ରାଜ୍ୟର ଆଇନ ଶୃଙ୍ଖଳା ସ୍ଥିତି ସମୀକ୍ଷା

ପୁଲିସ୍‌ର ବ୍ୟବହାରରେ ନମ୍ରତା ଆଣିବାକୁ ଡିଜିଙ୍କ ପରାମର୍ଶ, ଜୁଲାଇ ୩୦ରୁ ଅଗଷ୍ଟ ୧୩ ଯାଏଁ ‘ଅପରେସନ୍‌ ପରି-୩’, ସଡ଼କ ଦୁର୍ଘଟଣା ଏଡ଼ାଇବାକୁ ସ୍ବତନ୍ତ୍ର ଅଭିଯାନ ପାଇଁ ଏସ୍‌ପିଙ୍କୁ ନିର୍ଦ୍ଦେଶ

କଟକ : ଆଇନ୍‌ ଶୃଙ୍ଖଳା ପରିସ୍ଥିତିର ନିୟନ୍ତ୍ରଣ ବେଳେ ପୁଲିସ୍‌ର ବ୍ୟାବହାରିକ ଦିଗକୁ ଡିଜିପି ରାଜେନ୍ଦ୍ର କୁମାର ଶର୍ମା ଜୋର‌୍‌ ଦେଇଛନ୍ତି। କୌଣସି ପରିସ୍ଥିତିର ମୁକାବିଲାବେଳେ ପ୍ରାଥମିକ ପର୍ଯ୍ୟାୟରେ ପୁଲିସର ବ୍ୟବହାର ଅନେକ ଅପ୍ରୀତିକର ସ୍ଥିତିକୁ ଏଡ଼ାଇବାରେ ଅନ୍ୟତମ ଭୂମିକା ନେଇଥାଏ। ତେଣୁ ପ୍ରତ୍ୟେକ ସ୍ଥାନରେ ଅତ୍ୟନ୍ତ ନମ୍ର, ଭଦ୍ର ଓ ଶାଳୀନତା ରଖି ପରିସ୍ଥିତିର ମୁକାବିଲା କରିବାକୁ ଡିଜି ପରାମର୍ଶ ଦେଇଛନ୍ତି। ଆଜି ପୁଲିସ ମୁଖ୍ୟାଳୟରେ ରାଜ୍ୟର ଆଇନ୍‌ ଶୃଙ୍ଖଳା ସ୍ଥିତି ଉପରେ ଭିଡିଓ କନ୍‌ଫରେନ୍ସି˚ ଜରିଆରେ ସମୀକ୍ଷା କରିବା ବେଳେ ସେ ପୁଲିସର ବ୍ୟବହାର ଉପରେ ଅଧିକ ଗୁରୁତ୍ବ ଦେଇଥିଲେ। ପୁଲିସ କମିସନର, ରେଞ୍ଜ ଆଇଜି, ଡିଆଇଜି, ଏସ୍‌ପି ଓ ଡିସିପିମାନଙ୍କ ସହିତ ଭିଡିଓ କନ୍‌ଫରେନ୍ସି˚ରେ ଏହି ସମୀକ୍ଷା କରାଯାଇଥିଲା।

ପ୍ରାରମ୍ଭରେ ଚଳିତ ସାଧାରଣ ନିର୍ବାଚନର ସୁପରିଚାଳନା ପାଇଁ ସମସ୍ତ ଜିଲ୍ଲା ଏସ୍‌ପିମାନଙ୍କୁ ଡିଜି ପ୍ରଶ˚ସା କରିଥିଲେ। ଏଥିସହିତ ବାତ୍ୟା ‘ଫନି’ର ମୁକାବିଲା, ରଥଯାତ୍ରା ପରିଚାଳନା ଶାନ୍ତିଶୃଙ୍ଖଳାରେ ହୋଇଥିବାରୁ ଏଥିପାଇଁ ବିଭାଗର ଉଦ୍ୟମକୁ ସେ ପ୍ରଶ˚ସା କରିଥିଲେ। ନିଖୋଜ ହୋଇଯାଇଥିବା ପିଲାମାନଙ୍କୁ ଉଦ୍ଧାର କରିବା ପାଇଁ ଜୁଲାଇ ୩୦ରୁ ଅଗଷ୍ଟ ୧୩ ତାରିଖ ପର୍ଯ୍ୟନ୍ତ ସ୍ବତନ୍ତ୍ର ଅଭିଯାନ ‘ଅପରେସନ୍‌ ପରି-୩’ ଆରମ୍ଭ କରାଯିବାକୁ ଡିଜି ନିର୍ଦ୍ଦେଶ ଦେଇଥିଲେ। ପ୍ରତ୍ୟେକ ଜିଲ୍ଲାରେ ଯେପରି ଏହି ପର୍ଯ୍ୟାୟ ସଫଳତାର ସହ ସମ୍ପାଦିତ ହୁଏ, ସେଥିପ୍ରତି ଏସ୍‌ପିମାନେ ଯତ୍ନବାନ ହେବାକୁ କହିଥିଲେ। ସେହିପରି ରାଜ୍ୟରେ ଦଣ୍ତବିଧାନ ହାର ବୃଦ୍ଧି କରିବାକୁ ସେ ଏସ୍‌ପିମାନଙ୍କୁ ପରାମର୍ଶ ଦେଇଥିଲେ। ରେଡ୍‌ ଫ୍ଲାଗ୍‌ ମାମଲା ଅଧୀନରେ ପୋକ୍‌ସୋ ଆକ୍ଟରେ ଅଧିକ ଦଣ୍ତବିଧାନ ହୋଇପାରୁଛି। ସେଭଳି ଅନ୍ୟ ମାମଲାଗୁଡିକୁ ମଧ୍ୟ ନ୍ୟାୟ ଦେବାକୁ ଡିଜି ଗୁରୁତ୍ବାରୋପ କରିଥିଲେ। ଏଥିସହିତ ରାସ୍ତାମାନଙ୍କରେ ହେଉଥିବା ବିଭିନ୍ନ ମର୍ମନ୍ତୁଦ ଦୁର୍ଘଟଣାକୁ ଏଡାଇବା ପାଇଁ ପୁଲିସ୍‌ ପକ୍ଷଙ୍କୁ ସ୍ବତନ୍ତ୍ର ଅଭିଯାନ ଆରମ୍ଭ କରିବାକୁ ଏସ୍‌ପି ଓ ଡିସିପିଙ୍କୁ ପରାମର୍ଶ ଦିଆଯାଇଥିଲା।

