ଭୁବନେଶ୍ବର: ୨୭ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ନାହିଁ। ଏହି ସମୟରେ ଆକାଶ ପରି‌ଷ୍କାର ରହିବା ସହ ପାଗ ଶୁଖିଲା ରହିବ। ତେବେ ୨୭ ତାରିଖରେ ଗଞ୍ଜାମ, ଗଜପତି ଜିଲ୍ଲାର ଗୋଟିଏରୁ ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ। ୨୮ ତାରିଖରେ ଗଞ୍ଜାମ, ଗଜପତି, ମାଲକାନଗିରି, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀକୋରାପୁଟ ଜିଲ୍ଲାର ଗୋଟିଏ ବା ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ୨୯ରେ ମଧ୍ୟ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବର୍ଷାର ସମ୍ଭାବନା ରହିଛି। ୨ ଦିନ ଯାଏ ତାପମାତ୍ରାରେ ବିଶେଷ  ପରିବର୍ତ୍ତନ  ହେବ ନାହିଁ। ଦୁଇ ଦିନ ପରେ ଅର୍ଥାତ୍‌ ୨୫ ତାରିଖ ପରେ ତାପମାତ୍ରା ୨ ରୁ ୪ ଡିଗ୍ରି ପର୍ଯ୍ୟନ୍ତ ହ୍ରାସ ପାଇବ ଓ ଥଣ୍ଡା ପ୍ରକୋପ ବଢ଼ିବ ବୋଲି ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ଆକଳନ କରିଛି।

Advertisment

ଅନ୍ୟପଟେ ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ବାତ୍ୟା ରୂପ ନେବ। କିନ୍ତୁ ଏହାର କୌଣସି ପ୍ରଭାବ ଓଡ଼ିଶାରେ ରହିବ ନାହିଁ। ଏଭଳି ଆକଳନ କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର। କେନ୍ଦ୍ରର ଆକଳନ ମୁତାବକ, ଏହା ପଶ୍ଚିମ ଓ ଉତ୍ତର ପଶ୍ଚିମ ଦିଗରେ ଗତି କରି ୨୪ ଘଣ୍ଟାରେ ଲଘୁଚାପର ରୂପ ନେବ। ଲଘୁଚାପ ରୂପ ନେବା ପରେ ୨ ଦିନ ଧରି ପଶ୍ଚିମ ଓ ଉତ୍ତର-ପଶ୍ଚିମ ଦିଗରେ ଗତିକରିବା ପରେ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଅବପାତର ରୂପ ନେବ। ଅଧିକ ଘନୀଭୂତ ହୋଇ ଏହା ବାତ୍ୟା ରୂପ ନେବ। ତେବେ ବାତ୍ୟା ତାମିଲନାଡୁ କିମ୍ବା  ଶ୍ରୀଲଙ୍କା ଆଡ଼କୁ ଗତି କରିବ। ୨୫ ରୁ ୨୬ ତାରିଖ ମଧ୍ୟରେ ଏହି ବାତ୍ୟା ସ୍ଥଳଭାଗ ଛୁଇଁବ। ସମଗ୍ର ପ୍ରକ୍ରିୟା ଉପରେ ଆଇଏମ୍‌ଡି ନଜର ରଖିଛି। ବାତ୍ୟାର ତୀବ୍ରତା ବା ରୂପରେଖ କଣ ହେବ ସେ ସେ ନେଇ ସ୍ପଷ୍ଟ ହୋଇ ନାହିଁ। ଉଚିତ୍‌ ସମୟରେ ଏହାର ପ୍ରଭାବକୁ ‌ନେଇ ସୂଚନା ଦିଆଯିବ ବୋଲି କୁହାଯାଇଛି।

ଗତ ୨୪ ଘଣ୍ଟା ମଧ୍ୟରେ ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୧୧ ଡିଗ୍ରି ରହିଥିବା ବେଳେ କୋରାପୁଟରେ ୧୧.୩, ଦାରିଙ୍ଗିବାଡ଼ିରେ ୧୧.୫, ଅନୁଗୁଳରେ ୧୨, ରାଉରକେଲାରେ ୧୨.୧, ଝାରସୁଗୁଡ଼ାରେ ୧୨.୪ ଡିଗ୍ରି ‌ରେକର୍ଡ କରାଯାଇଛି। ଭୁବନେଶ୍ୱରରେ ସର୍ବନିମ୍ନ ତାପମାତ୍ରା ୧୫.୪ ଓ କଟକରେ ୧୬.୫ ଡିଗ୍ରି ରେକର୍ଡ ହୋଇଛି। ଗତ ୨୪ ଘଣ୍ଟା ମଧ୍ୟ‌ରେ ପାରଳାଖେମୁଣ୍ଡିରେ ସର୍ବାଧିକ ୩୧.୨ ଡିଗ୍ରି ରହିଥିବା ବେ‌ଳେ ନୂଆପଡ଼ାରେ ୩୦.୪, ପାରାଦିପରେ ୩୦.୩, ଗୋପାଳପୁରରେ ୩୦.୧ ଏବଂ ଖୋର୍ଦ୍ଧ‌ା ଓ ଜଗତସିଂହପୁରରେ ୩୦ ଡିଗ୍ରି ଲେଖାଏଁ ରେକର୍ଡ କରାଯାଇଛି।