ହାତୀ ମୃତ୍ୟୁରେ ଓଡ଼ିଶା ପ୍ରଥମ : ୨୦୧୮ରେ ଏପର୍ଯ୍ୟନ୍ତ ମଲେଣି ୭୦ ହାତୀ

ଗତ ୨୫ ଦିନରେ ୧୩ ହାତୀଙ୍କ ମୃତ୍ୟୁ

ଭୁବନେଶ୍ବର : ହାତୀ ମୃତ୍ୟୁରେ ଓଡ଼ିଶା ପ୍ରଥମ। ୨୦୧୮ ଅକ୍ଟୋବର ସୁଦ୍ଧା ସାରା ‌ଦେଶରେ ଓଡ଼ିଶାରେ ସର୍ବାଧିକ ହାତୀ ମରିଛନ୍ତି। କର୍ଣ୍ଣା‌ଟକ, ଆସାମ, କେରଳ ପରି ରାଜ୍ୟକୁ ପଛରେ ପକାଇ ଏଭଳି ବଦନାମ ମୁଣ୍ଡାଇଛି ଓଡ଼ିଶା। ଏହାକୁ ନେଇ ଜାତୀୟ ଓ ଅନ୍ତର୍ଜାତୀୟସ୍ତରର ବିଶେଷଜ୍ଞମାନେ ଉଦ୍‌ବେଗ ପ୍ରକାଶ କରିଛନ୍ତି। ପରିବେଶବିତ୍‌ ତଥା କେନ୍ଦ୍ରମନ୍ତ୍ରୀ ମେନକା ଗାନ୍ଧୀ ମଧ୍ୟ ଓଡ଼ିଶାର ହାତୀ ମୃତ୍ୟୁକୁ ନେଇ ଚିନ୍ତା ପ୍ରକଟ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହସ୍ତକ୍ଷେପ ‌ଲୋଡ଼ିଛନ୍ତି। ତଥାପି ତାହାର କୌଣସି ପ୍ରଭାବ ପଡ଼ିଛି। ଗତ ୨୫ ଦିନ ମଧ୍ୟରେ ରାଜ୍ୟରେ ୧୩ଟି ହାତୀଙ୍କର ମୃତ୍ୟୁ ହୋଇଛି। ସେଥିମଧ୍ୟରୁ ୮ଟି ହାତୀଙ୍କର ବିଦ୍ୟୁତ୍‌ ଆଘାତରେ ମୃତ୍ୟୁ ହୋଇଥିବା ବେଳେ ଟ୍ରେନ୍‌ ଧକ୍କାରେ ଗୋଟିଏ, ୩ଟି ହାତୀଙ୍କୁ ମାରି ଦିଆଯାଇଛି। ଅନ୍ୟଟିର ତଦନ୍ତ ଏବେ ବି ଜାରି ରହିଛି।

ୱାଇଲ୍‌ଡ ଲାଇଫ୍ ପ୍ରୋଟେକ୍ସନ ସୋସାଇଟ୍‌ ଅଫ୍‌ ଇଣ୍ଡିଆର ତଥ୍ୟ ଅନୁଯାୟୀ ଗତ ଅକ୍ଟୋବର ୩୧ ସୁଦ୍ଧା ଦେଶରେ ୨୫୪ଟି ହାତୀଙ୍କର ମୃତ୍ୟୁ ହୋଇଛି। ସେଥିମଧ୍ୟରୁ ୨୨ଟି ହାତୀଙ୍କର ବିଷକ୍ରିୟାରେ ମୃତ୍ୟୁ ହୋଇଥିବା ବେଳେ ୫୨ଟି ହାତୀ ବିଦ୍ୟୁତ୍‌ ଆଘାତରେ ମୃତ୍ୟୁବରଣ କରିଛନ୍ତି। ବିଦ୍ୟୁତ୍‌ ଆଘାତରେ ମୃତ୍ୟୁ ହୋଇଥିବା ହାତୀଙ୍କ ମଧ୍ୟରେ ଓଡ଼ିଶାର ୧୦ଟି ହାତୀ ରହିଛନ୍ତି। ସେହିପରି ଦେଶରେ ୨୫ଟି ହାତୀଙ୍କର ଟ୍ରେନ୍‌ ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଚିନ୍ତାର ବିଷୟ ‌ହେଉଛି ଏହି ସମୟ ମଧ୍ୟରେ ଓଡ଼ିଶାରେ ୬୫ଟି ହାତୀଙ୍କର ମୃତ୍ୟୁ ହୋଇଛି। ଏହା ତଳକୁ ତାମିଲନାଡ଼ୁରେ ୫୩, କର୍ଣ୍ଣାଟକରେ ୩୧ ଓ ଆସାମରେ ୨୩ଟି ହାତୀ ମରିଛନ୍ତି। ମନୁଷ୍ୟକୃତ କାରଣ ଯୋଗୁଁ ଅଧିକାଂଶ ହାତୀଙ୍କ ମୃତ୍ୟୁ ହୋଇଛି। ବିଦ୍ୟୁତ୍‌ ଆଘାତ, ବିଷକ୍ରିୟା ଜନିତ ସମସ୍ୟା, ଟ୍ରେନ୍‌ ଧକ୍କା, ମଣିଷ-ହାତୀ ଲଢ଼େଇ ଏହାର ପ୍ରମୁଖ କାରଣ। ଗତ ନଭେମ୍ବର ୧ରୁ ଆଜି ପର୍ଯ୍ୟନ୍ତ ୫ଟି ହାତୀଙ୍କର ମୃତ୍ୟୁ ହୋଇଥିବାରୁ ୨୦୧୮ରେ ଏବେ ସୁଦ୍ଧା ୭୦ଟି ହାତୀଙ୍କର ମୃତ୍ୟୁ ହୋଇଛି।

