ଓଡ଼ିଶାର ଯୋଜନା କାହା ହାତରେ?

ଅଧାପନ୍ତରିଆ ରହିଗଲା ରାଜ୍ୟ ଯୋଜନା ବୋର୍ଡ
ଉପାଧ୍ୟକ୍ଷ ନିଯୁକ୍ତି ଦେଇ ଅଟକିଗଲେ
ମୁଖ୍ୟସଚିବଙ୍କ ନା’ପରେ ବି ପିଏମ୍‌ୟୁ କାହିଁକି

ଭୁବନେଶ୍ୱର (ଭବାନୀ ଶଙ୍କର ତ୍ରିପାଠୀ) : କରୋନା ଭଳି ଭୟଙ୍କର ବିପର୍ଯ୍ୟୟ ସମୟରେ କେଉଁ ପ୍ରକଳ୍ପକୁ ବନ୍ଦ କରାଯିବ ଓ କାହାକୁ ଗୁରୁତ୍ବ ଦିଆଯିବ? ଆର୍ଥିକ ମାନ୍ଦାବସ୍ଥା ପରିସ୍ଥିତିରେ କିଛି ନୂଆ ଯୋଜନା ଆବଶ୍ୟକ ହେଉଛି କି? ରାଜ୍ୟର ଆର୍ଥିକ ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆଣିବା ପାଇଁ ସରକାର କି କି ପଦକ୍ଷେପ ନେବା ଉଚିତ୍? ସରକାରୀସ୍ତରରେ ଏସବୁ ନିଷ୍ପତ୍ତି କିଭଳି ନିଆଯାଉଛି? କେଉଁମାନେ ନେଉଛନ୍ତି?

ରାଜ୍ୟର ଆର୍ଥିକ ସ୍ଥିତି କ୍ରମଶଃ ଗମ୍ଭୀର ଆଡ଼କୁ ଯାଉଥିବା ଲକ୍ଷ୍ୟ କରି ରାଜନୈତିକ ମହଲଠାରୁ ଅର୍ଥନୀତିଜ୍ଞଙ୍କ ପର୍ଯ୍ୟନ୍ତ ସବୁ ମହଲରେ ଏଭଳି ପ୍ରଶ୍ନ ଉପରେ ଉତ୍ତର ଖୋଜାଚାଲିଛି। ରାଜ୍ୟ ସରକାର କ୍ୟାବିନେଟ୍ ନିଷ୍ପତ୍ତି ଆଧାରରେ ଯେଉଁ ଆର୍ଥିକ କଟକଣା ଉପରେ ମୋହର ଲଗାଇଲେ, ସେ ସଂକ୍ରାନ୍ତ ପ୍ରାରମ୍ଭିକ ପ୍ରସ୍ତୁତି କେବଳ ଅର୍ଥ ବିଭାଗର ବାବୁମାନେ କରିଥିଲେ ନା ବିଶେଷଜ୍ଞଙ୍କୁ ସାମିଲ କରାଯାଇଥିଲା ତାହା ବୁଝାପଡୁନି। କାରଣ ଏହାର ପ୍ରୟୋଗ ଯେଭଳି ଢଙ୍ଗରେ କରାଯାଉଛି, ସେଥିରେ ଅର୍ଥ ବିଭାଗର ଉଦାସୀନତା ଜଳ ଜଳ ହୋଇ ପରିଦୃଷ୍ଟ ହେଉଛି। ବରଂ ଏମିତି ଜଣାପଡୁଛି ଯେମିତି କିଛି ସରକାରୀ ଅଫିସର ଇତିମଧ୍ୟରେ ବିଶେଷଜ୍ଞ ପାଲଟିଯାଇଛନ୍ତି ଓ ତାଙ୍କ ଢଙ୍ଗରେ ରାଜ୍ୟକୁ ନେବା ଆରମ୍ଭ କରିଦେଲେଣି।

Molitics

ଆହୁରି ଆଶ୍ଚର୍ଯ୍ୟଜନକ କଥା ହେଲା, କେନ୍ଦ୍ର ସରକାର ଯୋଜନା ଆୟୋଗ ଭାଙ୍ଗି ନିତି ଆୟୋଗ ଗଠନ କରିଛନ୍ତି। ରାଜ୍ୟ ସରକାର ୨୦୧୪ରୁ ଏଭଳି ଆୟୋଗ ଗଠନ ଲାଗି ସ୍ବପ୍ନ ଦେଖୁଛନ୍ତି। ଇତିମଧ୍ୟରେ ପୁରୁଣା ଢାଞ୍ଚାରେ ପୁଣି ଥରେ ଯୋଜନା ବୋର୍ଡ ଗଠନ ହୋଇଛି। ୨୦୨୦ ମାର୍ଚ୍ଚ ପହିଲାରୁ ପୂର୍ବତନ ମନ୍ତ୍ରୀ ସଂଜୟ ଦାସବର୍ମାଙ୍କୁ ଏହାର ଉପାଧ୍ୟକ୍ଷ ଭାବେ ନିଯୁକ୍ତି ପାଇଛନ୍ତି। ବାସ୍ ସେତିକିରେ ଯୋଜନା ବୋର୍ଡ ଉତ୍ସାହ ବି ଭାଙ୍ଗିଯାଇଛି। ଅର୍ଥାତ୍ ୫ମାସ ହେଲାଣି ପୂର୍ଣ୍ଣାଙ୍ଗ ଯୋଜନା ବୋର୍ଡ ଏପର୍ଯ୍ୟନ୍ତ ଗଠନ ହୋଇପାରିଲା ନାହିଁ। ଶ୍ରୀ ଦାସବର୍ମା କିଛି ଅଧିକାରୀଙ୍କୁ ଧରି ଗତ ତିନିମାସ କାଳ ସମୀକ୍ଷା ଚଳାଇଛନ୍ତି। ନବକୃଷ୍ଣ ଚୌଧୁରୀ ଉନ୍ନୟନ ଗବେଷଣା କେନ୍ଦ୍ର ଉପରେ ଭରସା କରି ଆର୍ଥିକ ସ୍ଥିତି ଉପରେ ଅଧିକ ଅନୁଧ୍ୟାନ ପାଇଁ କହିଛନ୍ତି। ହେଲେ ସେମାନଙ୍କ ରିପୋର୍ଟ ଆସିବା ପୂର୍ବରୁ ରାଜ୍ୟରେ ଆଖିବୁଜା ଆର୍ଥିକ କଟକଣା ଲାଗୁ କରିଦିଆଯାଇଛି।

ଏସବୁ ଟିକିଏ ନିରେଖି ଦେଖିଲେ କେଉଁଠି ନା କେଉଁଠି ଧରାପଡ଼ିଯାଉଛି, ରାଜ୍ୟର ଆର୍ଥିକ ସ୍ଥିତି ଓ ସରକାରଙ୍କ ପଦକ୍ଷେପ କାହା ସହିତ କାହାର ମେଳ ଖାଉନାହିଁ। ଆଜି ଗୋଟିଏ ନିଷ୍ପତ୍ତି ନିଆଯାଉଛି, କାଲି ସରକାର ତାର ପରିପନ୍ଥୀ ଆଉ ଏକ ପଦକ୍ଷେପ ନେଉଛନ୍ତି। ଅର୍ଥବିଭାଗ ସହିତ ଜଡିତ ଜଣେ ପୂର୍ବତନ ପ୍ରଶାସକ ନିଜ ନାମ ଗୋପନ ସର୍ତ୍ତରେ କହିଛନ୍ତି, ସରକାରୀ ଯୋଜନା ପ୍ରସ୍ତୁତିରେ ଯୋଜନା ବୋର୍ଡର ବର୍ତମାନ କୌଣସି ଭୂମିକା ନାହିଁ। କାରଣ ତୃଣମୂଳସ୍ତରରୁ ଯୋଜନା ପ୍ରସ୍ତୁତି କଥା କୁହାଯାଉଛି। ପଲ୍ଲୀସଭା ଓ ଗ୍ରାମସଭାକୁ ଏ କ୍ଷେତ୍ରରେ ଗୁରୁତ୍ବ ଦିଆଯାଉଛି। ହେଲେ ଏହା କେତେ ଦୂର ଓ କିଭଳି କାର୍ଯ୍ୟ କରେ, ତାହା କାହାକୁ ଆଉ ଅଛପା ନାହିଁ। ଓଡ଼ିଆରେ ଗୋଟିଏ ଢଗ ଅଛି; ମାଗି ଆଣିଲା ତିଅଣ ସୁଡୁକାଏ। ସେହି ନୀତିରେ ରାଜ୍ୟର ଯୋଜନା ପ୍ରସ୍ତୁତ ହେଉଛି।