ପ୍ରଥମ ଥର ପାଇଁ ଅଡଭୋକେଟ ଜେନେରାଲ ଅଶୋକ ପରିଜା ଓ ତାଙ୍କ ଟିମ୍‌ ଏହି ସମୀକ୍ଷା ବୈଠକରେ ଯୋଗ ଦେଇଥିଲାବେଳେ ଏଜିଙ୍କ କାର୍ଯ୍ୟାଳୟ ସହିତ ପୁଲିସ୍‌ର ଉତ୍ତମ ବୁଝାମଣା ରକ୍ଷା କରିବା ଉପରେ ସେ ପ୍ରାଧାନ୍ୟ ଦେଇଥିଲେ। ଏଜିଙ୍କ ପରାମର୍ଶ ଅନୁଯାୟୀ, ନିୟମିତ ଭାବେ କୋର୍ଟ ମାମଲାଗୁଡିକୁ ଅନୁଧ୍ୟାନ କରିବାକୁ ପ୍ରତ୍ୟେକ ଜିଲ୍ଲାରେ ଜଣେ ଲେଖାଏଁ ନୋଡାଲ ଅଫିସରଙ୍କୁ ନିଯୁକ୍ତ କରାଯିବ।

ତଦନ୍ତ ଶେଷ ହୋଇନଥିବା ମାମଲାଗୁଡିକୁ ତୁରନ୍ତ ସାରିବାକୁ ସ୍ବତନ୍ତ୍ର ଅଭିଯାନ ଆରମ୍ଭ କରିବା, ଡ୍ରଗ୍ସ ଚାଲାଣକାରୀ ଓ ଗଞ୍ଜେଇ ଚୋରା ବେପାରୀଙ୍କୁ ଧରିବା ପାଇଁ ଉଦ୍ୟମ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ସେହିପରି ଏସ୍‌ପିମାନଙ୍କ ନେତୃତ୍ବରେ ରାଜ୍ୟବ୍ୟାପୀ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ସୃଷ୍ଟି କରିବାକୁ ଡିଜିପି କହିଥିଲେ। ଲକ୍ଷ୍ମଣନାଥଠୁ ଗିରିସୋଳା, ଭୁବନେଶ୍ବରରୁ ପୁରୀ, ମଙ୍ଗୁଳିରୁ ସମ୍ବଲପୁର, ସମ୍ବଲପୁରରୁ ରାଉରକେଲା, ସମ୍ବଲପୁରରୁ ସୋହେଲା ପର୍ଯ୍ୟନ୍ତ ମାସେ ମଧ୍ୟରେ ହାଇେଵ ପାଟ୍ରୋଲି˚ ଆରମ୍ଭ କରାଯିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। । ଏହି ବୈଠକରେ ଗୁଇନ୍ଦା ନିର୍ଦ୍ଦେଶକ ସୁନୀଲ ରଏ, କ୍ରାଇମ୍‌ବ୍ରାଞ୍ଚ ଅତିରିକ୍ତ ଡିଜି ସନ୍ତୋଷ ଉପାଧ୍ୟାୟ, ଅତିରିକ୍ତ ଡିଜି (ରେଳବାଇ) ପ୍ରାଣବିନ୍ଦୁ ଆଚାର୍ଯ୍ୟ, ଅତିରିକ୍ତ ଡିଜି (ଏଚ୍‌ଆର‌୍‌ପିସି) ଏସ୍‌.ଏମ୍‌. ନରଭାନେ, ଏଡିଜିପି (ଆଧୁନିକୀକରଣ) ବିନୟତୋଷ ମିଶ୍ର, ଏଡିଜିପି (ଆଇନ୍‌ ଶୃଙ୍ଖଳା) ସ˚ଜୀବ ପଣ୍ତା, ଆଇଜି (ପର୍ସୋନେଲ୍‌) ପି.ଏସ୍‌. ରଣପିସେ, ଆଇଜି (କେନ୍ଦ୍ରାଞ୍ଚଳ) ସୌମେନ୍ଦ୍ର କୁମାର ପ୍ରିୟଦର୍ଶୀ, ଆଇଜି (ଅପରାଧ) ଅରୁଣ ବୋଥ୍ରା, ଆଇଜି (ମୁଖ୍ୟାଳୟ) ଅସିତ ପାଣିଗ୍ରାହୀ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର