ପିପିପି ମୋଡ୍‌ରେ ସ୍ଥାପନ ହେବ ୧୯ ଡାକ୍ତରଖାନା

ସ୍ୱାସ୍ଥ୍ୟସେବା ବିକାଶ ପାଇଁ ପୁଞ୍ଜିନିବେଶକାରୀ କର୍ମଶାଳା

ଯୋଗଦେଲେ ୪୦ ସଂସ୍ଥା ଓ ୧୦୦ରୁ ଅଧିକ ଆଗ୍ରହୀ

ଭୁବନେଶ୍ୱର : ରାଜ୍ୟର ୧୯ଟି ସ୍ଥାନରେ ପିପିପି ମୋଡ୍‌ରେ ୧୯ଟି ହସ୍ପିଟାଲ ସ୍ଥାପନ କରାଯିବ। ଏଥିପାଇଁ ୪୦ରୁ ଅଧିକ ସଂସ୍ଥାର କର୍ମକର୍ତା ଓ ୧୦୦ରୁ ଅଧିକ ଆଗ୍ରହୀ ଏଥିପାଇଁ ଆଗ୍ରହ ପ୍ରକାଶ କରିଛନ୍ତି। ଏଥିରେ ରାଜ୍ୟ ବାହାରର ୨୫ଜଣ ଆଗ୍ରହୀ ପୁଞ୍ଜି ନିବେଶକାରୀ ରହିଥିବା ଜଣାପଡ଼ିଛି।

ସରକାରୀ-ବେସରକାରୀ ସହଭାଗିତାରେ ରାଜ୍ୟରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ବିକାଶ ପାଇଁ ଗତକାଲି ପୁଞ୍ଜିନିବେଶକାରୀଙ୍କ ପାଇଁ ଏକ କର୍ମଶାଳା ଆୟୋଜିତ ହୋଇଥିଲା। ଏଥିରେ ଜନସାଧାରଣଙ୍କୁ ସୁହାଇବା ଭଳି ଉନ୍ନତ ମାନର ସ୍ୱାସ୍ଥ୍ୟସେବା ପ୍ରକଳ୍ପ ବିକାଶ କରିବା ଥିଲା ଏହି କର୍ମଶାଳାର ମୁଖ୍ୟ ଉଦ୍ଦେଶ୍ୟ।

ରାଜ୍ୟର ୪ କୋଟିରୁ ଅଧିକ ଲୋକଙ୍କ ପାଇଁ ସରକାରୀ-ବେସରକାରୀ ଡାକ୍ତରଖାନାକୁ ମିଶାଇ ମାତ୍ର ୩୬ହଜାର ଶଯ୍ୟା ରହିଛି। କେବଳ ଖୋର୍ଧା, କଟକ ଓ ସୁନ୍ଦରଗଡ଼ ଜିଲ୍ଲାରେ ମୁଖ୍ୟତଃ ଭଲ ଡାକ୍ତରଖାନା ରହିଛି। ଅପରପକ୍ଷରେ ରାଜ୍ୟର ଅନ୍ୟ ଜିଲ୍ଲାରୁ ରୋଗୀମାନଙ୍କୁ ଚିକିତ୍ସା ପାଇଁ ଦୀର୍ଘ ବାଟ ଆସିବାକୁ ପଡ଼ୁଛି। ତେଣୁ ନିଜ ଅଞ୍ଚଳରେ ଲୋକମାନଙ୍କୁ ଉନ୍ନତ ମାନର ସେବା ଯୋଗାଇବା ପାଇଁ କର୍ମଶାଳାରେ ଗୁରୁତ୍ୱ ଦିଆଯାଇଥିଲା।

ପୁରୀ, ଜୟପୁର, ଅନୁଗୁଳ, ବଡ଼ବିଲ, ବାରିପଦା, ଭଦ୍ରକ, ବଲାଙ୍ଗୀର, କଳାହାଣ୍ଡି, ଝାରସୁଗୁଡ଼ା, ଫୁଲବାଣୀ, ଢେଙ୍କାନାଳ, ବୌଦ୍ଧ, ନୂଆପଡ଼ା, ମାଲକାନାଗିରିି, ନବରଙ୍ଗପୁର, ସୁବର୍ଣ୍ଣପୁର, ରାୟଗଡ଼ା, ପାରଳାଖେମୁଣ୍ଡି ଓ ରାଇରଙ୍ଗପୁର ଭଳି ସ୍ଥାନରେ ପିପିପି ମୋଡରେ ୧୯ଟି ଡାକ୍ତରଖାନା ସ୍ଥାପନ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ଏହିସବୁ ପ୍ରକଳ୍ପ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରକଳ୍ପ କାର୍ଯ୍ୟନିର୍ବାହୀ ବ୍ୟବସ୍ଥା, କେଉଁମାନେ ସକ୍ଷମ, କେଉଁମାନଙ୍କୁ ନ୍ୟସ୍ତ କରାଯିବ, ଆର୍ଥିକ ସ୍ୱଚ୍ଛତଳ ଓ ରାଜ୍ୟ ସରକାରଙ୍କ ସହାୟତା ଆଦି ସଂପର୍କରେ ବିସ୍ତତ ଭାବେ ଆଲୋଚନା କରାଯାଇଥିଲା।

ଏହି କର୍ମଶାଳାରେ ଶିଳ୍ପ ବିଭାଗର ପ୍ରମୁଖ ସଚିବ ସଞ୍ଜୀବ ଚୋପ୍ରା, ସ୍ୱାସ୍ଥ୍ୟ ସଚିବ ଡା.ପ୍ରମୋଦ କୁମାର ମେହେର୍ଦା, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ସଚିବ ସଞ୍ଜୟ କୁମାର ସିଂହ, ସାଉଥ ଏସିଆ ପିପିପି କାର୍ଯ୍ୟନିର୍ବାହୀ ପରାମର୍ଶ ସେବା ପରିଚାଳକ ମିସି ଇଶାବେଲ ଟାଟରଟନ୍‌ ଓ ପୁଞ୍ଜିନିବେଶ ଅଧିକାରୀ ପ୍ରଣବ ମୋହନ ପ୍ରମୁଖ ଏଥିରେ ନିଜର ବକ୍ତବ୍ୟ ରଖିଥିଲେ।

ସମ୍ବନ୍ଧିତ ଖବର