ପୁଲିସ ବିଭାଗରେ କ୍ୟାଡରକୁ ନେଇ ଶୀତଳ ଯୁଦ୍ଧ : ବ୍ୟାଜ୍ ପିନ୍ଧିବାକୁ ନେଇ ଲାଗିବ ଆଇପିସି ୧୪୦!

କଟକ : ଓଡ଼ିଶା ପୁଲିସ ବିଭାଗରେ କିଏ ପିନ୍ଧିବ ‘ଓପିଏସ୍‌ ବ୍ୟାଜ୍‌’? ଦୁଇଟି କ୍ୟାଡର‌୍‌- ଓଡ଼ିଶା ଆର୍ମଡ୍‌ ପୁଲିସ ସର୍ଭିସ ଓ ଓଡ଼ିଶା ପୁଲିସ ସର୍ଭିସ୍‌ରେ କାର୍ଯ୍ୟରତ ପୁଲିସ ଅଫିସର ଏହି ବ୍ୟାଜ୍‌ ପିନ୍ଧିବାକୁ ନେଇ ଶୀତଳ ଯୁଦ୍ଧ ଆରମ୍ଭ ହୋଇଯାଇଛି। ଆର୍ମଡ୍‌ ପୁଲିସର ଅଫିସର ଏହି ବ୍ୟାଜ୍ ବ୍ୟବହାର କରୁଥିବାରୁ ଏହାକୁ ନେଇ ଓଡ଼ିଶା ପୁଲିସ ସର୍ଭିସ୍‌ରେ କାର୍ଯ୍ୟରତ ଅଫିସର ବିରୋଧ କରୁଛନ୍ତି। ଅନ୍ୟପଟେ ଆଡ୍‌ହକ ଭିତ୍ତିରେ ଇନ୍‌-ଚାର୍ଜ ଡିଏସ୍‌ପି ଥିବା ପୁଲିସ ଅଫିସର ଓପି (ଓଡ଼ିଶା ପୁଲିସ) ବ୍ୟାଜ୍‌ ବ୍ୟବହାର ବଦଳରେ ଓଡ଼ିଶା ପୁଲିସ ସର୍ଭିସ (ଓପିଏସ୍‌) ବ୍ୟାଜ୍‌ ବ୍ୟବହାରକୁ ନେଇ ଆଉ ଗୋଟିଏ ପକ୍ଷ ତୀବ୍ର ବିରୋଧ କରୁଛି। ପୁଲିସ ବିଭାଗରେ ଏଭଳି ଘଟଣା ଏବେ ଚର୍ଚ୍ଚାର ପ୍ରସଙ୍ଗ ହୋଇଛି।

୨୦୧୩ ସେପ୍ଟେମ୍ବର ୪ ତାରିଖରେ ଓଡ଼ିଶା ପୁଲିସ ସର୍ଭିସ(ଓପିଏସ୍‌) କ୍ୟାଡର‌୍‌ ପୁନର୍ଗଠିତ କରାଯାଇ ଆର୍ମଡ୍‌ ଵି˚ଗର ଅଫିସରଙ୍କ ପାଇଁ ନୂଆ କ୍ୟାଡର‌୍‌ ଓଡ଼ିଶା ଆର୍ମଡ୍‌ ପୁଲିସ ସର୍ଭିସ୍‌(ଓଏପିଏସ୍‌) ଗଠନ କରାଯାଇଥିଲା। ଦୁଇଟି କ୍ୟାଡର‌୍‌ର ଦାୟିତ୍ବ ଓ କାର୍ଯ୍ୟଶୈଳୀ ସମ୍ପୂର୍ଣ୍ଣ ଭିନ୍ନ ରହିଥିଲା। ଓଡ଼ିଶା ପୁଲିସ ସର୍ଭିସ୍‌ରେ କାର୍ଯ୍ୟରତ ଅଫିସର ଅପରାଧ ନିୟନ୍ତ୍ରଣ ଓ ମାମଲାର ତଦନ୍ତ ପ୍ରକ୍ରିୟାରେ ସାମିଲ ହେବାକୁ ଦାୟିତ୍ବ ନ୍ୟସ୍ତ କରାଯାଇଥିବା ବେଳେ ଆର୍ମଡ୍‌ ପୁଲିସରେ କାର୍ଯ୍ୟରତ ଅଫିସର ଜରୁରିକାଳୀନ ସମୟରେ ଆଇନ ଶୃଙ୍ଖଳା ପରିସ୍ଥିତି କ୍ଷେତ୍ରରେ ମୁଖ୍ୟତଃ ନିୟୋଜିତ ହେବାର ବ୍ୟବସ୍ଥା ରହିଛି। ଏବେ କିନ୍ତୁ ଆର୍ମଡ୍‌ ପୁଲିସରେ ଥିବା ଆସିଷ୍ଟାଣ୍ଟ କମାଣ୍ତାଣ୍ଟ, ଡେପୁଟି କମାଣ୍ତାଣ୍ଟ ଏବ˚ କମାଣ୍ତାଣ୍ଟ ପାହ୍ୟାର ଅଫିସରଙ୍କ ଖାକି ବର୍ଦ୍ଦିରେ ‘ବ୍ୟାଜ୍‌’ ବ୍ୟବହାରକୁ ନେଇ ଶୀତଳ ଯୁଦ୍ଧ ନିୟନ୍ତ୍ରଣ ବାହାରକୁ ଚାଲି ଗଲାଣି। ଏହି ତିନୋଟି ପାହ୍ୟାର ଆର୍ମଡ୍‌ ପୁଲିସ ଅଫିସର ନିଜ କାନ୍ଧରେ ‘ଓଏପିଏସ୍‌ ବ୍ୟାଜ୍‌’ ନ ଲେଖି ଓଡ଼ିଶା ପୁଲିସରେ ସମାନ ପାହ୍ୟାରେ ଥିବା ଡିଏସ୍‌ପି, ଅତିରିକ୍ତ ଏସ୍‌ପି, ଏସ୍‌ପି (ଅତିରିକ୍ତ ଏସ୍‌ପିରୁ ପଦୋନ୍ନତି ପାଇଥିବା ଅଫିସର)ଙ୍କ ଭଳି ‘ଓପିଏସ୍‌ ବ୍ୟାଜ୍‌’ ବ୍ୟବହାର କରୁଛନ୍ତି। ଆର୍ମଡ୍‌ ପୁଲିସ କ୍ୟାଡର‌୍‌ରେ ରିଜର୍ଭ ଇନ୍‌ସ୍ପେକ୍ଟର ପାହ୍ୟାରୁ ପଦୋନ୍ନତି ପାଇ ଆସିଷ୍ଟାଣ୍ଟ କମାଣ୍ତାଣ୍ଟ ପାହ୍ୟାକୁ ଉତ୍ତୀର୍ଣ୍ଣ ହେବା ପରଠାରୁ ଏଭଳି ‘ଓପିଏସ୍‌ ବ୍ୟାଜ୍‌ ବ୍ୟବହାର କରୁଛନ୍ତି। ବିବାଦୀୟ ଘଟଣା ଏତିକିରେ ଅଟକି ଯାଇନାହିଁ। ଜିଲ୍ଲା ପୁଲିସ ପକ୍ଷରୁ ବିଭିନ୍ନ ସମୟରେ ଆଇନ ଶୃଙ୍ଖଳା ପରିସ୍ଥିତି ଉପୁଜିଲେ ଅଧସ୍ତନ ପୁଲିସ ଅଫିସରଙ୍କ କାର୍ଯ୍ୟ ତଦାରଖ ଦାୟିତ୍ବ ଓଏପିଏସ୍‌ ପାହ୍ୟାର ଅଫିସରଙ୍କ ହାତରେ ନ୍ୟସ୍ତ କରାଯାଉଛି। ଏମିତିକି ବରିଷ୍ଠ ଇନ୍‌ସ୍ପେକ୍ଟରଙ୍କ କାର୍ଯ୍ୟର ସମୀକ୍ଷା ଆସିଷ୍ଟାଣ୍ଟ କମାଣ୍ତାଣ୍ଟ ପାହ୍ୟାର ଅଫିସର କରୁଛନ୍ତି। ଅନେକ କ୍ଷେତ୍ରରେ ଆସିଷ୍ଟାଣ୍ଟ କମାଣ୍ତାଣ୍ଟ କିମ୍ବା ଡେପୁଟି କମାଣ୍ତାଣ୍ଟ ପାହ୍ୟାର ଓଏପିଏସ୍‌ ଅଫିସରଙ୍କୁ ଏକ୍‌ଜିକ୍ୟୁଟିଭ୍‌ ମାଜିଷ୍ଟ୍ରେଟ୍‌ ଭାବେ ଆଇନ ଶୃଙ୍ଖଳା ପରିସ୍ଥିତିରେ ନିୟୋଜିତ କରାଯାଉଛି। ଓଏପିଏସ୍‌ କ୍ୟାଡର‌୍‌ର ଅଫିସର ଭାରତୀୟ ପିଙ୍ଗଳ ଆଇନ ସମ୍ପର୍କରେ ଓପିଏସ୍‌ କ୍ୟାଡର‌୍‌ର ଅଫିସରଙ୍କ ଭଳି ଦଖଲ ରଖୁ ନଥିବାରୁ ସେମାନଙ୍କୁ ଜୁଡିସିଆଲ୍‌ କ୍ଷମତା ଦେବା ସିଆର‌୍‌ପିସିର ଉଲ୍ଲ˚ଘନ କରୁଥିବାରୁ ଓଡ଼ିଶା ପୁଲିସ ସର୍ଭିସ୍‌ କ୍ୟାଡର‌୍‌ର ଅଫିସରମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି।

‘ଓପିଏସ୍‌ ବ୍ୟାଜ୍‌’ ଲୋଭ କେବଳ ଓଏପିଏସ୍‌ କ୍ୟାଡର‌୍‌ରେ ନାହିଁ, ଓଡ଼ିଶା ପୁଲିସରେ ବି ବ୍ୟାପିବାରେ ଲାଗିଛି। ୨୦୧୭ ନଭେମ୍ବର ୨୯ ତାରିଖରେ ରାଜ୍ୟ ପୁଲିସ ବିଭାଗରେ ପ୍ରଥମ ଥର ପାଇଁ ୧୪୦ ଜଣ ଇନ୍‌ସ୍ପେକ୍ଟରଙ୍କୁ ଇନ୍‌ଚାର୍ଜ ଡିଏସ୍‌ପି ଭାବେ ଆଡ୍‌ହକ ଭିତ୍ତିରେ ନିଯୁକ୍ତି ମିଳିଥିଲା। ବରିଷ୍ଠତା ଭିତ୍ତିରେ ତିନୋଟି ସର୍ତ୍ତ ସହିତ ଏମାନେ କାର୍ଯ୍ୟ କରିବେ ବୋଲି (ଚିଠି ନ˚ ୯୯୨) ଦର୍ଶାଯାଇଥିଲା। ଇନ୍‌ସ୍ପେକ୍ଟରଙ୍କ ଦରମା ପାଇବା ସହିତ ଇନ୍‌-ଚାର୍ଜ ଡିଏସ୍‌ପି ନିଯୁକ୍ତି ପ୍ରକ୍ରିୟାକୁ ପଦୋନ୍ନତି ଭାବେ ବିବେଚନା କରାଯିବ ନାହିଁ ବୋଲି ନିର୍ଦ୍ଦେଶନାମାରେ ସ୍ପଷ୍ଟ ଭାବେ ଦର୍ଶାଯାଇଥିଲା। ଏଭଳି ସ୍ଥିତିରେ ସମ୍ପୃକ୍ତ ଇନ୍‌-ଚାର୍ଜ ଡିଏସ୍‌ପି ମାନେ ନିଜ କାନ୍ଧରେ ଏବେ ‘ଓପିଏସ୍‌ ବ୍ୟାଜ୍‌’ ବ୍ୟବହାର କରୁଛନ୍ତି। ଇନ୍‌ସ୍ପେକ୍ଟରରୁ ଡିଏସ୍‌ପି ପାହ୍ୟାକୁ ପଦୋନ୍ନତି ପରେ ହିଁ କେବଳ ‘ଓପିଏସ୍‌ ବ୍ୟାଜ୍‌’ ବ୍ୟବହାର କରାଯାଏ। ଏହି ବ୍ୟାଜ୍‌ ଅତିରିକ୍ତ ଏସ୍‌ପି ଏବ˚ ଅତିରିକ୍ତ ଏସ୍‌ପିରୁ ପଦୋନ୍ନତି ପାଇଥିବା ଏସ୍‌ପି ବି ବ୍ୟବହାର କରିପାରିବେ। କିନ୍ତୁ ଇନ୍‌-ଚାର୍ଜ ଡିଏସ୍‌ପି ଏହି ବ୍ୟାଜ୍‌ ବ୍ୟବହାର କରୁଥିବାରୁ ଆର୍ମଡ୍‌ ପୁଲିସର ଗୋଟିଏ ପକ୍ଷ ଏହାକୁ ବିରୋଧ କରିଛି। ଏମିତିକି ମାମଲାର ତଦନ୍ତଭାର ଗ୍ରହଣ କିମ୍ବା ଅନ୍ୟ ସରକାରୀ କାଗଜପତ୍ରରେ ବ୍ୟବହୃତ ହେଉଥିବା ଷ୍ଟାମ୍ପରେ ଇନ୍‌-ଚାର୍ଜ ଡିଏସ୍‌ପି/ଏସ୍‌ଡିପିଓ/ଏସିପି ବଦଳରେ ସିଧାସଳଖ ଡିଏସ୍‌ପି/ଏସ୍‌ଡିପିଓ/ଏସିପି ଷ୍ଟାମ୍ପ ବ୍ୟବହାର ଘଟଣାକୁ ନେଇ ପ୍ରଶ୍ନ ଉଠିଛି। ଯଦି ଇନ୍‌-ଚାର୍ଜ ଡିଏସ୍‌ପିଙ୍କୁ ନିଯୁକ୍ତି ପ୍ରକ୍ରିୟାକୁ ପଦୋନ୍ନତି ବୋଲି ବିଚାର କରାଯିବ ନାହିଁ, ତେବେ ସେମାନେ ଇନ୍‌ସ୍ପେକ୍ଟରଙ୍କ ପରି କାନ୍ଧରେ ଓପି (ଓଡ଼ିଶା ପୁଲିସ) ବ୍ୟାଜ୍‌ ବ୍ୟବହାର କରିବା କଥା। କିନ୍ତୁ ‘ଓପିଏସ୍‌ ବ୍ୟାଜ୍‌ ବ୍ୟବହାର କରି ନିୟମରେ ଖିଲାପ ହୋଇଥିବା ଅଭିଯୋଗ ହୋଇଛି। ଏଥିପାଇଁ ଆଇପିସିର ଦଫା ୧୪୦ (ସମ୍ପୃକ୍ତ ପଦବିରେ ନଥାଇ ମଧ୍ୟ ପୋଷାକ, ବ୍ୟାଜ୍‌ କିମ୍ବା ଅନ୍ୟ ସାମଗ୍ରୀ ବ୍ୟବହାର)ରେ ମାମଲା ରୁଜୁ ହୋଇପାରିବ ବୋଲି ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି। ଉଭୟ ପକ୍ଷଙ୍କ ମଧ୍ୟରେ ବିବାଦ ସମାଧାନ ନହେଲେ ଆଗାମୀ ଦିନରେ ଆନ୍ଦୋଳନ ରୂପ ନେବାର ଆଶଙ୍କା କରାଯାଉଛି।

ସମ୍ବନ୍ଧିତ ଖବର