ଭୁବନେଶ୍ୱର : ଫେବ୍ରୁଆରି ୧ ତାରିଖରେ ସାଧାରଣ ବଜେଟ୍ର ଅଂଶ ଭାବେ ରେଳ ପାଇଁ ବ୍ୟୟ ଅଟକଳ ଉପସ୍ଥାପିତ ହେବ। ଓଡ଼ିଶାରେ ରେଳ ବିକାଶ ପାଇଁ ରେଳମନ୍ତ୍ରୀ ପିୟୁଷ ଗୋଏଲ୍ଙ୍କୁ ଚିଠି ଲେଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୬୫୦୦ କୋଟି ଟଙ୍କାର ବ୍ୟୟବରାଦ କରିବାକୁ ଅନୁରୋଧ କରିଛନ୍ତି। ସେ କହିଛନ୍ତି ଯେ ଓଡ଼ିଶାରୁ ରେଳ ବିଭାଗ ୧୫ ହଜାର କୋଟି ଟଙ୍କାରୁ ଅଧିକ ରାଜସ୍ୱ ଅର୍ଜନ କରୁଛି। କିନ୍ତୁ ରାଜ୍ୟରେ ରେଳ ବିକାଶ ଧାରା ସନ୍ତୋଷଜନକ ହେଉନାହିଁ। ଏହି ପରିପ୍ରେକ୍ଷୀରେ ରାଜ୍ୟରେ ନିର୍ମାଣାଧୀନ ରେଳ ପ୍ରକଳ୍ପଗୁଡ଼ିକର ଅଗ୍ରଗତି, ଯାତ୍ରୀ ସୁବିଧା, ରେଳ ଷ୍ଟେସନର ଉନ୍ନତୀକରଣ, ନୂଆ ରେଳପଥ, ନୂଆ ଆଧୁନିକୀକରଣ ପ୍ରକଳ୍ପ, ନୂଆ ଟ୍ରେନ୍ ଆଦି ସଂପର୍କିତ ବିଭିନ୍ନ ପ୍ରସ୍ତାବ ବାଢ଼ିଛନ୍ତି ମୁଖ୍ୟମନ୍ତ୍ରୀ। ସେ ଦର୍ଶାଇଛନ୍ତିି ଯେ ଜାତୀୟ ସାମଗ୍ରିକ ଘରୋଇ ଉତ୍ପାଦ ବା ଜିଡିପି ତୁଳନାରେ ଓଡ଼ିଶାର ଅଭିବୃଦ୍ଧି ହାର ପ୍ରାୟ ୨୦ ପ୍ରତିଶତ ଅଧିକ। ଏହି ରାଜ୍ୟ ଦେଶର ଏକ ବୃହତ୍ ଶିଳ୍ପ, ଖଣିଜ କେନ୍ଦ୍ରସ୍ଥଳୀରେ ପରିଣତ ହେଉଥିବା ସାଙ୍ଗକୁ ତଥା ଦେଶର ପୂର୍ବ ଦିଗରୁ ପ୍ରବେଶ ଦ୍ୱାର ଭାବେ ଉଭା ହୋଇଛି। ଏ ଦିଗରେ ରେଳ ବିକାଶ ଅପରିହାର୍ଯ୍ୟ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତିି।
ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଉଲ୍ଲେଖ କରିଛନ୍ତି ଯେ ଚେନ୍ନାଇ-ହାଓ୍ଵଡ଼ା ରେଳପଥର ଆବଶ୍ୟକତା ଯୋଗୁଁ ରାଜ୍ୟରେ ଅଧିକାଂଶ ରେଳପଥ ବିକଶିତ ହୋଇଛି। କିନ୍ତୁ ଅନେକ ସ୍ଥାନ ରେଳ ସଂଯୋଗରୁ ବାଦ୍ ପଡ଼ିଛି। ଜାତୀୟ ରେଳପଥର ହାରାହାରି ଘନତ୍ୱ ୨୦ କି.ମି. ଥିବା ବେଳେ ରାଜ୍ୟରେ ରହିଛି ମାତ୍ର ୧୬ କି.ମି.। ଏପରି କି ପଡ଼ୋଶୀ ପଶ୍ଚିମବଙ୍ଗରେ ଏହା ୪୩.୪ କି.ମି., ଝାଡ଼ଖଣ୍ଡରେ ୨୪.୩ କି.ମି. ରହିଛି। ରାଜ୍ୟରେ ରେଳ ଭିତ୍ତିଭୂମି ବୃଦ୍ଧି ପାଇଁ ରାଜ୍ୟ ସରକାର, ରେଳ ମନ୍ତ୍ରାଳୟ ଏବଂ ଅନ୍ୟ ମନ୍ତ୍ରାଳୟ ସହିତ ମିଶି ଯୁଗ୍ମ ଉଦ୍ୟୋଗ, ସ୍ପେଶିଆଲ୍ ପର୍ପୋସ୍ ଭେଇକିଲ୍(ଏସ୍ପିଭି) ଗଠନ କରିଛନ୍ତି। ଏହା ସର୍ତ ଅନୁଯାୟୀ କେଉଁଠି ନିଃଶୁଳ୍କ, କେଉଁ ପ୍ରକଳ୍ପରେ ୫୦ ଭାଗ ମାଗଣାରେ ଜମି ଯୋଗାଇଦେବା ସାଙ୍ଗକୁ ଆର୍ଥିକ ସହାୟତା ଯୋଗାଇ ଦେଇଛନ୍ତି ରାଜ୍ୟ ସରକାର। ୨୦୧୬ ଅକ୍ଟୋବର ୧୦ ତାରିଖରେ ଓଡ଼ିଶା ସରକାର-ରେଳ ମନ୍ତ୍ରାଳୟ ମଧ୍ୟରେ ଜୟପୁର-ନବରଙ୍ଗପୁର, ଜୟପୁର-ମାଲକାନଗିରି ରେଳପଥ ପାଇଁ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା। ଏହି ରେଳପଥ ପ୍ରକଳ୍ପ ପାଇଁ ବିଭିନ୍ନ ସୁବିଧା ସହିତ ଆର୍ଥିକ ସହାୟତା ଯୋଗାଇ ଦେବାକୁ ସରକାର ଅଙ୍ଗୀକାରବଦ୍ଧ ହୋଇଛନ୍ତି। ସେହିପରି ଖୋର୍ଧା-ବଲାଙ୍ଗୀର ରେଳପଥର ୧୭୭ କି.ମି. ରେଳପଥ ନିମନ୍ତେ ସମସ୍ତ ଜମି ମାଗଣାରେ ପ୍ରଦାନ କରିବା ସହିତ ନିର୍ମାଣ ଖର୍ଚର ୫୦ ପ୍ରତିଶତ ଅର୍ଥ ଦେବାକୁ ଘୋଷଣା କରିଛନ୍ତି। ଏହା ସତ୍ତ୍ୱେ ଏସବୁ ପ୍ରକଳ୍ପର ଅଗ୍ରଗତି ନୈରାଶ୍ୟଜନକ। ବିଶେଷ କରି ରାଷ୍ଟ୍ରୀୟ ବିକାଶ ନିଗମ ଲିମିଟେଡ୍ର କାର୍ଯ୍ୟ ନେଇ ମୁଖ୍ୟମନ୍ତ୍ରୀ ଘୋର ଅସନ୍ତୋଷ ପ୍ରକାଶ କରିଛନ୍ତିି।
୨୦୧୭ରେ ବକ୍ସି ଜଗବନ୍ଧୁଙ୍କ ନେତୃତ୍ୱରେ ପାଇକ ବିଦ୍ରୋହର ଦ୍ୱିଶତକ ବାର୍ଷିକ ପୂର୍ତି ପାଳିତ ହୋଇଛି। ଏହାର ସ୍ମାରକୀ ସ୍ୱରୂପ ବକ୍ସି ଜଗବନ୍ଧୁ ଏକ୍ସପ୍ରେସ୍ ଟ୍ରେନ୍ ଖୋର୍ଧାରୁ ମୁମ୍ବାଇ ମଧ୍ୟରେ ଚଳାଇବାକୁ ମୁଖ୍ୟମନ୍ତ୍ରୀ ପ୍ରସ୍ତାବ ଦେଇଛନ୍ତି। ପୁରୀ-କୋର୍ଣାକ ଏବଂ କେନ୍ଦୁଝର ରୋଡ୍-ଯାଜପୁର(ଭାୟା ଆରଡ଼ି) ତୀର୍ଥ ପର୍ଯ୍ୟଟନ ପାଇଁ ରେଳ ସଂଯୋଗର ଆବଶ୍ୟକତା ରହିଛି। ଏ ନେଇ ରାଜ୍ୟ ସରକାର ସୁବିଧା ଯୋଗାଇଦେବେ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତିି। ଓଡ଼ିଶା ଦେଶର ଏକ ବୃହତ୍ ଶିଳ୍ପ, ଖଣିଜ କେନ୍ଦ୍ରସ୍ଥଳୀରେ ପରିଣତ ହେବାକୁ ଯାଉଛି। ଏଣୁ ଖଡ୍ଗପୁର-ବିଜୟଓ୍ଵାର୍ଡ଼ା ମଧ୍ୟରେ ଇଷ୍ଟକୋଷ୍ଟ ସ୍ୱତନ୍ତ୍ର କରିଡର୍, ଝାରସୁଗୁଡ଼ା-ବିଳାସପୁର ମଧ୍ୟରେ ଇଷ୍ଟ-େଓ୍ଵଷ୍ଟ ଡେଡିକେଟେଡ୍ କରିଡର୍ ପ୍ରତିଷ୍ଠା କରିବାକୁ ସେ ଅନୁରୋଧ କରିଛନ୍ତି। ତାଳଚେର-ବିମଳାଗଡ଼, ଜଳେଶ୍ୱର-ଦୀଘା, ସମ୍ବଲପୁର-ଟିଟିଲାଗଡ଼, ଟିଟିଲାଗଡ଼-ରାୟପୁର, ସମ୍ବଲପୁର-ତାଳଚେର, ଦୈତାରି-କେନ୍ଦୁଝର-ବାଂଶପାଣି ଏବଂ ଭଦ୍ରକ-ନିର୍ଗୁଣ୍ଡି ୩ୟ ଲାଇନ ପ୍ରକଳ୍ପଗୁଡ଼ିକୁ ଅଗ୍ରାଧିକାର ଭିତ୍ତିରେ ତ୍ୱରାନ୍ଵିତ କରିବା ଜରୁରୀ ହୋଇପଡ଼ିଛି।
ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ ପୂର୍ବତଟ ରେଳ ଦେଶର ଏକ ନମ୍ବର ଲୋଡିଂ ରେଳବାଇ। ଯାତ୍ରୀ ବୁକିଙ୍ଗ କ୍ଷେତ୍ରରେ ଏହାର ଅଭିବୃଦ୍ଧି ବି ସର୍ବାଧିକ। ଏହାର ପ୍ରାଶାସନିକ ପୁନର୍ବିନ୍ୟାସର ଜରୁରି ହେଉଛି। ଏଣୁ, ରାଉରକେଲା, ରାୟଗଡ଼ା, ଯାଜପୁର-କେନ୍ଦୁଝର ରୋଡ୍ରେ ୩ଟି ନୂଆ ଡିଭିଜନ୍ ମୁଖ୍ୟ ଦପ୍ତର ଖୋଲିବାକୁ ସେ ରେଳମନ୍ତ୍ରୀଙ୍କୁ ପ୍ରସ୍ତାବ ଦେଇଛନ୍ତିି। ରାଜ୍ୟର ସବୁଆଡ଼େ ରେଳ ବିକାଶ ନିମନ୍ତେ ପୂର୍ବ ମଞ୍ଜୁରି ମୁତାବକ ଗଞ୍ଜାମ ଜିଲ୍ଲାର ଶୀତଳାପଲ୍ଲୀରେ ଓ୍ଵାଗନ ବା କୋଚ୍ କାରଖାନା, ରାଉରକେଲା ନିକଟ ବନ୍ଧମୁଣ୍ଡା, ବଲାଙ୍ଗୀର କଣ୍ଟାବାଞ୍ଝିରେ କଂକ୍ରିଟ୍ ସ୍ଲିପର ପ୍ଲାଣ୍ଟ, କେବିକେ ଜିଲ୍ଲାଗୁଡ଼ିକରେ ରେଳବାଇ ଆସେଟ୍ ମେଣ୍ଟେନାନ୍ସ ୟୁନିଟ୍ଗୁଡ଼ିକ ଖୋଲିବା ପାଇଁ ମଧ୍ୟ ସେ ଉଲ୍ଲେଖ କରିଛନ୍ତି। ରାଜ୍ୟର ଅନେକ ସ୍ଥାନ ପଛୁଆ, ରେଳ କ୍ଷେତ୍ରରେ ଅବହେଳିତ ଥିବାରୁ ସେହି ଜିଲ୍ଲାଗୁଡ଼ିକୁ ରେଳ ସଂଯୋଗ ପାଇଁ ମୁଖ୍ୟମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି। ଏ କ୍ଷେତ୍ରରେ ବ୍ରହ୍ମପୁର-ଫୁଲବାଣୀ-ସମ୍ବଲପୁର, ବରଗଡ଼-ନୂଆପଡ଼ା ଭାୟା ପଦମ୍ପୁର, ଭଦ୍ରାଚଳମ୍-ମାଲକାନଗିରି, ତାଳଚେର-ଗୋପାଳପୁର, ଗୋପାଳପୁର-ସିଂହପୁର ରୋଡ୍, ଲାଞ୍ଜିଗଡ଼-ତାଳଚେରକୁ ନୂଆ ରେଳପଥ ସଂଯୋଗ ପାଇଁ ପ୍ରସ୍ତାବ ଦେଇଛନ୍ତି। ଅବଶ୍ୟ, ବର୍ଷ ବର୍ଷ ଧରି ରାଜ୍ୟର ବିଭିନ୍ନ ପ୍ରକଳ୍ପ କାର୍ଯ୍ୟକାରୀ ହେଉନଥିବାରୁ ମୁଖ୍ୟମନ୍ତ୍ରୀ ସେହି ପ୍ରସ୍ତାବଗୁଡ଼ିକୁ ଦୋହରାଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/01/railway-3.jpg)