ଝାରସୁଗୁଡ଼ା: ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରୁ ଭୁବନେଶ୍ବରକୁ ଆଲାଏନ୍ସ ଏୟାରର ବିମାନ ପୁଣି ଚଳାଚଳ କରିବ। ପ୍ରଶାସନିକ ଓ ରାଜନୈତିକ ପ୍ରଚେଷ୍ଟା ବଳରେ ଶିଳ୍ପାନୁଷ୍ଠାନଗୁଡ଼ିକ ମଧ୍ୟ ଏହି ବିମାନରେ କିଛି ଆସନ ସଂରକ୍ଷଣ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି। ଗତମାସରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହିଭଳି ପ୍ରତିଶ୍ରୁତି ଭୁବନେଶ୍ବର ରୁଟ୍‌ ଉପରେ ନିର୍ଭର କରୁଥିବା ବିମାନ ଯାତ୍ରୀଙ୍କୁ ଆଶ୍ବସ୍ତି ଦେଇଥିଲା। ଖାଲି ସେତିକି ନୁହେଁ, ୱିଣ୍ଟର୍‌ ସିଡ୍ୟୁଲ୍‌ରେ ସ୍ଥାନିତ ହୋଇନଥିଲେ ମଧ୍ୟ ଆଲାଏନ୍ସ ଏୟାରକୁ ଏହି ରୁଟ୍‌ରେ ଚଳାଚଳ ପାଇଁ ମାର୍ଚ୍ଚ ୨୦୨୪ ପର୍ଯ୍ୟନ୍ତ ଅନୁମତି ବି ଦିଆଯାଇ ଥିଲା। ମାତ୍ର ୱିଣ୍ଟର୍‌ ସିଡ୍ୟୁଲ୍‌ ଆରମ୍ଭ ହେବା ପରଠାରୁ ଭୁବ‌ନେଶ୍ବର ରୁଟ୍‌ ବନ୍ଦ ରହିଛି। ଯାହାକୁ ନେଇ ଅସନ୍ତୋଷ ଦେଖାଦେଇଛି। ଏ ସମ୍ପର୍କରେ ଆଲାଏନ୍ସ ଏୟାରର ସ୍ଥାନୀୟ କର୍ତ୍ତୃପକ୍ଷଙ୍କୁ ଯୋଗାଯୋଗ କରାଯିବାରୁ ସେମାନେ କହିଛନ୍ତି, ‘ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ଆସନ ସଂରକ୍ଷଣ ହୋଇ ନ ଥିବାରୁ ଲୋ ବୁକିଂ ଲୋଡ୍‌ ପାଇଁ ବିମାନ ଚଳାଚଳ ବନ୍ଦ ରଖାଯାଇଛି।

