ଓଡ଼ିଶା ଅଭିଭାବକ ସଂଘମାନଙ୍କ ଫୋରମ୍‌ର ଚେତାବନୀ : କମିଟି ତୁରନ୍ତ ନ ଭାଙ୍ଗିଲେ ଆନ୍ଦୋଳନ

ଭୁବନେଶ୍ୱର : ଅଭିଭାବକମାନଙ୍କୁ ଭୁଆଁ ବୁଲାଇବା ଲାଗି ଶିକ୍ଷା ବିଭାଗ ପକ୍ଷରୁ ଗଠିତ ହୋଇଥିବା ଦେୟ ନିୟନ୍ତ୍ରଣ କମିଟିକୁ ତୁରନ୍ତ ଭାଙ୍ଗିବାକୁ ଦାବି କରିଛି ଓଡ଼ିଶା ଅଭିଭାବକ ସଂଘମାନଙ୍କ ଫୋରମ୍‌। ଆସନ୍ତା ସୋମବାର ସୁଦ୍ଧା ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଗଲେ ଅଭିଭାବକମାନେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଫୋରମ୍‌ ପକ୍ଷରୁ ଚେତାବନୀ ଦିଆଯାଇଛି।

ଆଜି ଫୋରମ୍‌ ପକ୍ଷରୁ ନେହରୁ ଯୁବ ପ୍ରତିଷ୍ଠାନରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ କାର୍ଯ୍ୟକାରୀ ସଭାପତି ସଂଯୁକ୍ତା ପାଣିଗ୍ରାହୀ କହିଲେ, ଉଚ୍ଚତମ ଅଦାଲତଙ୍କ ନିର୍ଦେଶକୁ ଉପେକ୍ଷା କରି ଶିକ୍ଷା ବିଭାଗ ଯେଉଁ କମିଟି ଗଠନ କରିଛି ସେଥିରେ କୌଣସି ଅଭିଭାବକ ସଂଘ ପ୍ରତିନିଧିତ୍ୱ କରୁ ନାହାନ୍ତି। କିଛି ବେସରକାରୀ ସ୍କୁଲର ମାଲିକ ଓ କୌଣସି ଅଭିଭାବକ ସଂଘକୁ ପ୍ରତିନିଧିତ୍ୱ କରୁ ନ ଥିବା ସଦସ୍ୟ ଏହି କମିଟିରେ ରହିଛନ୍ତି। ଏପରିକି ଅଭିଭାବକ ନ ଥିବା ବ୍ୟକ୍ତିଙ୍କୁ ମଧ୍ୟ ଏହି କମିଟିରେ ସ୍ଥାନ ଦିଆଯାଇଛି। ଜଷ୍ଟିସ୍‌ କେ.ପି ମହାପାତ୍ରଙ୍କ କମିଟିର ଦ୍ୱାହି ଦେଇ ପ୍ରତ୍ୟେକ ବର୍ଷ ଚକ୍ରବୃଦ୍ଧି ହାରରେ ଫି’ବୃଦ୍ଧି କରାଯାଉଛି। ଅଭିଭାବକ ସଂଘମାନେ ଏହାର ବିରୋଧ କରି ଆସୁଥିବା ବେଳେ ସରକାରଙ୍କ ଦ୍ୱାରା ଗଠିତ କମିଟି ସ୍କୁଲମାନଙ୍କୁ ପ୍ରତ୍ୟେକ ବର୍ଷ ୧୫ପ୍ରତିଶତ ହାରରେ ଫି’ବୃଦ୍ଧି ପାଇଁ ସୁପାରିସ କରିଛନ୍ତି। ସ୍ଥଳ ବିଶେଷରେ ଏହି କମିଟି ୧୫ପ୍ରତିଶତରୁ ଅଧିକ ଫି’ବୃଦ୍ଧି ପାଇଁ ଅନୁମୋଦନ କରିଥିବା ନଜରକୁ ଆସିଥିବା ଶ୍ରୀମତୀ ପାଣିଗ୍ରାହୀ ଅଭିଯୋଗ ଆଣିଛନ୍ତି।

ସଭାପତି ଗଗନ ବିହାରୀ ରାଉତ କହିଲେ, ଫୋରମ୍‌ ପକ୍ଷରୁ ଏକ ଚିଠା ପ୍ରସ୍ତାବ ଗତ ଦେଢ଼ ବର୍ଷ ତଳୁ ରାଜ୍ୟ ସରକାରଙ୍କୁ ପ୍ରଦାନ କରାଯାଇଥିଲେ ହେଁ ତାହା ପଡ଼ି ରହିଛି। କମିଟିରେ ଏହାକୁ ଆଲୋଚନା ପରିସରଭୁକ୍ତ କରାଯାଇ ନାହିଁ। ରାଜ୍ୟରେ ଘରୋଇ ବିଦ୍ୟାଳୟକୁ ନିୟନ୍ତ୍ରଣ କରିବା ପାଇଁ କୌଣସି ଆଇନ ପ୍ରଣୟନ ହୋଇନାହିଁ। ଦେଶର ୧୯ଟି ରାଜ୍ୟରେ ଏଭଳି ନିୟନ୍ତ୍ରଣ କମିଟି ରହିଛି ଓ ସେଠାରେ ସର୍ବାଧିକ ୮ପ୍ରତିଶତ ପର୍ଯ୍ୟନ୍ତ ଫି’ବୃଦ୍ଧିକୁ ଅନୁମୋଦନ ମିଳୁଛି। ମାତ୍ର ଓଡ଼ିଶାରେ ଏହାଠାରୁ ଯଥେଷ୍ଟ ଅଧିକ ଫି’ବୃଦ୍ଧି ହେଉଛି। ତେଣୁ ସରକାର ତୁରନ୍ତ ଏକ ଘରୋଇ ବିଦ୍ୟାଳୟ ନିୟନ୍ତ୍ରଣ ଆଇନ ପ୍ରଣୟନ କରିବାକୁ ଶ୍ରୀ ରାଉତ ଦାବି କରିଥିଲେ।

ଏହି ସାମ୍ବାଦିକ ସମ୍ମିଳନୀରେ ସଂପାଦକ ଭୁମୋହନ ପଟ୍ଟନାୟକ ଓ ନନ୍ଦ କିଶୋର ମଲ୍ଲିକ ଓ ଅନ୍ୟମାନେ ଉପସ୍ଥିତ ଥିଲେ। ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା ଅଭିଭାବକ ସଂଘମାନେ ଏଥିରେ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର