କଟକ : ଓଡ଼ିଶା ପୁଲିସର ୪୭୭ ସବ୍ଇନ୍‌ସପେକ୍ଟର (ଏସ୍‌ଆଇ) ପଦବି ପାଇଁ ପ୍ରକାଶ ପାଇଥିବା ନିଯୁକ୍ତି ବିଜ୍ଞାପନର ଆବେଦନ ସମୟ ଶେଷ ହୋଇଛି। ଗତ ଜୁନ୍‌ ୨୨ ତାରିଖରୁ ଜୁଲାଇ ୧୫ ତାରିଖ ମଧ୍ୟରେ ଏହି ପଦବି ପାଇଁ ମୋଟ ଏକ ଲକ୍ଷ ୩୨ ହଜାର ୪୯୫ ଜଣ ଆବେଦନ କରିଛନ୍ତି। ପ୍ରଥମଥର ପାଇଁ ଓଡ଼ିଶା ପୁଲିସରେ ଯୋଗଦେବା ପାଇଁ ୨୬ କିନ୍ନର ମଧ୍ୟ ଆବେଦନ କରିଛନ୍ତି।

Advertisment

ଓଡ଼ିଶା ପୁଲିସରେ ନିଯୁକ୍ତି ପାଇଁ ପ୍ରଥମ କରି କିନ୍ନରଙ୍କୁ ସୁଯୋଗ ଦିଆଯାଇଛି। ଏସ୍‌ଆଇ ପଦବି ପାଇଁ ପୁରୁଷ ବର୍ଗରେ ୯୭ ହଜାର ୫୦୬ ଜଣ ଆବେଦନ କରିଥିବା ବେଳେ ମହିଳା ବର୍ଗରେ ୩୪ ହଜାର ୯୬୪ ଜଣ ଆବେଦନ କରିଛନ୍ତି। ସେହି ଭଳି ଅନୁସୂଚିତ ଜାତି ବର୍ଗରେ ୨୯ ହଜାର ୭୧୦, ଅନୁସୂଚିତ ଜନଜାତି ବର୍ଗରେ ୨୪ ହଜାର ୧୯୩, ଏସ୍‌ଇବିସି ବର୍ଗରେ ୫୨ ହଜାର ୨୭୪ ଓ ଅସଂରକ୍ଷିତ ବର୍ଗରେ ୨୬ ହଜାର ୩୧୯ ଜଣ ଆବେଦନ କରିଛନ୍ତି। ପ୍ରଥମଥର ପାଇଁ ଏହି ନିଯୁକ୍ତି ଓଡ଼ିଶା ପୁଲିସ ରିକ୍ରୁଟ୍‌ମେଣ୍ଟ୍ ବୋର୍ଡ ପକ୍ଷରୁ କରାଯାଉଛି। ପୂର୍ବରୁ ଓଡ଼ିଶା ଷ୍ଟାଫ୍ ସିଲେକସନ କମିସନ୍‌ ଏହି ନିଯୁକ୍ତି ପାଇଁ ପରୀକ୍ଷା କରୁଥିଲେ।