ବାରମ୍ବାର ବଦଳୁଛି ପୁଲିସ ବିଭାଗ ନିଯୁକ୍ତି ନିୟମ : ମୃତ ପୁଲିସ ପରିବାରର ୧୬୫ଜଣ ହତାଶ, ନିଯୁକ୍ତି ନ‌ ଦେଲେ ଆନ୍ଦୋଳନ ଚେତାବନୀ

କଟକ : ପୁଲିସ ବିଭାଗରେ ଚାକିରି କରୁଥିବା ବେଳେ ବିଭିନ୍ନ ସମୟରେ ପ୍ରାଣ ହରାଇଥିବା ୧୬୫ଜଣ ଅଧିକାରୀ ଓ କର୍ମଚାରୀଙ୍କ ପରିବାର ସଦସ୍ୟ ଏବେ ହତାଶ। ଥଇଥାନ ଯୋଜନାରେ ଚାକିରି ପାଇବାକୁ ହକଦାର ଥାଇ ବି ବର୍ଷ ବର୍ଷ ଧରି ପୁଲିସ ବିଭାଗର ବାରମ୍ବାର ବଦଳୁଥିବା ନିୟମ ଯୋଗୁଁ ଚାକିରିରୁ ବଞ୍ଚିତ ହୋଇ ଚାଲିଛନ୍ତି। ଏବେ ଗ୍ରୁପ୍‌-ସି ଚାକିରି ଯୋଗ୍ୟତା ରଖୁଥିବା ଶିକ୍ଷିତ ଯୁବକ/ଯୁବତୀଙ୍କୁ ଗ୍ରୁପ୍‌-ଡି ଚାକିରିର ପ୍ରସ୍ତାବ ଦେବା ଘଟଣାକୁ ନେଇ ବିବାଦ ଆଉ ଅସନ୍ତୋଷ ସୃଷ୍ଟି ବଢ଼ିବାରେ ଲାଗିଛି। ଏଭଳି ସ୍ଥିତିରେ ଚାକିରିରୁ ବଞ୍ଚିତ ଶତାଧିକ ଯୁବକ/ଯୁବତୀ ରାଜଧାନୀରେ ବିକ୍ଷୋଭ ପ୍ରଦର୍ଶନ କରିବାକୁ ଅଣ୍ଟା ଭିଡ଼ିଛନ୍ତି।

ରାଜ୍ୟ ପୁଲିସ ବିଭାଗରେ କାର୍ଯ୍ୟରତ କର୍ମଚାରୀଙ୍କର ଚାକିରି କାଳରେ ମୃତ୍ୟୁ ହେଲେ ସମ୍ପୃକ୍ତ କର୍ମଚାରୀଙ୍କ ପରିବାରର ଜଣେ ସଦସ୍ୟଙ୍କୁ ଥଇଥାନ ଯୋଜନାରେ ବିଭାଗର ଗ୍ରୁପ୍‌ ‘ସି ଶ୍ରେଣୀଭୁକ୍ତ କନେଷ୍ଟବଳ, ସିପାହୀ, ଜୁନିଅର‌୍‌ ଆସିଷ୍ଟାଣ୍ଟ କିମ୍ବା ଜୁନିୟର କ୍ଲର୍କ ପଦବିରେ ନିଯୁକ୍ତି ଦେବାର ବ୍ୟବସ୍ଥା ରହିଛି। ଏଥିପାଇଁ କନେଷ୍ଟବଳ ଓ ସିପାହୀଙ୍କ ପାଇଁ ଶାରୀରିକ ଦକ୍ଷତା ସହିତ ଶିକ୍ଷାଗତ ଯୋଗ୍ୟତା ଯାଞ୍ଚ କରାଯାଏ। କିନ୍ତୁ ଜୁନିଅର ଆସିଷ୍ଟାଣ୍ଟ ଓ ଜୁନିୟର କ୍ଲର୍କ ପାଇଁ କେବଳ ଶିକ୍ଷାଗତ ଯୋଗ୍ୟତା ଦେଖାଯାଇଥାଏ। ମାତ୍ର ୨୦୧୩ରେ ଥଇଥାନ ଯୋଜନାରେ ପ୍ରଥମ ଥର ପାଇଁ ୧୦୦ ନମ୍ବର ପରୀକ୍ଷା ବ୍ୟବସ୍ଥା ଜୁନିୟର କ୍ଲର୍କ ଓ ଜୁନିଅର ଆସିଷ୍ଟାଣ୍ଟ ପଦବି ପାଇଁ ବାଧ୍ୟତାମୂଳକ କରାଗଲା। ସର୍ବନିମ୍ନ ୪୦ନମ୍ବର ରଖିଥିବା ପରୀକ୍ଷାର୍ଥୀଙ୍କୁ ନିଯୁକ୍ତି ପ୍ରଦାନ କରାଯିବା ନେଇ ସରକାରୀସ୍ତରରେ ମାନଦଣ୍ତ ସ୍ଥିର ହେଲା। କିନ୍ତୁ ଏ ସ˚କ୍ରାନ୍ତ ନୂଆ ନିଷ୍ପତ୍ତି ବାବଦରେ ଆବେଦନକାରୀଙ୍କୁ ଅବଗତ କରାଗଲା ନାହିଁ। ୨ ବର୍ଷ ପରେ ୨୦୧୫ ଡିସେମ୍ବରରେ ପରୀକ୍ଷା ହେବା ନେଇ ସମସ୍ତ ଆବେଦନକାରୀଙ୍କୁ ଚିଠି କରାଯାଇଥିଲା।

image Credit : Odisha Police

ଚିଠି ଆଧାରରେ ୨୦୦୬ରୁ ୨୦୧୫ ମଧ୍ୟରେ ଜୁନିଅର କ୍ଲର୍କ ଓ ଜୁନିଅର ଆସିଷ୍ଟାଣ୍ଟ ପଦବି ପାଇଁ ଆବେଦନ କରିଥିବା ମୋଟ ୧୭୬ ଆବେଦନକାରୀଙ୍କ ପାଇଁ ତୁଳସୀପୁର ପୁଲିସ ହାଇସ୍କୁଲ୍‌ରେ ୨୦୧୬ ଜାନୁଆରି ୧୦ ତାରିଖରେ ପରୀକ୍ଷା ହୋଇଥିଲା। ନଭେମ୍ବରରେ ପରୀକ୍ଷା ଦେଇଥିବା ମୋଟ ଆବେଦନକାରୀଙ୍କ ମଧ୍ୟରୁ ୩୪ଜଣ ପାସ୍‌ କରିଥିବା ବେଳେ ୧୩୬ ଜଣ ପ୍ରାର୍ଥୀ ଅକୃତକାର୍ଯ୍ୟ ହୋଇଥିବା ଘୋଷଣା କରାଗଲା। ଫେଲ୍‌ ପ୍ରାର୍ଥୀଙ୍କୁ ପୁନଃ ଆବେଦନ କରିବାକୁ କୁହାଯାଇଥିଲା। କିନ୍ତୁ ପରବର୍ତ୍ତୀ ପର୍ଯ୍ୟାୟରେ ସେମାନଙ୍କ ପରୀକ୍ଷା ଓ ନିଯୁକ୍ତି କ୍ଷେତ୍ରରେ କୌଣସି ପ୍ରକାର ଅଗ୍ରଗତି ହେଲା ନାହିଁ। ଅନ୍ୟପଟେ ପାସ୍‌ ହୋଇଥିବା ୩୪ ପ୍ରାର୍ଥୀଙ୍କ ମଧ୍ୟରୁ ୫ ଜଣଙ୍କୁ ଚାକିରି ଦେଇ ଅବଶିଷ୍ଟ ୨୯ ଜଣଙ୍କୁ ବିନା କାରଣ‌ରେ ପ୍ରତ୍ୟାଖ୍ୟାନ କରି ଦିଆଗଲା। ସାଧାରଣ ପ୍ରଶାସନ ବିଭାଗ ଦର୍ଶାଇଥିଲା ଯେ ମୃତକଙ୍କ ସ୍ବାମୀ କିମ୍ବା ସ୍ତ୍ରୀ ଚାକିରି ପାଇବେ। ମୃତକଙ୍କ ପୁଅ କିମ୍ବା ଝିଅ ଚାକିରି ପାଇପାରିବେ ନାହିଁ। ଏଥିପାଇଁ ୨୯ଜଣ ଆଶାୟୀଙ୍କୁ ପ୍ରତ୍ୟାଖ୍ୟାନ କରାଯାଇଥିବା କୁହାଯାଇଥିଲା। କିନ୍ତୁ ପରେ ଦେଖାଗଲା ଯେ ସମାନ୍ତରାଳ ଭାବେ କନ୍‌ଷ୍ଟେବଳ, ଡ୍ରାଇଭର‌୍‌ ଇତ୍ୟାଦି ପଦବି ପାଇଁ ଆବେଦନ କରିଥିବା ଆଶାୟୀ (ମୃତକଙ୍କ ପୁଅ/ଝିଅ) ପାଖାପାଖି ୮୦ଜଣଙ୍କୁ ନିଯୁକ୍ତି ମିଳିଥିଲା। ଏଭଳି ଦୋମୁହାଁ ନୀତି ପାଇଁ ଆଶାୟୀମାନଙ୍କ ଭିତରେ ଅସନ୍ତୋଷ ସୃଷ୍ଟି ହୋଇଥିଲା।

