ଛ’ ବର୍ଷ ତଳେ ଭାରତୀୟ କ୍ରୀଡ଼ା ଦୁନିଆରେ ଓଡ଼ିଶାର ସ୍ଥିତି ଓ ପରିଚିତି ଥିଲା ଅତି ନଗଣ୍ୟ। ଏବେ କିନ୍ତୁ ଏକାଧିକ ଖେଳର ପ୍ରାଣକେନ୍ଦ୍ର ପାଲଟିଛି ପୂର୍ବ ଭାରତର ଏହି ଛୋଟିଆ ରାଜ୍ୟଟି। ଓଡ଼ିଶା ଏବେ ହକିର ହବ୍ ଏବଂ ଭୁବନେଶ୍ବର ପାଲଟିଛି ଖେଳ ଦୁନିଆର ରାଜଧାନୀ। ଖେଳ ଓ ଖେଳାଳିଙ୍କ ଏହି ଅଭ୍ୟୁଦୟ ପଛରେ ନିଶ୍ଚିତ ରହିଛି ଓଡ଼ିଶା ସରକାରଙ୍କ ହୃଦୟ ଖୋାଲା ସମର୍ଥନ ଓ ନିରଂତର ପ୍ରୋତ୍ସାହନ। ତୃଣମୂଳଠାରୁ ଆରମ୍ଭ ଭରି ଜାତୀୟ ଓ ଅନ୍ତର୍ଜାତୀୟସ୍ତରର ପ୍ରତିଯୋଗିତା ପାଇଁ ଓଡ଼ିଶା ସରକାର ଯେଭଳି ଆୟୋଜନ ପାଇଁ ଦ୍ବାର ଉନ୍ମୁକ୍ତ ରଖିଛନ୍ତି ଏହା ଅତ୍ୟନ୍ତ ବିରଳ ଓ ପାରମ୍ପରିକ ଧାରାଠାରୁ ଅସମ୍ଭବ ବ୍ୟତିକ୍ରମ। ଓଡ଼ିଶା ଏଥି ପାଇଁ ଏବେ ଦେଶର ସମସ୍ତ ଜାତୀୟ କ୍ରୀଡ଼ା ସଂଘ, ଖେଳାଳି, ପ୍ରଶାସକ, ଆୟୋଜକ ଓ ପ୍ରାୟୋଜକଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁରେ। ‘କ୍ରୀଡ଼ା ପାଇଁ ଯୁବ ଗୋଷ୍ଠୀ ଭବିଷ୍ୟତ ପାଇଁ ବଡ଼ ଶକ୍ତି’ର ବାର୍ତା ନେଇ ଓଡ଼ିଶା ସରକାର ଏଥିରେ ପର୍ଯ୍ୟାପ୍ତ ପୁଞ୍ଜି ନିବେଶ କରିବାରେ କୌଣସି ସୁଯୋଗ ମଧ୍ୟ ଛାଡ଼ିନାହାନ୍ତି।
୨୦୧୭ ମସିହା ପର୍ଯ୍ୟନ୍ତ ଓଡ଼ିଶାର ଖେଳ ଓ ଖେଳାଳି ଜାତୀୟ ଅନ୍ତର୍ଜାତୀୟସ୍ତରରେ ସୀମିତ ରହିଥିଲେ। ଦିଲ୍ଲୀପ ତିର୍କି, ଲାଜରୁସ ବାର୍ଲା, ଅନୁରାଧା ବିଶ୍ବାଳ, ଦୂତି ଚାନ୍ଦ, ଅମିୟ ମଲ୍ଲିକ, ଦେବାଶିଷ ମହାନ୍ତିଙ୍କ ହାତଗଣତି ଖ୍ୟାତିରେ ସୀମିତ ରହିଥିଲା। ଏବେ କିନ୍ତୁ ରାଜ୍ୟର ଏକାଧିକ ଖେଳାଳିଙ୍କ ଅସରନ୍ତି ସଫଳତା ରାଜ୍ୟକୁ ଖେଳକୁଦରୁ ଦେଇଛି ଅପୂର୍ବ ସଫଳତା। ରାଜ୍ୟ ସରକାରଙ୍କ ଦୂରଦୃଷ୍ଟି ସମ୍ପନ୍ନ ଆଭିମୁଖ୍ୟ ପାଇଁ ଏସବୁ ସମ୍ଭବ ହୋଇଛି। କେବଳ ଖେଳାଳିଙ୍କ ସଫଳତା ନୁହେଁ ବଡ଼ ବଡ଼ ପ୍ରତିଯୋଗିତାଗୁଡ଼ିକ ଓଡ଼ିଶା ମାଟିରେ ଆୟୋଜିତ ହେବା ପରେ ଖେଳ ପାଇଁ ରାଜ୍ୟସାରା ଏକ ଅସମ୍ଭବ ମାହୋଲ ବି ବନିଛି। ଖେଳକୁ କ୍ୟାରିୟର୍ କରିବା ପାଇଁ ଏବେ ରାଜ୍ୟର ଘରେ ଘରେ ପ୍ରବଳ ଆଗ୍ରହ ବି ସୃଷ୍ଟି ହୋଇଛି। ୨୦୧୭ ମସିହାରେ ମାତ୍ର ୯୦ ଦିନ ଭିତରେ କଳିଙ୍ଗ ଷ୍ଟାଡ଼ିୟମ୍ରେ ନୂଆ ସିନ୍ଥେଟିକ୍ ଆଥଲେଟିକ୍ ଟ୍ରାକ୍ ବିଛାଯିବା ସହ ଏସୀୟ ଦୌଡ଼କୁଦ ପ୍ରତିଯୋଗିତା ଆୟୋଜିତ ହେବା ସମ୍ଭବତଃ ଥିଲା ଟର୍ଣ୍ଣିଂ ପଏଣ୍ଟ୍। ଅସମ୍ଭବକୁ ସମ୍ଭବ କରି ଓଡ଼ିଶା ସରକାର ଭାରତ ହାତରୁ ଖସିଯାଉଥିବା ଏସୀୟ ଦୌଡ଼କୁଦ ପ୍ରତିଯୋଗିତାକୁ ସଫଳତାର ସହ ସମ୍ପନ୍ନ କରି ବିଶ୍ବବ୍ୟାପୀ ପ୍ରଶଂସା ସାଉଁଟିଥିଲେ। ଏହା ପରଠାରୁ ଏକାଧିକ ଜାତୀୟ ଓ ଅନ୍ତର୍ଜାତୀୟ କ୍ରୀଡ଼ା ପ୍ରତିଯୋଗିତା ଆୟୋଜନ କରି ଚଳଚଞ୍ଚଳ ହୋଇ ଉଠିଥିଲା କଳିଙ୍ଗ ଷ୍ଟାଡିୟମ। ୨୦୧୮ ଥିଲା ଓଡ଼ିଶା ପାଇଁ ଆଉ ଏକ ମାଇଲଖୁଣ୍ଟ ବର୍ଷ।
ଜାନୁଆରିରେ ଐତିହାସିକ ପଦକ୍ଷେପ ସଦୃଶ ଭାରତୀୟ ପୁରୁଷ ଓ ମହିଳା ହକି ଦଳ ପାଇଁ ୫ ବର୍ଷିଆ ପ୍ରାୟୋଜକ ହୋଇଥିଲା। ଆଉ ନଭେମ୍ବର ଡିସେମ୍ବରରେ ପ୍ରଥମ ଥର ପାଇଁ ହକି ବିଶ୍ବକପ୍ ଖେଳାଯାଇଥିଲା ଭୁବନେଶ୍ବର କଳିଙ୍ଗ ଷ୍ଟାଡ଼ିୟମ୍ରେ। ଏଭଳି ଗ୍ରାଣ୍ଡ୍ ଷ୍ଟାଇଲ୍ରେ ହକି ବିଶ୍ବକପ୍ ଖେଳାଯିବା ମଧ୍ୟ ଥିଲା ସବୁଠାରୁ ଚର୍ଚ୍ଚିତ ପ୍ରସଙ୍ଗ। ୨୦୨୩ରେ ପୁଣି ଥରେ ଲଗାତାର ଦ୍ବିତୀୟ ଥର ପାଇଁ ହକି ବିଶ୍ବକପ୍କୁ ଆୟୋଜନ କରିଥିଲା ଓଡ଼ିଶା। ଏଥର ଦୁଇଟି ସହର ଭୁବନେଶ୍ବର ଓ ରାଉରକେଲାରେ ଖେଳାଯିବା ଥିଲା ପ୍ରଥମ ଘଟଣା। ମାତ୍ର ୧୫ ମାସ ଭିତରେ ରାଉରକେଲାର ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ୍ ନିର୍ମାଣ ସରିବା ଏବଂ ବିଶ୍ବର ସର୍ବବୃହତ ହକି ଷ୍ଟାଡିୟମ୍ (ସିଟେଡ)ର ମାନ୍ୟତା ପାଇ ଗିନିଜ୍ ବୁକ୍ରେ ସ୍ଥାନ ପାଇବା ରାଜ୍ୟର କ୍ରୀଡ଼ା ଗୌରବରେ ଯୋଡ଼ିଥିଲା ନୂଆ ଫର୍ଦ। ଭାରତୀୟ ହକି ଦଳ (ପୁରୁଷ ଓ ମହିଳା) ପ୍ରାୟୋଜକ ଅବଧିକୁ ଓଡ଼ିଶା ୧୦ ବର୍ଷକୁ ବଢ଼ାଇବା ଫଳରେ ଏବେ ଭାରତୀୟ ହକି ଦଳ ବିଶ୍ବର ଯେଉଁଠି ବି ଖେଳୁଛି ଖେଳାଳିଙ୍କ ଛାତିରେ ‘ଓଡ଼ିଶା’ ଲେଖାଯିବାର ଅଭିନବ ପ୍ରୟାସ ନିଶ୍ଚିତ ରାଜ୍ୟକୁ ଦେଶ ବିଦେଶରେ ଅନନ୍ୟ ବ୍ରାଣ୍ଡ୍ରେ ପରିଣତ କରିଛି। ହକିକୁ ପ୍ରାୟୋଜିତ କରାଯିବାର ସୁଫଳ ମାତ୍ର ୩ ବର୍ଷ ଭିତରେ ମିଳିସାରିଛି। ୨୦୨୧ ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ଦଳ ଦୀର୍ଘ ୪୧ ବର୍ଷ ପ୍ରତୀକ୍ଷାର ଅନ୍ତ ଘଟାଇ ପଦକ ଜିତିବାର ଗୌରବ ପାଇଥିଲା।
କଳିଙ୍ଗ ଓଡ଼ିଶାର ପୁରୁଣା ନାମ ହୋଇପାରେ କିନ୍ତୁ ଭୁବନେଶ୍ବରର ଛାତି ଉପରେ ଛିଡ଼ା ହୋଇଥିବା ଏହି ଷ୍ଟାଡିୟମ୍ ଏବେ ରାଜ୍ୟର ନୂଆ ଚେହେରା ପାଲଟିଛି। ଏକ ସ୍ବୟଂସମ୍ପୂର୍ଣ୍ଣ ଷ୍ଟାଡିୟମ୍ରେ ପରିଣତ ହୋଇଛି। ଖୁବ୍ ଶୀଘ୍ର ଏଥିରେ ଦେଶର ପ୍ରଥମ ଇନ୍ଡୋର୍ ଆଥଲେଟିକ୍ସ ଷ୍ଟାଡିୟମ୍ ଯୋଡ଼ି ହେବାକୁ ଯାଉଛି। କେବଳ ହକି କି ଆଥଲେଟିକ୍ସ ନୁହେଁ ଫୁଟ୍ବଲ୍, ସନ୍ତରଣ, ଭାରୋତ୍ତୋଳନ, ସ୍ପୋର୍ଟ୍ସ କ୍ଲାଇମ୍ବିଂ, ବ୍ୟାଡମିଣ୍ଟନ୍, ସୁଟିଂ, ରଗ୍ବି, ଟେନିସ୍ ଆଦିର ଉତ୍କର୍ଷ କେନ୍ଦ୍ର ତଥା ଏଚ୍ପିସି ସ୍ଥାପନ କରି ଦେଶ ପାଇଁ ମଧ୍ୟ ଅନନ୍ୟ ଅବଦାନ ଛାଡ଼ି ଚାଲିଛନ୍ତି ଓଡ଼ିଶା ସରକାର। ତୃଣମୂଳ ସ୍ତରରୁ ଖେଳାଳିଙ୍କୁ ଚିହ୍ନଟ କରି ବିଭିନ୍ନ ସ୍ଥାନରେ ଥିବା କ୍ରୀଡ଼ା ଛାତ୍ରାବାସରେ ସେମାନଙ୍କୁ ଗଢ଼ି ତୋଳିବାଠାରୁ ଆରମ୍ଭ କରି ଦେଶ ବାହାରେ ଅତ୍ୟାଧୁନିକ ତାଲିମ ପ୍ରଦାନର ବ୍ୟବସ୍ଥା କରିବା ନିଶ୍ଚିତ ପ୍ରଶଂସନୀୟ ପଦକ୍ଷେପ।
ଓଡ଼ିଶା ଖେଳାଳିଙ୍କ ପାଇଁ ପୂର୍ବରୁ ଥିବା ପ୍ରୋତ୍ସାହନ ଓ ପୁରସ୍କାର ବ୍ୟବସ୍ଥା ମଧ୍ୟ ରାଜ୍ୟର ଖେଳାଳିଙ୍କୁ ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ ଭଲ ପ୍ରଦର୍ଶନ ଲାଗି ନିରଂତର ଉତ୍ସାହିତ କରି ଆସିଛି। ବ୍ଲକ୍ ଓ ଜିଲ୍ଲାସ୍ତରରେ ଷ୍ଟାଡିୟମ୍ ନିର୍ମାଣ ଏବଂ ପ୍ରାୟ ୪୫ଟି ଖେଳକୁ ରାଜ୍ୟ ସରକାର ତାଲିକାଭୁକ୍ତ କରିବା ମଧ୍ୟ ଓଡ଼ିଶାରେ ଥିବା କ୍ରୀଡ଼ା ସଂସ୍କୃତିର ଅଭାବକୁ ଦୂର କରିବ ବୋଲି ବିଶ୍ବାସ ଆସିଛି। ୨୦୩୬ ମସିହାରେ ଓଡ଼ିଶା ନିଜ ସ୍ବାଧୀନତାର ଶତବାର୍ଷିକୀ ପାଳନ କରିବାକୁ ଯାଉଥିବାରୁ ସେହି ବର୍ଷ ଅଲିମ୍ପିକ୍ସରେ ଓଡ଼ିଶାର ଖେଳାଳି ବ୍ୟକ୍ତିଗତ ପଦକ ଜିତିପାରିବାର ଦୂରଦୃଷ୍ଟି ମଧ୍ୟ ରଖିଛନ୍ତି ସରକାର।