‘ଓଡ଼ିଶା ନିର୍ମାଣ କନ୍‌କ୍ଲେଭ୍‌-୨୦୧୯’ ଆଜି

ଭୁବନେଶ୍ବର : ଓଡ଼ିଶା ନିର୍ମାଣ କନ୍‌କ୍ଲେଭ୍‌-୨୦୧୯ ଆସନ୍ତାକାଲି ପୂର୍ବାହ୍ନ ୯ଟା ୪୫ରୁ ଆରମ୍ଭ ହେବ। କନ୍‌କ୍ଲେଭ୍‌ର ଏହା ତୃତୀୟ ସଂସ୍କରଣ ହୋଇଥିବା ବେଳେ ଏଥିରେ ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ଯଶୋବନ୍ତ ସିହ୍ନା ମୁଖ୍ୟ ବକ୍ତା ଭାବେ ଉଦ୍‌ବୋଧନ ପ୍ରଦାନ କରିବେ। ରାଜ୍ୟସଭା ସାଂସଦ ତଥା ‘ସମ୍ବାଦ’ର ସମ୍ପାଦକ ସୌମ୍ୟ ରଞ୍ଜନ ପଟ୍ଟନାୟକ ସ୍ବାଗତ ଭାଷଣ ପ୍ରଦାନ କରିବେ। ଏହି ଅବସରରେ ‘କାଳିଆ କରିବ କୃଷକ କଲ୍ୟାଣ’ ବିଷୟ ଉପରେ ଏକ ପ୍ୟାନେଲ୍ ଆଲୋଚନା ଆୟୋଜିତ ହେବ। ବିଜେଡ଼ି ଆଇଟି ସେଲ୍‌ର ଅଧ୍ୟକ୍ଷ ଅମର ପଟ୍ଟନାୟକ ଓ ଆଇଏଏସ୍‌ ଡକ୍ଟର ସୌରଭ ଗର୍ଗ ଏହି ଆଲୋଚନାରେ ଅଂଶଗ୍ରହଣ କରିବେ। ଓଡ଼ିଶା ଦକ୍ଷତା ବିକାଶ ନିଗମର ଅଧ୍ୟକ୍ଷ ସୁ୍ବ୍ରତୋ ବାଗ୍‌ଚୀ ‘ଚାକିରି ମିଳିବ କେମିତି?’ ବିଷୟ ଉପରେ ଅତିଥି ଭାବେ ବକ୍ତବ୍ୟ ରଖିବେ। ଏହା ପରେ ‘ଓଡ଼ିଶା ନିର୍ମାଣ: କାହାର ଦାୟିତ୍ବ କେତେ?’ ବିଷୟ ଉପରେ ଏକ ପ୍ୟାନେଲ୍ ଆଲୋଚନା ହେବ। ସେଥିରେ ରାଜ୍ୟ ଅର୍ଥମନ୍ତ୍ରୀ ଶଶି ଭୂଷଣ ବେହେରା, ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସଭାପତି ନିରଞ୍ଜନ ପଟ୍ଟନାୟକ ଏବଂ ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ବିଶ୍ବ ଭୂଷଣ ହରିଚନ୍ଦନ ଅଂଶଗ୍ରହଣ କରିବେ। ଉଦ୍‌ଯାପନୀ ସମାରୋହରେ ଲୋକସଭା ସାଂସଦ ବରୁଣ ଗାନ୍ଧୀ ବକ୍ତବ୍ୟ ପ୍ରଦାନ କରିବେ। ଏହି କାର୍ଯ୍ୟକ୍ରମର ସିଧା ପ୍ରସାରଣ ‘କନକ ନିଉଜ୍‌’ରେ କରାଯିବ।

ସମ୍ବନ୍ଧିତ ଖବର