ଓଡ଼ିଶା ନିର୍ମାଣ କନକ୍ଲେଭ୍-୨୦୨୨: ସ୍ବପ୍ନ ଦେଖାଇଲେ ଅଶ୍ବିନୀ

ଆଲୁମିନିୟମ୍‌, ଷ୍ଟିଲ୍‌, ଇଲେକ୍ଟ୍ରୋନିକ୍ସ ଉତ୍ପାଦନର ରାଜଧାନୀ ହୋଇପାରିବ ଓଡ଼ିଶା

ଭୁବନେଶ୍ବର : ୨୦ ବର୍ଷର ଓଡ଼ିଶା, ଆଉ ଏବେର ଓଡ଼ିଶା ମଧ୍ୟରେ ଅନେକ ପରିବର୍ତ୍ତନ ଆସିଛି। ଏବେ ଯେଉଁ ସ୍ତରରେ ଆମେ ରହିଛେ ତାହାକୁ ଆଧାର କରି କିଭଳି ଆଗକୁ ବଢ଼ିପାରିବା ସେ ବିଷୟରେ ଚିନ୍ତା କରାଯିବା ଦରକାର। ଏକ୍ଷେତ୍ର‌ରେ ଯୁବପିଢ଼ି ପ୍ରମୁଖ ଭୂମିକା ନିର୍ବାହ କରିବେ। ଓଡ଼ିଶାର ପ୍ରାକୃତିକ ସମ୍ପଦ, ବିସ୍ତୀର୍ଣ୍ଣ ବେଳାଭୂମି, ଜଳ ହେଉଛି ପ୍ରମୁଖ ଶକ୍ତି। ପ୍ରତିଟି ଓଡ଼ିଆ ହିଁ ଓଡ଼ିଶାର ଶକ୍ତି। ବିଶ୍ୱର କୋଣ ଅନୁକୋଣରେ କାମ କରୁଥିବା ଓଡ଼ିଆ ନିଜ କାର୍ଯ୍ୟରେ ସବୁବେଳେ ଶ୍ରେଷ୍ଠ ପ୍ରଦର୍ଶନ କରିଛନ୍ତି।

ସବୁଆଡ଼େ ଓଡ଼ିଆ ଶ୍ରେଷ୍ଠ ୩ ମଧ୍ୟରେ ରହିଥାନ୍ତି। ଓଡ଼ିଶାରେ ଥିବା ମାନବ ସମ୍ବଳକୁ ଯଦି ଠିକ୍‌ ଭାବେ ବିନିଯୋଗ କରିପାରିବା ତେବେ କେତେ ଯେ ପରିବର୍ତ୍ତନ ଆସିବ ତାହା ଆକଳନ କରିବା ଅସମ୍ଭବ। କେବଳ ସେତିକି ନୁହେଁ, ଆଲୁମିନିୟମ୍‌, ଷ୍ଟିଲ୍‌ ଓ ଇଲେକ୍ଟ୍ରୋନିକ୍ସ ଉତ୍ପାଦନରେ ମଧ୍ୟ ଓଡ଼ିଶା ବିଶ୍ବର ରାଜଧାନୀ ହେବାର କ୍ଷମତା ରଖେ। ଓଡ଼ିଶା ନିର୍ମାଣ କନକ୍ଲେଭ୍-୨୦୨୨ ଉଦ୍‌ଘାଟନୀ ଉତ୍ସବରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓଡ଼ିଶାବାସୀଙ୍କ ସାମ୍ନାରେ ଏଭଳି ସ୍ବପ୍ନ ରଖିଛନ୍ତି।

୧ ଲକ୍ଷ କୋଟି ଡଲାର ଅର୍ଥନୀତିର କ୍ଷମତା ଓଡ଼ିଶାର ରହିଛି
ସାରା ଦେଶକୁ ଓଡ଼ିଶା ଶକ୍ତି ଯୋଗାଇବାର ସାମର୍ଥ୍ୟ ରଖେ
ଓଡ଼ିଶା ବିକାଶ ପାଇଁ ଦଳମତ ନିର୍ବିଶେ‌ଷରେ ସମସ୍ତେ ଆଗକୁ ଆସନ୍ତୁ: ସୌମ୍ୟରଂଜନ

ଶ୍ରୀ ବୈଷ୍ଣବ କହିଥିଲେ ଯେ ବର୍ତ୍ତମାନ ବୈଦ୍ୟୁତିକ ଗାଡ଼ି(ଇଭି)ର ଯୁଗ ଆସିଲାଣି। ଯେଉଁଥିରେ ଆଲୁମିନିୟମ୍‌ର ଆବଶ୍ୟକତା ବହୁ ପରିମାଣରେ ରହିଛି। ଓଡ଼ିଶା ଆଲୁମିନିୟମ୍‌ କ୍ଷେତ୍ରରେ ଏତେ ସମୃଦ୍ଧ ଏ ଆବଶ୍ୟକତାକୁ ମେଣ୍ଟାଇପାରିବ। ବିଶ୍ବର ରାଜଧାନୀ ହୋଇପାରିବ। ସେହିପରି ଦେଶରେ ଯେତେ ବି ଭିତ୍ତିଭୂମି କାର୍ଯ୍ୟ ହେଉଛି ସେଥିରେ ପ୍ରଚୁର ଷ୍ଟିଲ୍‌ର ଆବଶ୍ୟକତା ରହିଛି। ଏକ୍ଷେତ୍ରରେ ମଧ୍ୟ ବିଶ୍ବ ତଥା ଦେଶର ରାଜଧାନୀ‌ ହେବା ଲାଗି କେବଳ ଓଡ଼ିଶା ପାଖରେ ହିଁ କେବଳ ଯୋଗ୍ୟତା ରହିଛି। ୧୦ ବର୍ଷ ତଳେ ଦେଶରେ ଇଲେକ୍ଟ୍ରୋନିକ୍ସ ଉତ୍ପାଦନ ଏତେ ନ ଥିଲା। ମାତ୍ର ଆଜି ସାଢ଼େ ୬ ଲକ୍ଷ କୋଟି ଟଙ୍କାର ଇଲେକ୍ଟ୍ରୋନିକ୍ସ ଉତ୍ପାଦନ ଶିଳ୍ପ ଏବେ ଭାରତରେ। ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ପ୍ରାୟ ୮୦ ଲକ୍ଷ ଲୋକ ଏହି କ୍ଷେତ୍ରରେ ନିଯୁକ୍ତି ପାଇଛନ୍ତି।

ଓଡ଼ିଶା ନିର୍ମାଣରେ ଟେକ୍ନୋଲୋଜିର ଭୂମିକା ସମ୍ପର୍କରେ ‘କନକ୍‌ ନ୍ୟୁଜ୍‌’ ମୁଖ୍ୟ ସମ୍ପାଦକ ମନୋରଞ୍ଜନ ମିଶ୍ର ପଚାରିଥିବା କିଛି ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ କହିଲେ ଯେ ଓଡ଼ିଆଙ୍କ ପାଖରେ ଯେଉଁ ଦକ୍ଷତା ରହିଛି ତାହାକୁ ଯଦି ଇଲେକ୍ଟ୍ରୋନିକ୍ସ ଉତ୍ପାଦନରେ ଲଗାଇବା ତେବେ ଓଡ଼ିଶା ଏକ୍ଷେତ୍ରରେ ବି ବିଶ୍ବର ରାଜଧାନୀ ହୋଇପାରିବ। ଦେଶ ପାଇଁ ଶକ୍ତିର ଆବଶ୍ୟକତା ବି ରହିଛି। ଓଡ଼ିଶାରେ ଯେତିକି ସମ୍ଭଳ ରହିଛି ଯଦି ଆମେ ଠିକ୍‌ ଭାବେ କାର୍ଯ୍ୟ କରିବା ତାହା ହେଲେ ସାରା ଦେଶକୁ ଶକ୍ତି ଯୋଗାଇ ପାରିବା। ଏସବୁକୁ ମିଶାଇଲେ ୧ ଲକ୍ଷ କୋଟି ଡଲାର ଅର୍ଥନୀତିର କ୍ଷମତା ଓଡ଼ିଶାରେ ରହିଥିବା ଶ୍ରୀ ବୈଷ୍ଣବ କହିଥିଲେ।

ଉଦ୍‌ଘାଟନୀ ଉତ୍ସବରେ ‘ସମ୍ବାଦ ଗ୍ରୁପ୍‌’ ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକ କହିଲେ, ଆମର ଅତି ଅତୀତ ଅତ୍ୟନ୍ତ ଗୌରବମୟ ଥିଲା। ବୋଇତ ବନ୍ଦାଣ, କୋଣାର୍କ ମନ୍ଦିର ଓ ଜଗନ୍ନାଥଙ୍କ ପ୍ରଭାବକୁ ଦେଖିଲା ବେଳେ ଅତି ଅତୀତ କେତେ ଯେ ସମୃଦ୍ଧ ଥିଲା ତାହା ସ୍ପଷ୍ଟ ଜଣାପଡ଼େ। ମାତ୍ର ଆମ ନିକଟ ଅତୀତ ଆଦୌ ଭଲ ନ ଥିଲା। ଉତ୍କଟ ଦାରିଦ୍ର୍ୟ, ଅନାହାର ମୃତ୍ୟୁ, ବାତ୍ୟା, ବନ୍ୟା ପରି ବିପର୍ଯ୍ୟୟ ପରି ନିକଟ ଅତୀତକୁ ନେଇ ଯେଉଁ ନୂଆ ସ୍ବପ୍ନ ଦେଖିବା କଥା ତାହା ହୋଇପାରିଲା ନାହିଁ। ଏବେ କିନ୍ତୁ ବ୍ୟାପକ ପରିବର୍ତ୍ତନ ଆସିଛି। ଉତ୍କଟ ଦାରିଦ୍ର୍ୟ ହଟିଛି। ଅନାହାର ମୃତ୍ୟୁ ଇତିହାସର ବସ୍ତୁ ହୋଇଗଲାଣି। ବନ୍ୟା, ବାତ୍ୟା ମୁକାବିଲା କରି ବିଶ୍ବ ଦରବାରରେ ଆମେ ପୁରସ୍କୃତ ହୋଇଛୁ। ଏତିକିରେ ବି ଓଡ଼ିଶାର ନିର୍ମାଣ ପର୍ବ ସରୁନାହିଁ। ୫ କିଲୋ ଚାଉଳ, ପ୍ରଧାନମନ୍ତ୍ରୀ ଆବାସ କିମ୍ବା ଭଲ ରାସ୍ତାଘାଟ କରିଦେଲେ ଓଡ଼ିଶାର ବିକାଶ ସମ୍ପୂର୍ଣ୍ଣ ହୋଇଗଲା ବୋଲି ଭାବିବା ଉଚିତ ନୁହେଁ। ଏବେ ବି ବିକାଶ ପାଇଁ ଆହୁରି ବହୁତ କିଛି ଲୋଡ଼ା ରହିଛି। ଓଡ଼ିଶାରେ ଥିବା ସମ୍ଭାବନା ଓ ସୁଯୋଗକୁ ନେଇ ଦଳମତ ନିର୍ବିଶେ‌ଷରେ ସମସ୍ତେ ଓଡ଼ିଶା ନିର୍ମାଣ ଲାଗି ଆଗେଇ ଆସିବାକୁ ସେ ଆହ୍ବାନ ଦେଇଥିଲେ।

ଏହି ଅବସରରେ କିଟ୍‌ ଓ କିସ୍‌ର ପ୍ରତିଷ୍ଠାତା ଅଚ୍ୟୁତ୍‌ ସାମନ୍ତ, ଡିଏନ୍‌ ଗ୍ରୁପ୍‌ର ଅଧ୍ୟକ୍ଷ ଜଗଦୀଶ୍‌ ପ୍ରସାଦ ନାୟକ, ଅରୁନ୍ଧତୀ ଜୁଏଲର୍ସ ପ୍ରାଇଭେଟ୍‌ ଲିମିଟେଡ୍‌ର ପରିଚାଳନା ନିର୍ଦେଶକ ବ୍ରହ୍ମାନନ୍ଦ ମେହେର, ଭାରତ ମସଲାର ପରିଚାଳନା ନିର୍ଦେଶକ ସୁଶାନ୍ତ କୁମାର ପଣ୍ଡା ଏବଂ ସଞ୍ଜିବନୀ ସ୍ବୟଂ ସହାୟକ ଗୋଷ୍ଠୀର ସମ୍ପାଦିକା ପଦ୍ମାଳୟା ମହାନ୍ତିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସମ୍ବାଦ ଗ୍ରୁପ୍‌ର କାର୍ଯ୍ୟନିର୍ବାହୀ ନିର୍ଦେଶିକା ତନୟା ପଟ୍ଟନାୟକ କେନ୍ଦ୍ରମନ୍ତ୍ରୀ ଶ୍ରୀ ବୈଷ୍ଣବଙ୍କୁ ସମ୍ବର୍ଦ୍ଧିତ କରିଥିଲେ। କନକ୍‌ ନ୍ୟୁଜ୍‌ ଆଙ୍କର୍‌ ଲିପି ନାୟକ ଉଦ୍‌ଘାଟନୀ ଉତ୍ସବରେ ସଂଯୋଜନା କରିଥିଲେ।

ସମ୍ବନ୍ଧିତ ଖବର