଥି ଶ୍ରୀ ପଣ୍ଡା କହିଲେ, ୪୦୦ ଟଙ୍କାରୁ ଆରମ୍ଭ ହୋଇଥିବା ମସଲା ବ୍ୟବସାୟ ଏବେ ୪୦୦ କୋଟିର ବ୍ୟବସାୟ କରୁଛି। ଆଗାମୀ ଆର୍ଥିକ ବର୍ଷରେ ଏହା ୫୦୦ ‌କୋଟି ଅତିକ୍ରମ କରିଯିବ। ପ୍ରଥମେ ହେମଦସ୍ତାରେ ଛେଚା ହୋଇ ମସଲା ପ୍ରସ୍ତୁତ କରାଯାଉଥିଲା। ଏବେ ଉନ୍ନତ୍ତମାନର ଜ୍ଞାନ କୌଶଳ ବ୍ୟବହାର କରାଯାଉଛି। କିନ୍ତୁ ଏବେ ସାରା ଦେଶରେ ଘରେଘରେ ଭାରତ ମସଲା ପ୍ରଥମ ପସନ୍ଦ ହୋଇପାରିଛି। ୨୩ ବର୍ଷ ଭିତରେ ଅନେକ ପରୀକ୍ଷା ନିରୀକ୍ଷା କରାଯାଇଛି। ଓଡ଼ିଶାର ମସଲା କିଭଳି ଦେଶ ଓ ଦେଶ ବାହାରେ ବିକ୍ରି କରାଯିବ, ଉଦ୍ୟମ ହୋଇଛି। ସବୁଠାରୁ ଗୁରୁତ୍ବପୂର୍ଣ୍ଣ, ଆମେ ଗୁଣବତ୍ତାକୁ ବଜାୟ ରଖିଛୁ। ଫଳରେ ଭାରତ ମସଲା ଗ୍ରାହକଙ୍କ ବିଶ୍ବାସ ଭାଜନ ହୋଇପାରିଛି। ଏହି ଅଧିବେଶନକୁ ବିଜୟ ଲକ୍ଷ୍ମୀ ରଥ ସଂଯୋଜନା କରିଥିଲେ।