ଓଡ଼ିଶାର ଏବେ ଭଲଦିନ ଆସିଛି: ଅମିତ ଶାହ

ଭୟ ଓ ପକ୍ଷପାତ ବିନା ଗଣମାଧ୍ୟମ କାର୍ଯ୍ୟ କରୁ: ମୁଖ୍ୟମନ୍ତ୍ରୀ

କଟକ : ଓଡ଼ିଶାର ଏବେ ଭଲଦିନ ଆସିଛି। ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦକୁ ଯାଇ ମହାମହିମ ରାଷ୍ଟ୍ରପତି ହୋଇଛନ୍ତି। ଧର୍ମେନ୍ଦ୍ର ପ୍ରଧାନ ଏବେ କେନ୍ଦ୍ରରେ ଶିକ୍ଷାମନ୍ତ୍ରୀ, ଅଶ୍ବିନୀ ବୈଷ୍ଣବ ରେଳ ମନ୍ତ୍ରୀ, ବିଶ୍ବେଶ୍ବର ଟୁଡୁ ବି କେନ୍ଦ୍ରମନ୍ତ୍ରୀ ଏବଂ ଶକ୍ତିକାନ୍ତ ଦାସ ହେଉଛନ୍ତି ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର। ଓଡ଼ିଶା ପାଇଁ ଏହା ଗୌରବର ବିଷୟ। ସ୍ବାଧୀନତା ପରେ କେନ୍ଦ୍ରରେ ଓଡ଼ିଶାରୁ ଏତେ ପ୍ରତିନିଧିତ୍ବ କେବେ ପୂର୍ବରୁ ମିଳି ନଥିଲା ବୋଲି ସୋମବାର ଦିନ ଜବାହାରଲାଲ ନେହରୁ ଇନ୍‌ଡୋର ଷ୍ଟାଡିୟମରେ ଆୟୋଜିତ ଦୈନିକ ଖବର କାଗଜ ‘ପ୍ରଜାତନ୍ତ୍ର’ର ୭୫ ବର୍ଷ ପୂର୍ତ୍ତି ଉତ୍ସବରେ ଯୋଗ ଦେଇ କେନ୍ଦ୍ର ଗୃହ ଓ ସମବାୟ ମନ୍ତ୍ରୀ ଅମିତ ଶାହ କହିଛନ୍ତି।

ଶ୍ରୀ ଶାହ କହିଛନ୍ତି ଯେ ଓଡ଼ିଶାରେ ବିକାଶ ପାଇଁ ପର୍ଯ୍ୟାପ୍ତ ସୁଯୋଗ ତଥା ସମ୍ଭାବନା ରହିଛି। ସମୁଦ୍ର ତଟ ରହିଛି। ଓଡ଼ିଶା ଖଣିଜ ସଂପଦରେ ଭରପୁର। ଓଡ଼ିଶାର ସାଂସ୍କୃତିକ ମୂଲ୍ୟବୋଧ ସମୃଦ୍ଧ। ଓଡ଼ିଶା ପ୍ରତି ଈଶ୍ବରଙ୍କର ଆଶୀର୍ବାଦ ରହିଛି। କେନ୍ଦ୍ର ସରକାର ରାଜ୍ୟ ସହିତ ମିଶି ସବୁ ବେଳ ଓଡ଼ିଶାର ବିକାଶ ପାଇଁ କାମ କରି ଆସିଛନ୍ତି ବୋଲି ଶ୍ରୀ ଶାହ କହିଛନ୍ତି। ଏହି ଅବସରରେ ଶ୍ରୀ ଶାହ ‘ପ୍ରଜାତନ୍ତ୍ର’ର ପ୍ରତିଷ୍ଠାତା ଡକ୍ଟର ହରେକୃଷ୍ଣ ମହତାବଙ୍କ ଗଡଜାତ ମିଶ୍ରଣରେ ଉଲ୍ଲେଖନୀୟ ଅବଦାନ ସଂପର୍କରେ ମତ ରଖିଥିଲେ।
ଉତ୍ସବରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ ଯେ ଗଣତନ୍ତ୍ରରେ ଗଣମାଧ୍ୟମର ଭୂମିକାକୁ କେବେ ଅଣଦେଖା କରାଯାଇପାରିବ ନାହିଁ। ଗଣମାଧ୍ୟମ ଭୟ ଓ ପକ୍ଷପାତ ବିନ‌‌ା ତାର କର୍ତ୍ତବ୍ୟ ସଂପାଦନ କରିବାକୁ ଆହ୍ବାନ ଦେବା ସହିତ ଗଣମାଧ୍ୟମ ରାଜନୀତିଠାରୁ ଲୋକଙ୍କ ସମସ୍ୟାକୁ ଅଧିକ ଗୁରୁତ୍ବ ଦେବାକୁ ପରାମର୍ଶ ଦେଇଥିଲେ। ଭାରତ ଗଣତାନ୍ତ୍ରିକ ମୂଲ୍ୟବୋଧ ଉପରେ ଦଣ୍ଡାୟମାନ। ତେଣୁ ଗଣମାଧ୍ୟମରେ ଗଣତାନ୍ତ୍ରିକ ମୂଲ୍ୟବୋଧର ପ୍ରତିଫଳନ ହେବା ଉଚିତ୍ ଏବଂ ପ୍ରତ୍ୟେକ ଗଣମାଧ୍ୟମ ସଂସ୍ଥା ନିଜର ଗରିମା ବଜାୟ ରଖିବା ଆବଶ୍ୟକ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଆସନ୍ତାକାଲି ଅଗଷ୍ଟ କ୍ରାନ୍ତି ଦିବସ ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ସମସ୍ତ ସଂଗ୍ରାମୀମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

‘ପ୍ରଜାତନ୍ତ୍ର’ର ୭୫ବର୍ଷ ପୂର୍ତ୍ତି ଉତ୍ସବରେ ଅମିତ ଶାହ-ନବୀନ-ଧର୍ମେନ୍ଦ୍ର

ସଭାର ସଭାପତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦେଶର ଅମୃତ ମହୋତ୍ସବ ଓ ପ୍ରଜାତନ୍ତ୍ରର ୭୫ ବର୍ଷ ପୂର୍ତ୍ତି ଏକ ସଂଯୋଗ ବୋଲି କହିଥିଲେ। ଓଡ଼ିଶାର ଜନଜୀବନ, ସ୍ବାଧୀନତା ସଂଗ୍ରାମ ଓ ଆଧୁନିକ ଓଡ଼ିଶାରେ ଡକ୍ଟର ହରେକୃଷ୍ଣ ମହତାବଙ୍କ ଭୂମିକାକୁ ଶ୍ରୀ ପ୍ରଧାନ ସ୍ମରଣ କରିବା ସହିତ ଗଡଜାତ ମିଶ୍ରଣରେ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ସହିତ ଡକ୍ଟର ମହତାବ କିଭଳି ଏକାଠି କାର୍ଯ୍ୟ କରିଥିଲେ, ସେ ସଂପର୍କରେ ବକ୍ତବ୍ୟ ରଖିଥିଲେ। ଓଡ଼ିଶାକୁ ବିଶ୍ବର ଅଗ୍ରଣୀ ରାଜ୍ୟରେ ପରିଣତ କରିବାକୁ ସାମୂହିକ ପ୍ରୟାସ ଜାରି ରଖିବାକୁ ଶ୍ରୀ ପ୍ରଧାନ ଆହ୍ବାନ ଦେଇଥିଲେ। କାର୍ଯ୍ୟକ୍ରମର ଅନ୍ୟତମ ଅତିଥି ବିଶିଷ୍ଟ ସାହିତ୍ୟିକା ପଦ୍ମଭୂଷଣ ଡକ୍ଟର ପ୍ରତିଭା ରାୟ କହିଥିଲେ ଯେ ଅନେକ ପ୍ରଭିଭାଙ୍କୁ ‘ପ୍ରଜାତନ୍ତ୍ର’ ଜନ୍ମ ଦେଇଛି। ସେ ନିଜେ ୧୧ ବର୍ଷ ବୟସ‌ରେ ନିଜ ସାରସ୍ବତ ଜୀବନର ଆରମ୍ଭ ଏହି ପ୍ରଜାତନ୍ତ୍ରରୁ ହିଁ କରିଥିଲେ ବୋଲି କହିଥିଲେ।

‘ପ୍ରଜାତନ୍ତ୍ର’ର ସଂପାଦକ ତଥା କଟକ ସାଂସଦ ଭର୍ତ୍ତୃହରି ମହତାବ ସ୍ବାଗତ ଭାଷଣ ଦେଇଥିବା ବେଳେ ପ୍ରଜାତନ୍ତ୍ରର ଟ୍ରଷ୍ଟି ଲୋକରଂଜନ ମହାତାବ ଧନ୍ୟବାଦ ଅର୍ପଣ କରିଥିଲେ। ‌ଦେବପ୍ରସାଦ ଦାଶ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ। ଏହି ଅବସର‌ରେ ଶିଳ୍ପୀ ଲକ୍ଷ୍ମୀଧର ରଣା, ବିଶିଷ୍ଟ ଗାନ୍ଧିବାଦୀ ବିନିତା ପାଠକ ଓ ଜୟ ଜଗନ୍ନାଥ ସେବା ସମିତିକୁ ସମ୍ମାନିତ କରାଯାଇଥିଲା। ଡାକ ବିଭାଗ ପକ୍ଷରୁ ମଧ୍ୟ ଏହି ଅବସରରେ ଏକ ଡାକ ଟିକଟର ଲୋକାର୍ପଣ କରାଯାଇଥିଲା।

କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ଭୁବନେଶ୍ବରରୁ କଟକ ସଡ଼କପଥରେ ଆସିଥିବା ବେଳେ ତାଙ୍କୁ ବିଭିନ୍ନ ସ୍ଥାନରେ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ଶ୍ରୀ ଶାହା ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଆ ବଜାରସ୍ଥିତ ନେତାଜୀଙ୍କ ଜନ୍ମପୀଠକୁ ଯାଇ ସେଠାରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଅନ୍ୟପଟେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହେଲିକପ୍ଟରରେ ଆସି ଉପର ବାଲିଯାତ୍ରା ପଡ଼ିଆରେ ଓହ୍ଲାଇଥିବା ବେଳେ ତାଙ୍କୁ ଶୋଭାଯାତ୍ରାରେ କାର୍ଯ୍ୟକ୍ରମ ସ୍ଥଳକୁ ପାଛୋଟି ନିଆଯାଇଥିଲା।

ସମ୍ବନ୍ଧିତ ଖବର