ଓଡ଼ିଶାର ଫଳକ ଭଙ୍ଗାକୁ ମାସେ ବିତିଲା: କାହା ଆଦେଶକୁ ପୁଲିସର ଅପେକ୍ଷା?

କୋରାପୁଟ : କୋରାପୁଟ ଜିଲ୍ଲା ପଟାଙ୍ଗି ବ୍ଲକ୍‌ର ସୀମାନ୍ତ କୋଟିଆ ପଞ୍ଚାୟତରେ ଓଡ଼ିଆ ଭାଷାରେ ନାମଫଳକ ଲଗାଇଥିଲା ଓଡ଼ିଶା ପ୍ରଶାସନ। କିନ୍ତୁ ତାହାକୁ କିଛି ଦୁର୍ବୃତ୍ତ ଉଦ୍ଦେଶ୍ୟମୂଳକ ଭାବେ ଭାଙ୍ଗିଲେ ଆଉ ବିକୃତ କଲେ। ଓଡ଼ିଶାରେ ଓଡ଼ିଆ ଭାଷା ପ୍ରତି ହୋଇଥିବା ଏଭଳି ଆକ୍ରମଣ କୋଟି କୋଟି ଓଡ଼ିଆଙ୍କୁ ଗଭୀର ମର୍ମାହତ କରିଥିଲା। ତେଣୁ ଏଭଳି ଅସାମାଜିକ କାର୍ଯ୍ୟ ପାଇଁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିମନ୍ତେ ପଟାଙ୍ଗି ଥାନାରେ ଏତଲା ଦେଇଥିଲା ବ୍ଲକ୍‌ ପ୍ରଶାସନ। ପୁଲିସ ବି ଅଭିଯୋଗକୁ ଗ୍ରହଣ କରିଥିଲା, କିନ୍ତୁ ମାମଲା ରୁଜୁ କଲା ନାହିଁ। କେଶ୍‌ ଡାଇରି କରି ନିଜ ଦାୟିତ୍ବ ସାରିଦେଲା। ଏହାରି ମଧ୍ୟରେ ତେଢ଼ ମାସ ବିତି ଗଲାଣି। କୋଟିଆରେ ପୂର୍ବ ଅପେକ୍ଷା ସ୍ଥିତି ଅଧିକ ଜଟିଳ ହେବାରେ ଲାଗିଛି। ତଥାପି ପୂର୍ବରୁ ଦିଆଯାଇଥିବା ଏତଲା ଆଧାରରେ କୌଣସି ପଦକ୍ଷେପ ନେଇ ନାହିଁ ପୁଲିସ। କେଉଁ କାରଣରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ପୁଲିସ ପଛଘୁଞ୍ଝା ଦେଉଛି ଏବଂ କାହା ନିର୍ଦ୍ଦେଶକୁ ଅପେକ୍ଷା କରିଛି ବୋଲି ପ୍ରଶ୍ନ ଉଠିବା ଆରମ୍ଭ ହୋଇଛି।

ବାତ୍ୟା ‘ଗୁଲାବ୍‌ ସେପ୍ଟେମ୍ବର ମାସ ୨୩ତାରିଖ ଦିନ ସ୍ଥଳଭାଗ ଛୁଇଁଥିଲା। ଏହା ଓଡ଼ିଶା ଉପକୂଳରେ ଲ୍ୟାଣ୍ଡଫଲ୍‌ କରିବ ବୋଲି ଜଣା ପଡ଼ିବାରୁ ମୁକାବିଲା ପାଇଁ କୋରାପୁଟ ଜିଲ୍ଲା ପ୍ରଶାସନ ପୂରା ଜୋର ଲଗାଇ ଦେଇଥିଲା। ଯାହାର ସୁଯୋଗ ନେଇ ଆନ୍ଧ୍ରପ୍ରଦେଶ ଦ୍ବାରା ନିଯୁକ୍ତ ଏଜେଣ୍ଟ କୋଟିଆରେ ରଚିଥିଲେ ଷଡ଼ଯନ୍ତ୍ର। ସାଲୁର ବିଧାୟକଙ୍କ ଇସାରାରେ ଓଡ଼ିଶା ପୋତିଥିବା ଅନେକ ଫଳକକୁ ଭାଙ୍ଗି ଦେଇଥିଲେ। ଯେଉଁ ଫଳକକୁ ଭାଙ୍ଗିବାରେ ବିଫଳ ହେଲେ ତାହାକୁ ବିକୃତ କଲେ। ପରଦିନ ଏ ନେଇ ଜାଣିବାକୁ ପାଇଥିଲା ପଟାଙ୍ଗି ବ୍ଲକ୍‌ ପ୍ରଶାସନ। ପଟାଙ୍ଗି ଥାନାରେ ଲିଖିତ ଅଭିଯୋଗ କରିଥିଲେ ତତ୍କାଳୀନ ବିଡିଓ ବେଦ ଭୂଷଣ। ପୁଲିସ ବି ଏତଲା ଗ୍ରହଣ କରିଥିଲା।

ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଏହି ଘଟଣାରେ ୬ଜଣ ସିଧାସଳଖ ସଂପୃକ୍ତ ରହିଛନ୍ତି। ପାଖାପାଖି ୧୫ଜଣ ପ୍ରତ୍ୟକ୍ଷ ତଥା ପରୋକ୍ଷ ଭାବେ ଫଳକ ଭାଙ୍ଗିବାରେ ସାମିଲ ଥିଲେ। ସମସ୍ତେ ଆନ୍ଧ୍ର ଦ୍ବାରା ଲାଭ ପାଉଥିବା ଏଜେଣ୍ଟ ବୋଲି ଜଣାପଡ଼ିଛି। କୋରାପୁଟ ପୁଲିସ ବ୍ୟତୀତ ଗୁଇନ୍ଦା ବିଭାଗ ବି ସବିଶେଷ ତଥ୍ୟ କୋରାପୁଟ ଏସ୍‌ପିଙ୍କୁ ପ୍ରଦାନ କରିଛି। କିନ୍ତୁ ଏତେ କାଣ୍ଡ ଭିଆଇବା ପରେ ବି ସଂପୃକ୍ତ ଏଜେଣ୍ଟମାନେ ନିର୍ଭୟରେ ବୁଲୁଛନ୍ତି। ଆନ୍ଧ୍ରର ଉଦ୍ୟମକୁ ସମର୍ଥନ କରି କୋଟିଆରେ ବାରମ୍ବାର ଅପ୍ରୀତିକର ଘଟଣା ସବୁ ଘଟାଇ ଚାଲିଛନ୍ତି। ତେଣୁ ଏହି ଏଜେଣ୍ଟ ମାନେ କଣ ଏତେ ଶକ୍ତିଶାଳୀ ଯେ ଏମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ପୁଲିସ ଡରୁଛି? ଯଦି ତୁରନ୍ତ ଏମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯାଏ ତେବେ ଆଗକୁ ଅଧିକ ଅଶାନ୍ତି ସୃଷ୍ଟି ହେବ ବୋଲି ମତ ପ୍ରକାଶ ପାଇଛି।

ଏ ନେଇ ପଟାଙ୍ଗି ବିଡିଓ ଏସ୍‌.ଏସ୍‌ ମିଶ୍ର କହିଛନ୍ତି ଯେ ସେହି ସମୟରେ ପୁଲିସକୁ ଫଳକ ଭାଙ୍ଗିବା ସଂପର୍କରେ ଅବଗତ କରାଯାଇଥିଲା। ଅଭିଯୋଗକୁ ଭିତ୍ତି କରି ପୁଲିସ ହିଁ ପରବର୍ତ୍ତୀ ପଦକ୍ଷେପ ନେବ ବୋଲି କହିଛନ୍ତି। ଅତିରିକ୍ତ ଏସ୍‌ପି ଉତ୍କଳ ଦାସ କହିଛନ୍ତି ‌ଯେ ଘଟଣା ସଂପର୍କରେ ଅବଗତ ରହିଛନ୍ତି। ପଟାଙ୍ଗି ଥାନା ଆଇଆଇସିଙ୍କ ସହ ଆଲୋଚନା କରିବେ ବୋଲି ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର