ଆଣ୍ଡାମାନରେ ଚାଷ ହେବ ଓଡ଼ିଶାର ଚାରା

ଭୁବନେଶ୍ବର : କୃଷି ଶିକ୍ଷା ଓ ଗବେଷଣା କାର୍ଯ୍ୟରେ ସମନ୍ବୟକୁ ସୁଦୃଢ଼ କରିବା ପାଇଁ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ(ଓୟୁଏଟି) ଓ ପୋର୍ଟବ୍ଲେୟାରସ୍ଥିତ କେନ୍ଦ୍ରୀୟ ଦ୍ବୀପାଞ୍ଚଳ କୃଷି ଗବେଷଣା ପ୍ରତିଷ୍ଠାନ ମଧ୍ୟରେ ଏକ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି। ଏହାଦ୍ବାରା ବିଶ୍ବବିଦ୍ୟାଳୟରେ ସ୍ନାତକୋତ୍ତର ଗବେଷଣା କାର୍ଯ୍ୟ ସୁଦୃଢ଼ ହେବ। ଛାତ୍ରଛାତ୍ରୀଙ୍କ ଦକ୍ଷତା ବୃଦ୍ଧି ପାଇବ। ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀ କେନ୍ଦ୍ରୀୟ ଦ୍ବୀପାଞ୍ଚଳ କୃଷି ଗବେଷଣା ପ୍ରତିଷ୍ଠାନର ପରୀକ୍ଷାଗାର ବ୍ୟବହାର କରିବା ସହ ସେଠାକାର ବୈଜ୍ଞାନକମାନଙ୍କ ଜ୍ଞାନର ଉପଯୋଗ କରିପାରିବେ। ପ୍ରାଣୀ ପାଳନ, ମତ୍ସ୍ୟ ବିଜ୍ଞାନ, ନଡ଼ିଆ, ଗୁଆ ଆଦି ଉଦ୍ୟାନ ଫସଲ ଓ କୃଷି ବିଜ୍ଞାନ କ୍ଷେତ୍ରରେ ଛାତ୍ରଛାତ୍ରୀଙ୍କ ଗବେଷଣାର ପରିସର ବ୍ୟାପକ ହେବ। ଏହି ବୁଝାମଣାପତ୍ର ଫଳରେ ଓୟୁଏଟି ଦ୍ବାରା ପ୍ରସ୍ତୁତ କଦଳୀ ଓ ଅନ୍ୟାନ୍ୟ ଉଦ୍ୟାନ ଫସଲର ପେଷିପୋଷଣ ଚାରା ଆଣ୍ତାମାନ ଓ ନିକୋବର ଦ୍ବୀପପୁଞ୍ଜରେ ଚାଷ କରାଯିବା ସମ୍ଭବ ହୋଇପାରିବ।

ବିଶ୍ବବିଦ୍ୟାଳୟ ପରିସରରେ ଆୟୋଜିତ ଏକ ସ୍ବତନ୍ତ୍ର ଉତ୍ସବରେ ଓୟୁଏଟି କୁଳପତି ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ଓ କେନ୍ଦ୍ରୀୟ ଦ୍ବୀପାଞ୍ଚଳ କୃଷି ଗବେଷଣା ପ୍ରତିଷ୍ଠାନର ନିର୍ଦ୍ଦେଶକ ଡ. ଆନନ୍ଦମୟ କୁଣ୍ତୁଙ୍କ ମଧ୍ୟରେ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି। ଉକ୍ତ ଉତ୍ସବରେ ବିଶ୍ବବିଦ୍ୟାଳୟ ଅଧ୍ୟକ୍ଷ, ନିର୍ଦ୍ଦେଶକ ଏବ˚ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ରହିଥିଲେ। ଭାରତୀୟ କୃଷି ଗବେଷଣା ପରିଷଦର ଆଞ୍ଚଳିକ କମିଟି ନିଷ୍ପତ୍ତିର କାର୍ଯ୍ୟକାରିତା ନିମନ୍ତେ ଏହି ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି।

ସମ୍ବନ୍ଧିତ ଖବର