ଯୁକ୍ତ୨ କଳା ଓ ବାଣିଜ୍ୟ ପରୀକ୍ଷା ଫଳ : ତାରିଖ ଝୁଲାଇ ରଖିଲେ ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର : ଯୁକ୍ତ୨ କଳା ଓ ବାଣିଜ୍ୟ ବିଭାଗ ପରୀକ୍ଷା ଫଳ କେବେ ବାହାରିବ ତାହାକୁ ନେଇ ଏପର୍ଯ୍ୟନ୍ତ ସ୍ପଷ୍ଟ ଚିତ୍ର ମିଳିପାରୁନି। ତିନି ଦିନ ମଧ୍ୟରେ ରେଜଲ୍ଟ ବାହାରିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ମଙ୍ଗଳବାର କହିବା ପରେ ଆଜି ବିଭାଗୀୟ ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର ସ୍ପଷ୍ଟ ଭାବେ ତାରିଖ କହିନାହାନ୍ତି। ବରଂ ଜୁନ୍‌ ୮ କିମ୍ବା ୯ରେ ରେଜଲ୍ଟ ବାହାରିବ ବୋଲି କହିଛନ୍ତି।

ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି ଯେ ବିଜ୍ଞାନ ପରୀକ୍ଷା ଫଳ ବାହାରି ସାରିଛି। କଳା ଓ ବାଣିଜ୍ୟ ପରୀକ୍ଷା ଫଳ ଜୁନ୍‌ ୯ ତାରିଖ ସୁଦ୍ଧା ବାହାରିବ। କିନ୍ତୁ ୯ ତାରିଖ ମାସର ଦ୍ୱିତୀୟ ଶନିବାର ପଡ଼ୁଥିବାରୁ ରେଜଲ୍ଟ ପ୍ରକାଶରେ ଅସୁବିଧା ହୋଇପାରେ। ତେଣୁ ଜୁନ୍‌ ୮ରେ ବାହାରିପାରେ ବୋଲି କୁହାଯାଉଛି। ଏବେ ରେଜଲ୍ଟ ବାହାର କରିବା ପାଇଁ ପ୍ରକ୍ରିୟା ଜାରି ରହିଛି। ଉତ୍ତର ଖାତା ମୂଲ୍ୟାୟନରେ ବିଳମ୍ବ ହୋଇଛି। ଶିକ୍ଷକଙ୍କ ଖାତା ମୂଲ୍ୟାୟନରେ ଅବହେଳା ପାଇଁ ଏଭଳି ସମସ୍ୟା ଉପୁଜିଛି। ଗତବର୍ଷ ମେ’ ୩୦ରେ ବାହାରିଥିଲା। ଏଥର ମାତ୍ର ୭ରୁ ୮ ଦିନ ବିଳମ୍ବ ହୋଇଛି। ଛାତ୍ରଛାତ୍ରୀଙ୍କର କୌଣସି ସମସ୍ୟା ହେବନି। ଚଳିତବର୍ଷ ପରୀକ୍ଷାରେ କପି ରୋକିବାରେ ସଫଳତା ମିଳିଛି ବୋଲି ସେ କହିଛନ୍ତି।

ମନ୍ତ୍ରୀ ଶ୍ରୀ ପାତ୍ର ତାରିଖ ଝୁଲାଇ ରଖିଥିବା ବେଳେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ବିଧିବଦ୍ଧ ତାରିଖ ଘୋଷଣା କରାଯାଇ ନାହିଁ। ବିଭାଗର ଜଣେ ଅଧିକାରୀ କହିଛନ୍ତି ଯେ ଖାତା ମୂଲ୍ୟାୟନ ପ୍ରକ୍ରିୟା ଶେଷ ହେବା କ୍ଷଣି ରେଜଲ୍ଟ ବାହାରିବ। ଛାତ୍ରଛାତ୍ରୀଙ୍କ ସ୍ୱାର୍ଥ ଓ ଭବିଷ୍ୟତକୁ ନଜରରେ ରଖି ଆମେ କାମ କରୁଛୁ। ତରବର ହୋଇ କାମ କରାଯାଉ ନାହିଁ। ତେଣୁ ଏଥିରେ ବ୍ୟସ୍ତ ହେବାର କୌଣସି ଅବଶ୍ୟକତା ନାହିଁ। ଯଦି ଗୁରୁବାର ସନ୍ଧ୍ୟା ସୁଦ୍ଧା ସମସ୍ତ କାର୍ଯ୍ୟ ସରିଯିବ ତେବେ ଶୁକ୍ରବାର ଅର୍ଥାତ୍‌ ୮ ତାରିଖରେ ରେଜଲ୍ଟ ବାହାରିବ। ନ ହେଲେ ୯ ତାରିଖରେ ଫଳ ବାହାରିବା ଥୟ। ଯେକୌଣସି ପ୍ରକାରେ ଚଳିତ ସପ୍ତାହରେ ହିଁ କଳା, ବାଣିିଜ୍ୟ ଓ ଧନ୍ଦାମୂଳକ ଶିକ୍ଷା ପାଠ୍ୟକ୍ରମର ଫଳ ବାହାରିବ ବୋଲି ଅଧିକାରୀ ଜଣକ ସ୍ପଷ୍ଟ କରିଛନ୍ତି।

ଛାତ୍ରଛାତ୍ରୀ ‘www.chseodisha.nic.in’ ଓ ‘www.orissaresults.nic.in’ ମାଧ୍ୟମରେ ସେମାନଙ୍କ ଫଳ ଜାଣିପାରିବେ। ରେଜଲ୍ଟ ଜାଣିବା ଲାଗି ପରୀକ୍ଷାର୍ଥୀଙ୍କୁ ରୋଲ ନମ୍ବର ଏବଂ ରେଜିଷ୍ଟ୍ରେସନ ନମ୍ବରର ଆବଶ୍ୟକତା ରହିଛି। େଓ୍ଵବସାଇଟ୍‌ରେ ଉଭୟ ନମ୍ବର ଦାଖଲ ନ କଲେ ପରୀକ୍ଷା ଫଳ ବାହାରିବ ନାହିଁ ବୋଲି ପରିଷଦ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର