ଗଣଶିକ୍ଷା ବିଭାଗ ନିକଟରେ ଓପାଫ୍‌ର ଦାବି : ଘରୋଇ ଶିକ୍ଷାନୁଷ୍ଠାନ ନିୟନ୍ତ୍ରଣ ଆଇନ ହେଉ

ଭୁବନେଶ୍ୱର : ଘରୋଇ ଶିକ୍ଷାନୁଷ୍ଠାନ ନିୟନ୍ତ୍ରଣ ଆଇନ୍‌ ପ୍ରଣୟନ କରିବାକୁ ଦାବି କରିଛି ଓଡ଼ିଶା ପାରେଣ୍ଟ ଆସୋସିଏସନ୍‌ ଫୋରମ୍‌ (ଓପାଫ୍‌)। ଘରୋଇ ସ୍କୁଲଗୁଡ଼ିକ ଗୁଣାତ୍ମକ ଶିକ୍ଷା ଆଳରେ ଅଭିଭାବକଙ୍କୁ ଶୋଷଣ କରୁଛନ୍ତି। ତାହାକୁ ଦୃଷ୍ଟିରେ ରଖି ଶିକ୍ଷାନୁଷ୍ଠାନ ପରିଚାଳନାରେ ସ୍ୱଚ୍ଛତା ଆଣିବା, ଗୁଣାତ୍ମକ ଶିକ୍ଷାର ବିକାଶ, ନିରାପତ୍ତା-ସୁରକ୍ଷା ସୁସ୍ୱାସ୍ଥ୍ୟ ପରିବେଶ ପରି ବିଷୟକୁ ଆଧାର କରି ଏକ ଆଇନ୍‌ଗତ ନୀତି ପ୍ରଣୟନ କରିବାକୁ ଓପାଫ୍‌ ପକ୍ଷରୁ ଦାବି କରାଯାଇଛି। ଏନେଇ ଏକ ଚିଠା ପ୍ରସ୍ତୁତ କରାଯାଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗକୁ ପ୍ରସ୍ତାବ ଦିଆଯାଇଛି। କିନ୍ତୁ ତାହାକୁ ଗଣଶିକ୍ଷା ବିଭାଗର ଅଧିକାରୀମାନେ ଚତୁରତାର ସହ ଏଡ଼ାଇ ଦେଇ ଏକ ଅବୈଧ ଫି’ ନିୟନ୍ତ୍ରଣ କମିଟି ଗଠନ କରି ନିୟମ ଆଣିବାକୁ ଚକ୍ରାନ୍ତ କରୁଛନ୍ତି ବୋଲି ଓପାଫ୍‌ ପକ୍ଷରୁ ଅଭିଯୋଗ କରାଯାଇଛି।

ରେଡକ୍ରସ୍‌ ଭବନଠାରେ ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଓପାଫ୍‌ ପକ୍ଷରୁ କୁହାଯାଇଛି ଯେ କିଛି ବର୍ଷ ହେଲା କେତେକ ଘରୋଇ ବିଦ୍ୟାଳୟ ଚକ୍ରବୃଦ୍ଧି ହାରରେ ଫି’ ବଢ଼ାଉଛନ୍ତି। ଯେଉଁ ଅଭିଭାବକମାନେ ବିରୋଧ କରୁଛନ୍ତି ସେମାନଙ୍କ ପିଲାଙ୍କୁ କ୍ଲାସରେ ନିର୍ଯାତନା ଦିଆଯାଉଛି। ତାଲା ପକାଇ ରଖାଯାଉଛି। ସ୍କୁଲ କର୍ତୃପକ୍ଷ କାହାକୁ ବି ଖାତିର କରୁନାହାନ୍ତି। ସିବିଏସ୍‌ସି ଓ ସିଆଇଏସ୍‌ସିଇ ଦ୍ୱାରା ଅନୁବନ୍ଧିତ ହୋଇଥିଲେ ବି ସ୍କୁଲଗୁଡ଼ିକର ପରିଚାଳନା ଦାୟିତ୍ୱ ରାଜ୍ୟ ସରକାରଙ୍କ ହାତରେ ରହୁଛି। ତେବେ ଏପର୍ଯ୍ୟନ୍ତ କୌଣସି ନୀତିଗତ ନିୟମ ନଥିବାରୁ ଅନୈତିକ ଭାବେ ଆଳ ଦେଖାଇ ଫାଇଦା ନେଉଛନ୍ତି ଘରୋଇ ଶିକ୍ଷାନୁଷ୍ଠାନ। ମୋଟା ଅଙ୍କର ନାମଲେଖା ଫି’, ବାର୍ଷିକ ଟର୍ମ ଫି’, ଟ୍ୟୁସନ୍‌ ଫି’ ଆଦି ଆଦାୟ କରି ସରକାରୀ କଳକୁ ନିଜ କବ୍‌ଜାରେ ରଖୁଛନ୍ତି। ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଓ ସଚିବଙ୍କ ନିକଟରେ ଅଭିଯୋଗ କଲେ ଉତ୍ତର ମିଳୁଛି ପଇସା ନାହିଁ ତ ଘରୋଇ ସ୍କୁଲରେ କାହିଁକି ପିଲାଙ୍କୁ ପଢ଼ାଉଛ? ଘରୋଇ ସ୍କୁଲଗୁଡ଼ିକ ପାଠପଢ଼ା ବଦଳରେ ଏବେ ବ୍ୟବସାୟ ପ୍ରତିଷ୍ଠାନରେ ପରିଣତ ହେଲେଣି। ଏଭଳି କାର୍ଯ୍ୟକଳାପରୁ ସେମାନେ ଦୂରେଇ ରୁହନ୍ତୁ। ନ ହେଲେ ଅଭିଭାବକଙ୍କ ମଧ୍ୟରେ ପୁଞ୍ଜିଭୂତ ଅସନ୍ତୋଷ ଆଗାମୀ ଦିନରେ ଭୟାନକ ରୂପ ନେବ। ଅଭିଭାବକ ରାଜରାସ୍ତାକୁ ଓହ୍ଲାଇ ଗଣଆନ୍ଦୋଳନ କରିବେ ବୋଲି ଓପାଫ୍‌ର ଉପଦେଷ୍ଟା ରବି ଦାଶ, ସଭାପତି ଗଗନ ବିହାରୀ ରାଉତ, କାର୍ଯ୍ୟକାରୀ ସଭାପତି ସଞ୍ଜୁକ୍ତା ପାଣିଗ୍ରାହୀ, ନନ୍ଦକିଶୋର ମଲ୍ଲିକ, ଦେବରାଜ ମିଶ୍ର ପ୍ରମୁଖ ସାମ୍ବାଦିକ ସମ୍ମିଳନୀରେ ଚେତାବନୀ ଦେଇଛନ୍ତି।

ସମ୍ବନ୍ଧିତ ଖବର