ଭାଙ୍ଗିଲା ଓଡ଼ିଶା ଫାର୍ମାସି କାଉନ୍‌ସିଲ

କାଉନ୍‌ସିଲରେ ହୋଇଥିବା ଆର୍ଥିକ କାରବାର ହେବ ସ୍ବତନ୍ତ୍ର ଅଡିଟ୍‌

ଭୁବନେଶ୍ବର : ରାଜ୍ୟ ସରକାର ଓଡ଼ିଶା ଫାର୍ମାସି କାଉନ୍‌ସିଲକୁ ଭାଙ୍ଗି ଦେଇଛନ୍ତି। ଏପରିକି କାଉନ୍‌ସିଲର ସମସ୍ତ ସଦସ୍ୟଙ୍କୁ କୌଣସି ପ୍ରକାର ବୈଠକରେ ଯୋଗଦେବା ଉପରେ ରୋକ ଲଗାଯାଇଛି। ଏହାସହ କାଉନ୍‌ସିଲରେ ହୋଇଥିବା ଆର୍ଥିକ କାରବାରର ସ୍ବତନ୍ତ୍ର ଅଡିଟ୍‌ କରାଯିବ। ରାଜ୍ୟ ଫାର୍ମାସି କାଉନ୍‌ସିଲରେ ହୋଇଥିବା ବ୍ୟାପକ ଅନିୟମିତତା ଅଭିଯୋଗ ପରେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି। ବିଭାଗ ପକ୍ଷରୁ ଏ ସଂକ୍ରାନ୍ତୀୟ ନିର୍ଦେଶନାମା ପ୍ରକାଶ ପାଇଛି।

ଓଡ଼ିଶା ଫାର୍ମାସି କାଉନ୍‌ସିଲରେ ଦୀର୍ଘ ବର୍ଷ ଧରି ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଥିଲା। ଏହି ଅଭିଯୋଗର ସତ୍ୟାସତ୍ୟ ଯାଞ୍ଚ ପାଇଁ ରାଜ୍ୟ ସରକାର କିଛିଦିନ ତଳେ ଏକ ୫ଜଣିଆ କମିଟି ଗଠନ କରିଥିଲେ। ନିକଟରେ ଏହି କମିଟି ରାଜ୍ୟ ସରକାରଙ୍କୁ ଯାଞ୍ଚ ରିପୋର୍ଟ ପ୍ରଦାନ କରିଥିଲା। ବିଭାଗ ପକ୍ଷରୁ କୁହାଯାଇଛି ଯେ ଏଣିକି ଫାର୍ମାସି କାଉନ୍‌ସିଲରେ ସମୁଦାୟ ୯ଜଣ ସଦସ୍ୟ ରହିବେ। ରାଜ୍ୟ ସରକାର ଚୟନ କରିବାକୁ ଥିବା ୫ଜଣିଆ ସଦସ୍ୟଙ୍କ ମଧ୍ୟରେ ୩ଜଣ ଅତିକମ୍‌ରେ ଏମ୍‌.ଫାର୍ମ କରିଥିବା ଆବଶ୍ୟକ। ଏହାସହ ରାଜ୍ୟ ମେଡିକାଲ କାଉନ୍‌ସିଲର ଜଣେ ସଦସ୍ୟ ଏଥିରେ ରହିବେ। କାଉନ୍‌ସିଲରେ ହୋଇଥିବା ଆର୍ଥିକ କାରବାରର ଏକ ସ୍ବତନ୍ତ୍ର ଅଡିଟ୍‌ କରାଯିବ। ଯେଉଁମାନେ ଅନିୟମିତତାରେ ସାମିଲ ଥିବା ଜଣାପଡ଼ିବ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ରାଜ୍ୟ ଭେଷଜ ନିୟନ୍ତ୍ରକ କାର୍ଯ୍ୟାଳୟ ପରିସରରୁ ଫାର୍ମାସି କାଉନ୍‌ସିଲର ପଞ୍ଜୀକରଣ ବ୍ୟବସ୍ଥାକୁ ଅଲଗା କରିବା ଲାଗି ପଦକ୍ଷେପ ନିଆଯିବ। ବର୍ତମାନ ରେଜିଷ୍ଟ୍ରାର ଥିବା ସୁନିତା ରାଣୀ ପାତ୍ରଙ୍କୁ ରିଟର୍ଣ୍ଣିଂ ଅଫିସର ଭାବେ ଘୋଷଣା କରାଯାଇଛି। କାଉନ୍‌ସିଲର ନିର୍ବାଚନ ପ୍ରକ୍ରିୟାକୁ ଯଥାଶୀଘ୍ର ଆରମ୍ଭ କରିବା ଲାଗି ସେ ପଦକ୍ଷେପ ଗ୍ରହଣ କରିବେ। ଏହାସହ କାଉନ୍‌ସିଲରେ କେଉଁ ପ୍ରକାର ସଂଶୋଧନର ଆବଶ୍ୟକତା ରହିଛି ତାହା ସଂପର୍କରେ ମଧ୍ୟ ଏକ ଡ୍ରାଫ୍‌ଟ ପ୍ରସ୍ତୁତ କରିବା ଲାଗି ରେଜିଷ୍ଟ୍ରାରଙ୍କୁ କୁହାଯାଇଛି।

ସେହିପରି ରେଜିଷ୍ଟ୍ରାର ଓକାକ୍/ଏନ୍‌ଆଇସି, ଡିଏମ୍‌ଇଟି ଓ ସ୍ବାସ୍ଥ୍ୟସେବା ବିଭାଗର ଅଧିକାରୀମାନଙ୍କୁ ନେଇ ଏକ କମିଟି ଗଠନ କରିବେ। ଏଥିରେ ଫାର୍ମାସି ଛାତ୍ରଛାତ୍ରୀଙ୍କର କିଭଳି ଠିକ୍ ଭାବେ ପଞ୍ଜୀକରଣ ହୋଇପାରିବ ତାହା ସଂପର୍କିତ ପଦକ୍ଷେପ ନିଆଯିବ। ରାଜ୍ୟ ଫାର୍ମାସି ନିୟମ, ୧୯୭୦ରେ ରେଜିଷ୍ଟ୍ରାର ନିଯୁକ୍ତି ସଂପର୍କରେ କୌଣସି ସୂଚନା ନାହିଁ। ରାଜ୍ୟ ରାଜ୍ୟ ସରକାର ଅତିକମ୍‌ରେ ୩ବର୍ଷ ପାଇଁ ଜଣେ ରେଜିଷ୍ଟ୍ରାରଙ୍କୁ ନିଯୁକ୍ତି ଦେବା ଉପରେ ଗୁରୁତ୍ବ ଦିଆଯାଇଛି। ଡ୍ରଗ୍‌ ଇନ୍ସପେକ୍ଟରଭାବେ ୧୦ବର୍ଷ ଅଭିଜ୍ଞତା ଥିବା କିମ୍ବା ସହକାରୀ ଡ୍ରଗ୍ କଣ୍ଟ୍ରୋଲର ପାହ୍ୟାର ଜଣେ ଅଧିକାରୀଙ୍କୁ ଏଥିରେ ନିଯୁକ୍ତି ଦେବା ଲାଗି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରସ୍ତାବ ଦିଆଯାଇଛି।

ସମ୍ବନ୍ଧିତ ଖବର