ଚଳିତ ବର୍ଷ ଜାନୁଆରି ୨୭ରେ ସାଧାରଣ ପ୍ରଶାସନ ବିଭାଗ ଆଉ ଏକ ବିଜ୍ଞପ୍ତି ଜାରି କରିଛି। ଏଥିରେ ଦର୍ଶାଯାଇଛି ଯେ ଏଣିକି ଗ୍ରୁପ୍‌-ସିରେ କୌଣସି ଆଶାୟୀଙ୍କୁ ନିଯୁକ୍ତି ଦିଆଯିବ ନାହିଁ। କେବଳ ଗ୍ରୁପ୍‌-ଡିରେ ନିଯୁକ୍ତି ଦିଆଯିବ। ତେବେ ଗ୍ରୁପ୍‌ ଡି ରେ ଖାଲି ପଦ ନଥିବା ବେଳେ ନିଯୁକ୍ତି କିଭଳି ମିଳିବ, ସେ ନେଇ ଆଶାୟୀମାନେ ପ୍ରଶ୍ନ କରିଛନ୍ତି। ଦୀର୍ଘ ଦିନ ହେବ ବିଭିନ୍ନ ପ୍ରକାର ଆଳ ଦେଖାଇ ନିଯୁକ୍ତି ପ୍ରକ୍ରିୟାକୁ ଟାଳି ଦିଆଯାଉଥିବା ଆଶାୟୀମାନେ ଅଭିଯୋଗ କରିଛନ୍ତି।

ଏ ସ˚କ୍ରାନ୍ତରେ ପୁଲିସ ଡିଜି ଓ ଆଇଜି ପର୍ସୋନେଲ୍‌ଙ୍କୁ ଭେଟି ନିଯୁକ୍ତି ପ୍ରକ୍ରିୟା ଶେଷ କରିବାକୁ ଦାବି ଜଣାଇଛନ୍ତି। ଓଡ଼ିଶା ପୁଲିସ ବିଭାଗ ସମେତ ଅଗ୍ନିଶମ, ଭିଜିଲାନ୍ସ, ସିଗ୍‌ନାଲ୍‌ ବିଭାଗରେ ଏସ୍‌ଆଇ, ଏଏସ୍‌ଆଇ, ହାବିଲଦାର, କନ୍‌ଷ୍ଟେବଳ, ଡ୍ରାଇଭର‌୍‌ ଇତ୍ୟାଦି ପଦବିରେ କାର୍ଯ୍ୟରତ ସମୟରେ ପ୍ରାଣ ହରାଇଥିବା ପୁଲିସ ଅଫିସର ଓ କର୍ମଚାରୀ ଥଇଥାନ ଯୋଜନାରେ ଚାକିରି ପାଇବା ଆଶା ଅନ୍ଧାରକୁ ଠେଲି ହୋଇଯାଇଥିବା ବେଳେ ପୁଲିସ ବିଭାଗ କୌଣସି ପ୍ରକାର ପଦକ୍ଷେପ ଗ୍ରହଣ ନକଲେ ଆଗାମୀ ଦିନରେ ମୃତ ପୁଲିସ କର୍ମଚାରୀଙ୍କ ପରିବାର ଆନ୍ଦୋଳନକୁ ଓହ୍ଲାଇବା ନେଇ ଚେତାବନୀ ଦେଇଛନ୍ତି।

ସମ୍ବନ୍ଧିତ ଖବର