ସଂପୃକ୍ତ ପୂର୍ବତନ ପ୍ରଶାସକଙ୍କର କହିବା କଥା ହେଲା, ସରକାର ଯେହେତୁ ଯୋଜନା ବୋର୍ଡ ଗଠନ କରିଛନ୍ତି, ଦେଶର ସବୁଠାରୁ ଆଦର୍ଶ ଯୋଜନା ବୋର୍ଡ ଥିବା କେରଳକୁ ଅନୁସରଣ କରିବା ଉଚିତ୍। ଏଥିପାଇଁ ସ୍ବତନ୍ତ୍ର ଯୋଜନା ଭବନ ରହିବା କଥା। ସେଠାରେ ଜଣେ ଆଇଏଏସ୍ ଅଫିସର ଏହାର ସଦସ୍ୟ ସଚିବ ରହିଛନ୍ତି। ମୁଖ୍ୟଶାସନ ସଚିବ, ଉନ୍ନୟନ କମିସନର, ଅର୍ଥ ସଚିବ ଏହାର ସ୍ଥାୟୀ ନିମନ୍ତ୍ରିତ ସଦସ୍ୟ ଅଛନ୍ତି। ଓଡ଼ିଶାରେ ସରକାର ଯେଉଁ ସବୁ କ୍ଷେତ୍ରକୁ ପ୍ରାଥମିକତା ଦେଉଛନ୍ତି, (ଯେମିତିକି ଶିକ୍ଷା, ସ୍ବାସ୍ଥ୍ୟ, ସାମାଜିକ ସୁରକ୍ଷା, ଭିତ୍ତିଭୂମି ନିର୍ମାଣ, ଅର୍ଥନୈତିକ ବ୍ୟାପାର) ସେସବୁ କ୍ଷେତ୍ରରେ ରାଜ୍ୟର ପ୍ରମୁଖ ବ୍ୟକ୍ତିଙ୍କୁ ବିଶେଷଜ୍ଞ ସଦସ୍ୟ ଭାବେ ନିଯୁକ୍ତି ଦେଲେ, ଯୋଜନା ପ୍ରସ୍ତୁତି ଓ କାର୍ଯ୍ୟାନ୍ବୟନ ପ୍ରକ୍ରିୟା ଅଧିକ ପ୍ରଭାବୀ ସାବ୍ୟସ୍ତ ହେବ। ଏ କ୍ଷେତ୍ରରେ ରାଜନୈତିକ ନିଯୁକ୍ତିର ଆଦୌ କୌଣସି ସ୍ଥାନ ନାହିଁ।

