ବାହନଗା ଟ୍ରେନ୍‌ ଦୁର୍ଘଟଣା: ଦିନିକିଆ ଶୋକ ପାଳନ କଲା ଓଡ଼ିଶା

ପ୍ରାଥମିକ ରିପୋର୍ଟ ‌ଦେଲେ ଏସ୍‌ଆର୍‌ସି, ସ୍ଥିତି ସମୀକ୍ଷା କରିଛନ୍ତି ପ୍ରଧାନମନ୍ତ୍ରୀ, ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ରେଳ ମନ୍ତ୍ରୀ

ଭୁବନେଶ୍ବର : ବାହନଗାରେ ଘଟିଥିବା ଟ୍ରେନ୍‌ ଦୁର୍ଘଟଣାର ପ୍ରାଥମିକ ରିପୋ‌ର୍ଟ ଏସ୍‌ଆର୍‌ସି (ସ୍ବତନ୍ତ୍ର ରିଲିଫ କମିସନର) ଜାରି କରିଛନ୍ତି। ଏସ୍‌ଆର୍‌ସି ସତ୍ୟବ୍ରତ ସାହୁ କ୍ଷେତ୍ର ପରିଦର୍ଶନ କରିବା ପରେ ଦେଇଥିବା ରିପୋର୍ଟ ଅନୁଯାୟୀ, ସାଲିମାର-ଚେନ୍ନାଇ କରମଣ୍ଡଳ ଏକ୍ସପ୍ରେସ୍‌, ଏମ୍‌ ବି‌େଶ୍ବଶ୍ବରାୟ-ହାୱଡା ସୁପରଫ‌ାଷ୍ଟ ଏକ୍ସପ୍ରେସ୍, ବାହନଗା ବଜାର ଷ୍ଟେସନରେ ଥିବା ମାଲ୍‌ବାହୀ ଟ୍ରେନ୍‌ ମଧ୍ୟରେ ଧକ୍କା ଯୋଗୁ ଦୁଇଟି ଯାତ୍ରୀବାହୀ ଟ୍ରେନ୍‌ର ୧୭ଟି କୋଚ୍‌ ଲାଇନଚ୍ୟୁତ ହେବା ସହ ବ୍ୟାପକ କ୍ଷୟକ୍ଷତି ହୋଇଛି। ଏଥିରେ ୨୮୮ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ପ୍ରାୟ ଏକ ହଜାର ଲୋକ ଆହତ ହୋଇଛନ୍ତି।

ଦୁର୍ଘଟଣା ପରେ ପୁନରୁଦ୍ଧାର ପାଇଁ ୯ଟି ଏନ୍‌ଡିଆର୍‌ଏଫ୍ ଟିମ୍, ୫ଟି ଓଡ୍ରାଫ୍ ୟୁନିଟ, ୨୪ଟି ଅଗ୍ନିଶମ ଓ ଜରୁରୀ ସେବା ୟୁନିଟ ନିୟୋଜିତ ହୋଇଛନ୍ତି। ଦୁର୍ଘଟଣାସ୍ଥଳରେ ଆହତଙ୍କୁ ତୁରନ୍ତ ଚିକିତ୍ସା ଯୋଗାଇବାକୁ ୧୦୦ଟି ମେଡିକାଲ ଟିମ୍ ପାରାମେଡିକାଲ କର୍ମଚାରୀଙ୍କ ସହ ନିୟୋଜିତ ହୋଇଛନ୍ତି। ବ୍ୟାପକ ଔଷଧ ଯୋଗାଇ ଦିଆଯାଇଛି। ୨୦୦ରୁ ଅଧିକ ଆମ୍ବୁଲାନ୍ସକୁ ଉଦ୍ଧାର କାର୍ଯ୍ୟରେ ନିୟୋଜିତ କରାଯାଇଛି। ଅଟକି ରହିଥିବା ପଶ୍ଚିମବଙ୍ଗ ଓ ଓଡ଼ିଶାର ଯାତ୍ରୀମାନଙ୍କୁ ସେମାନଙ୍କ ଗନ୍ତବ୍ୟସ୍ଥଳରେ ପହଞ୍ଚାଇବାକୁ ୩୦ଟି ବସ୍‌ ନିୟୋଜିତ କରାଯାଇଛି। ପ୍ରା‌ୟ ହଜାରେ ଲୋକ ଅାହତ ହୋଇଥିବାବେ‌େଳ ସେମାନଙ୍କ ସୋରୋ, ବାଲେଶ୍ବର, ଭଦ୍ରକ, କଟକ, ଭୁବନେଶ୍ବର, ଯାଜପୁରର ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଶନିବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, କେନ୍ଦ୍ରଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ପ୍ରମୁଖ‌ ଦୁର୍ଘଟଣାସ୍ଥଳକୁ ଯାଇ କ୍ଷେତ୍ର ପରିଦର୍ଶନ କରିବା ସହ ଆହତମାନଙ୍କୁ ଭେଟିଛନ୍ତି। ପ୍ରଧାନମନ୍ତ୍ରୀ ଦୁର୍ଘଟଣାସ୍ଥଳ ପରିଦର୍ଶନ କରିବା ସହ କେନ୍ଦ୍ର ରେଳମନ୍ତ୍ରୀ ଓ ଶିକ୍ଷା ମନ୍ତ୍ରୀଙ୍କ ସହ ସ୍ଥିତିର ସମୀକ୍ଷା କରିଥିଲେ। ଏହାସହ ବାଲେଶ୍ବର ଜିଲ୍ଲା ହସ୍ପିଟାଲରେ ଆହତ ଯାତ୍ରୀଙ୍କୁ ଭେଟିଥିଲେ।

ରାଜ୍ୟପାଳ ଦୁର୍ଘଟଣାସ୍ଥଳ ପରିଦର୍ଶନ କରିବା ପରେ ସୋରୋ ସିଏଚ୍‌ସିରେ ଚିକିତ୍ସିତ ହେଉଥିବା ଆହତଙ୍କୁ ଭେଟିଥିଲେ। ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଦୁର୍ଘଟଣାସ୍ଥଳ ପରିଦର୍ଶନ କରିବା ପରେ ବାଲେଶ୍ବର ଜିଲ୍ଲା ହସ୍ପିଟାଲରେ ଆହତଙ୍କୁ ଭେଟିଥିଲେ। କେନ୍ଦ୍ର ରେଳ ମନ୍ତ୍ରୀ ଘଟଣାସ୍ଥଳରେ ଉପସ୍ଥିତ ରହି ‌ସ୍ଥିତିର ସମୀକ୍ଷା କରିଥିଲେ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମଧ୍ୟ ଦୁର୍ଘଟଣାସ୍ଥଳ ପରିଦର୍ଶନ କରି ସ୍ଥିତି ପରଖିଥିଲେ। ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍‌.କେ ଷ୍ଟାଲିନ ଭିଡିଓକନଫରେନ୍ସିଂ ମାଧ୍ୟମରେ ମୁଖ୍ୟସଚିବଙ୍କ ସହ ଆଲୋଚନା କରିଥିଲେ। ଏହାସହ ରାଜୀବ ଭବନସ୍ଥିତ ଏସ୍‌ଆର୍‌ସିଙ୍କ କାର୍ଯ୍ୟାଳୟରେ ହୋଇଥିବା କଣ୍ଟ୍ରୋଲ ରୁମ୍‌ରୁ ମୁଖ୍ୟ ସଚିବ ସ୍ଥିତିର ସମୀକ୍ଷା କରୁଛନ୍ତି। ଯେକୌଣସି ସହାୟତା ପାଇଁ ଲୋକମାନେ ୦୬୭୪-୨୫୩୪୧୭୭ ନମ୍ବରରେ ଯୋଗାଯୋଗ କରିବାକୁ କୁହାଯାଇଛି।

ଟ୍ରେନ୍ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ରାଜ୍ୟ ସରକାର ଶନିବାର ଦିନ ଦିନିକଆ ଶୋକ ପାଳନ କରିଛନ୍ତି। ରାଜ୍ୟର ସବୁ କାର୍ଯ୍ୟାଳୟରେ ଜାତୀୟ ପତାକା ଅର୍ଦ୍ଧନମିତ କରାଯିବା ସହ ସମସ୍ତ ସରକାରୀ ଉତ୍ସବକୁ ବାତିଲ୍ କରାଯାଇଛି। ପୂର୍ବତଟ ରେଳପଥ ପକ୍ଷରୁ ୩୩ଟି ଟ୍ରେନ୍‌ ବାତିଲ୍ ହୋଇଥିବାବେଳେ ୩୬ଟି ଟ୍ରେନ୍‌ ଅନ୍ୟ ରୁଟ୍‌ରେ ଯାଇଛି।

ସମ୍ବନ୍ଧିତ ଖବର