ମହାରାଷ୍ଟ୍ର ନାସିକରେ ଅଟକିଛନ୍ତି ଭାରତ ଭ୍ରମଣରେ ଯାଇଥିବା ବାଲେଶ୍ୱର ଜିଲ୍ଲାର ୨୮ ତୀର୍ଥଯାତ୍ରୀ

ଆନ୍ଧ୍ରପ୍ରଦେଶର କର୍ନୋଲ ଜିଲ୍ଲାରେ ଫସିରହିଛନ୍ତି ୫୦, ସେଠାକାର ରାଜ୍ୟ ସରକାର, ପ୍ରଶାସନ ଯୋଗାଯୋଗରେ ଅଛନ୍ତି

ଜଳେଶ୍ଵର : ମହାରାଷ୍ଟ୍ର ନାସିକରେ ଫସି ରହିଛନ୍ତି ତୀର୍ଥଯାତ୍ରୀ। ବାଲେଶ୍ବର ଜିଲ୍ଲା ଅନ୍ତର୍ଗତ ଜଳେଶ୍ବର, ରୁପସା ଓ ସୋର ଅଞ୍ଚଳର ୨୮ ଜଣ ତୀର୍ଥଯାତ୍ରୀ ଭାରତ ଭ୍ରମଣରେ ଯାଇଥିଲେ। ଦ୍ବାରିକା, ଉଜ୍ଜୟିନୀ ସମେତ ଅନ୍ୟାନ୍ୟ ଅଞ୍ଚଳ ବୁଲି ସାରି ଗତ ୨୧ ତାରିଖ ଦିନ ନାସିକରେ ପହଞ୍ଚିଥିଲେ। ସେମାନେ ୨୨ ତାରିଖରେ ଓଡ଼ିଶା ଫେରିଥାନ୍ତେ। ହେଲେ ଲକଡାଉନ ଯୋଗୁ ଯାତ୍ରୀ ପରିବହନ ବନ୍ଦ ହୋଇଯିବା ପରେ ସେମାନେ ନାସିକର ଏକ ଧର୍ମଶାଳାରେ ରହିଛନ୍ତି।

ମିଳିଥିବା ସୂଚନା ଅନୁସାରେ, ଏହି ତୀର୍ଥଯାତ୍ରୀଙ୍କ ପାଖରେ ଥିବା ଟଙ୍କା ସରିଆସିଲାଣି। ଏ ସମ୍ପର୍କରେ ସେମାନେ ଜଳେଶ୍ବର ଅଞ୍ଚଳର ସମାଜସେବୀ ତଥା କଂଗ୍ରେସ ନେତା ସୁଦର୍ଶନ ଦାସଙ୍କ ସହ ସେମାନେ ଯୋଗାଯୋଗ କରିଥିଲେ। ତାଙ୍କ ଉଦ୍ୟମ କ୍ରମେ ସେଠାକାର କିଛି ଏନଜିଓ ସେମାନଙ୍କ ଖାଇବା ଏବଂ ଔଷଧପତ୍ରର ବ୍ୟବସ୍ଥା କରିଛନ୍ତି। ଧର୍ମଶାଳାର ଭଡ଼ା ଟଙ୍କା ଛାଡ଼ କରିବାକୁ ବ୍ୟବସ୍ଥା କରାଯାଇଛି। ଏ ସମ୍ପର୍କରେ ବାଲେଶ୍ବର ଜିଲ୍ଲାପାଳ ଜାଣିବା ପରେ ସେଠାକାର ପ୍ରଶାସନ ସହ କଥାବାର୍ତ୍ତା କରିଛନ୍ତି। କୌଣସି ପରିସ୍ଥିତିରେ ଯେପରି ସେମାନଙ୍କର କିଛି ଅସୁବିଧା ନ ହୁଏ, ସେଥିପାଇଁ ବ୍ୟବସ୍ଥା କରିବାକୁ ଅନୁରୋଧ କରିଛନ୍ତି।

ସେହିପରି ଜଳେଶ୍ଵର ଥାନା ଅଧୀନସ୍ଥ ଜମାଲପୁର ଓ ଏହାର ଆଖପାଖ ଅଞ୍ଚଳର ୫୦ ଜଣ ଆନ୍ଧ୍ରପ୍ରଦେଶର କର୍ନୋଲ ଜିଲ୍ଲାରେ ଫସି ରହିଛନ୍ତି। ଏମାନେ ସମସ୍ତେ ହୋଟେଲ ଓ ରେସ୍ତୋରାଁରେ କାମ କରୁଛନ୍ତି। ତେବେ ହୋଟେଲ ବନ୍ଦ ହୋଇଯିବା ପରେ ସେମାନେ ଖାଇବାକୁ ହଇରାଣ ହେଉଛନ୍ତି ବୋଲି ନିଜ ପରିବାର ଲୋକଙ୍କୁ ଜଣାଇଛନ୍ତି। କେବଳ ନାସିକ କିମ୍ବା କର୍ନୋଲ ନୁହେଁ କୋଲକାତା, ମୁମ୍ବାଇ, ଗୋଆ, ହାଇଦ୍ରାବାଦରେ ବି ଶ୍ରମିକ ଫସିରହିଥିବାର ଖବର ମିଳିଛି। ତେବେ ସେମାନଙ୍କୁ ଆଣିବାର ସୁବିଧା ନ ଥିବାରୁ ସେଠାକାର ପ୍ରଶାସନ ସହ ରାଜ୍ୟ ସରକାର କଥା ହେଉଥିବାର ସୂଚନା ମିଳିଛି। ସେମାନଙ୍କ ଖାଇବା ପିଇବାର ବ୍ୟବସ୍ଥା ପାଇଁ ରାଜ୍ୟ ସରକାର ଯୋଗାଯୋଗ କରିଥିବା ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର