ଭାଷାଭିତ୍ତିକ ରାଜ୍ୟ ଗଠନରେ ଓଡ଼ିଶା ରାସ୍ତା ଦେଖାଇଥିଲା: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଓଡ଼ିଶାର ବରପୁତ୍ରମାନେ ଭାଷା, ସାହିତ୍ୟ ଓ ସଂସ୍କୃତିର ସୁରକ୍ଷା ତଥା ରାଜ୍ୟର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି ପାଇଁ ଆପ୍ରାଣ ଉଦ୍ୟମ କରିଥିଲେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜି ପବିତ୍ର ଓଡ଼ିଶା ଦିବସ ଅବସର‌ରେ ସୂଚନା ଓ ଲୋକସଂପର୍କ ବିଭାଗ ଆନୁକୂଲ୍ୟରେ ଜୟଦେବ ଭବନଠାରେ ଉଭୟ ମଞ୍ଚ ଓ ଭର୍ଚୁଆଲ୍‌ ମାଧ୍ୟମରେ ‘ରାଜ୍ୟସ୍ତରୀୟ ଓଡ଼ିଶା ଦିବସ’ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଭର୍ଚୁଆଲ୍‌ ମାଧ୍ୟମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଥିଲେ, ଉତ୍କଳଗୌରବ ମଧୁସୂଦନ ଦାସ, ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ, ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତି, ଖଲିକୋଟ ରାଜାବାହାଦୁର ରାମଚନ୍ଦ୍ର ମର୍ଦ୍ଦରାଜ ଦେଓ, ପଣ୍ଡିତ ଗୋଦାବରୀଶ ମିଶ୍ର, ଫକୀର ମୋହନ ସେନାପତି, ଗଙ୍ଗାଧର ମେହେରଙ୍କ ପରି ବରପୁତ୍ରମାନଙ୍କର ତ୍ୟାଗ ଓ ସଂଗ୍ରାମ ଯୋଗୁଁ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ସ୍ୱପ୍ନ ସଫଳ ହୋଇପାରିଥିଲା। ସେମାନଙ୍କ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ଭାଷାଭିତ୍ତିକ ରାଜ୍ୟ ଗଠନ କ୍ଷେତ୍ରରେ ଓଡ଼ିଶା ସମସ୍ତଙ୍କୁ ରାସ୍ତା ଦେଖାଇଥିଲା ବୋଲି ପ୍ରକାଶ କରିଥିଲେ। ମହିଳା ସଶକ୍ତୀକରଣ, ବିପର୍ଯ୍ୟୟ ପରିଚାଳନା, ଅନ୍ତର୍ଜାତୀୟ କ୍ରୀଡ଼ା ପ୍ରତିଯୋଗିତା ଆୟୋଜନ, ଗରିବ କଲ୍ୟାଣ କାର୍ଯ୍ୟକ୍ରମ ଆଦି ଅନେକ କ୍ଷେତ୍ରରେ ଓଡ଼ିଶା ଦେଶ ପାଇଁ ମଡେଲ ହୋଇପାରିଛି। କୃଷି, ଶିଳ୍ପ, ଶିକ୍ଷା, ସ୍ୱାସ୍ଥ୍ୟ ଓ ଭିତ୍ତିଭୂମି କ୍ଷେତ୍ରରେ ଆମର ଉନ୍ନତି ପରିଲକ୍ଷିତ ହୋଇଛି। ‘୫-ଟି’ ଓ ‘ମୋ ସରକାର’ ପରି କାର୍ଯ୍ୟକ୍ରମ ଦେଶରେ ଏକ ଆଦର୍ଶ ତଥା ସମ୍ବେଦନଶୀଳ ପ୍ରଶାସନିକ ମଡେଲ ହୋଇପାରିଛି ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ।

ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ, ଓଡ଼ିଶା ଆଜି ଶକ୍ତି ଓ ବିକାଶର ନୂଆ ପରିଚୟ ହୋଇଛି। ରାଜ୍ୟର ପ୍ରକୃତ ବିକାଶ ପାଇଁ ଜନସାଧାରଣ ଭାଗୀଦାର ହୋଇ ବିକାଶ ପ୍ରକ୍ରିୟାକୁ ଜନ ଆନ୍ଦୋଳନରେ ପରିଣତ କରିବାକୁ ସେ ଏହି ଅବସରରେ ଆହ୍ବାନ ଦେଇଥିଲେ। ୨୦୩୬ରେ ସ୍ୱତନ୍ତ୍ର ଓଡ଼ିଶା ଗଠନର ୧୦୦ ବର୍ଷ ପାଳନ ବେଳକୁ ଯେପରି ଆମର ‘ନୂଆ ଓଡ଼ିଶା, ସଶକ୍ତ ଓଡ଼ିଶା’ର ସ୍ୱପ୍ନ ବାସ୍ତବ ରୂପ ନେଇପାରିବ, ସେ ଦିଗରେ ସମସ୍ତେ କାର୍ଯ୍ୟ କରିବା ଆବଶ୍ୟକ ବୋଲି ସେ କହିଥିଲେ। କରୋନାର ଦ୍ୱିତୀୟ ସଂକ୍ରମଣର ଆଶଙ୍କା ଥିବାରୁ ସମସ୍ତେ ସବୁ ନିୟମ ପାଳନ କଲେ ଏହାର ପ୍ରତିରୋଧ କରିପାରିବା ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ସୂଚନା ଓ ଲୋକସଂପର୍କ ବିଭାଗର ପ୍ରମୁଖ ଶାସନ ସଚିବ ସଂଜୟ କୁମାର ସିଂହ ସ୍ୱାଗତ ଭାଷଣ ପ୍ରଦାନ କରି ଓଡ଼ିଶାକୁ ଅଧିକ ଉନ୍ନତ ଓ ବିକଶିତ କରିବା ସହ ଆମ ଭାଷା, ସାହିତ୍ୟ ଓ ସଂସ୍କୃତିର ସୁରକ୍ଷା ନିମନ୍ତେ ସମସ୍ତେ ସଂକଳ୍ପବଦ୍ଧ ହେବା ଉଚିତ ବୋଲି କହିଥିଲେ। ଓଡ଼ିଶା ଦିବସ ଉପଲକ୍ଷେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପଠାଇଥିବା ଶୁଭେଚ୍ଛା ବାର୍ତ୍ତାର ଓଡ଼ିଆ ଅନୁବାଦକୁ ଶ୍ରୀ ସିଂହ ଏହି ଅବସରରେ ପାଠ କରିଥିଲେ।

ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର କାର୍ଯ୍ୟକ୍ରମରେ ସଭାପତିତ୍ବ କରି କହିଥିଲେ, ବହୁ ବିଶିଷ୍ଟ ନେତୃବୃନ୍ଦଙ୍କ ଅକ୍ଳାନ୍ତ ପରିଶ୍ରମ ଯୋଗୁଁ ୧୯୩୬ ମସିହା ଏପ୍ରିଲ ପହିଲାରେ ‘ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ’ ଗଠନର ସ୍ୱପ୍ନ ସାକାର ହୋଇଥିଲା। ପ୍ରାଚୀନ ଓଡ଼ିଶାର ସୀମା ଗଙ୍ଗାଠାରୁ ଗୋଦାବରୀ ପର୍ଯ୍ୟନ୍ତ ପରିବ୍ୟାପ୍ତ ଥିଲା। ଓଡ଼ିଶାର କଳା, ସଂସ୍କୃତି, ଐତିହ୍ୟ, ଭାସ୍କର୍ଯ୍ୟ ଓ ସାହିତ୍ୟର ଉନ୍ନତି ଚରମ ସୀମାରେ ଉପନୀତ ହୋଇଥିଲା ବୋଲି ସେ କହିଥିଲେ।

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀ ଅଶୋକ ପଣ୍ଡା ଅତିଥି ଭାବେ ଯୋଗଦେଇ କହିଲେ, ସମଗ୍ର ଭାରତ ବର୍ଷରେ ଓଡ଼ିଶାର ସ୍ଥାନ ସ୍ୱତନ୍ତ୍ର ଓ ଅନନ୍ୟ। ଆଜିର ଦିନରେ ଭାଷାଭିତ୍ତିକ ରାଜ୍ୟ ଗଠନର ମହାନ ସ୍ୱପ୍ନ ସାକାର ହୋଇଥିଲା। ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ ଉତ୍ସବରେ ଯୋଗ ଦେଇ ଓଡ଼ିଶା ଦିବସ ସମଗ୍ର ଓଡ଼ିଆ ଜାତି ପାଇଁ ଗର୍ବ ଓ ଗୌରବର ଦିବସ ବୋଲି କହିଥିଲେ। ଓଡ଼ିଶାକୁ ଅଧିକ ଉନ୍ନତ ଓ ବିକଶିତ କରିବା ସହ ଆମ ଭାଷା, ସାହିତ୍ୟ ଓ ସଂସ୍କୃତିର ସୁରକ୍ଷା ପାଇଁ ଆମେ ସଂକଳ୍ପବଦ୍ଧ ହୋଇ କାର୍ଯ୍ୟ କରିବାର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ କହିଥିଲେ, ଉତ୍କଳ ସମ୍ମଳିନୀ ଓ ବହୁ ମହାପୁରୁଷଙ୍କ ଅସୀମ ତ୍ୟାଗ, ପରିଶ୍ରମ ଫଳରେ ଓଡ଼ିଶାବାସୀ ନିଜ ପରିଚୟର ସୁରକ୍ଷା ପାଇ ପାରିଥିଲେ।

ସଭାରେ ଉତ୍କଳ ପ୍ରସଙ୍ଗ ତଥା ଓଡ଼ିଶା ରିଭ୍ୟୁର ସଂପାଦକ ଲେନିନ୍‌ ମହାନ୍ତି ଉପସ୍ଥିତ ଥିଲେ। ଏହି ଅବସରରେ ଉତ୍କଳ ପ୍ରସଙ୍ଗ ଏବଂ ଓଡ଼ିଶା ରିଭ୍ୟୁର ସ୍ୱତନ୍ତ୍ର ସଂଖ୍ୟାର ଉନ୍ମୋଚନ ହେବା ସହ କୃତୀ ଭିନ୍ନକ୍ଷମ ଛାତ୍ରଛାତ୍ରୀମାନଙ୍କୁ ରେଡ୍‌କ୍ରସ ପୁରସ୍କାର-୨୦୨୧ ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମ ଶେଷରେ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ତୁଙ୍ଗ ଶିଖରୀ ଚୂଳ ସଂଗୀତ ଉପରେ ଆଧାରିତ ବୃତ୍ତଚିତ୍ର ପ୍ରଦର୍ଶିତ ହୋଇଥିଲା। ସୂଚନା ଓ ଲୋକସଂପର୍କ ବିଭାଗର ନିର୍ଦ୍ଦେଶକ କୃପାସିନ୍ଧୁ ମିଶ୍ର ଧନ୍ୟବାଦ ଦେଇଥିଲେ। ସହକାରୀ ନିର୍ଦ୍ଦେଶକ (କ୍ଷେତ୍ର) ସୁଚେତା ପ୍ରିୟଦର୍ଶିନୀ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

ସମ୍ବନ୍ଧିତ ଖବର