Advertisment

ଆଲାଏନ୍ସ ଏୟାରର ଭୁବନେଶ୍ବର ରୁଟ୍‌କୁ ୱିଣ୍ଟର ସିଡ୍ୟୁଲରେ ସ୍ଥାନିତ କରାଯାଇ ନ ଥିଲା। ଯାତ୍ରୀ ସଂଖ୍ୟା କମ୍‌ ହେଉଥିବାରୁ ତଥା ଉଡ଼ାନ୍‌ ଯୋଜନାରେ ସାମିଲ୍‌ ନ ଥିବାରୁ ଏହି ରୁଟ୍‌ରେ ବିମାନ ଚଳାଇବା ପାଇଁ ଆଲାଏନ୍ସ ଏୟାର ପଛଘୁଞ୍ଚା ଦେଉଥିଲା। ଏହି ସମସ୍ୟାର ସମାଧାନ ପାଇଁ ବିମାନରେ ଅନ୍ୟୂନ ୩୦ % ଆସନ ସଂରକ୍ଷିତ କରି ରଖିବାକୁ ଜିଲ୍ଲା ପ୍ରଶାସନ ଶିଳ୍ପାନୁଷ୍ଠାନଗୁଡ଼ିକୁ ପ୍ରସ୍ତାବ ଦେଇଥିଲା। ୨ ଥରର ବୈଠକ ପରେ ଶିଳ୍ପାନୁଷ୍ଠାନଗୁଡ଼ିକ ରାଜି ହୋଇଥିଲେ ହେଁ ବର୍ତ୍ତମାନ ସୁଦ୍ଧା ଆସନ ସଂରକ୍ଷଣ ହୋଇ ନ ଥିବା ଜଣାପଡ଼ିଛି। ଫଳରେ ଗତ ୨୮ ଅକ୍ଟୋବର ପରଠାରୁ ଭୁବନେଶ୍ବର ରୁଟ୍‌ରେ ଆଉ ବିମାନ ଉଡ଼ାଣ କରିନାହିଁ। ୱିଣ୍ଟର୍‌ ସିଡ୍ୟୁଲ୍‌ ପୂର୍ବରୁ ‌ଝାରସୁଗୁଡ଼ା ବିମାନ ବନ୍ଦରରୁ ୪ଟି ରୁଟ୍‌ ଯଥା ଭୁବନେଶ୍ବର, କୋଲକାତା, ହାଇଦ୍ରାବାଦ ଓ ଦିଲ୍ଲୀକୁ ବିମାନ ଉଡ଼ାଣ କରୁଥିଲା। ମାତ୍ର ହାଇଦ୍ରାବାଦ ରୁଟ୍‌ ଚଳିତ ସିଡ୍ୟୁଲ୍‌ରେ ସ୍ଥାନ ପାଇନାହିଁ। ଭୁବନେଶ୍ବର ରୁଟ୍‌ ସମ୍ପ୍ରସାରଣ କରାଯାଇଥିଲେ ‌ହେଁ ଏହି ରୁଟ୍‌କୁ ନେଇ ବିବାଦ ଥିବାରୁ ତାହା ଅଦ୍ୟାବଧି ଆରମ୍ଭ ହୋଇନାହିଁ।

କୋଲକାତା ରୁଟ୍‌ରେ ଆଲାଏନ୍ସ ଏୟାର ବିମାନ ବନ୍ଦ ହୋଇଥିବା ବେଳେ ସ୍ପାଇସ୍ ଜେଟ୍‌ର ଉଡ଼ାଣ ମଧ୍ୟ ବନ୍ଦ ରହିଛି। ଗତ ୫ ତାରିଖରୁ ଏହି ରୁଟ୍‌ରେ ଇଣ୍ଡିଗୋର ସେବା ଆରମ୍ଭ କରାଯାଇଛି। ପୁରୁଣା ରୁଟ୍‌ କହିଲେ କେବଳ ସ୍ପାଇସ୍ ଜେଟ୍‌ର ବିମାନ ଦିଲ୍ଲୀକୁ ଉଡ଼ାଣ କରୁଛି। ଇତିମଧ୍ୟରେ ଭୁବନେଶ୍ବର ଓ ହାଇଦ୍ରାବାଦ ରୁଟ୍‌ ବନ୍ଦ ହୋଇଯାଇଥିବା ବେଳେ କୋଲକାତା ରୁଟ୍‌ରେ କେବଳ ଗୋଟିଏ ବିମାନ ଉଡ଼ାଣ କରୁଛି। ସ୍ପାଇସ୍ ଜେଟ୍‌ର ବିଶାଖାପାଟଣା ରୁଟ୍‌ ପାଇଁ ଅନୁମତି ରହିଛି। କିନ୍ତୁ ତାହା କେବେଠାରୁ ଆରମ୍ଭ ହେବ ସେ ସମ୍ପର୍କରେ ଏୟାରଲାଇନ୍ସ କର୍ତ୍ତୃପକ୍ଷ ବି ସ୍ପଷ୍ଟ କରିପାରୁ ନାହାନ୍ତି। ଫଳରେ ଏହି ରୁଟ୍‌କୁ ନେଇ ଏବେ ବି ଅନିଶ୍ଚିତତା ଲାଗି ରହିଛି। ୧୫ ନଭେମ୍ବରରୁ ଇଣ୍ଡିଗୋ-ବେଙ୍ଗାଲୁରୁ ରୁଟ୍‌ରେ ବିମାନ ଉଡ଼ାଣ ଆରମ୍ଭ କରିବ ବୋଲି ଘୋଷଣା କରିଛି। ଏ ସମ୍ପର୍କରେ ଇଣ୍ଡିଗୋ ପକ୍ଷରୁ ମଧ୍ୟ ପ୍ରସ୍ତୁତି ଶେଷ ହୋଇଥିବା ସୂଚନା ମିଳିଛି।