୪ ବର୍ଷ ହେଲା ରାଜଧାନୀ ବଜାରକୁ ଆସୁନି ଓଡ଼ିଶା ପିଆଜ

ପ୍ରାକୃତିକ ବିପର୍ଯ୍ୟୟ ସହ ବିକ୍ରି ସମସ୍ୟା ଚାଷୀଙ୍କ ପାଇଁ କାଳ

ଭୁବନେଶ୍ବର : ନୂଆପଡ଼ା ବଜାରରେ ପିଆଜର ଅଭାବୀ ବିକ୍ରି। ଗତ ମାସରେ ମାତ୍ର ୩୦୦ ଟଙ୍କାରେ ୫୦ କେଜି ପିଆଜ ବିକ୍ରି କରିଛନ୍ତି କୋମନା ବ୍ଲକ ଚାଷୀ ଶଶି ହାତୀ। ୧ ଏକର ଜମିରେ ଚାଷ କରିଥିବା ଛୋଟ ଚାଷୀଙ୍କ ଆର୍ଥିକ ସ୍ଥିତି ଏଭଳି ନୁହେଁ ଯେ ବାହାରକୁ ଯାଇ ପିଆଜ ବିକ୍ରି କରିବେ। ତେଣୁ ବାଧ୍ୟ ହୋଇ ସ୍ଥାନୀୟ ବ୍ୟବସାୟୀ ଯେତିକି ମୂଲ୍ୟ ଦେଉଛନ୍ତି ସେତିକିରେ ବିକ୍ରି ହେଉଛି। ଏଣେ କିନ୍ତୁ ଭୁବନେଶ୍ବର ବଜାରକୁ ୪ ବର୍ଷ ହେଲା ଓଡ଼ିଶା ପିଆଜ ଆସୁନାହିଁ। ନାସିକ ପିଆଜ ଭୁବନେଶ୍ବର ସମେତ ସମଗ୍ର ରାଜ୍ୟର ପିଆଜ ବଜାରକୁ କବ୍‌ଜା କରିଥିବା କହିଛନ୍ତି ଆଇଗିଣିଆ ପାଇକାରୀ ବ୍ୟବସାୟୀ ସଂଘର ଶକ୍ତି ମିଶ୍ର।

ବ୍ୟବସାୟୀ ସଂଘ କହିବା ଅନୁସାରେ, ରାଜ୍ୟରେ ପିଆଜର ଚାହିଦା ୧୨ ଲକ୍ଷ ମେଟ୍ରିକ ଟନ୍‌। ପୂର୍ବରୁ ଅନୁଗୁଳ, କେନ୍ଦୁଝର, ବୌଦ୍ଧ ସମେତ ବିଭିନ୍ନ ସ୍ଥାନରୁ ସ୍ଥାନୀୟ ପିଆଜ ଆସୁଥିଲା। ବର୍ତ୍ତମାନ ଏଠାରୁ ଆଉ ପିଆଜ ଆସୁନାହିଁ। ସେପଟେ କୃଷି ବିଭାଗ କହିଛି, ରାଜ୍ୟରେ ପ୍ରାୟ ୪ ଲକ୍ଷ ମେଟ୍ରିକ ଟନ୍‌ ପିଆଜ ଉତ୍ପାଦନ ହେଉଛି, ଯାହା ଚାହିଦାର ୩୩%। ଏହା ସତ୍ତ୍ବେ ସମଗ୍ର ବଜାରକୁ ଦେଖିଲେ ଭ୍ରମ ସୃଷ୍ଟି ହୁଏ ଯେ ଓଡ଼ିଶାରେ ପିଆଜ ଉତ୍ପାଦନ ହୁଏନାହିଁ। ବର୍ତ୍ତମାନର ରବି ପିଆଜ ମଧ୍ୟ ବଜାରରେ ଦେଖିବାକୁ ମିଳୁନାହିଁ।
କୃଷି ବିଭାଗର ତଥ୍ୟ ଅନୁସାରେ, ୨୦୧୧ ମସିହାରୁ ରାଜ୍ୟରେ ପିଆଜ ଉତ୍ପାଦନର ୩ରୁ ୪ ଲକ୍ଷ ମେଟ୍ରିକ ଟନ୍‌ ମଧ୍ୟରେ ରହି ଆସିଛି। ଅର୍ଥାତ ଚାଷ ଏବଂ ଉତ୍ପାଦନ ମଧ୍ୟରେ ବିଶେଷ ଫରକ ପଡ଼ିନାହିଁ। ବରଂ ଗତବର୍ଷ ଅଧିକ ଉତ୍ପାଦନ ପାଇଁ ସ୍ବତନ୍ତ୍ର କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। କିନ୍ତୁ ବାସ୍ତବତା ଭିନ୍ନ ଦିଗ ଦେଖାଉଛି।

ଅନୁଗୁଳ ଜିଲ୍ଲା ଚାଷୀ ସଙ୍ଗଠନର ରଣଜିତ ପଟ୍ଟନାୟକ କହିଛନ୍ତି, ସ୍ଥାନୀୟ ବଡ଼କେରା ଠାରୁ ଛେଣ୍ଡିପଦା, ବଅଁରପାଳରେ ଭୂତଳ ଜଳ ଊର୍ଧ୍ବରେ ରହୁଥିଲା। ତେଣୁ ବ୍ୟାପକ ପରିମାଣରେ ପିଆଜ ଚାଷ ହେଉଥିଲା। ଭୂତଳ ଜଳର ତ୍ରୁଟିପୂର୍ଣ୍ଣ ପରିଚାଳନା ଯୋଗୁଁ ୧୦ ବର୍ଷ ହେଲା ଚାଷ ବ୍ୟାପକ ଭାବରେ ପ୍ରଭାବିତ ହୋଇଛି। ଏଠାରେ ଚାଷୀ କେଜି ପିଛା ୧୦ ଟଙ୍କାରେ ପିଆଜ ବିକ୍ରି କରିଥିବା କହିଛନ୍ତି। ପୂର୍ବ ବର୍ଷ ମାନଙ୍କରେ ୭ରୁ୮ ଟଙ୍କା ବିକ୍ରି ହେଉଥିଲା। ଖର୍ଚ୍ଚ ଏବଂ ପରିଶ୍ରମ ଅନୁସାରେ ଚାଷ ହେଉନଥିବାରୁ ଚାଷୀଙ୍କ ଆଗ୍ରହ କମୁଛି। ବରଗଡ଼ ଜିଲ୍ଲାର ଚାଷୀ ଅଶୋକ ସାହୁ କହିଛନ୍ତି, ପ୍ରତିବର୍ଷ ପ୍ରାକୃତିକ ବିପର୍ଯ୍ୟୟରେ ଫସଲ କ୍ଷୟକ୍ଷତି ଯୋଗୁଁ ସେ ଏବେ କେବଳ ନିଜ ଆବଶ୍ୟକତା ପୂରଣ ପାଇଁ ଚାଷ କରୁଛନ୍ତି। ବିପର୍ଯ୍ୟୟ ଜନିତ ଫସଲ କ୍ଷତି ପାଇଁ ଛୋଟ ଏବଂ ନାମମାତ୍ର ଚାଷୀଙ୍କୁ କୌଣସି ସହାୟତା ମିଳୁନାହିଁ। କୃଷି ବିଶେଷଜ୍ଞ କହୁଛନ୍ତି, ରାଜ୍ୟରେ ଉଭୟ ଖରିଫ ଏବଂ ରବିରେ ସମାନ ପରିମାଣରେ ପିଆଜ ଚାଷ ହେଉନଥିବାରୁ ଓଡ଼ିଶା ପିଆଜ ବଜାରକୁ ଆସିପାରୁ ନାହିଁ। ଏଥିସହିତ ଉପଯୁକ୍ତ ମାର୍କେଟିଂ ବ୍ୟବସ୍ଥା ବି ନାହିଁ।

ସମ୍ବନ୍ଧିତ ଖବର