ଭୁବନେଶ୍ବର : ଭାରତ ପକ୍ଷରୁ ପାକିସ୍ତାନରେ ଏୟାରଷ୍ଟ୍ରାଇକ ଓ ପାକିସ୍ତାନ ପକ୍ଷରୁ ଭାରତୀୟ ବାୟୁସୀମା ଉଲଂଘନ ପରେ ସାରା ଦେଶରେ ହାଇ ଆଲର୍ଟ ଘୋଷଣା କରାଯାଇଛି। ବୁଧବାର କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଦେଶର ସମସ୍ତ ପୁଲିସ ଡିଜିଙ୍କୁ ଏ ସମ୍ପର୍କରେ ସୂଚନା ଦିଆଯିବା ପରେ ଆଜି ରାଜ୍ୟରେ ମଧ୍ୟ ସତର୍କ ଘୋଷଣା ହୋଇଛି। ଏ ସମ୍ପର୍କରେ ପୁଲିସ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମା ସମସ୍ତ ଜିଲ୍ଲା ଏସ୍‌ପି ଓ ଦୁଇ ଡିସିପିଙ୍କୁ ଅବଗତ କରାଇଛନ୍ତି। ପୁଲିସ ଡିଜି ଶ୍ରୀ ଶର୍ମାଙ୍କ ସୂଚନା ମୁତାବକ, ରାଜ୍ୟରେ ଥିବା ଆର୍ମିବେସ, ବିଏସ୍‌ଏଫ, ସିଆର୍‌ପିଏଫ, କୋଷ୍ଟଗାର୍ଡ, ଆଇଟିବିପି ଭଳି ପାରାମିଲିଟାରି ବେସ୍, ଏସ୍‌ଓଜି କ୍ୟାମ୍ପ ଓ ପୁଲିସର ଆରୋଗୁଡ଼ିକରେ ସୁରକ୍ଷାକୁ ପ୍ରାଥମିକତା ଦିଆଯାଇଛି। ଏହା ଛଡ଼ା ରାଜ୍ୟର ସମ୍ବେଦନଶୀଳ ସ୍ଥାନ ବାଲେଶ୍ବର କ୍ଷେପଣାସ୍ତ୍ର ଘାଟି, ଭଦ୍ରକର ଅବଦୁଲ କାଲାମ ହୁଇଲର ଦ୍ବୀପ, ପାରାଦୀପ ବନ୍ଦର, ଭୁବନେଶ୍ବର ବିମାନବନ୍ଦର, ଭୁବନେଶ୍ବର ଷ୍ଟେସନରେ ସୁରକ୍ଷା ବ୍ୟବସ୍ଥାକୁ ଦୁଇ ଗୁଣିତ କରାଯାଇଛି।

Advertisment

ରାଜ୍ୟର ଥିବା ଏହି ସବୁ ସମ୍ବେଦନଶୀଳ ଅଞ୍ଚଳରେ କଡ଼ା ପାଟ୍ରୋଲିଂ ବ୍ୟବସ୍ଥା ସହିତ ସନ୍ଦିଗ୍ଧଙ୍କ ଉପରେ ନଜର ରଖିବାକୁ ଜିଲ୍ଲା ଏସ୍‌ପିମାନଙ୍କୁ କୁହାଯାଇଛି। ସେହିପରି ରାଜ୍ୟ ସଚିବାଳୟ, ବିଧାନସଭା, ଲିଙ୍ଗରାଜ ମନ୍ଦିର, ବିମାନବନ୍ଦର, ରେଳଷ୍ଟେସନ୍‌ରେ ସମ୍ଭାବ୍ୟ ଆତଙ୍କବାଦୀଙ୍କ ଆକ୍ରମଣର ମୁକାବିଲା କରିବା ଲାଗି କମିସନରେଟ୍‌ ପୁଲିସ ପ୍ରସ୍ତୁତ। ସମସ୍ତ ସମ୍ବେଦନଶୀଳ ଓ ଗୁରୁତ୍ବପୂର୍ଣ ସ୍ଥାନରେ ଏବେ କମିସନରେଟ୍‌ ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରି ଦିଆଯାଇଛି। ବିଧାନସଭା, ସଚିବାଳୟ, ବିମାନବନ୍ଦର, ରେଳଷ୍ଟେସନ୍‌, ଲିଙ୍ଗରାଜ ମନ୍ଦିରରେ ପୁଲିସ ଫୋର୍ସ ମୁତୟନ ହୋଇଛନ୍ତି।