ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପ୍ରସଙ୍ଗ ଉଠାଇଲେ ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କଲେ ନୀତି ଆୟୋଗ ଉପାଧ୍ୟକ୍ଷ

ଭୁବନେଶ୍ୱର : ଆଜି ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନୀତି ଆୟୋଗ ଉପାଧ୍ୟକ୍ଷ ରାଜୀବ କୁମାର ଭେଟି ଆଲୋଚନା କରିଛନ୍ତି। ଏହି ଆଲୋଚନା ବେଳେ ମୁଖ୍ୟମନ୍ତ୍ରୀ ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ପ୍ରଦାନ ସହିତ ରାଜ୍ୟ ସ୍ୱାର୍ଥ ସମ୍ବଳିତ ବିଭିନ୍ନ ପ୍ରସଙ୍ଗ ଉଠାଇଥିଲେ।

ଉଭୟଙ୍କ ମଧ୍ୟରେ ଆଲୋଚନା ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କେବିକେ, ସମନ୍ଵିତ କାର୍ଯ୍ୟ ଯୋଜନା(ଆଇଏପି), ପଛୁଆ ଅଞ୍ଚଳ ଗ୍ରାଣ୍ଟ ପାଣ୍ଠି (ବିଆରଜିଏଫ୍‌) ଅନ୍ତର୍ଗତ ଜିଲ୍ଲାଗୁଡ଼ିକ ପାଇଁ କେନ୍ଦ୍ରୀୟ ସହାୟତାର ପୁନଃପ୍ରଚଳନ କରିବାକୁ ଦାବି କରିଥିଲେ। ଏନ୍‌ଡିଏ ସରକାର କ୍ଷମତାସୀନ ହେବା ପରେ ଏହି ଯୋଜନାଗୁଡ଼ିକୁ ବନ୍ଦ କରାଯାଇଛି। ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପ୍ରଦାନ ନିମନ୍ତେ ଦୀର୍ଘ ବର୍ଷ ଧରି ଦାବି ହେଉଛି। କିନ୍ତୁ କେନ୍ଦ୍ର ସରକାର ଏଥିପ୍ରତି କର୍ଣ୍ଣପାତ କରୁନାହାନ୍ତିି। ସେହିପରି ରାଜ୍ୟ ପ୍ରାକୃତିକ ବିପର୍ଯ୍ୟୟ ପାଣ୍ଠି(ଏସ୍‌ଡିଆରଏଫ୍‌)ରେ କେନ୍ଦ୍ରୀୟ ଅଂଶଧନକୁ ୭୫ ପ୍ରତିଶତରୁ ୯୦ ପ୍ରତିଶତକୁ ବୃଦ୍ଧି ପାଇଁ ପ୍ରତିଶ୍ରୁତିକୁ କାର୍ଯ୍ୟକାରୀ କରିବା, ୩୮ଟି ବାମପନ୍ଥୀ ଉଗ୍ରବାଦ ଉପଦ୍ରୁତ ବ୍ଲକଗୁଡ଼ିକ ନିମନ୍ତେ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ନିୟମାବଳୀକୁ କୋହଳ କରିବା, ରାଜ୍ୟର ୪୩୬୬ଟି ବ୍ୟାଙ୍କ ଶାଖା ନ ଥିବା ଗ୍ରାମପଞ୍ଚାୟତରେ ବ୍ୟାଙ୍କ ଖୋଲିବା ପାଇଁ ସ୍ୱତନ୍ତ୍ର ଦୃଷ୍ଟି ଦେବା, ୧୧୨୦୦ ଗ୍ରାମରେ ମୋବାଇଲ୍‌ ନେଟ୍‌ଓ୍ଵାର୍କ ସଂପ୍ରସାରଣ ଏବଂ ସବୁ ଗ୍ରାମପଞ୍ଚାୟତ ବିଶେଷ କରି ବାମପନ୍ଥୀ ଉଗ୍ରବାଦ ପ୍ରଭାବିତ ପଞ୍ଚାୟତଗୁଡ଼ିକରେ ବ୍ରଡ୍‌ବ୍ୟାଣ୍ଡ ସଂଯୋଗୀକରଣ ଉପଲବ୍ଧ କରାଇବା ନେଇ ମୁଖ୍ୟମନ୍ତ୍ରୀ ଶ୍ରୀ କୁମାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।

କେନ୍ଦ୍ରୀୟ ଯୋଜନାରେ ବାର୍ଷିକ ଅନୁଦାନ ସଂପର୍କରେ ଯେପରି ଆଗୁଆ ସୂଚନା ମିଳେ ସେ ନେଇ ଗୁରୁତ୍ୱାରୋପ କରିଥିଲେ ମୁଖ୍ୟମନ୍ତ୍ରୀ। ଏ ସଂପର୍କିତ ଯୋଜନା ବାବଦ ଅନୁଦାନ ସୂଚନା ମିଳିବାରେ ଅହେତୁକ ବିଳମ୍ବ ହେଉଥିବାରୁ ରାଜ୍ୟ ସରକାର ବଜେଟ୍‌ ପ୍ରସ୍ତୁତି କ୍ଷେତ୍ରରେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହି ପ୍ରସଙ୍ଗରେ ସେହିପରି ଯେତେ ପରିମାଣର ଅନୁଦାନ ଘୋଷଣା କରାଯାଉଛି, ପରବର୍ତୀ ସମୟରେ ସେଥିରୁ କାଟ୍‌ଛାଣ୍ଟ କରାଯାଉଛି। ଏଥିରୁ ବିରତ ରହିବାକୁ ସେ ପରାମର୍ଶ ଦେଇଥିଲେ। ସେହିପରି ରାଜ୍ୟ ମଧ୍ୟ ଦେଇ ଯାଇଥିବା ଜାତୀୟ ରାଜପଥର ବିକାଶ, ରକ୍ଷଣାବେକ୍ଷଣ, ରେଳପଥର ନିର୍ମାଣ କାର୍ଯ୍ୟ ତ୍ୱରାନ୍ଵିତ କରାଯିବା, କୋଇଲା ରୟାଲ୍‌ଟି ସଂଶୋଧନ, ଅମୃତସର-କଲ୍‌କାତା ଶିଳ୍ପ କରିଡରକୁ ବିଶାଖାପାଟଣା ପର୍ଯ୍ୟନ୍ତ ସଂପ୍ରସାରିତ କରି ସେଥିରେ ଓଡ଼ିଶାକୁ ଅନ୍ତର୍ଭକ୍ତ କରିବା, ରାଜ୍ୟ ସରକାରଙ୍କ ଅନୁକରଣ କରି କେନ୍ଦ୍ର ସରକାର ଆରମ୍ଭ କରିଥିବା ପ୍ରଧାନମନ୍ତ୍ରୀ ମାତୃ ବନ୍ଦନା ଯୋଜନାରେ ଅଧିକ ହିତାଧିକାରୀଙ୍କୁ ସାମିଲ କରିବା ପାଇଁ ଉଦ୍ଦିଷ୍ଟ ନିୟମାବଳୀକୁ ସଂଶୋଧନ କରିବା ଉପରେ ଶ୍ରୀ ପଟ୍ଟନାୟକ ଗୁରୁତ୍ୱ ଦେଇଥିଲେ। ବୈଠକରେ ରାଜ୍ୟ ତଥା ନୀତି ଆୟୋଗର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର