ମାର୍ଚ୍ଚ ୩ରୁ ଯୁକ୍ତ୨ ପରୀକ୍ଷା : ୩ରୁ ବିଜ୍ଞାନ, ୪ରୁ କଳା ଓ ବାଣିଜ୍ୟ ପରୀକ୍ଷା ଆରମ୍ଭ

ଜାନୁଆରି ୨୭ରୁ ଫେବ୍ରୁଆରି ୫ ଯାଏ ପ୍ରାକ୍ଟିକାଲ, ସିସିଟିଭି ନ ଲଗାଇଲେ ପରୀକ୍ଷା କେନ୍ଦ୍ର ହେବନି, ପରୀକ୍ଷାର ତିନି ଦିନ ପୂର୍ବରୁ ଦିଆଯିବ ଆଡମିଟ୍‌ କାର୍ଡ

ଭୁବନେଶ୍ବର : ମାର୍ଚ୍ଚ ୩ରୁ ଯୁକ୍ତ୨ ଥିଓରି ପରୀକ୍ଷା। ପ୍ରଥମ ଦିନ ବିଜ୍ଞାନ ବିଭାଗର ପରୀକ୍ଷା ଥିବା ବେଳେ ୪ ତାରିଖଠାରୁ କଳା ଓ ବାଣିଜ୍ୟ ବିଭାଗର ପରୀକ୍ଷା ଆରମ୍ଭ ହେବ। ଧନ୍ଦାମୂଳକ ଶିକ୍ଷା ବିଭାଗର ପରୀକ୍ଷା ମାର୍ଚ୍ଚ ୧୬ରୁ ଆରମ୍ଭ ହୋଇ ସମସ୍ତ ବିଭାଗର ଥିଓରି ପରୀକ୍ଷା ମାର୍ଚ୍ଚ ୨୮ରେ ସରିବ। ପ୍ରତି ବିଷୟର ପରୀକ୍ଷା ପୂର୍ବାହ୍ନ ୧୦ଟାରୁ ଆରମ୍ଭ ହେବ। ଏବର୍ଷ ‌ମୋଟ ୩ ଲକ୍ଷ ୪୯ ହଜାର ୧୫୪ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବେ। କଳା ବିଭାଗରେ ସର୍ବାଧିକ ୨ ଲକ୍ଷ ୧୮ ହଜାର ୮୩୮ ଜଣ ପରୀକ୍ଷା ଦେବାକୁ ଥିବା ବେଳେ ବିଜ୍ଞାନରେ ୯୭ ହଜାର ୫୩୬, ବାଣିଜ୍ୟରେ ୨୫ ହଜାର ୭୭୦ ଓ ଧନ୍ଦାମୂଳକ ଶିକ୍ଷା ବିଭାଗରେ ୭ ହଜାର ୧୭ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବା ପାଇଁ ଫର୍ମ ପୂରଣ କରିଛନ୍ତି।

୨୦୧୯ରେ ୩୦ଟି ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲାଗି ନଥିଲା। ତେଣୁ ଏଥରକ ସମସ୍ତ ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲଗାଇବାକୁ ବାଧ୍ୟତାମୂଳକ କରାଯାଇଛି। ଯଦି କୌଣସି କଲେଜ ଏ ଦିଗରେ ପଦକ୍ଷେପ ନ ନିଅନ୍ତି ‌ତେବେ ସେଠାରେ ପରୀକ୍ଷା କେନ୍ଦ୍ର କରାଯିବ ନାହିଁ ବୋଲି ପରିଷଦ ସ୍ପଷ୍ଟ କରିଛି। ଖୁବ୍‌ଶୀଘ୍ର ପରୀକ୍ଷା ପରିଚାଳନା କମିଟି ବୈଠକ ବସି କେନ୍ଦ୍ରଗୁଡ଼ିକ ଧାର୍ଯ୍ୟ ହେବ। ପରୀକ୍ଷାର ତିନି ଦିନ ପୂର୍ବରୁ ଛାତ୍ରଛାତ୍ରୀଙ୍କୁ ଆଡମିଟ୍‌ କାର୍ଡ ପ୍ରଦାନ କରାଯିବ। ପରୀକ୍ଷାର ସୁପରିଚାଳନା
ତଥା କପି ରୋକିବା ପାଇଁ ପ୍ରତି ଜିଲ୍ଲାସ୍ତରରେ ଗଣଶିକ୍ଷା ବିଭାଗର ଜଣେ ଲେଖାଏଁ ଅଧିକାରୀଙ୍କୁ ପରୀକ୍ଷା ନିରୀକ୍ଷକ ଭାବେ ନିଯୁକ୍ତ ଦିଆଯିବ। ପରିଷଦର ମୁଖ୍ୟ କାର୍ଯ୍ୟାଳୟ ସ୍କ୍ବାଡ୍‌ ସମେତ ଜୋନ୍‌ସ୍ତରୀୟ ସ୍କ୍ବାଡ୍‌, ଜିଲ୍ଲାସ୍ତରରେ ବି ସ୍କ୍ବାଡ୍‌ ଗଠନ ହେବ। ସେହିପରି ଚଳିତବର୍ଷ ସମସ୍ତ ମୂଲ୍ୟାୟନ କେନ୍ଦ୍ରରେ ସିସିଟିଭି ଲଗାଇବାକୁ ନିଷ୍ପତ୍ତି ହୋଇଛି। ଏଥିସହ ପରୀକ୍ଷା କେନ୍ଦ୍ର ଓ ମୂଲ୍ୟାୟନ କେନ୍ଦ୍ରକୁ ମୋବାଇଲ୍‌ ନେଇ ଯିବା ଉପରେ ବି କଟକଣା ଲାଗିଛି। ଯଦି କୌଣସି ଅଧ୍ୟାପକ ମୋବାଇଲ୍‌ ନେଇଥିବା କିମ୍ବା ବ୍ୟବହାର କରୁଥିବା ନଜରକୁ ଆସେ ତେବେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଉଚ୍ଚ ମାଧ୍ୟମିକ ପରିଷଦର ପରୀକ୍ଷା ନିୟନ୍ତ୍ରକ ବିଜୟ କୁମାର ସାହୁ ସୂଚନା ଦେଇଛନ୍ତି।

କାର୍ଯ୍ୟସୂଚୀ ଅନୁଯାୟୀ ବିଜ୍ଞାନ ବିଭାଗର ଏମ୍‌ଆଇଏଲ୍‌(ଓଡ଼ିଆ) ବିଷୟ ପରୀକ୍ଷା ମାର୍ଚ୍ଚ ୩ରେ ଥିବା ବେଳେ ୬ରେ ଇଂରାଜୀ, ୧୧ରେ ଗଣିତ, ୧୪ରେ ପଦାର୍ଥ ବିଜ୍ଞାନ, ୧୭ରେ ରସାୟନ ବିଜ୍ଞାନ, ୧୮ରେ ଭୂତତ୍ତ୍ବ ବିଜ୍ଞାନ, ୧୯ରେ ଇଲେକ୍ଟିଭ୍‌ ସଂସ୍କୃତ, ୨୦ରେ କମ୍ପ୍ୟୁଟର ସାଇନ୍ସ, ବାୟୋ-ଟେକ୍‌, ଇଲେକ୍‌ଟ୍ରୋନିକ୍ସ, ୨୩ରେ ଜୀବ ବିଜ୍ଞାନ, ୨୪ରେ ଅର୍ଥନୀତି, ୨୫ରେ ଷ୍ଟାଟିଷ୍ଟିକ୍ସ, ୨୭ରେ କଳା ଓ ବିଜ୍ଞାନର ଭୂଗୋଳ ବିଷୟର ପରୀକ୍ଷା ରହିଛି। ଜୀବ ବିଜ୍ଞାନର ପରୀକ୍ଷାର୍ଥୀ ଦୁଇଟି ସିଟିଂରେ ପରୀକ୍ଷା ହେବେ। ପ୍ରଥମ ସିଟିଂରେ ଉଦ୍ଭିଦ ବିଜ୍ଞାନ ବିଷୟ ପରୀକ୍ଷା ପୂର୍ବାହ୍ନ ୧୦ଟାରୁ ୧୧ଟା ୩୦ ମଧ୍ୟରେ ଏବଂ ଦ୍ବିତୀୟ ସିଟିଂରେ ପ୍ରାଣୀବିଜ୍ଞାନ ବିଷୟର ପରୀକ୍ଷା ପୂର୍ବାହ୍ନ ୧୧ଟା ୫୦ରୁ ଅପରାହ୍ନ ୧ଟା ୨୦ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ।

ସେହିପରି କଳା ଓ ବାଣିଜ୍ୟ ବିଭାଗର ଏମ୍‌ଆଇଏଲ୍‌(ଓଡ଼ିଆ) ବିଷୟ ପରୀକ୍ଷା ୪ ତାରିଖରେ ହେବାକୁ ଥିବା ବେଳେ ୭ରେ ଇଂରାଜୀ ବିଷୟର ପରୀକ୍ଷା ରହିଛି। ୧୧ରେ କଳା ବିଭାଗର ଗଣିତ ଓ ଗୃହ ବିଜ୍ଞାନ, ୧୨ରେ ରାଜନୀତି ବିଜ୍ଞାନ, ୧୬ରେ ଇତିହାସ, ୧୮ରେ ଶିକ୍ଷା, ଭାରତୀୟ ସଙ୍ଗୀତ, ମନୋବିଜ୍ଞାନ, ୧୯ରେ ଅନ୍ୟାନ୍ୟ ଭାଷା(ଓଡ଼ିଆ, ହିନ୍ଦୀ, ବେଙ୍ଗଲି, ତେଲଗୁ, ଊର୍ଦ୍ଦୁ, ସଂସ୍କୃତ) ଓ ୨୪ରେ କଳା ବିଭାଗର ଅର୍ଥନୀତି ଓ ପର୍ସନାଲ ମ୍ୟାନେଜ୍‌ମେଣ୍ଟ, ୨୫ରେ ନୃତତ୍ତ୍ବ ବିଜ୍ଞାନ, ଷ୍ଟାଟିଷ୍ଟିକ୍ସ ଓ ସାମା‌ଜିକ ବିଜ୍ଞାନ, ୨୭ରେ ଲଜିକ୍‌ ବିଷୟର ପରୀକ୍ଷା ଅନୁଷ୍ଠିତ ହେବ। ବାଣିଜ୍ୟ ବିଭାଗର ଆକାଉଣ୍ଟାନ୍ସି ବିଷୟ ପରୀକ୍ଷା ୧୨ରେ, ୧୬ରେ ବିଜନେସ୍‌ ମାଥମେଟିକ୍ସ ଆଣ୍ଡ ଷ୍ଟାଟିଷ୍ଟିକ୍ସ(ବିଏମ୍‌ଏସ୍‌), ୧୮ରେ ବିଜିନେସ୍‌ ଷ୍ଟଡିସ୍‌ ଆଣ୍ଡ୍‌ ମ୍ୟାନେଜ୍‌ମେଣ୍ଟ(ବିଏସ୍‌ଏମ୍‌), ୨୪ରେ ଇନ୍‌ସ୍ୟୁରାନ୍ସ, ଫଣ୍ଡାମେଣ୍ଟାଲ୍ସ ଅଫ୍‌ ମ୍ୟାନେଜ୍‌ମେଣ୍ଟ ଆକାଉଣ୍ଟିଂ(ଏଫ୍‌ଏମ୍‌ଏ), ବିଜିନେସ୍‌ ଇକୋନୋମିକ୍ସ(ବିଏସ୍‌ଇ), ରୁରାଲ ଡେଭଲପ୍‌ମେଣ୍ଟ(ଆର୍‌ଡି), କଷ୍ଟ ଆକାଉଣ୍ଟିଂ(ସିଏସି), କମ୍ପ୍ୟୁଟର ଆପ୍ଲିକେସନ(ସିଏ) ବିଷୟର ପରୀକ୍ଷା ରହିଛି।

ମାର୍ଚ୍ଚ ୧୩ରେ କଳା, ବିଜ୍ଞାନ ଓ ବାଣିଜ୍ୟ ବିଭାଗର ସମନ୍ବିତ ଧନ୍ଦାମୂଳକ ବିଷୟଗୁଡ଼ିକର ପରୀକ୍ଷା ଥିବାବେଳେ ୨୦ରେ ୩ଟି ଯାକ ବିଭାଗର ଆଇଟି(ଇନ୍‌ଫରମେସନ ଟେକ୍ନୋଲୋଜି), ୨୧ରେ ଅନ୍ୟାନ୍ୟ ଏମ୍‌ଆଇଏଲ୍‌(ହିନ୍ଦୀ, ବେଙ୍ଗଲି, ତେଲୁଗୁ, ଊର୍ଦ୍ଦୁ, ସଂସ୍କୃତ) ବିଷୟ, ୨୬ରେ ଉକ୍ତ ତିନି ବିଭାଗର ଧନ୍ଦାମୂଳକ ବିଷୟଗୁଡ଼ିକର ପରୀକ୍ଷା ଅନୁଷ୍ଠିତ ହେବ। ସେହିପରି ଧନ୍ଦାମୂଳକ ଶିକ୍ଷାର ପ୍ରଥମ ଦିନ ଅର୍ଥାତ୍‌ ମାର୍ଚ୍ଚ ୧୬ରେ ଇଂରାଜୀ, ୧୮ରେ ଏମ୍‌ଆଇଏଲ୍‌(ଓଡ଼ିଆ,ହିନ୍ଦୀ, ତେଲଗୁ, ବେଙ୍ଗଲି, ଊର୍ଦ୍ଦୁ, ସଂସ୍କୃତ, ଅଲଟରନେଟିଭ୍‌ ଇଂରାଜୀ), ୨୦ରେ ଇତିହାସ, ଆକାଉଣ୍ଟାନ୍ସି, ବାଣିଜ୍ୟ-୧, ପଦାର୍ଥ ବିଜ୍ଞାନ, ୨୧ରେ ରାଜନୀତି ବିଜ୍ଞାନ, ବିଏସ୍‌ଏମ୍‌, ବାଣିଜ୍ୟ-୨, ରସାୟନ ବିଜ୍ଞାନ, ୨୪ରେ ଅର୍ଥନୀତି ଓ ଗଣିତ, ୨୬ରେ ଟ୍ରେଡ୍‌ ପେପର-୧, ୨୭ରେ ଜୀବ ବିଜ୍ଞାନ, ୨୮‌ରେ ଟ୍ରେଡ୍‌ ପେପର-୨ ବିଷୟର ପରୀକ୍ଷା ରହିଛି।

ଅନ୍ୟପକ୍ଷରେ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷା ବିଭାଗର ପ୍ରାକ୍ଟିକାଲ ବିଷୟଗୁଡ଼ିକର ପରୀକ୍ଷା ଜାନୁଆରି ୨୭ରୁ ଫେବ୍ରୁଆରି ୫ ପର୍ଯ୍ୟନ୍ତ ଚାଲିବ। ପରୀକ୍ଷା ସରିବାର ୭ ଦିନ ମଧ୍ୟରେ ସମସ୍ତ କଲେଜ ପ୍ରାକ୍ଟିକାଲ ପରୀକ୍ଷାର ପ୍ରୋଜେକ୍ଟ ରିପୋର୍ଟ ଓ ମାର୍କ ଫୁଏଲ୍‌ ପରିଷଦ ନିକଟରେ ଦାଖଲ କରିବେ। ଆବାସିକ ତଥା ସେଲ୍ଫ ଫାଇନାନ୍ସିଂ କଲେଜଗୁଡ଼ିକ ‌ପ୍ରାକ୍ଟିକାଲ ପରୀକ୍ଷାର ଭିଡିଓ ରେକଡିଂ, ଉତ୍ତର ଖାତା, ମାର୍କ ଫଏଲ୍‌ ଦାଖଲ କରିବେ। ପ୍ରାକ୍ଟିକାଲ ପରୀକ୍ଷା ପାଇଁ ନିଯୁକ୍ତ ହୋଇଥିବା ଏକ୍ସଟରନାଲ ପରୀକ୍ଷକଙ୍କୁ କେତେକ କଲେଜ ଅଧ୍ୟକ୍ଷ ତଥା ପରୀକ୍ଷା କେନ୍ଦ୍ର ସୁପରିନ୍‌ଟେଣ୍ଡେଣ୍ଟ ଶେଷ ମୁହୂର୍ତ୍ତ‌ରେ ବଦଳାଇ ଦେଉଥିବା ନଜରକୁ ଆସୁଛି। ତେଣୁ ଏଥର କଠୋର ନିଷ୍ପତ୍ତି ନିଆଯାଇଛି। ପରୀକ୍ଷକ ବଦଳାଇବା ପୂର୍ବରୁ ପରିଷଦକୁ ଅବଗତ କରିବାକୁ ସମସ୍ତ ପରୀକ୍ଷା କେନ୍ଦ୍ର ସୁପରିନଟେଣ୍ଡେଣ୍ଟଙ୍କୁ କୁହାଯାଇଛି।

ସମ୍ବନ୍ଧିତ ଖବର