ଭୁବନେଶ୍ବର: ନୂଆଦିଲ୍ଲୀରେ ମଙ୍ଗଳବାରଠାରୁ ଆରମ୍ଭ ହୋଇଥିବା ସେମିକନ୍ ଇଣ୍ଡିଆ ୨୦୨୫ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ଓଡ଼ିଶା ପାଭିଲିୟନ୍‌କୁ ଉଦ୍‌ଘାଟନ କରିଛନ୍ତି। ଆକର୍ଷଣୀୟ ନୀତି, ପରବର୍ତ୍ତୀ ପିଢ଼ିର ଭିତ୍ତିଭୂମି ଓ ନିବେଶ ପାଇଁ ରହିଥିବା ସୁଯୋଗ ଆଧାରରେ ଓଡ଼ିଶା ଏକ ବଡ଼ ସେମିକଣ୍ଡକ୍ଟର୍‌ ଓ ଇଲେକ୍ଟ୍ରୋନିକ୍ସ ନବସୃଜନ ହବ୍ ଭାବେ ଉଭା ହେବାକୁ ପ୍ରସ୍ତୁତ ରହିଥିବା ସେ କହିଛନ୍ତି। 

Advertisment

ମୁଖ୍ୟମନ୍ତ୍ରୀ ମାଝୀ କହିଛନ୍ତି ଯେ ସେମିକନ୍ ଇଣ୍ଡିଆ ୨୦୨୫ରେ ଯୋଗଦେବା ଗର୍ବର ବିଷୟ। ଭାରତର ପ୍ରଥମ ମେଡ୍‌ ଇନ୍ ଇଣ୍ଡିଆ ଚିପ୍‌ର ଉନ୍ମୋଚନ ମଧ୍ୟ ବେଶ୍ ପ୍ରେରଣାଦାୟୀ। ପ୍ରଯୁକ୍ତିରେ ଅଗ୍ରଣୀ ରହିବା ଲାଗି ଦେଶର ଯାତ୍ରାରେ ଏହା ଏକ ଐତିହାସିକ ମାଇଲ୍‌ଖୁଣ୍ଟ। ଏହା କେବଳ ଏକ ପ୍ରଯୁକ୍ତିଗତ ସଫଳତା ନୁହେଁ, ବରଂ ଅର୍ଥନୈତିକ ଆତ୍ମନିର୍ଭରଶୀଳ ହେବା ଦିଗରେ ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ। ଆମଦାନି ନିର୍ଭରଶୀଳତା କମ୍ କରିବା ସହ ଘରୋଇ ଉତ୍ପାଦନକୁ ସୁଦୃଢ଼ କରି ଭାରତକୁ ଇଲେକ୍ଟ୍ରୋନିକ୍ସ କ୍ଷେତ୍ରରେ ଏକ ଉଦୀୟମାନ ବିଶ୍ବସ୍ତରୀୟ ହବ୍‌ରେ ପରିଣତ କରିଛି। ଏହି ଐତିହାସିକ ମାଇଲ୍‌ଖୁଣ୍ଟ ଭାରତର ଲକ୍ଷ୍ୟ, ସ୍ଥାୟିତ୍ବ, ମେକ୍ ଇନ୍ ଇଣ୍ଡିଆ ଓ ଆତ୍ମନିର୍ଭର ଭାରତ ପ୍ରତି ଅତୁଟ ପ୍ରତିବଦ୍ଧତାର ପ୍ରମାଣ।

ପ୍ରଧାନମନ୍ତ୍ରୀଙ୍କୁ ଦେଲେ ରାଜ୍ୟରେ ବିକଶିତ ୩ ଚିପ୍
ଓଡ଼ିଶା ପାଭିଲିୟନ ଉଦ୍‌ଘାଟିତ

ଦେଶର ବହୁଦିନର ଅଭିଳାଷ ଏହା ଦ୍ବାରା ପୂରଣ ହୋଇଛି। ଏହା ପ୍ରତି ଭାରତୀୟଙ୍କ ପାଇଁ ଏକ ଗର୍ବର ମୁହୂର୍ତ୍ତ ବୋଲି ସେ କହିଛନ୍ତି। ଓଡ଼ିଶାରେ ବିକଶିତ ତିନିଟି ଚିପ୍‌କୁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କେନ୍ଦ୍ର ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ ପ୍ରଦାନ କରିଥିଲେ। ସେଗୁଡ଼ିକୁ ଶ୍ରୀ ବୈଷ୍ଣବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଦେଇଥିଲେ। ଏହି ତିନି ଚିପ୍‌କୁ ବ୍ରହ୍ମପୁରର ପାରଳା ମହାରାଜା ଇଞ୍ଜିନିୟରିଂ କଲେଜ ଓ ଏନ୍‌ଆଇଟି ରାଉରକେଲାରେ ବିକାଶ କରାଯାଇଛି। ଏହି ଅବସରରେ ସେ ହାଇ ପରଫର୍ମାନ୍ସ ମଲ୍ଟିପ୍ଲାୟର୍‌ ଆଇସି ସି୨ଏସ୍‌୦୦୬୧କୁ ବିକାଶ କରିଥିବା ବ୍ରହ୍ମପୁରର ପାରଳା ମହାରାଜ ଇଞ୍ଜିନିୟରିଂ କଲେଜ (ପିଏମ୍‌ଇସି)କୁ ଅଭିନନ୍ଦନ ଜଣାଇଛନ୍ତି। ରାଜ୍ୟର ଏହି ସଫଳତାର ଅଂଶ ହେବା ଗର୍ବର ବିଷୟ ବୋଲି ସେ କହିଛନ୍ତି। ରାଜ୍ୟ ଆଇଟି ମନ୍ତ୍ରୀ ଡ. ମ‌ୁକେଶ ମହାଲିଙ୍ଗ, ମୁଖ୍ୟ ସଚିବ ମନୋଜ ଆହୁଜା, ଆଇଟି ବିଭାଗର ପ୍ରମୁଖ ସଚିବ ବିଶାଲ ଦେବ ପ୍ରମୁଖ ଉପସ୍ଥିତ ଥିଲେ।