ସାରା ଦେଶରେ ଯେତିକି ହାତୀଙ୍କର ମୃତ୍ୟୁ ହୋଇଛି ସେଥିମଧ୍ୟରୁ ୨୫.୫୯ ପ୍ରତିଶତ କେବଳ ଓଡ଼ିଶାରେ। କେନ୍ଦୁଝର, ଢେଙ୍କାନାଳ, ଅନୁଗୁଳ, ମୟୂରଭଞ୍ଜ, ଝାରସୁଗୁଡ଼ା ଆଦି ଜିଲ୍ଲାରେ ହାତୀଙ୍କ ମୃତ୍ୟୁ ସଂଖ୍ୟା ଅଧିକ ରହିଛି। ୨୦୧୭ ହାତୀ ଗଣନା ଅନୁଯାୟୀ ଦେଶରେ ୨୭ ହଜାର ୩୧୨ ହାତୀ ରହିଥିଲେ। କର୍ଣ୍ଣାଟକରେ ସର୍ବାଧିକ ୬,୦୪୯ ହାତୀ ଥିବା ବେଳେ ଆସାମରେ ୫,୭୧୯, କେରଳରେ ୩,୦୫୪, ତାମିଲନାଡ଼ୁରେ ୨୭୬୧ ଓ ଓଡ଼ିଶାରେ ୧୯୭୬ଟି ହାତୀ ରହିଥିଲେ। ହାତୀଙ୍କ ସଂଖ୍ୟା ଦୃଷ୍ଟିରୁ ଓଡ଼ିଶା ୫ମ ସ୍ଥାନରେ ରହିଛି। କର୍ଣ୍ଣାଟକରେ ଓଡ଼ିଶାଠାରୁ ତିନି ଗୁଣ ହାତୀ ଥିବା ବେଳେ ସେଠାରେ ମୃତ୍ୟୁହାର ତୃତୀୟ ସ୍ଥାନରେ ରହିଛି। କିନ୍ତୁ ଓଡ଼ିଶା ଏକ୍ଷେତ୍ରରେ ପ୍ରଥମ।

ଦେଶରେ ବଢ଼ୁଥିବା ହାତୀ ମୃତ୍ୟୁକୁ ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି ନ୍ୟାସନାଲ ଗ୍ରିନ୍‌ ଟ୍ରିବୁନାଲ(ଏନ୍‌ଜିଟି)। ଏନେଇ କିଛି ଦିନ ତଳେ ଏନ୍‌ଜିଟି ପକ୍ଷରୁ ହାତୀ କରିଡର୍‌ଗୁଡ଼ିକୁ ପରିବେଶ ସମ୍ବେଦନଶୀଳ ଅଞ୍ଚଳ ଭାବେ ଘୋଷଣା କରିବାକୁ କେନ୍ଦ୍ର ପରିବେଶ, ଜଙ୍ଗଲ ମନ୍ତ୍ରଣାଳୟକୁ ନିର୍ଦେଶ ଦିଆଯାଇଛି। ଦେଶରେ ଏବେ ୧୦୧ଟି ହାତୀ କରିଡର୍‌ ରହିଛି। ସେଥିମଧ୍ୟରୁ ୭୭.୩ ପ୍ରତିଶତ କରିଡର୍‌ରେ ନିୟମିତ ଭାବେ ହାତୀ ଚଳପ୍ରଚଳ କରୁଛନ୍ତି। ହାତୀ କରିଡର୍‌ ଭିତରେ ‌ଯେପରି ସେମାନଙ୍କ ପାଇଁ କୌଣସି ପ୍ରକାର ବିପଦ ସୃଷ୍ଟି ନ ହୁଏ ସେଥିପ୍ରତି ଦୃଷ୍ଟି ଦେବାକୁ କୁହାଯାଇଛି।

ସମ୍ବନ୍ଧିତ ଖବର