ଚିନ୍ତା ବଢ଼ାଇଲା ପାସ୍‌ ହାର, ଦଣ୍ଡିତ ହେବେ ଅମାନିଆ ଅଧ୍ୟାପକ

ଭୁବନେଶ୍ବର : ରାଜ୍ୟର ୯ଟି କଲେଜରେ କେହି ବି ଛାତ୍ରଛାତ୍ରୀ ପାସ୍‌ କରିନାହାନ୍ତି। ଯେଉଁ କଲେଜଗୁଡ଼ିକର ‘ଶୂନ’ ରେଜଲ୍ଟ ହୋଇଛି ସେଗୁଡ଼ିକ ହେଉଛନ୍ତି ଘରୋଇ କଲେଜ। ଦୁଇଟି କଲେଜରେ ଜଣେ ଲେଖାଏ ପରୀକ୍ଷା ଦେଇଥିବା ବେଳେ ୫ଟି କଲେଜରେ ଦୁଇ ଜଣ ଲେଖାଏ ଛାତ୍ରଛାତ୍ରୀ ରହିଥିଲେ। ଆଉ ଦୁଇଟି କଲେଜରେ ପରୀକ୍ଷା ଦେଇଥିବା ୪ ଜଣ ଲେଖାଏଁ ଛାତ୍ରଛାତ୍ରୀ ଫେଲ୍‌ ହୋଇଛନ୍ତି। ଶୂନ ରେଜଲ୍ଟ କରିଥିବା କଲେଜଗୁଡ଼ିକ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି।

ଶ୍ରୀ ଦାଶ କହିଛନ୍ତି ଯେ ପରୀକ୍ଷାରେ ସ୍ବଚ୍ଛତା ଆଣିବା ଲାଗି ଏଥର ପରୀକ୍ଷା କେନ୍ଦ୍ରଗୁଡ଼ିକରେ ସିସିଟିଭି ଲଗାଯାଇଥିଲା। ଫଳରେ କପି ରୋକାଯିବା ସହ ପାସ୍‌ହାର ହ୍ରାସ ପାଇଛି। ଯେଉଁ ଅଧ୍ୟାପକମାନେ ଖାତା ଦେଖାରେ ତ୍ରୁଟି କରିଥିଲେ, ଅସହଯୋଗ କରିଥିଲେ, ମୋବାଇଲ୍‌ ଲାଇଟ୍‌ରେ ଖାତା ଦେଖିଥିଲେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ। ତେବେ କିଭଳି ଓ କେଉଁ କାର୍ଯ୍ୟାନୁଷ୍ଠାନ ହେବ ତାହା ଏବେ କହିହେବ ନାହିଁ। ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ଏବେ ପରୀକ୍ଷା ଫଳ ଉପରେ ଗୁରୁତ୍ବ ଦିଆଯାଉଛି। ଖୁବ୍‌ଶୀଘ୍ର ଏନେଇ ବୈଠକ ଡକାଯାଇ ବିଚାର ବିମର୍ଶ କରାଯିବ। ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳୁଥିବା କୌଣସି ଅଧ୍ୟାପକ/ଅଧ୍ୟାପିକା କିମ୍ବା ବ୍ୟକ୍ତିବିଶେଷଙ୍କୁ ଛଡ଼ାଯିବ ନାହିଁ।

ଅନ୍ୟପକ୍ଷରେ ୬୬୨ ବର୍ଗ କଲେଜ ଅଧ୍ୟାପକ ଓ କର୍ମଚାରୀ ସଂଘ ସଭାପତି ଗୋଲକ ନାୟକ ମନ୍ତ୍ରୀଙ୍କ ଏଭଳି ଚେତାବନୀ ସମ୍ପର୍କରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ ଗଣଶିକ୍ଷା ବିଭାଗ ନିଜ ମୁଣ୍ଡରୁ ଦୋଷ ଛଡ଼ାଉଛି। ଏଥର ଅଧ୍ୟାପକମାନେ ଆନ୍ଦୋଳନ କରିନାହାନ୍ତି। ଖାତା ଦେଖାରେ ସାମିଲ ହୋଇଛନ୍ତି। ତେବେ ଇ-ମୂଲ୍ୟାୟନ ଲାଗି ଟିସିଏସ୍‌ ବଦଳରେ ନୂଆ‌ ସଂସ୍ଥା ଦାୟିତ୍ବ ଦିଆଯିବା ଦ୍ବାରା ପ୍ରଥମରୁ ଖାତା ଦେଖାରେ ବିଭ୍ରାଟ ସୃଷ୍ଟି ହୋଇଥିଲା। ବାତ୍ୟା ଯୋଗୁଁ ମଧ୍ୟ ଖାତା ଦେଖା ‌ସ୍ବାଭାବିକ ହୋଇପାରି ନଥିଲା। ଏହାପରେ ପୁଣି ନିର୍ବାଚନ ପ୍ରକ୍ରିୟା ଚାଲିବା ବି ସମସ୍ୟା ସୃଷ୍ଟି କରିଥିଲା। ତେଣୁ ଅଧ୍ୟାପକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ‌ନେବାକୁ ଧମକ ଦେବା ଠିକ୍‌ ନୁହେଁ।

ପରୀକ୍ଷା କେନ୍ଦ୍ରଗୁଡ଼ିକରେ ସିସିଟିଭି ଲଗାଯିବା ଦ୍ବାରା ପାସ୍‌ହାର ହ୍ରାସ ପାଇଛି। ଘରୋଇ କଲେଜ ତୁଳନାରେ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ କଲେଜଗୁଡ଼ିକର ପରୀକ୍ଷା ଫଳ ଭଲ ହୋଇଛି। ଶ୍ରେଷ୍ଠ ଶହେ ଛାତ୍ରଛାତ୍ରୀଙ୍କ ତା‌ଲିକାରେ ବିଜେବି କଲେଜ ସମେତ ‌ରେଭେନ୍ସା, ନୟାଗଡ଼ କଲେଜ, ଫକୀର ମୋହନ କଲେଜ, କେନ୍ଦ୍ରାପଡ଼ା କଲେଜ, ଖଲ୍ଲିକୋଟ କଲେଜର ଛାତ୍ରଛାତ୍ରୀ ସ୍ଥାନ ପାଇଛନ୍ତି। ସରସ୍ବତୀ ବିଦ୍ୟାମନ୍ଦିରର କେତେକ ଛାତ୍ରଛାତ୍ରୀ ଏଥର ଉନ୍ନତ ପ୍ରଦର୍ଶନ କରିଥିବା ଦେଖିବାକୁ ମିଳିଛି। ୨୯ଟି ଯୁକ୍ତ୨ କଲେଜ ଶତ ପ୍ରତିଶତ ରେଜଲ୍ଟ କରିଛନ୍ତି। ସେଥିମଧ୍ୟରୁ ଅଧିକାଂଶ ସେଲ୍ଫ ଫାଇନାନ୍ସିଂ କଲେଜ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର