କଟକ : ଆଜି ଅନୁଷ୍ଠିତ ହେବାକୁ ଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଦ୍ବିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ପାଇଁ ଓଡ଼ିଶା ପୁଲିସ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ଶୃଙ୍ଖଳିତ ନିର୍ବାଚନ ପାଇଁ ମୋଟ ୨୪୦ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ କରାଯାଇଛି। ଏଥି ସହିତ ୧୭୫୩ଟି ମୋବାଇଲ୍ ପାଟ୍ରୋଲିଂ ପାର୍ଟି ନିୟୋଜିତ କରାଯାଇଥିବା ନେଇ ରାଜ୍ୟ ପୁଲିସ ମୁଖ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଶୃଙ୍ଖଳିତ ନିର୍ବାଚନ ପରିଚାଳନା ପାଇଁ ଜିଲ୍ଲାସ୍ତରରେ ମଧ୍ୟ ପୁଲିସ ଅଧିକାରୀ ଓ ସ୍ଥାନୀୟ ପୁଲିସ ପ୍ରଶାସନକୁ ନିୟୋଜିତ କରାଯାଇଛି। ୨୦୪୫୩ଟି ବୁଥ୍ରେ ଶୃଙ୍ଖଳିତ ନିର୍ବାଚନ ନିୟମାବଳୀ ଓ କୋଭିଡ୍ ନିୟମ ପାଳନକୁ ଗୁରୁତ୍ବ ଦିଆଯାଇଛି।
ଅନ୍ୟପକ୍ଷରେ ନିର୍ବାଚନ ହିଂସାକୁ ନେଇ ଓଡ଼ିଶା ପୁଲିସ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି। କୌଣସି ପରିସ୍ଥିତିରେ ହିଂସା ଭିଆଉଥିବା ଅସାମାଜିକଙ୍କୁ ଗିରଫ କରିବାକୁ ମଧ୍ୟ ଓଡ଼ିଶା ପୁଲିସ ତାର ସ୍ବତନ୍ତ୍ର ଅଭିଯାନ ଜାରି ରଖିଛି। ଗତ ୧୬ ତାରିଖ ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନରେ ହିଂସାକାଣ୍ଡ ଭିଆଇଥିବା ଲୋକଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ନିର୍ବାଚନ ପରିଚାଳନା ସମୟରେ ବାଧା ଏବଂ ହିଂସାକାଣ୍ଡ ସୃଷ୍ଟି କରିଥିବା ଅଭିଯୋଗରେ ପୁରୀ ଜିଲ୍ଲାରୁ ୧୬, ଯାଜପୁରରୁ ୧୪ ଏବଂ ଢେଙ୍କାନାଳରୁ ୬ଜଣଙ୍କୁ ପୁଲିସ ଗିରଫ କରିଛି। ସେହିଭଳି ନିଶାଦ୍ରବ୍ୟ କାରବାରକୁ ନେଇ ମଧ୍ୟ ପୁଲିସ କଠୋର ହୋଇଛି। ପ୍ରଥମ ପର୍ଯ୍ୟାୟ ଭୋଟ୍ ଦିନ ୩୮୭୧୭୭ ଲିଟର ମଦ, ୩୮ ବେଆଇନ ମାରଣାସ୍ତ୍ର ଓ ୨୨୧୬.୫୬ ଗ୍ରାମ୍ ନାର୍କୋଟିକ୍ସ ଡ୍ରଗ୍ସ ଜବତ କରାଯାଇଛି। ରାଜ୍ୟ ବିଭିନ୍ନ ଥାନାରେ ମୋଟ ୪୯୬୬ଟି ଅବକାରୀ ମାମଲା ରୁଜୁ କରାଯାଇଛି।