Flickr

ଅର୍ଥନୀତିଜ୍ଞମାନେ ଯୁକ୍ତି ରଖୁଛନ୍ତି, ରାଜ୍ୟ ସରକାର ଅନେକ ଯୋଜନା କରିଛନ୍ତି। ଆଖିବୁଜା ପାଣ୍ଠି ବିନିଯୋଗ ହେଉଛି। ହେଲେ କେଉଁ ଯୋଜନା କେତେ ସଫଳ ଭାବେ କାର୍ଯ୍ୟକାରୀ ହେଉଛି, ପ୍ରକୃତ ହିତାଧିକାରୀ ଲାଭବାନ୍ ହେଉଛନ୍ତି ନା ନାହିଁ, ଯୋଜନା ପ୍ରଣୟନ ପରେ ସେଥିରେ କିଛି ସୁଧାର ଅଣାଯିବା ଉଚିତ୍ କି ନାହିଁ, ସର୍ବୋପରି ଯୋଜନାରୁ କେତେ ପ୍ରତିଶତ ଲୋକ ଉପକୃତ ହେଲେ, ତାହା ଅନୁଶୀଳନ କରାଯାଉନାହିଁ। ଏ ସଂକ୍ରାନ୍ତରେ ଅଧିକ ଅନୁଧ୍ୟାନ କରି ରିପୋର୍ଟ ଦେବା କାର୍ଯ୍ୟ ହେଉଛି ରାଜ୍ୟ ଯୋଜନା ବୋର୍ଡର। ପଛୁଆ ଅଞ୍ଚଳ ଚିହ୍ନଟ କରି ଏହାର ବିକାଶ କରିବା ଠାରୁ ଆରମ୍ଭକରି ଗୋଟିଏ ଗୋଟିଏ ଯୋଜନାକୁ ନେଇ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ବୟର ଅଭାବ ରହୁଥିଲେ ତାହା ଦୂର କରିବା ହେଉଛି ଏହି ବୋର୍ଡର କାର୍ଯ୍ୟ। ବିଭାଗ ବା ଯୋଜନା ବାଟବଣା ହେଉଥିଲେ ବିଭିନ୍ନ ମନ୍ତ୍ରୀମାନଙ୍କୁ ସତର୍କ କରିବା ସହିତ ରାଜ୍ୟ ସରକାରଙ୍କୁ ମାସିକ, ତ୍ରୟମାସିକ ଓ ବାର୍ଷିକ ରିପୋର୍ଟ ଦେଲେ, ଓଡ଼ିଶା ଭଳି ରାଜ୍ୟ ବିଶେଷ ଉପକୃତ ହୁଅନ୍ତା।

ଏହି ମହଲର ଆହୁରି ଗୋଟିଏ ଯୁକ୍ତି ହେଉଛି, ରାଜ୍ୟ ସରକାରଙ୍କ ଯୋଜନା ବ୍ୟବସ୍ଥାକୁ କିଛି ପ୍ରଶାସକ ସମ୍ପୂର୍ଣ୍ଣ ଘରୋଇକରଣ କରିସାରିଲେଣି। ମୁଖ୍ୟଶାସନ ସଚିବଙ୍କ କଟକଣା ସତ୍ତ୍ବେ ଏବେ ବି ବିଭିନ୍ନ ବିଭାଗରେ ପ୍ରୋଜେକ୍ଟ ମ୍ୟାନେଜମେଣ୍ଟ ୟୁନିଟ୍ ବା ପିଏମ୍‌ୟୁ ଏବଂ ଟେକ୍ନିକାଲ ସର୍ପୋଟ ୟୁନିଟ୍ ବା ଟିଏସୟୁ କାର୍ଯ୍ୟ କରୁଛି। ଜଣେ ଜଣେ ବିଶେଷଜ୍ଞ ଲକ୍ଷାଧିକ ଟଙ୍କା ଦରମା ନେଉଛନ୍ତି। ସରକାରଙ୍କ ସବୁ ତଥ୍ୟ ସେମାନଙ୍କ ହାତରେ ଟେକି ଦିଆଯାଉଛି। ନିଜ ଯୋଜନା ବୋର୍ଡକୁ ଅକାମୀ କରିଦେଇ ଏଭଳି ପିଏମ୍‌ୟୁ ଓ ଟିଏସ୍‌ୟୁମାନଙ୍କୁ ଗୁରୁତ୍ବ ଦିଆଯିବା ପଛର ରହସ୍ୟ କଣ? ଯଦି ମୁଖ୍ୟଶାସନ ସଚିବଙ୍କ କଟକଣା ନିର୍ଦେଶନାମା ପରେ ସ୍ଥିତି ଏୟା, ତେବେ ସେ ସଚିବସ୍ତରୀୟ ବୈଠକରେ ଏ ସଂକ୍ରାନ୍ତରେ କାହିଁକି ତନାଘନା କରୁନାହାନ୍ତି, ତାହା ବି ବୁଝାପଡୁନାହିଁ। ବିଭିନ୍ନ ବିଭାଗମାନେ ଯେଉଁ ସଂସ୍ଥାମାନଙ୍କୁ ନିଯୁକ୍ତି ଦେଉଛନ୍ତି, ତା ପଛରେ ସରକାରଙ୍କ ସହମତି ଓ ସ୍ବୀକୃତି ଅଛି କି ନାହିଁ ତାହା ମଧ୍ୟ ଅନୁସନ୍ଧାନ ସାପେକ୍ଷ।

ସମ୍ବନ୍ଧିତ ଖବର