୧୫ ହଜାର ପୁଲିସ କର୍ମଚାରୀ ହତାଶ : ୧୮ ବର୍ଷ ହେଲା ପଦୋନ୍ନତି ନାହିଁ, କନେଷ୍ଟବଳରେ ଚାକିରି ଆରମ୍ଭ, ସେହିଥିରେ ଶେଷ

କଟକ : ପୁଲିସ ବିଭାଗରେ କାର୍ଯ୍ୟରତ ସାଧାରଣ ବର୍ଗର ପାଖାପାଖି ୧୫ ହଜାର ପୁଲିସ କନେଷ୍ଟବଳଙ୍କ ଚାକିରିକୁ ପୂରିଲାଣି ୨୬ ବର୍ଷ। କିନ୍ତୁ ସେମାନଙ୍କ ପାଇଁ ପଦୋନ୍ନତି ନାହିଁ। ଅନେକଙ୍କର ଚାକିରି ସରିବାକୁ ବସିଥିବାବେଳେ ଯେଉଁ କନେଷ୍ଟବଳ ପଦବିରୁ ଚାକିରି ଆରମ୍ଭ କରିଥିଲେ, ସେହି ପଦବିରେ ଅବସର ନେବାକୁ ବସିଲେଣି। ବିଭାଗରେ ଗଲା ୧୮ ବର୍ଷ ହେବ ପଦୋନ୍ନତି ପରୀକ୍ଷା ହେଉ ନଥିବାରୁ ଏଭଳି ସ୍ଥିତି ସୃଷ୍ଟି ହୋଇଛି। ଏହି କର୍ମଚାରୀମାନେ ସେମାନଙ୍କ ନ୍ୟାଯ୍ୟ ଅଧିକାରୀରୁ ବଂଚିତ ହୋଇ ଚାଲିଛନ୍ତି। କିନ୍ତୁ ବିଭାଗରେ ଅଧିକାରୀ ଅଭାବ ଦର୍ଶାଇ ଉଚ୍ଚକର୍ତ୍ତୃପକ୍ଷ ଅନେକ ଘଟଣାରେ ହାତ ବାନ୍ଧି ବସୁଛନ୍ତି।

ନିୟମ ଅନୁଯାୟୀ ଜଣେ ବ୍ୟକ୍ତି କନେଷ୍ଟବଳ ଭାବେ ସର୍ବନିମ୍ନ ୭ ବର୍ଷ କାର୍ଯ୍ୟ କରିବାପରେ ଏଏସ୍ଆଇ ପଦବିକୁ ପଦୋନ୍ନତି ପାଇଁ ଯୋଗ୍ୟ ହୋଇଥାନ୍ତି। ସେମାନଙ୍କୁ ପଦୋନ୍ନତି ପରୀକ୍ଷା ମାଧ୍ୟମରେ ଏଏସଆଇ କରାଯାଇଥାଏ। କିନ୍ତୁ ଓଡ଼ିଶା ପୁଲିସ ବିଭାଗରେ କାର୍ଯ୍ୟରତ ପ୍ରାୟ ୧୫ ହଜାର କନେଷ୍ଟବଳ ଗଲା ୨୬ ବର୍ଷ ହେଲା ଚାକିରି କରିଥିଲେ ବି ତାଙ୍କ ପାଇଁ ପଦୋନ୍ନତି ସମ୍ଭବ ହୋଇନାହିଁ। ଅର୍ଥାତ ୧୯ ବର୍ଷ ପୂର୍ବରୁ ଯେଉଁମାନେ ଏଏସଆଇ ହୋଇ ଯିବା କଥା, ସେମାନେ ଆଜି ବି ସେହି କନେଷ୍ଟବଳ ଭାବେ କାର୍ଯ୍ୟ କରୁଛନ୍ତି। ଯଦିଓ ଅନୁସୂଚିତ ଜାତି ଓ ଜନଜାତି ବର୍ଗର କନେଷ୍ଟବଳଙ୍କ ପାଇଁ ପରୀକ୍ଷା ହୋଇଛି କିନ୍ତୁ ସାଧାରଣ ବର୍ଗର ପୁଲିସ କର୍ମଚାରୀଙ୍କ ପାଇଁ ପରୀକ୍ଷା ନହେବା ଫଳରେ ଏଭଳି ପାତରଅନ୍ତର ଏବେ କର୍ମଚାରୀଙ୍କ ଭିତରେ ବିବାଦ ସୃଷ୍ଟି କରିଛି।

ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ(ଜିଏ) ଦୁର୍ନୀତି ନିବାରଣ ବିଭାଗ ଏବ˚ ଗୃହ ବିଭାଗ ଅଧୀନରେ ରେଳବାଇ ପୁଲିସ, ପୁଲିସ ବିଭାଗ ସମେତ ପ୍ରତ୍ୟେକ ଜିଲ୍ଲା ପୁଲିସରେ ଖାଲି ପଡ଼ିଥିବା ପ୍ରାୟ ୨୪୫ଟି ଏଏସ୍‌ଆଇ ପଦବି ପୂରଣ କରିବା ପାଇଁ ୨୦୧୭ରେ ଯୋଜନା ହୋଇଥିଲା। ଏଥିପାଇଁ ପୁଲିସ ମୁଖ୍ୟାଳୟ ପକ୍ଷରୁ ୨୦୧୭ ଜୁଲାଇ ୨୧ ତାରିଖରେ ସ୍ବତନ୍ତ୍ର ଭାବେ ସାଧାରଣ ବର୍ଗର କନେଷ୍ଟବଳଙ୍କୁ ଏଏସ୍‌ଆଇ ପାହ୍ୟାକୁ ପଦୋନ୍ନତି ସ˚କ୍ରାନ୍ତ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ୨୦୧୭ ଜାନୁଆରି ୧ ତାରିଖ ସୁଦ୍ଧା ଯେଉଁମାନେ କନେଷ୍ଟବଳ ପାହ୍ୟାରେ ୭ବର୍ଷ କାର୍ଯ୍ୟ କରିଥିବେ, ସେମାନେ ଏଏସ୍‌ଆଇ ଲିଖିତ ପରୀକ୍ଷା ପାଇଁ ଯୋଗ୍ୟ ହେବେ ବୋଲି ବିଜ୍ଞପ୍ତିରେ ଦର୍ଶାଯାଇଥିଲା। ସେହିବର୍ଷ ଅଗଷ୍ଟ ୧୦ ତାରିଖ ସୁଦ୍ଧା କନେଷ୍ଟବଳ ପାହ୍ୟାରେ ୭ ବର୍ଷ ପୂରଣ କରି ସାରିଥିବା କର୍ମଚାରୀଙ୍କୁ ବିଭାଗୀୟ ଅଧିକାରୀଙ୍କ ନିକଟରେ ସମ୍ମତିପତ୍ର ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଚିଠି ଆଧାରରେ ୮ ହଜାରରୁ ଅଧିକ କନେଷ୍ଟବଳ ଜିଲ୍ଲା ଏସ୍‌ପି ଏବଂ ବିଭାଗୀୟ ଅଧିକାରୀଙ୍କ ନିକଟରେ ସମ୍ମତିପତ୍ର ଦାଖଲ କରିଥିଲେ। କିନ୍ତୁ ସେବେଠୁ ସମ୍ପୃକ୍ତ କନେଷ୍ଟବଳଙ୍କ ପାଇଁ କୌଣସି ଲିଖିତ ପରୀକ୍ଷା କରାଗଲା ନାହିଁ। ୨୦୨୦ ଜୁନ ସୁଦ୍ଧା ରାଜ୍ୟରେ ପାଖାପାଖି ୧୫ ଶହ ଏଏସ୍‌ଆଇ ପଦବି ଖାଲି ପଡ଼ିଲାଣି। କନେଷ୍ଟବଳରୁ ଏଏସ୍‌ଆଇ ପଦବିକୁ ପଦୋନ୍ନତି ପାଇଁ ୭ ବର୍ଷର ଅଭିଜ୍ଞତା ଆବଶ୍ୟକତା ରହିଛି। ସେହି ହିସାବ ଆଧାରରେ ୧୯୯୪ରୁ ୨୦୨୦ ସୁଦ୍ଧା ରାଜ୍ୟରେ ପାଖାପାଖି ୧୫ ହଜାର ସାଧାରଣବର୍ଗର କନେଷ୍ଟବଳ ଏଏସ୍‌ଆଇ ପଦବିକୁ ପଦୋନ୍ନତି ପାଇଁ ଯୋଗ୍ୟ ହେଲେଣି। କିନ୍ତୁ ପୁଲିସ ବିଭାଗର ଢିଲା ଆଭିମୁଖ୍ୟ ପାଇଁ ପଦୋନ୍ନତି ପରୀକ୍ଷା ନହେବାରୁ କନେଷ୍ଟବଳଙ୍କ ଭାଗ୍ୟ ଅନ୍ଧାରକୁ ଠେଲି ହୋଇଯାଇଛି।

ପୁଲିସ ବିଭାଗ ପକ୍ଷରୁ ଶେଷଥର ପାଇଁ କନେଷ୍ଟବଳରୁ ଏଏସ୍‌ଆଇ ପଦବି ପାଇଁ ୨୦୦୨ରେ ପଦୋନ୍ନତି ପରୀକ୍ଷା ହୋଇଥିଲା। ସେବେଠୁ ସାଧାରଣବର୍ଗର କନେଷ୍ଟବଳଙ୍କ ପାଇଁ ପରୀକ୍ଷା ଆଦୌ ହୋଇ ନାହିଁ। କିନ୍ତୁ ଅନୂସୁଚିତ ଜାତି ଓ ଜନଜାତି ବର୍ଗର ପ୍ରାର୍ଥୀଙ୍କ ପାଇଁ ୨୦୧୩ରେ ପଦୋନ୍ନତି ପରୀକ୍ଷା ହୋଇଥିଲା। ଏଭଳି ପରିସ୍ଥିତିରେ କନେଷ୍ଟବଳରୁ ଏଏସ୍‌ଆଇକୁ ପଦୋନ୍ନତି ପାଇଁ ଯୋଗ୍ୟ ହୋଇଥିବା କନେଷ୍ଟବଳଙ୍କୁ ପଦୋନ୍ନତି ମିଳିପାରୁ ନାହିଁ। ଏହାର ସିଧାସଳଖ ପ୍ରଭାବ କାର୍ଯ୍ୟକ୍ଷେତ୍ରରେ ପଡ଼ିବାର ଆଶଙ୍କା ରହୁଛି। ସରକାର ତୁରନ୍ତ ଏ କ୍ଷେତ୍ରରେ ନିଷ୍ପତ୍ତି ନେବାକୁ ଦାବି ହେଉଛି।

ସମ୍ବନ୍ଧିତ ଖବର