ଭୁବନେଶ୍ୱର: ଓଡ଼ିଶାରେ କରୋନା ସଂକ୍ରମଣ ହାର ତୁଳନାତ୍ମକ ଭାବେ ଅବଶିଷ୍ଟ ଭାରତଠାରୁ କମ୍ ରହିଛି। ଏହାର ଏକମାତ୍ର କାରଣ ହେଉଛି ଆମେ ଲକଡାଉନ୍ ନିୟମ ମାନିଛେ। ରାଜ୍ୟରେ ସଂକ୍ରମଣ ହାର ମାତ୍ର ୧.୦୮ ‌ରହିଛି। ତେବେ ଏତିକିରେ ଖୁସୀ ହେଲେ ହେବନାହିଁ, କରୋନା ସଂକ୍ରମଣ ଧାରାକୁ ସଂପୂର୍ଣ୍ଣ ଭାବେ ଆମକୁ ଲୋପ କରିବାକୁ ପଡ଼ିବ। ଜାତୀୟ ସ୍ୱାସ୍ଥ୍ୟ ମିଶନର ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ ଆଜି ଏହା କହିଛନ୍ତି । ଗୀତଗୋବିନ୍ଦ ସଦନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି, ରାଜ୍ୟବାସୀ ଲକଡାଉନର ନିୟମ ପାଳନ କରିଛନ୍ତି । ଏଥିରୁ ଆମକୁ ଲାଭ ମିଳିଛି ।

Advertisment

କରୋନା ନେଇ ଶ୍ରୀମତୀ ପଣ୍ଡିତ ଓଡ଼ିଶା ଓ ଦେଶର ଏକ ତୁଳନାତ୍ମକ ତଥ୍ୟ ଉପସ୍ଥାପନ କରିଛନ୍ତି । ସେ କହିଛନ୍ତି, ଆମର ଜନସଂଖ୍ୟା ସାଢ଼େ ଚାରି କୋଟି । କିନ୍ତୁ ଲୋକସଂଖ୍ୟା ହାରରେ ଆମର ପଜିଟିଭ ସଂଖ୍ୟା ବହୁତ କମ । ରାଜ୍ୟରେ ଏପର୍ଯ୍ୟନ୍ତ ପାଖାପାଖି ୫ ହଜାର ୫୦୦ କରୋନା ନମୁନା ପରୀକ୍ଷା ହୋଇଛି ଓ ମାତ୍ର ୬୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଜାତୀୟ ରାଜଧାନୀ ନୂଆଦିଲ୍ଲୀରେ ପରୀକ୍ଷା ହୋଇଥିବା ନମୁନାର ପାଖାପାଖି ୧୧ ପ୍ରତିଶତ, ତାମିଲନାଡୁରେ ୯ ପ୍ରତିଶତ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଭାରତରେ ଏହା ହାରାହାରି ୫ ପ୍ରତିଶତ କରୋନା ଚିହ୍ନଟ ହୋଇଛନ୍ତି । କିନ୍ତୁ ଓଡ଼ିଶାରେ ପ୍ରତି ୧୦୦ଟି ନମୁନା ଟେଷ୍ଟରେ ପଜିଟିଭ ସଂଖ୍ୟା ମାତ୍ର ୧.୦୮ ପ୍ରତିଶତ । ଅର୍ଥାତ ପରୀକ୍ଷା କରାଯାଇଥିବା ୧୦୦ ଜଣଙ୍କ ମଧ୍ୟରୁ ୧.୦୮ ପ୍ରତିଶତ ଲୋକ କରୋନା ସଂକ୍ରମିତ ହୋଇଛନ୍ତି । ରାଜ୍ୟ ସରକାର ପ୍ରତି ଜିଲ୍ଲାରେ କରୋନା ପରୀକ୍ଷା କରୁଛନ୍ତି ବୋଲି କହିଛନ୍ତି ଶ୍ରୀମତୀ ପଣ୍ଡିତ । ମାଲକାନଗିରି, ବଲାଙ୍ଗୀର ଓ କଲାହାଣ୍ଡିରେ ପ୍ରାୟ ୨୦୦ ଟେଷ୍ଟ ହୋଇଛିି । ଓଡ଼ିଶାବାସୀ ଲକଡାଉନ ନିୟମକୁ ମାନିଛନ୍ତି । ଲୋକେ ନିଜ ପରିବାରକୁ ସତର୍କ ରଖିଛନ୍ତି ବୋଲି ସ୍ଥିତି ଭଲ ଅଛି ।

ଶ୍ରୀମତୀ ପଣ୍ଡିତ କହିଛନ୍ତି, ସଂକ୍ରମଣକୁ ସଂପୂର୍ଣ୍ଣ ଭାବେ ଶେଷ କରିବା । ୬୦ଟି ସଂକ୍ରମଣ କେମିତି ହେଲା ଓ ଆମେ କେମିତି ରହିଲେ ସଂକ୍ରମଣ ହେବ ନାହିଁ ସେ ନେଇ ସମସ୍ତଙ୍କୁ ଚିନ୍ତା କରିବାର ଦରକାର । ସେଥିପାଇଁ ସାମାଜିକ ଦୂରତ୍ୱ ରଖିବା । ବାହାରକୁ ଗଲେ ମାସ୍କ ପିନ୍ଧିବା । ବାହାରୁ ଆସିଲେ ପ୍ରଥମେ ହାତ ଧୋଇବା । ନମୁନା ଟେଷ୍ଟିଂ ପାଇଁ ପ୍ରସ୍ତୁତ ରହିବା । ରାଜ୍ୟ ସରକାର କୋଭିଡ-୧୯ ମୁକାବିଲା ପାଇଁ ବ୍ୟାପକ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି । ଏବେ କରୋନା ଯୁଦ୍ଧ ଚାଲିଥିବା ବେଳ ଏଥିରେ ଆମେ ବିଜୟୀ ହେବା ବୋଲି ସେ କହିଛନ୍ତି ।