ଜଙ୍ଗଲ ଅଧିକାର ଆଇନ ଲାଗୁ କରିବାରେ ଓଡ଼ିଶା ଦେଶର ଏକ ନମ୍ବର ରାଜ୍ୟ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ରାଜ୍ୟରେ ୪.୩୬ଲକ୍ଷ ବନବାସୀ ଲୋକଙ୍କୁ ଭୂମି ଅଧିକାର ଦେଇ ଓଡ଼ିଶା ଆଜି ସାରା ଭାରତରେ ଜଙ୍ଗଲ ଅଧିକାର ଆଇନ ଲାଗୁ କରିବାରେ ଆଜି ଏକ ନମ୍ବର ରାଜ୍ୟ ହୋଇଛି।  ଗୁରୁବାର ଜନଜାତି କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଆୟୋଜିତ  ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଏଭଳି ମନ୍ତବ୍ୟ ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ପଞ୍ଚାୟତିରାଜ ସଂସ୍ଥା(ପିଆରଆଇ) ଅଧିନରେ ଥିବା ଜନଜାତି ସଦସ୍ୟଙ୍କର  ଦକ୍ଷତା ବିକାଶ କାର୍ଯ୍ୟକ୍ରମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ କି, ଜନଜାତି ବିକାଶ ବିଭାଗ ୬-୯ବର୍ଷ ମଧ୍ୟରେ ୩୦,୦୦୦ ପଞ୍ଚାୟତ ସଦସ୍ୟଙ୍କୁ ନେଇ ପ୍ରଶିକ୍ଷଣ କାର୍ଯ୍ୟକ୍ରମ କରିବ। ଏଭଳି ପ୍ରଶିକ୍ଷଣ କାର୍ଯ୍ୟକ୍ରମ  ଆଦିବାସୀ ଅଞ୍ଚଳରେ ସ୍ଥାନୀୟ ସ୍ବୟଂଶାସିତ ସଂସ୍ଥାଗୁଡ଼ିକ ମଜବୁତ୍ ହେବା ସହ ଲୋକତାନ୍ତ୍ରିକ ବିକେନ୍ଦ୍ରୀକରଣର ପ୍ରକ୍ରିୟାକୁ ସମୃଦ୍ଧ କରିବ।

ଆଦିବାସୀ ଅଞ୍ଚଳ ପାଇଁ ରାଜ୍ୟ ସରକାର ନେଇଥିବା ପଦକ୍ଷେପ ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଥିଲେ, ୬ଲକ୍ଷରୁ ଅଧିକ ଛାତ୍ର-ଛାତ୍ରୀଙ୍କୁ ଗୁଣବତ୍ତାପୂର୍ଣ୍ଣ ଶିକ୍ଷା ପ୍ରଦାନ କରିବା ପାଇଁ ୬,୭୦୦ଛାତ୍ରାବାସ ଏବଂ ୧୭୩୧ଟି ସ୍କୁଲ ସ୍ଥାପିତ କରାଯାଇଛି। ସବୁ ଛାତ୍ରାବାସରେ ଗୁଣବତ୍ତାମାନକକୁ ସୁନିଶ୍ଚିତ କରିବା ପାଇଁ ମିଶନ ସୁବିଦ୍ୟା ଆରମ୍ଭ କରାଯାଇଛି। ସେହିଭଳି ଭାବେ ମିଶନ ଜୀବିକା ମଧ୍ୟ ଲୋକମାନଙ୍କ ଜୀବିକାକୁ ସ୍ବଚ୍ଛଳ କରିବାରେ ସଫଳ ହୋଇଛି। ଏହି ମିଶନ ଅଧିନରେ ସ୍ଥାୟୀ ଆର୍ଥିକ ଉତଥାନ ପାଇଁ ୨୩୦୦ଆଦିବାସୀ ପରିବାରକୁ ସାମିଲ କରାଯାଇଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ସମ୍ବନ୍ଧିତ ଖବର