ମାଲେରିଆ ହ୍ରାସରେ ଓଡ଼ିଶା ଦେଶରେ ଏକ ନମ୍ବର, ‘ଦମନ’ ପାଇଁ ଓଡ଼ିଶାକୁ ମିଳିଲା ସଫଳତା

ଅନ୍ୟ ରାଜ୍ୟ ବି ଓଡ଼ିଶା ମଡେଲ୍‌ ଆପଣାନ୍ତୁ: ବିଶ୍ବ ସ୍ବାସ୍ଥ୍ୟ ସଂଗଠନ, ଦେଶ ପାଇଁ ଅତ୍ୟନ୍ତ ‌େଗୗରବର ବିଷୟ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ମାଲେରିଆ ହ୍ରାସ ଦିଗରେ ରାଜ୍ୟ ସରକାରଙ୍କ ‘ଦମନ’ ଯୋଜନା ଏବେ କେବଳ ଭାରତରେ ନୁହେଁ ସାରା ବିଶ୍ବରେ ପ୍ରଶଂସିତ ହୋଇଛି। ଏହି ଯୋଜନା ମାଧ୍ୟମରେ ଓଡ଼ିଶା ମାଲେରିଆ ପ୍ରବଣ ରାଜ୍ୟରୁ ମାଲେରିଆ ଶୂନ୍ୟ ରାଜ୍ୟ ହେବାକୁ ଯାଉଛି। ତେଣୁ ଯେଉଁ ଯେଉଁ ରାଜ୍ୟରେ ମାଲେରିଆ ଏବେ ଚିନ୍ତାଜନକ ସ୍ଥିତିରେ ଅଛି ସେମାନେ ଓଡ଼ିଶାର ମଡେଲ୍ ଆପଣାଇବାକୁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ପରାମର୍ଶ ଦିଆଯାଇଛି। ୨୦୦୦ ମସିହାରେ ମାଲେରିଆ ପ୍ରବଣ ରାଜ୍ୟ ଥିବା ଓଡ଼ିଶାରେ ଦେଶର ୪୦% ରୋଗୀ ଥିଲେ। କିନ୍ତୁ ରାଜ୍ୟ ସରକାରଙ୍କ ଉଦ୍ୟମ ଯୋଗୁଁ ରାଜ୍ୟରେ ମାଲେରିଆ ଏକ ପ୍ରକାର ନିପାତ ସ୍ଥିତିକୁ ଆସିଯାଇଛି। ଏପରିକି ୨୦୧୪ ମସିହାରେ ରାଜ୍ୟରେ ପ୍ରାୟ ୪ଲକ୍ଷ ଏହି ରୋଗୀ ଚିହ୍ନଟ ହୋଇଥିବାବେଳେ ଏଥିରେ ୮୯ଜଣଙ୍କର ମୃତ୍ୟୁ ହୋଇଥିଲା। ୨୦୧୭ରେ ମୃତ୍ୟୁ ସଂଖ୍ୟା ୨୪ରେ ପହଞ୍ଚିଥିବା ବେଳେ ଚଳିତବର୍ଷ ଅକ୍ଟୋବର ମାସ ମଧ୍ୟରେ ମାତ୍ର ୩ଜଣଙ୍କର ମାଲେରିଆରେ ମୃତ୍ୟୁ ହୋଇଛି। ଏହା କେବଳ ରାଜ୍ୟ ସରକାରଙ୍କ ଉଦ୍ୟମ ଯୋଗୁଁ ହୋଇଛି। ଏଥିପାଇଁ ଓଡ଼ିଶା ସାରା ଦେଶରେ ରୋଲ୍‌ ମଡେଲ୍‌ ବୋଲି ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ଗ୍ଲୋବାଲ୍ ମାଲେରିଆ କାର୍ଯ୍ୟକ୍ରମ ନିର୍ଦ୍ଦେଶକ ଡା. ପେଡ୍ରୋ ଆଲନ୍‌ସୋ‌ କହିଛନ୍ତି। ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ୨୦୧୮ ବିଶ୍ବ ମାଲେରିଆ ରିପୋର୍ଟ ଉନ୍ମୋଚନ ଅବସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଡା. ଆଲନ୍‌ସୋ ଏହା କହିଛନ୍ତି। ଯେଉଁ ‘ଦମନ’ ଯୋଜନା ରାଜ୍ୟ ସରକାରଙ୍କୁ ଏହି ସଫଳତା ଦେଇଛି ଏଥିରେ ରାଜ୍ୟ ସରକାରଙ୍କ ନିଜସ୍ବ ପାଣ୍ଠିରେ ୨୪ଟି ମାଲେରିଆ ପ୍ରବଣ ଜିଲ୍ଲାରେ ତିନି ପର୍ଯ୍ୟାୟରେ ପ୍ରାୟ ୪ହଜାରରୁ ଅଧିକ ଶିବିର ଆୟୋଜନ ହୋଇଛି। ଏଥିରେ ୧୪ଲକ୍ଷରୁ ଅଧିକ ଲୋକଙ୍କ ରକ୍ତ ପରୀକ୍ଷା କରି ଚିହ୍ନଟ ରୋଗୀମାନଙ୍କୁ ସଂପୂର୍ଣ୍ଣ ଚିକିତ୍ସା ଯୋଗାଯାଇଛି। ସେହିପରି ମାଲେରିଆର ପ୍ରମୁଖ କାରଣ ମଶା କାମୁଡ଼ା ହୋଇଥିବା ବେଳେ ଏହାର ପ୍ରତିକାର ପାଇଁ ୧୭ଟି ମାଲେରିଆ ପ୍ରବଣ ଜିଲ୍ଲାରେ ୧କୋଟି ୧୩ଲକ୍ଷ ଔଷଧୀୟ ମଶାରୀ ବଣ୍ଟା ଯାଇଛି। ଏହାଦ୍ବାରା ପ୍ରାୟ ୨କୋଟି ଲୋକ ଉପକୃତ ହୋଇଥିବା ବେଳେ ଏହି ରୋଗ ନିୟନ୍ତ୍ରଣ ‌େକ୍ଷତ୍ରରେ ଏହା ପ୍ରମୁଖ ଭୂମିକା ଗ୍ରହଣ କରିଛି। ୨୧ଟି ଜିଲ୍ଲାରେ ଘର ଭିତରେ କୀଟନାଶକ ସିଞ୍ଚନ, ମାଲେରିଆ ନିରାକରଣ ସଂକ୍ରାନ୍ତରେ ୪୭ହଜାରରୁ ଅଧିକ ଆଶାକର୍ମୀଙ୍କୁ ତାଲିମ୍‌, ତୁରନ୍ତ ରୋଗ ଚିହ୍ନଟ ପାଇଁ ରାପିଡ୍‌ କିଟ୍‌, ଔଷଧ ଯୋଗାଣ ହୋଇଛି।

୨୦୩୦ ସୁଦ୍ଧା ସାରା ଦେଶକୁ ମାଲେରିଆ ମୁକ୍ତ କରିବାକୁ ଲକ୍ଷ୍ୟ ରଖାଯାଇଥିବା ବେଳେ ବିଶ୍ବ ସ୍ବା‌ସ୍ଥ୍ୟ ସଂଗଠନର ସାବାସି ମାଲେରିଆ ନିୟନ୍ତ୍ରଣ ‌େକ୍ଷତ୍ରରେ କାର୍ଯ୍ୟ କରୁଥିବା ଅଧିକାରୀଙ୍କୁ ଉତ୍ସାହିତ କରିଛି। ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ପ୍ରଶଂସା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ବିଟ୍‌ କରି କରିଛନ୍ତି ଯେ, ମାଲେରିଆ ନିରାକରଣ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ନିରନ୍ତର ଉଦ୍ୟମ ଅନ୍ତର୍ଜାତୀୟ ସ୍ତରରେ ପ୍ରଶଂସିତ ହୋଇଥିବା ବେଳେ ସମଗ୍ର ଦେଶ ପାଇଁ ଏହା ଗୌରବର ବିଷୟ। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି ଯେ, ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ରାଜ୍ୟ ସରକାରଙ୍କ ସହ ମିଳିତ ଭାବେ କାର୍ଯ୍ୟ କଲେ ଧାର୍ଯ୍ୟ ସମୟ ପୂର୍ବରୁ ଓଡ଼ିଶାକୁ ସଂପୂର୍ଣ୍ଣ ମାଲେରିଆ ମୁକ୍ତ କରିହେବ।

ସମ୍ବନ୍ଧିତ ଖବର